ରାଜ୍ୟରେ ଜାରି ରହିଛି ବର୍ଷା । ଲଘୁଚାପ ଜନିତ ବର୍ଷାରେ ଭିଜୁଛି ସାରା ଓଡ଼ିଶା। ସେପଟେ ବିଭିନ୍ନ ନଦୀରେ ବଢୁଛି ଜଳସ୍ତର। ଭଦ୍ରକ ଆଖୁଆପଦାରେ ବିପଦ ସଂକେତ ଛୁଇଁଛି ବୈତରଣୀ, ସୁବର୍ଣ୍ଣରେଖାରେ ମଧ୍ୟ ବଡ଼ ବନ୍ୟା ଆଶଙ୍କା କରଯାଉଛି। ସୁବର୍ଣ୍ଣପୁର, ଜଳକା, ବୈତରଣୀରେ ବନ୍ୟା ସ୍ଥିତି ଅଛି। ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ବଙ୍ଗୋପସଗାରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ପଶ୍ଚିମବଙ୍ଗ ଉପକୂଳ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ବାଂଲାଦେଶ ଉପକୂଳରେ ଏହି ଅବପାତ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି ବରଗଡ଼, ଦେବଗଡ଼ ,କେନ୍ଦୁଝର, ଅନୁଗୁଳ, ସୋନପୁର, ବଲାଙ୍ଗୀର, ନୂଆପଡାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେହିପରି, ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
ଏହାସହ ରବିବାର ଅର୍ଥାତ ୨୭ ତାରିଖରେ ସୁନ୍ଦରଗଡ, ମୟୂରଭଞ୍ଚ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ, ସମ୍ବଲପୁର, ବରଗଡରେ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ୨୮ ତାରିଖରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ବର୍ଷା ସମୟରେ ପବନର ବେଗ ଘଣ୍ଟାପ୍ରତି ୩୫-୪୫ କିମି ବହିବା ନେଇ ପୂର୍ବାନୁମାନ କରଯାଇଛି । ବର୍ଷା ପାଇଁ ସ୍ବତନ୍ତ୍ର ରିଲିଫ୍ କମିଶନର ସମସ୍ତ ବିଭାଗ ସମେତ ବର୍ଷା ସମ୍ଭାବନା ଥିବା ଜିଲ୍ଲାର ଜିଲ୍ଲାପାଳ ଓ ମହାନଗର ନିଗମକୁ ସତର୍କ କରାଇଛନ୍ତି। କୌଣସି ଜରୁରୀ ପରିସ୍ଥିତିକୁ ଏଡାଇବା ପାଇଁ ପ୍ରଶାସନ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ସେପଟେ,ମହନଦୀ ଉପର ମୁଣ୍ତରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢିବାର ବଢିଛି।


