ଇତି ମଧ୍ୟରେ ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକ ଓ ସ୍ନାତକୋତ୍ତର ପାଠପଢ଼ା ଆରମ୍ଭ ହୋଇଛି। ହେଲେ ନାମଲେଖା ପ୍ରକ୍ରିୟା ସରିପାରିନି । ପ୍ରଥମ ପର୍ଯ୍ୟାୟର ୩ଟି ରାଉଣ୍ଡ ନାମଲେଖା ପରେ ମଧ୍ୟ ସ୍ନାତକୋତ୍ତରରେ ପ୍ରାୟ ୧୨ହଜାର ୭ ଶହ ଏବଂ ସ୍ନାତକରେ ପ୍ରାୟ ୫୦ ପ୍ରତିଶତ ସିଟ୍ ଫାଙ୍କା ପଡ଼ିଛି । ଫଳରେ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଆଶାଜନକ ହୋଇପାରିନି ।
ସ୍ନାତକ ପଢ଼ିବାକୁ ମୋଟ୍ ୨ଲକ୍ଷ ୭୪ହଜାର ୧୭୩ ସିଟ୍ ଥିବା ବେଳେ ଏହାଠାରୁ ପ୍ରାୟ ୧୬ହଜାର କମ ପିଲା ଆବେଦନ କରିଛନ୍ତି । ତନ୍ମଧ୍ୟରୁ ଦ୍ଵିତୀୟ ରାଉଣ୍ଡ ନାମଲେଖା ଶେଷସୁଦ୍ଧା ମାତ୍ର ୧ଲକ୍ଷ ୯ ହଜାର ୪ଶହ ଜଣ ନାମ ଲେଖାଇଥିଲେ।
ତୃତୀୟ ରାଉଣ୍ଡ ନାମଲେଖା ପାଇଁ ଆଉ ୪୯,୮୧୮ ପିଲା ଚୟନ ହୋଇଥିଲେ ମଧ୍ୟ ନାମଲେଖା ୫୦% ଛୁଇଁ ପାରିନି । ଆଶାଜନକ ନାମଲେଖା ହେଉନଥିବାରୁ ସ୍ପଟ୍ ନାମଲେଖା ପାଇଁ ଗାଇଡ୍ଲାଇନ୍ରେ ପରିବର୍ତ୍ତନ କରି ସମସ୍ତଙ୍କୁ ସୁଯୋଗ ଦିଆଯାଇଛି।
ସେହିପରି ସ୍ନାତକୋତ୍ତର ବା ପିଜି ନାମଲେଖା ପାଇଁ ସମୁଦାୟ ୩୧,୧୫୪ଟି ସିଟ୍ ରହିଥିବା ବେଳେ ୪୧,୨୮୮ଜଣ ଚଏସ୍ ଲକିଂ କରି ନାମ ଲେଖା ପ୍ରକ୍ରିୟାରେ ଅଂଶଗ୍ରହଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ତୃତୀୟ ରାଉଣ୍ଡ ନାମଲେଖା ଶେଷ ସୁଦ୍ଧା ୧୮, ୪୦୦ ଜଣ ନାମ ଲେଖାଇଥିବା ବେଳେ ପ୍ରାୟ ୪୦% ଅର୍ଥାତ୍ ୧୨,୭୨୮ ସିଟ୍ ଫାଙ୍କା ପଡ଼ିଛି ।
ଠିକ୍ ସମୟରେ ପାଠପଢ଼ା ଆରମ୍ଭ କରି ଶୈକ୍ଷିକ ବର୍ଷ ସଜାଡ଼ିବାକୁ ସରକାର ଆଗୁଆ ନାମଲେଖା ପାଇଁ ପଦକ୍ଷେପ ନେଇଥିଲେ । ଏପରିକି +୨ ଓ +୩ ରେଜଲ୍ସ ବାହାରିବା ପୂର୍ବରୁ ସ୍ନାତକ ଓ ସ୍ନାତକୋତ୍ତର ନାମଲେଖା ପାଇଁ ଆବେଦନ ଆହ୍ବାନ କରିଥିଲେ। ହେଲେ ସଚେତନତା ଅଭାବରୁ ବହୁ ଛାତ୍ରଛାତ୍ରୀ ସେମାନଙ୍କ ମାର୍କ ଅପଡେଟ୍ କରିନାହାନ୍ତି । ଏଣୁ ସେମାନଙ୍କୁ ସ୍କଟ୍ ନାମଲେଖା ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ପୁଣି ସୁଯୋଗ ଦେଇଛି । ହେଲେ ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିନ ଥିବାରୁ ନାମଲେଖା ଓ ପାଠପଢ଼ା ବାଧାପ୍ରାପ୍ତ ହୋଇଛି ।
ALSO READ https://purvapaksa.com/if-not-aadhar-what-documents-are-valid-proof-of-indian-citizenship/
