ଶିକ୍ଷା ହେଉଛି ଜନସମାଜର ଭବିଷ୍ୟତ ଗଢ଼ିବାର ଶକ୍ତି। ଏକ ରାଜ୍ୟ କିମ୍ବା ଦେଶର ଉନ୍ନତି ତାହାର ଶିକ୍ଷାବ୍ୟବସ୍ଥା କେତେ ମଜବୁତ ତାହା ଉପରେ ନିର୍ଭର କରେ। କିନ୍ତୁ ଓଡ଼ିଶାରେ ଉଚ୍ଚଶିକ୍ଷା ବିଭାଗ ଏବେ ମୂଳ ଲକ୍ଷ୍ୟରୁ ଦିଗଭ୍ରଷ୍ଟ ହୋଇପଡ଼ିଛି। ଅଧ୍ୟାପକ ନିଯୁକ୍ତି ନେଇ ବର୍ଷ ବର୍ଷ ଧରି ଯେତେସବୁ ଘୋଷଣା ହେଲା, ସେସବୁ କେବଳ ଖବରକାଗଜ ଓ ପ୍ରେସ ନୋଟରେ ଅଟକି ରହିଛି।
ସେହି ଖାଲି ଆସନ ଭରିବା ପାଇଁ ସରକାର ଏବେ ଯେ ନୂଆ ପଦକ୍ଷେପ ନେଇଛନ୍ତି — ଠିକା ଅଧ୍ୟାପକ ନିଯୁକ୍ତି — ତାହା ରାଜ୍ୟର ଶିକ୍ଷା ନୀତି ଓ ଶିକ୍ଷାପ୍ରତି ମନୋଭାବର ଏକ ବିନାଶକାରୀ ଚିତ୍ର ପ୍ରଦର୍ଶନ କରୁଛି।
ଉଚ୍ଚଶିକ୍ଷା! ଶବ୍ଦଟି ଶୁଣିଲେ ମନକୁ ଆସେ — ଗ୍ୟାନ, ଗବେଷଣା ଓ ଭବିଷ୍ୟତ୍। କିନ୍ତୁ ଓଡ଼ିଶାରେ ଏହି “ଉଚ୍ଚଶିକ୍ଷା” ଏବେ ଏକ ନିରାଶାର ଅନ୍ୟନାମ ହୋଇପାରିଛି। ରାଜ୍ୟ ସରକାର ଦୀର୍ଘଦିନ ଧରି ଅଧ୍ୟାପକ ନିଯୁକ୍ତି କରିବାରେ ବିଫଳ। ଏବଂ ଏବେ ନୂଆ ପ୍ରସ୍ତାବ — “ଠିକା ଅଧ୍ୟାପକ”!
ହଁ, ଠିକା ଅଧ୍ୟାପକ ଆସିବେ, ମାସକୁ ୫୦ଟି କ୍ଳାସ ନେବେ, ମାସିକ ମଜଦୁରୀ — ୨୫ ହଜାରରୁ ଅଧିକ ନୁହେଁ। ଅର୍ଥାତ, ଜ୍ଞାନ ଦେବେ, କିନ୍ତୁ ନିଜ ଜୀବନ ଚାଲିବ ଅଜ୍ଞାନରେ।
ଠିକା ନିଯୁକ୍ତି: ଏକ ମାନସିକ ଓ ପାରିଶ୍ରମିକ ଅପମାନ
ନୂତନ ନୀତି ଅନୁସାରେ ଠିକା ଅଧ୍ୟାପକମାନେ ମାସକୁ ୫୦ଟି କ୍ଲାସ ନେବେ। ସେପରି ମହତ୍ତମ ଦାୟିତ୍ୱ ହେଲେ ମଧ୍ୟ ସେମାନଙ୍କ ମାସିକ ପ୍ରାପ୍ୟ ୨୫ ହଜାର ଟଙ୍କା ଠାରୁ ଅଧିକ ହେବ ନାହିଁ।
ଏହା ଶିକ୍ଷା କ୍ଷେତ୍ରରେ ଏକ ଦୁଃଖଦ ହାସ୍ୟ — ଗୋଟିପଟେ ବିଭାଗୀୟ ଅଧିକାରୀଙ୍କ ବିଦେଶ ଯାତ୍ରା, ସମ୍ମିଳନୀ ଓ ବିଜ୍ଞାପନରେ କୋଟି କୋଟି ଟଙ୍କାର ଅପଚୟ ହେଉଛି; ଅନ୍ୟପଟେ ଏକ ଶିକ୍ଷକଙ୍କୁ ୨୫ ହଜାରରେ ରାଜ୍ୟର ଭବିଷ୍ୟତ ଗଢ଼ିବାକୁ ଆଶା କରାଯାଉଛି।
ଏହା ଏକ ଶିକ୍ଷକଙ୍କ ଗରିମା ଉପରେ ଅଘାତ। ଠିକା ଅଧ୍ୟାପକ ହେଲେ ଶିକ୍ଷକ ନୁହେଁ — ସେ ଏକ “ସେବାଦାତା” ହେଇଯାଉଛନ୍ତି, ଯାହାକୁ କେବେ ଚାଲୁ କରାଯାଉଛି, କେବେ ବନ୍ଦ କରାଯାଉଛି।
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବୈମାତୃକ ମନୋଭାବ
ଏହି ନୀତିରେ ଯାହା ସ୍ପଷ୍ଟ ହେଲା — ମନ୍ତ୍ରୀଙ୍କର ଶିକ୍ଷା ବିଭାଗ ପ୍ରତି ଗଭୀର ଅବଜ୍ଞା ଓ ବୈମାତୃକ ମନୋଭାବ। ମନ୍ତ୍ରୀ ଯଦି ଶିକ୍ଷାକୁ “ଖର୍ଚ୍ଚ” ଭାବରେ ଦେଖନ୍ତି, “ବିନିଯୋଗ” ଭାବରେ ନୁହେଁ — ତେବେ ତାଙ୍କର ମନୋଭାବ ଶିକ୍ଷାକୁ ବିନାଶ ଦିଗକୁ ନେଇଯିବ।
ଓଡ଼ିଶାରେ ଏକ ସମୟ ଥିଲା ଯେତେବେଳେ ଆଚାର୍ଯ୍ୟ, ପ୍ରଫେସର, ଡିନ୍ମା ନେ ରାଜ୍ୟର ଗର୍ବ ଥିଲେ। ଏବେ ସେ ଅସନ ଖାଲି ହେଲେ ମଧ୍ୟ ନିଯୁକ୍ତି ହେଉନାହିଁ। ଏହା ଏକ ଅସାହାୟ ସ୍ଥିତି — ଏବଂ ମନ୍ତ୍ରୀଙ୍କ ନିର୍ଦ୍ଦେଶ ନୁହେଁ, ବିଜେଡି ସରକାର ଭଳି ଏବେ ବି ଅଫିସରଙ୍କ ରାଜ ଏଠାରେ ଚାଲିଛି।
ଅଫିସର ରାଜ: ମନ୍ତ୍ରୀ କେବଳ ହସ୍ତାକ୍ଷର ମେସିନ୍
ବିଭାଗ ମଧ୍ୟରେ ଯେପରି ଗୁଜବ ଚାଲିଛି, ମନ୍ତ୍ରୀଙ୍କ ନିଜସ୍ୱ ନିଷ୍ପତ୍ତି ରହୁନାହିଁ। ଅଫିସରମାନେ ଯାହା କହୁଛନ୍ତି, ତାହାକୁ ସେ ପାଳନ କରୁଛନ୍ତି।
ଏହାର ଅର୍ଥ — ଉଚ୍ଚଶିକ୍ଷା ବିଭାଗ ଏବେ ଶିକ୍ଷା ନୁହେଁ, ପ୍ରଶାସନିକ ନିୟନ୍ତ୍ରଣର ଖେଳନା। ନୀତି ନିର୍ଦ୍ଧାରଣ କ୍ୟାବିନେଟ ଟେବୁଲରେ ନୁହେଁ, ଅଫିସରଙ୍କ ଏୟାର କଣ୍ଡିସନ୍ ରୁମରେ ହେଉଛି । ମନ୍ତ୍ରୀ ତାହାକୁ ମିଡ଼ିଆ ଆଗରେ କଣ୍ଢେଇ ଭଳି ବଖାଣୁଛନ୍ତି। ମନ୍ତ୍ରୀ ଯଦି ନିଜ ଦାୟିତ୍ୱ ଓ ନୀତି ନିଷ୍ପତ୍ତି ଠିକରେ ନ ତୁଲାନ୍ତି, ତେବେ ସେ “ମନ୍ତ୍ରୀ” ନୁହେଁ — ଅଫିସରଙ୍କ ହାତର ଏକ କାଠପୁତଳି ମାତ୍ର।
ଅଧ୍ୟାପକ ଖାଲି ଅସନ ଓ ଶିକ୍ଷା ଗୁଣବତ୍ତା
ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ସ୍ୱାୟତ୍ତ ସଂସ୍ଥାଗୁଡ଼ିକରେ ଏବେ ହଜାର ହଜାର ସଂଖ୍ୟାରେ ଅଧ୍ୟାପକ ପଦବୀ ଖାଲି ରହିଛି। ଅନେକ ବିଭାଗରେ ଦୀର୍ଘ ମାସ ଧରି ପାଠପଢ଼ା ହେଉନାହିଁ। ଛାତ୍ରମାନେ ସ୍ୱୟଂ ରେଫରେନ୍ସ ବୁକ୍ ଓ ଅନଲାଇନ୍ ଉପରେ ନିର୍ଭର କରିଛନ୍ତି। ସେପରି ଅବସ୍ଥାରେ ଯଦି ଠିକା ଅଧ୍ୟାପକ ଦିଆଯାଏ, ସେ ଅନୁଭବ ଓ ନିଷ୍ଠା ଦେଇପାରିବେ କି?
ଶିକ୍ଷା ଏକ ଦୀର୍ଘ ସମ୍ପର୍କ— ଛାତ୍ର ଓ ଅଧ୍ୟାପକ ମଧ୍ୟରେ ଆତ୍ମିୟତା, ବିଶ୍ୱାସ ଓ ଗଭୀର ମନୋବିଜ୍ଞାନ ଆବଶ୍ୟକ। କିନ୍ତୁ ଠିକା ଅଧ୍ୟାପକ ଜାଣିଥାନ୍ତି — “ମୋ ଚାକିରି କେବେ ଶେଷଯାଇପାରେ।” ଏହି ଭୟ ସହିତ ଶିକ୍ଷା ଦେବା ମାନେ ଏକ ଭୂକମ୍ପିତ ମଞ୍ଚ ଉପରେ ଭାଷଣ ଦେବା ସମାନ।
ସିଷ୍ଟମର ଅନ୍ତର୍ନିହିତ ରାଜନୀତି
ଏହି ନୀତି କେବଳ ଶିକ୍ଷା ନୁହେଁ, ଏକ ପ୍ରଶାସନିକ ରାଜନୀତିର ଅଂଶ। ସରକାର ସାଧାରଣତଃ ଶିକ୍ଷକ ନିଯୁକ୍ତିକୁ ଦୀର୍ଘ ନିୟମାନୁଗତ ପ୍ରକ୍ରିୟାରେ ଖୋଲିଥାଏ — OPSC, OHEPE, ଇଣ୍ଟରଭ୍ୟୁ, ସର୍ଟିଫିକେସନ୍ ଇତ୍ୟାଦି। କିନ୍ତୁ ଠିକା ନିଯୁକ୍ତି ହେଉଛି “ତତ୍କାଳୀକ ସୁବିଧା” — ଯେଉଁଠାରେ ଅଫିସର ଓ ମଧ୍ୟସ୍ଥମାନେ ନିଜ ସୁବିଧାରେ ନାମ ଠିକ କରନ୍ତି।
ଏହା ଭିତରେ ନିଷ୍ପକ୍ଷତା ନାହିଁ, ଏଥିରେ ପରିଚୟ, ପକ୍ଷପାତ ଓ ସମ୍ପର୍କ ରାଜନୀତି ବେଶି ଚାଲିଥାଏ। ଏହାର ଫଳ ହେଉଛି — ଯୋଗ୍ୟ ଅଭ୍ୟାର୍ଥୀ ବାହାରେ ରହିଯାଉଛନ୍ତି ଓ ଶିକ୍ଷା ମାନଦଣ୍ଡ ଅଧୋଗତି ହେଉଛି।
ଛାତ୍ର ଓ ଅଭିଭାବକଙ୍କ ଅସନ୍ତୋଷ
ଏବେ ଅନେକ ମହାବିଦ୍ୟାଳୟରେ ଛାତ୍ର ଓ ଅଭିଭାବକମାନେ ଅସନ୍ତୁଷ୍ଟ। ସେମାନେ ଦେଖୁଛନ୍ତି — ଶିକ୍ଷା ଶେଷ ହେଲାପରେ ସରକାରୀ ନିଯୁକ୍ତି ନାହିଁ, ଅଧ୍ୟାପକ ମିଳୁନାହିଁ, ପ୍ରାକ୍ଟିକାଲ କ୍ଲାସ ବନ୍ଦ ଅଛି। ଏହା ମାନସିକ ଭାବେ ଏକ ପିଢ଼ିକୁ ନିରାଶା ଓ ବିଶ୍ୱାସହୀନତା ଦିଗକୁ ଧକ୍କା ଦେଉଛି।
ଶିକ୍ଷା ଯେଉଁଠାରେ ଭାବିଥିଲୁ “ସମାଜର ମୁକ୍ତି”, ସେଠାରେ ଏବେ ହେଉଛି “ନିଯୁକ୍ତି ରହିତ ଜାମିନ”।
ଯେତେବେଳେ ହଜାରେ ଆସନ ଖାଲି ଅଛି, ସେତେବେଳେ ସ୍ଥାୟୀ ନିଯୁକ୍ତି କାହିଁକି ହେଉନାହିଁ?
ରାଜ୍ୟ ସରକାର ପାଇଁ ପ୍ରଶ୍ନ
୧. ମାସିକ ୨୫ ହଜାର ଦେଇ ଏକ ଅଧ୍ୟାପକ କିପରି ନିଜ ଜୀବନ ଓ ଶିକ୍ଷା ଭିତରେ ସନ୍ତୁଳନରେ ରଖିବେ?
୨. ଏହି ନୀତି କେବେ ପର୍ଯ୍ୟନ୍ତ ଚାଲିବ? ଏହାକୁ ଶାଶ୍ୱତ କରିବାକୁ ଚାହୁଁଛନ୍ତି କି?
୩. ମନ୍ତ୍ରୀ ନିଜେ ନିଷ୍ପତ୍ତି ନେଉଛନ୍ତି କି, ନା ଅଫିସରଙ୍କ ରାୟକୁ ପାଳନ କରୁଛନ୍ତି?
ଶିକ୍ଷାର ନୈତିକ ଦିଗ: ମୂଲ୍ୟ ବିହୀନ ଜ୍ଞାନ
ଏକ ଠିକା ଅଧ୍ୟାପକ ଯେତେବେଳେ ଅନିଶ୍ଚିତ ଭବିଷ୍ୟତ ସହିତ ଶିକ୍ଷା ଦେଉଛନ୍ତି, ସେ ନିଜ ମନରେ ନୀତି, ନିଷ୍ଠା ଓ ସମର୍ପଣ ରଖିପାରିବେ କି? ଶିକ୍ଷା କେବଳ ସିଲାବସ ନୁହେଁ — ଏହା ଏକ ମନୋଭାବ, ଏକ ଅଭିଗମ। ଏହି ଅଭିଗମ ଯଦି ଠିକା ଆଧାରିତ ହେଉଛି, ତେବେ ଶିକ୍ଷାର ମୂଲ୍ୟ ଦର ତାଲିକାରେ ରଖାଯାଉଛି।
ଶିକ୍ଷାରେ ରାଜନୀତି ନୁହେଁ, ଦୃଢ଼ ଇଚ୍ଛାଶକ୍ତି ଆବଶ୍ୟକ
ଓଡ଼ିଶା ଯଦି ସତରେ ଉନ୍ନତି ଚାହେଁ ତେବେ ଶିକ୍ଷାକୁ ଦାନ, ସେବା, ଠିକାଭିତ୍ତିକ ଚାକିରି ଭାବେ ନୁହେଁ, ଦେଶ ଗଢ଼ିବାର ନୀତି ଭିତ୍ତି ଭାବରେ ଦେଖିବା ଆବଶ୍ୟକ।
ଏକ ଅଧ୍ୟାପକ ଯେତେବେଳେ ନିରାପଦ ଜୀବନ ଓ ସମ୍ମାନ ନିଶ୍ଚିତ ଅନୁଭବ କରିବେ, ସେତେବେଳେ ଛାତ୍ର ତାଙ୍କୁ ଆଦର କରିବ। ଏହି ମୂଳ ସତ୍ୟ ଯେତେବେଳେ ସରକାର ବୁଝିପାରିବ, ସେଦିନ ଓଡ଼ିଶାର ଉଚ୍ଚଶିକ୍ଷା ପୁନର୍ଜୀବିତ ହେବ।
also read https://purvapaksa.com/new-species-of-flounder-discovered-in-the-mouth-of-bahuda-river-in-odisha/


