ଓଡ଼ିଶାରେ ରାଜନୀତିକ ପଟ୍ଟଭୂମି ପରିବର୍ତ୍ତନ ଆଡ଼କୁ ମୁହାଁଇଛି। ବିଶେଷ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାରମ୍ବାର ଶାରିରୀକ ଅସୁସ୍ଥତା ଓ ଉତ୍ତରାଧିକାର ପ୍ରସଙ୍ଗ ଉଭୟ ପୁରୁଣା ଓ ନୂଆ ନେତାଙ୍କୁ ଆତଙ୍କିତ କରିଛି। କେନ୍ଦ୍ରୀୟ ବିଜେପି ନେତାଙ୍କ ସହ ଦୃଢ଼ ସମ୍ପର୍କରେ ବାନ୍ଧି ହୋଇ ରହିଥିବା ଏହି ଆଞ୍ଚଳିକ ଦଳର ଅବସ୍ଥା କ’ଣ ହେବ, କିଏ ନେତୃତ୍ୱ ନେବେ ସେହି ଚିନ୍ତାରେ ଏବେ ନେତାମାନେ ପରସ୍ପର ସହ ଆଲୋଚନାରେ ବ୍ୟସ୍ତ ବି ରହୁଛନ୍ତି। କିଛି ନେତା ନିଜକୁ ବିଜୁପ୍ରେମୀ ଦର୍ଶାଇବାକୁ ସୋଶାଲ ମିଡିଆରେ ଅଭିନବ ପଦକ୍ଷେପ ବି ଗ୍ରହଣ କରୁଛନ୍ତି।
ଏଠି ଯେଉଁ ମେଳି କଥା ଆମେ ଅନୁଶୀଳନ କରିବାକୁ ଯାଉଛୁ ତାହା ନିକଟ ଅତୀତରେ ଘଟିଥିବା ଘଟଣା ବା ପ୍ରସଙ୍ଗ ଆଧାରିତ। ଅନୁଶୀଳନ ଆରମ୍ଭରୁ ଦୁଇ ତିନିଟି ବିନ୍ଦୁରେ ଏହି ପୃଷ୍ଠଭୂମିକୁ ରଖାଯାଇପାରେ। ଯେମିତି ୧୭ ତାରିଖ ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହଠାତ୍ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ହେଲେ। ଏହା ପୂର୍ବରୁ ଦଳର କିଛି ନେତାଙ୍କୁ କେବଳ ତାଙ୍କ ବ୍ୟକ୍ତିଗତ ସହାୟକ ଭୈରବ ପାଣ୍ଡିଆନ୍ ହିଁ ଦେଖା କରିଥିଲେ। କିନ୍ତୁ ତାହା ଖବରକାଗଜରେ ପ୍ରକାଶିତ ହୋଇପାରିନଥିଲା। ସେତେବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ କୌଣସି ତଥ୍ୟ ବିପଣନ କରାଯାଇନଥିଲା। ମୁଁ ଏ ବିପଣନ ଶବ୍ଦଟିକୁ ଏଠାରେ କାହିଁକି ବ୍ୟବହାର କରିଛି ତାହା ପରବର୍ତ୍ତୀ ସମୟରେ କହିବି।
ପୃଷ୍ଠଭୂମିର ଦ୍ୱିତୀୟ ବିନ୍ଦୁଟି ହେଉଛି ନବୀନ ହସ୍ପିଟାଲରେ ଥିବା ଜାଣି ନେତାମାନେ ସେହି ଡାକ୍ତରଖାନା ଆଡ଼କୁ ସୁଅ ଭଳି ଛୁଟିଲେ। ହେଲେ କାହାରିକୁ ନବୀନଙ୍କୁ ଭେଟିବାକୁ ଦିଆଗଲା ନାହିଁ। ‘ଧରିତ୍ରୀ’ ଭଳି ଏକ ନିର୍ଭରଯୋଗ୍ୟ ଖବରକାଗଜରେ ଏନେଇ ଏକ ଖବର ୧୮ ତାରିଖ ସକାଳେ ସମସ୍ତଙ୍କୁ ଚକିତ କରିଲା। ଯେଉଁଥିରେ ସ୍ପଷ୍ଟଭାବେ ଭୈରବ ଓ ତାଙ୍କ ପତ୍ନୀ ସୁଜାତାଙ୍କ ଉପସ୍ଥିତିକୁ ଦର୍ଶାଯାଇଥିଲା। ଏହି ଦମ୍ପତ୍ତି ଯେ ନବୀନଙ୍କୁ ଘେରି ରହିଛନ୍ତି, ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ବୁଝୁଛନ୍ତି ତାହା ସ୍ପଷ୍ଟ ହୋଇଥିଲା।
ଖାଲି ସେତିକି ନୁହେଁ ଏହି ଦୁଇ ଦମ୍ପତ୍ତି କୌଣସି ବିଜେଡି ନେତାଙ୍କୁ ନବୀନଙ୍କୁ ଭେଟିବାକୁ ଦେଉନଥିବା ବିଷୟ ବି ଆଲୋଚନା ହେଲା। ଏହାପରେ ବିଜେଡି ଶିବିରରେ ପୁଣି ପାଣ୍ଡିଆନ୍ ସପକ୍ଷ ଓ ବିପକ୍ଷବାଦୀଙ୍କ ଭିତରେ ଏକ ପଟୁଆର ଯାତ୍ରା ଆରମ୍ଭ ହେଲା। କିଛି ପାଣ୍ଡିଆନ୍ ସୃଷ୍ଟ ନେତା ନବୀନଙ୍କୁ ସାକ୍ଷାତ୍ କରି ସେ ସୁସ୍ଥ ଅଛନ୍ତି ଏବଂ ଦଳରେ କୌଣସି ଗୋଷ୍ଠୀବିବାଦ ନାହିଁ ବୋଲି କହିଥିଲେ।
ଆମେ ଜାଣୁ ଯେ ନବୀନଙ୍କ ବାପା ବିଜୁବାବୁ ଯେତେବେଳେ ସ୍ୱାସ୍ଥ୍ୟ ସଙ୍କଟ ଦେଇ ଗତି କରୁଥିଲେ ସେତେବେଳେ ତାଙ୍କ ଦୁଇ ପୁଅ ବା ଝିଅ ନୁହଁନ୍ତି ବରଂ ଜଣେ ରାଜନୀତିକ ଶିଷ୍ୟଙ୍କ ଘରେ ରହିବାକୁ ପସନ୍ଦ କରିଥିଲେ। ସେ ହେଉଛନ୍ତି, ଶିଳ୍ପପତି ତଥା ରାଉରକେଲା ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ। ସେ ତାଙ୍କର ସମସ୍ତ ସେବା ଶୁଶ୍ରୁଶା କରିଥିବା କୁହାଯାଏ। ଅର୍ଥାତ୍ ବିଜୁଙ୍କ ତିନି ସନ୍ତାନର ପରିବାର ଥାଇ ସେ ଦିଲ୍ଲୀପଙ୍କ ଘରେ ରହିବାକୁ ପସନ୍ଦ କରୁଥିଲେ। ଏଣୁ ଏବେ ନବୀନ ତାଙ୍କର ସବୁଠାରୁ ଖାସ୍ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସେବା ଶୁଶ୍ରୁଶାରେ ରହିବା କିଛି ଭ୍ରୁକୁଞ୍ଚନ ସୃଷ୍ଟିକାରୀ କଥା ହେବା ଅନୁଚିତ।
କିନ୍ତୁ ଏହି ପୃଷ୍ଠଭୂମିରେ ନବୀନଙ୍କୁ କବଳିତ କରି ରଖିଥିବାରୁ ଥିଓରୀ ସାମ୍ନାକୁ ଆସିଛି, ଯାହା ନିର୍ବାଚନ ସମୟରେ ଆସିଥିଲା ଏବଂ ବିଜେଡି ବିପର୍ଯ୍ୟୟର କାରଣ ହୋଇଥିଲା। ନିର୍ବାଚନ ପରେ ଅନେକ ସମୟରେ ଏପରି କଥା ଉଠିଛି ସେଥିଲାଗି ବିଜେଡିରୁ ପୁରୁଣା ନେତାମାନେ ଦୂରେଇବା ଆରମ୍ଭ କରିଛନ୍ତି। ପାଣ୍ଡିଆନ୍ଙ୍କୁ ସମର୍ଥନ କରି କିଛି ନୂଆ ନେତା ସୃଷ୍ଟି ହୋଇଛନ୍ତି ଆଉ କିଛି ମଧ୍ୟମବର୍ଗର ନେତା ମଝି ନଈରେ କୁଟା ଖିଅ ଭଳି ଆଶ୍ରା ଖୋଜୁଛନ୍ତି।
ଏତିକିରେ ତଥାକଥିତ ବିଜୁ ପରିବାରର ଭିତିରି କଥା ଶେଷ ହୋଇନାହିଁ। ଏହି ଭଳି ଏକ ଅସ୍ପଷ୍ଟ ଅଳିନ୍ଦରେ ବିଜୁ ଜନତା ଦଳର ଅବସ୍ଥାରେ ନିଜର ଫାଇଦା ଖୋଜିବା ଲାଗି କିଛି କର୍ମୀ ଓ ନେତା ଏବେ ନୂଆ ସମ୍ଭାବନା ବି ଖୋଜୁଛନ୍ତି। କିଛି ନେତା ଯେଉଁମାନେ ଚାକିରି ଛାଡ଼ି ଦଳରେ ରାଜନୀତିକ ପଦପଦବୀ ପାଇଁ ଆସି ଏବେ ଅଲୋଡ଼ା ହୋଇ ପଡ଼ି ରହିଛନ୍ତି, ସେମାନେ ବି ପରିସ୍ଥିତିର ଫାଇଦା ନେବାକୁ ଅଭିନବ ଚିନ୍ତାଧାରା ଗ୍ରହଣ କରିଛନ୍ତି। ପାଣ୍ଡିଆନ୍ଙ୍କ ଆସ୍ଥା ଜିତିବାକୁ ପ୍ରୟାସ କରିଛନ୍ତି। ଏମାନଙ୍କ ଭିତରେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ନାଁକୁ ଯୋଡ଼ାଯାଇପାରେ।
ଆଜି ମୋର ନେତା, ତଥା ଆମ ଦଳର ସଭାପତି ଏବଂ ଏହି ଦେଶର ଅନ୍ୟତମ ବିଶିଷ୍ଟ ରାଜନୈତିକ ରାଜନେତା ଶ୍ରୀ ନବୀନ ପଟ୍ଟନାୟକ @Naveen_Odisha (ଯିଏ ସାମାନ୍ୟ ଅସୁସ୍ଥତା କାରଣରୁ ଗତ କିଛି ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି) ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଶ୍ରୀ ଭି.କେ. ପାଣ୍ଡିଆନ ଓ ତାଙ୍କ ପତ୍ନୀଙ୍କ ବିଷୟରେ ଫେସବୁକରେ କିଛି ଅତ୍ୟନ୍ତ… pic.twitter.com/1YYbZMVqVK
— Dr. Amar Patnaik (@Amar4Odisha) August 20, 2025
ଗତକାଲି ଶ୍ରୀ ପଟ୍ଟନାୟକ ଭୈରବ-ସୁଜାତାଙ୍କୁ ନେଇ ଅପମାନଜନକ ଓ ଅଶ୍ଳୀଳ ପୋଷ୍ଟ ଫେସବୁକ୍ ଓ ସୋଶାଲ୍ ମିଡିଆରେ କରାଯାଇଥିବା ଅଭିଯୋଗ କରିଛନ୍ତି। ଡିଜିଙ୍କୁ ଏକ ପତ୍ର ଲେଖି ଏହି ବିଷୟକୁ ତଦନ୍ତ କରିବାକୁ କହିବା ସହ ଡିଜିଙ୍କୁ ବି ପ୍ରାକାରାନ୍ତେ ଧମକ ଦେଇଛନ୍ତି। ଯଦି ସେ ତାଙ୍କ ସୂଚନା ଅନୁସାରେ କାର୍ଯ୍ୟ ନ କରନ୍ତି ତେବେ ଯେଉଁସବୁ ଚର୍ଚ୍ଚା ସୋଶାଲ୍ ମିଡିଆରେ ହେଉଛି ତାହା ମୋହନ ମାଝୀ ସରକାରଙ୍କ ଇଙ୍ଗିତରେ ହେଉଛି ବୋଲି ସେ ଧରିନେବେ ବୋଲି କହିଛନ୍ତି।
ବିଜେଡିର ସୋଶାଲ୍ ମିଡିଆ ମୁଖ୍ୟ ରହିଛନ୍ତି ଅମର ପଟ୍ଟନାୟକ। ବିଜେଡିରେ ଯୋଗ ଦେବା ପରେ ୬ ବର୍ଷ ରାଜ୍ୟସଭାର ସାଂସଦ ସେ ଥିଲେ। କିନ୍ତୁ ଦଳ ଅମରଙ୍କୁ କ୍ଷମତାରେ ଥିବାବେଳେ ଆଉଥରେ ସଦସ୍ୟ ଭାବେ ପଠାଇଲା ନାହିଁ। ସେତେବଳଳେ ଭୈରବ ଓ ଅମରଙ୍କ ଭିତରେ ଜତିପାତ ପଡ଼ିନଥିବା ଚର୍ଚ୍ଚା ହେଉଥିଲା। ଏବେ ପୁଣିଥରେ ରାଜ୍ୟସଭା ସଦସ୍ୟତା ଖୋଲିବାକୁ ଯାଉଛି। ଯେଉଁଥିରେ ରାଜ୍ୟ ପାଇଁ ଖାଲି ହେବାକୁ ଥିବା ପଦବୀ ଭିତରୁ ଅତିକମରେ ଗୋଟିଏ ଆସନ ବିଜେଡି ପାଇଁ ରହିବ। ଏଣୁ ଏ ଆସନ ପାଇଁ ପୁଣିଥରେ ଦାବିଦାର ହେବାକୁ ଅମର ଆଶା ରଖିଥିବା ମଧ୍ୟ ଆଲୋଚନା ହେଉଛି। ହେଲେ କେବଳ ସେ ଏହି ପଦବୀ ପାଇଁ ଦାବିଦାର ହୋଇ ନାହାନ୍ତି ପାଣ୍ଡିଆନ୍ ସୃଷ୍ଟ ଅନେକ ନେତା ଏଥିପାଇଁ ଲାଳାୟିତ ରହିଛନ୍ତି। ଏଣୁ ପରିବେଶ, ପରିସ୍ଥିତିରୁ ସମସ୍ତେ ଫାଇଦା ଉଠାଇବାକୁ ବ୍ୟଗ୍ର ହେବା ସ୍ୱାଭାବିକ କଥା।
ଅପରପକ୍ଷେ ଦଳରେ ପାଣ୍ଡିଆନ୍ଙ୍କୁ ବିରୋଧ କରି ଅନେକ ଦଣ୍ଡ ଓ ଅପମାନ ପାଇଥିବା କିଛି ବରିଷ୍ଠ ନେତାମଧ୍ୟ ପରିସ୍ଥିତିରୁ ଫାଇଦା ପାଇଁ ଏକାଠି ହୋଇଥିବା ଜଣାପଡ଼ିଛି। ଯାଜପୁର ଜିଲ୍ଲାର ଓଳାଶୁଣି ଗୁମ୍ଫାରେ ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଯେଉଁଥିରେ ପ୍ରଭାତ ତ୍ରିପାଠୀ, ଅମର ଶତପଥି, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ରବି ପାଣି, ରାମଚନ୍ଦ୍ର ହାଁସଦାଙ୍କ ଭଳି ନେତା ଏକାଠି ହୋଇଥିଲେ।
ଏମାନଙ୍କ ଉପସ୍ଥିତି ଗୋଟିଏ କଥା ସ୍ପଷ୍ଟ କରୁଥିଲା ଯେ, ଓଳାଶୁଣି ଗୁମ୍ଫାରେ ନିଶ୍ଚିତ ଭାବେ କିଛି ରାଜନୀତିକ ଖେଚୁଡ଼ି ପ୍ରସ୍ତୁତ ହେଉଛି। ଏକଥା ସତ୍ୟ ଯେ ଏ ନେତାମାନେ ନିଜ ନିଜର ଜ୍ଞାନ, ଗରିମା ଓ ସ୍ୱାଭିମାନ ପାଇଁ ପ୍ରତିଷ୍ଠିତ। ହେଲେ ଏମାନେ କେବେ ଏକାଠି ହୋଇ ଏକ ନୂଆ ସମ୍ଭାବନା ସୃଷ୍ଟି କରିନାହାନ୍ତି। ପୁଣି କୁହାଯାଏ ସ୍ୱାଭିମାନୀ ବ୍ୟକ୍ତିମାନେ ଦଳ ନୁହେଁ ନିଜ ସିଂଘରେ ମାଟି ତାଡ଼ିବାକୁ ଚାହାନ୍ତି। ଆଉ ସେହି ପରିପ୍ରେକ୍ଷୀରେ ଏମାନେ ଦଳରେ ରହିପାରିନଥିଲେ। ଏଣୁ ଏବେ ଏମାନେ ଯଦି କିଛି ନୂଆ ଆଞ୍ଚଳିକ ଦଳ ପାଇଁ ଆଲୋଚନା କରିଛନ୍ତି ତେବେ ତାହା ଜନ୍ମ ହେବ କି ନା ତାହାନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ।
କିନ୍ତୁ ବିଜେଡି ଯେ ଏବେ ଏକ ଭଙ୍ଗୁର ଅବସ୍ଥାରେ ରହିଛି ତାହାକୁ କେହି ଅସ୍ୱୀକାର କରିବେ ନାହିଁ। ଯଦି କୌଣସି ଅଣ କଂଗ୍ରେସ ଦଳ ଏହି ଭଙ୍ଗୁର ଅବସ୍ଥାର ଫାଇଦା ନେବା ପାଇଁ ଉଦ୍ୟମ କରିବେ ତେବେ ଖୁବ୍ ଶୀଘ୍ର କାଚ ଭଳି ଚୁନା ହୋଇଯିବ ବିଜେଡି। ହେଲେ ଅଣ କଂଗ୍ରେସ ଦଳଭାବେ ବିଜେପି ଏହା କରିବ ନାହିଁ। କାରଣ କେନ୍ଦ୍ରୀୟ ନେତୃତ୍ୱ ଆନ୍ଧ୍ରପ୍ରଦେଶରେ ଓ୍ୱାଇଏସ୍ଆର୍ କଂଗ୍ରେସ ଓ ଟିଡିପି ଭଳି ବିଜେଡିକୁ ବିଚାର କରେ। ଅର୍ଥାତ୍ କର୍ଣ୍ଣ ମଲେ ପାଞ୍ଚ-ଅର୍ଜୁନ ମଲେ ପାଞ୍ଚ ନ୍ୟାୟରେ ବିଜେଡି ବା ରାଜ୍ୟରେ ବିଜେପିର ସଂଗଠନ ସବୁକିଛି କେନ୍ଦ୍ରୀୟ ନେତାଙ୍କୁ ଏକ ଭଳି ପ୍ରତୀତ ହୁଅନ୍ତି।
ଏଣୁ ପରିସ୍ଥିତିକୁ ଦେଖି ଏତିକି କୁହାଯାଇପାରେ ଯେ, ବିଜେଡିର ଏ ଅବସ୍ଥା ଆଗକୁ ଅନେକ ଦିନ ଜାରି ରହିବ। କେନ୍ଦ୍ରୀୟ ବିଜେପି ନେତାଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ପ୍ରୋତ୍ସାହନରେ ଦଳ ବିନା ନବୀନରେ ମଧ୍ୟ ଆଗକୁ ବଢ଼ି ଚାଲିବ।
ହେଲେ ଏବେ ନବୀନଙ୍କ ହସ୍ପିଟାଲ୍ରୁ ଫେରିବା ପରେ ଅପେକ୍ଷା ରହିଛି କେବେ ନବୀନ ପୁଣି କେଉଁ ବରିଷ୍ଠ ନେତାଙ୍କୁ ନିଜ ଟିମରୁ ଆଉଟ କରୁଛନ୍ତି।
Also readhttps://purvapaksa.com/india-test-fired-intermediate-range-ballistic-missile-agni-five-successfully/
