ଶାସନରେ ଥିବାବେଳେ ନବୀନଙ୍କ ସାଙ୍ଗରେ; ଆଉ ଶାସନ ସହ ଲଢ଼ୁଥିବାବେଳେ ଦଳ ବିରୋଧରେ ଅନେକଥର ମୋଦୀ ସଭାରୁ ସମାଲୋଚନାର ବାଣ ମାରିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତି ଚଳ ଚଞ୍ଚଳ ହୋଇଛି। କିନ୍ତୁ ଏଥର ଗସ୍ତ ସମୟରେ ସେ କାହିଁକି ଗୋଟିଏ ଶବ୍ଦ ବି ନବୀନ ପଟ୍ଟନାୟକ ବା ତାଙ୍କ ଦଳ ବିଷୟରେ କହିଲେ ନାହିଁ? ହିମାଚଳର କଂଗ୍ରସ ସରକାରର ଉଦାହରଣ ଦେଇ କଂଗ୍ରେସଠାରୁ ଦୂରରେ ରହିବାକୁ ଆହ୍ୱାନ ଦେଇଥିବା ମୋଦୀ କ’ଣ ବିଜେଡି ଅପେକ୍ଷା କଂଗ୍ରେସକୁ ବିପଦ ବୋଲି ଗ୍ରହଣ କରୁଛନ୍ତି? ନା ଆଜିବି ବିଜେଡି ତାଙ୍କ ଦଳ ପାଇଁ ବିପଦ ବୋଲି ମୋଦୀ ଚିନ୍ତା କରିଛନ୍ତି?
ବିଜୁ ଜନତା ଦଳ ୧୯୯୭ ମସିହାରୁ ରାଜ୍ୟବାସୀଙ୍କ ରାଜନୀତିକ ବଳ ହୋଇ ରହି ଆସିଛି। ଆଜି ବି ବିଜେଡିର ୫୦ ଜଣ ବିଧାୟକ ରହିଛନ୍ତି। ବିଧାନସଭାରେ ସେମାନେ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଛନ୍ତି। କିନ୍ତୁ ମୋଦୀ ଏହି ସଂଖ୍ୟା ଗରିଷ୍ଠ ବିରୋଧୀ ଦଳକୁ କାହିଁକି ଅଣଦେଖା କଲେ? ଏହା ଏକ ରାଜନୀତିକ ମଞ୍ଚ ହୋଇନପାରେ କିନ୍ତୁ ଯେଉଁ ମଞ୍ଚରୁ ହିମାଚଳ ପ୍ରଦେଶ ସରକାରଙ୍କୁ ମୋଦୀ ଟାର୍ଗେଟ କରି ରାଜ୍ୟବାସୀଙ୍କୁ କଂଗ୍ରେସ ଓ କଂଗ୍ରେସ ସମର୍ଥକଙ୍କଠାରୁ ଦୂରେଇବାକୁ ପରାମର୍ଶ ଦେଇଛନ୍ତି ସେଠାରେ କାହିଁକି ବିଜେଡିକୁ ଅଣଦେଖା କଲେ?
ଏଠାରେ ଦୁଇଟି ପ୍ରସଙ୍ଗ ଆଲୋଚନା କରାଯାଇପାରେ। ଗୋଟିଏ ହେଉଛି ବିଜେଡି ଏବେ ଆଉ ବିଜେପି ପାଇଁ ବିପଦ ହୋଇ ରହି ନାହିଁ। ଏହା ନିମ୍ନଗାମୀ ହେଉଛି ଏବଂ ଦିନକୁ ଦିନ ନିଶ୍ଚିହ୍ନ ହେବା ରାସ୍ତାରେ ଅଛି। ଆଉ ଦ୍ୱିତୀୟଟି ହେଉଛି କଂଗ୍ରେସର ଉତ୍ଥାନ ଘଟିଛି।
ପ୍ରଥମ ପ୍ରସଙ୍ଗକୁ ପ୍ରଥମେ ଆଲୋଚନା କରାଯାଉ। ଏହା ହେଉଛି ବିଜେଡିର ତଳ ମୁହାଁ ଗତି। ବିଗତ ଦିନମାନଙ୍କରେ ବିଜେଡିର ଯେଉଁ ଖବରସବୁ ଲୋକଲୋଚନକୁ ଆସୁଛି ତାହା ସ୍ପଷ୍ଟ କରୁଛି ଯେ, ଦଳରେ ଏବେ କିଛିବି ଠିକ୍ ଚାଲୁ ନାହିଁ। ନା କର୍ମୀ-ନେତାଙ୍କ ଭିତରେ ଭଲ ସମ୍ବନ୍ଧ ରହିଛି ନା, ନେତା ନେତାଙ୍କ ଭିତରେ। ଦଳର ମୁଖିଆ ବି ଆଉ ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ଖେଳାଉ ନାହାନ୍ତି। ବିଧାନସଭା ଅଧିବେଶନ ଚାଲିଥିବାବେଳେ ତାଙ୍କର ଅନୁପସ୍ଥିତି ଏହାକୁ ପ୍ରମାଣିତ କରୁଛି। ପୁଣି ବିଧାନସଭା ଭିତରେ ଦଳର ବିଧାୟକମାନେ ଯେମିତି ଭାଗଭାଗ ହେବାର ପ୍ରମାଣ ଦର୍ଶାଇଲେ ତାହା ସ୍ପଷ୍ଟ କରୁଛି ଯେ କୌଣସି ବି ମୁହୂର୍ତ୍ତରେ ବିଜେଡିକୁ ବିଜେପି ନିୟନ୍ତ୍ରଣ କରିବାକୁ ସକ୍ଷମ। କେବଳ ପରିସ୍ଥିତି ଓ ପରିବେଶକୁ ଅପେକ୍ଷା କରିଛି।
ଦ୍ୱିତୀୟ ପ୍ରସଙ୍ଗଟି ହେଉଛି କଂଗ୍ରେସର ଅଭିବୃଦ୍ଧି। ଦେଶରେ ନୁହେଁ ରାଜ୍ୟରେ ମଧ୍ୟ କଂଗ୍ରେସ ୨୦୨୪ରେ ଭଲ ଫଳ ପ୍ରଦର୍ଶନ କରିଛି। ଏହାର ସଂଗଠନ ମଧ୍ୟ ଉତ୍ସାହିତ ହୋଇଥିବା ସ୍ପଷ୍ଟ ହେଉଛି। ବିଗତ କିଛିଦିନ ଭିତରେ ରାଜ୍ୟରେ ଯେଉଁଭଳି କାର୍ଯ୍ୟକ୍ରମ କରି ଦଳ ସରକାରଙ୍କୁ ହରଡ଼ଘଣାରେ ପକାଉଛି ତାହା ସ୍ପଷ୍ଟ କରୁଛି ଯେ ନିଜ ଶକ୍ତି ଫେରିପାଇବା ଲାଗି କଂଗ୍ରେସର ରାଜ୍ୟ ନେତୃତ୍ୱ ବଡ଼ ଉଦ୍ୟମ କରୁଛନ୍ତି। ପୁଣି ଆଗକୁ ରାଜ୍ୟରେ ହେବାକୁ ଥିବା ନୂଆପଡ଼ା ଉପ ନିର୍ବାଚନରେ ପ୍ରାର୍ଥୀ କିଏ ହେବେ ସ୍ଥିର ହୋଇନଥିଲେ ମଧ୍ୟ ବିଜେପି ଅପେକ୍ଷା ସେଠାରେ କଂଗ୍ରେସର ସ୍ଥିତି ମଜଭୁତ ରହିଥିବା ଜଣାଯାଏ। ଏଣୁ ବିଜେପିକୁ ବିଜେଡି ସହ ନୁହେଁ, ବରଂ କଂଗ୍ରେସ ସହ ଲଢ଼ିବାକୁ ପଡ଼ିପାରେ।
ଏଭଳି ପରିସ୍ଥିତିରେ ବିଜେଡି ପ୍ରତି ମଞ୍ଚ ନୀରବ ରହିବା ଏକ ବଡ଼ ରାଜନୀତିକ ସମୀକରଣକୁ ଇଙ୍ଗିତ କରୁଛି। ଏଣୁ ଆମକୁ କେବଳ ଅପେକ୍ଷା କରିବାକୁ ପଡ଼ିବ, ନୁହେଁ କି?
ALSO READ https://purvapaksa.com/snakes-come-to-your-home-for-these-4-smells-how-safe-is-your-home/
