UPI transactions: ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ସାମଗ୍ରୀ ଓ ସେବା ଟିକସ (ଜିଏସଟି) ଆଦାୟ କରିବାକୁ ସରକାର କୌଣସି ପ୍ରସ୍ତାବ ଉପରେ ବିଚାର କରୁନାହାନ୍ତି ବୋଲି ଅର୍ଥ ମନ୍ତ୍ରଣାଳୟ ଶୁକ୍ରବାର ସ୍ପଷ୍ଟ କରିଛନ୍ତି।
୨୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ଜିଏସଟି ଆଦାୟ କରିବାକୁ ସରକାର ବିଚାର କରୁଛନ୍ତି ବୋଲି ଯେଉଁ ଦାବି କରାଯାଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା, ବିଭ୍ରାନ୍ତିକର ଏବଂ ବିନା ଆଧାରରେ। ବର୍ତମାନ ସରକାରଙ୍କ ନିକଟରେ ଏଭଳି କୌଣସି ପ୍ରସ୍ତାବ ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ନିର୍ଦ୍ଦିଷ୍ଟ ଉପକରଣ ବ୍ୟବହାର କରି କରାଯାଇଥିବା ଦେୟ ସମ୍ବନ୍ଧୀୟ ମର୍ଚେଣ୍ଟ ଡିସକାଉଣ୍ଟ ରେଟ୍ (ଏମଡିଆର) ଭଳି ଚାର୍ଜ ଉପରେ ଜିଏସଟି ଆଦାୟ କରାଯାଏ ।
୨୦୨୦ ଜାନୁଆରୀରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଡିସେମ୍ବର ୩୦, ୨୦୧୯ର ଗେଜେଟ୍ ବିଜ୍ଞପ୍ତି ଜରିଆରେ ପର୍ସନ-ଟୁ-ମର୍ଚେଣ୍ଟ (ପି୨ଏମ୍) ୟୁପିଆଇ କାରବାର ଉପରେ ଏମଡିଆରକୁ ହଟାଇ ଦେଇଛି।
ଯେହେତୁ ବର୍ତ୍ତମାନ ୟୁପିଆଇ କାରବାର ଉପରେ କୌଣସି ଏମଡିଆର ଆଦାୟ କରାଯାଉନାହିଁ, ତେଣୁ ଏହି କାରବାର ଉପରେ କୌଣସି ଜିଏସଟି ଲାଗୁ ହେବ ନାହିଁ ବୋଲି ମନ୍ତ୍ରଣାଳୟ କହିଛି।
ୟୁପିଆଇ ଜରିଆରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ୟୁପିଆଇର ଅଭିବୃଦ୍ଧିକୁ ସମର୍ଥନ ଏବଂ ବଜାୟ ରଖିବା ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରୁ ଏକ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବିଶେଷ କରି କମ୍ ମୂଲ୍ୟର ୟୁପିଆଇ (ପି୨ଏମ୍) କାରବାରକୁ ଲକ୍ଷ୍ୟ ରଖାଯାଇଛି, କାରବାର ଖର୍ଚ୍ଚ ହ୍ରାସ କରି କ୍ଷୁଦ୍ର ବ୍ୟବସାୟୀମାନେ ଉପକୃତ ହେବେ ଏବଂ ଡିଜିଟାଲ୍ ପେମେଣ୍ଟରେ ବ୍ୟାପକ ଅଂଶଗ୍ରହଣ ଏବଂ ଅଭିନବତାକୁ ପ୍ରୋତ୍ସାହିତ କରିବେ।
ବିବୃତିରେ ଦର୍ଶାଯାଇଛି ଯେ ବର୍ଷ ବର୍ଷ ଧରି ଏହି ଯୋଜନା ଅଧୀନରେ ମୋଟ ପ୍ରୋତ୍ସାହନ ରାଶି ୟୁପିଆଇ ଆଧାରିତ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧,୩୮୯ କୋଟି ଟଙ୍କା, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨,୨୧୦ କୋଟି ଟଙ୍କା ଏବଂ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୩,୬୩୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ଏହି ପଦକ୍ଷେପଗୁଡ଼ିକ ଭାରତର ସୁଦୃଢ଼ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି ।
ଏସିଆଇ ୱାର୍ଲ୍ଡୱାଇଡ ରିପୋର୍ଟ ୨୦୨୪ ଅନୁଯାୟୀ, ୨୦୨୩ରେ ବିଶ୍ୱର ରିୟଲ ଟାଇମ୍ କାରବାରରେ ଭାରତର ଭାଗ ୪୯ ପ୍ରତିଶତ ଥିଲା, ଯାହା ଡିଜିଟାଲ ପେମେଣ୍ଟ ଇନୋଭେସନରେ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ଭାବରେ ନିଜର ସ୍ଥିତିକୁ ପୁନର୍ବାର ଦୋହରାଇଛି ।
ୟୁପିଆଇ କାରବାର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଯାହା ୨୦୧୯-୨୦ ଆର୍ଥିକ ବର୍ଷରେ ୨୧.୩ ଲକ୍ଷ କୋଟି ଟଙ୍କାଥିବା ବେଳେ ମାର୍ଚ୍ଚ ୨୦୨୫ ସୁଦ୍ଧା ଏହା ୨୬୦.୫୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବିଶେଷ କରି ପି୨ଏମ୍ କାରବାର ୫୯.୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଡିଜିଟାଲ ପେମେଣ୍ଟ ୍ ପଦ୍ଧତି ପ୍ରତି ବଢ଼ୁଥିବା ବ୍ୟବସାୟୀ ଗ୍ରହଣ ଏବଂ ଗ୍ରାହକଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି।
ALSO READ: https://purvapaksa.com/nta-announces-jee-main-results-24-students-score-perfect-100/
ଜେଇଇ (ମେନ୍) ଫଳାଫଳ ଘୋଷଣା କଲା ଏନଟିଏ; ୨୪ ଜଣ ଛାତ୍ରଛାତ୍ରୀ ୧୦୦ ନମ୍ବର ରଖିଛନ୍ତି