ପୁରୀ ଜିଲ୍ଲାର ଡେଲାଙ୍ଗ ଷ୍ଟେସନ ସ୍ଥିତ ରାଧାକାନ୍ତ ବିଦ୍ୟାପୀଠରେ ଜଣ୍ଡିସ ରୋଗ ଆତଙ୍କ ସୃଷ୍ଟି କରିଛି। ଜଣେ ପରେ ଜଣେ ପ୍ରାୟ ୧୭ରୁ ଅଧିକ ଛାତ୍ରଛାତ୍ରୀ ଏହି ରୋଗରେ ଆକ୍ରାନ୍ତ ହେବାରୁ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଭୟଭୀତ ପରିସ୍ଥିତି ଦେଖାଦେଇଛି । ବିଦ୍ୟାଳୟର ଅସ୍ୱାସ୍ଥ୍ୟକର ପରିବେଶ ଓ ବିଶୁଦ୍ଧ ପାନୀୟ ଜଳର ଅଭାବ ଏହାର ପ୍ରଧାନ କାରଣ ବୋଲି ଅଭିଯୋଗ ହେଉଛି।

ଏହି ବିଦ୍ୟାଳୟରେ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୧୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ରହିଛି ଏବଂ ରୋଷେଇ ଘର ସଫା ସୁତୁରା ରଖିବାକୁ ୨ ଜଣ ପାଚିକା ଓ ପରିସର ସଫା ରଖିବାକୁ ୩ ଜଣ ଚପରାସୀ ନିଯୁକ୍ତ ହୋଇଛନ୍ତି । କିନ୍ତୁ କର୍ମଚାରୀମାନେ ନିଜ କାମ ଠିକ୍ ଭାବେ କରୁନଥିବା ଅଭିଯୋଗ ଉଠିଛି। ବିଦ୍ୟାଳୟ ପ୍ରବେଶ ପଥ ପାଖରେ ଥିବା ଆବର୍ଜନା କୁଣ୍ଡ ଦୀର୍ଘଦିନ ଧରି ସଫା ହୋଇନଥିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି।
ନୂଆ କୋଠାର ଦ୍ୱିତୀୟ ମହଲାରେ ଥିବା ଦୁଇଟି ପାଣି ଟାଙ୍କି ମଧ୍ୟ ଦୀର୍ଘଦିନ ଧରି ସଫା ହୋଇନଥିବା ଜଣାପଡ଼ିଛି। ଟ୍ୟାପରୁ ବାହାରୁଥିବା ପାଣିରେ ଗୁଣ୍ଡ ଓ ଶିଉଳି ମିଶିଥିବା ଦେଖାଯାଇଛି। ମଧ୍ୟାହ୍ନ ଭୋଜନ ବିତରଣ ସ୍ଥାନରେ ଟ୍ୟାପ ପାଣି ବୋହି କାଦୁଅ ପରିସ୍ଥିତି ହୋଇଯାଇଛି। ପିଲାମାନେ ବାରଣ୍ଡାରେ ବସି ଭୋଜନ କରୁଥିବାବେଳେ ପୂର୍ବଦିନର ଅଇଁଠା ଉପରେ ବସି ଖାଇବାକୁ ବାଧ୍ୟ ହେଉଛନ୍ତି। ଭୋଜନ ପରେ ବାସନ ସଫା କରାଯାଉନଥିବା ଓ ହାତ ଧୋଇବା ସ୍ଥାନରେ ଅବର୍ଜନା କୁଣ୍ଡ ଥିବାରୁ ଦୁର୍ଗନ୍ଧ ପ୍ରସାରିତ ହେଉଛି।
ବିଦ୍ୟାଳୟରେ ୪ ଲିଟର କ୍ଷମତାର ଆକ୍ୱାଗାର୍ଡ ଲଗାଯାଇଥିଲେ ମଧ୍ୟ ଶତାଧିକ ପିଲାଙ୍କ ପାଇଁ ସେହି ପାଣି ପର୍ଯ୍ୟାପ୍ତ ହେଉନାହିଁ। ଫଳରେ ପିଲାମାନେ ଟାଙ୍କିର ଗୋଳିଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଟ୍ୟାପରୁ ମଳିନ ପାଣି ବାହାରୁଥିବା ନେଇ ଛାତ୍ରଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କୁ ଅନେକଥର ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି।
ଏହି ବିଦ୍ୟାଳୟରେ ପଢ଼ୁଥିବା ପଂଚୁପଲ୍ଲା, ଗୁଆଳିପଡା, ପାଂଚବାଟିଆ, ହୁମର ଓ ଡେଲାଙ୍ଗ ଷ୍ଟେସନ ବଜାର ଅଞ୍ଚଳର ପ୍ରାୟ ୧୭ରୁ ଅଧିକ ଛାତ୍ରଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଘଟଣା ବିଷୟରେ ଜାଣିବା ପରେ ବିଦ୍ୟାଳୟକୁ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରିଛି। ଆକ୍ରାନ୍ତ ପିଲାଙ୍କୁ ଔଷଧ ଯୋଗାଇ ଦିଆଯାଇଛି ଏବଂ ଆଶାକର୍ମୀଙ୍କୁ ନିୟମିତ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡାକ୍ତରୀ ଦଳ ଗାଁଗୁଡିକୁ ଯାଇ ପିଲାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି।
ଘଟଣା ପରେ ଅଭିଭାବକମାନେ ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସଫାସୁତୁରା ପରିବେଶ ଓ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି। ଯଦି ଶୀଘ୍ର ପଦକ୍ଷେପ ନିଆଯିବ ନାହିଁ, ତେବେ ଆନ୍ଦୋଳନରେ ଯିବାକୁ ସଚେତନ କରିଛନ୍ତି।ଏହି ଘଟଣା ଶିକ୍ଷା ପ୍ରତିଷ୍ଠାନରେ ସ୍ୱାସ୍ଥ୍ୟ ଓ ସୁରକ୍ଷା ନିୟମ ଅମଲବାଣୀ ନେଇ ଗଭୀର ପ୍ରଶ୍ନ ଉଠାଇଛି।


