ଏ ଭିତରେ ରାଜ୍ୟର ପ୍ରଥମ ବିଜେପି ସରକାରକୁ ଏକବର୍ଷ ପୂରିବାକୁ ଯାଉଛି। ରାଜ୍ୟ ସରକାର ଏହି ପ୍ରଥମ ବର୍ଷପୂର୍ତ୍ତିକୁ ଜୋରଦାର ଭାବରେ ପାଳନ କରିବାକୁ ଯୋଜନା ବି କରିସାରଲେଣି। ସରକାରଙ୍କ ପ୍ରସ୍ତୁତି ଅନୁସାରେ ରାଜ୍ୟର ପ୍ରତି ସହରାଞ୍ଚଳରେ ବିଶେଷ ପ୍ରଦର୍ଶନୀ ଓ ପ୍ରଚାର କରାଯିବ। ବିରୋଧୀ ଦଳ ଯେମିତି ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି ତା’ର ଜବାବ ଏହି ପ୍ରଦର୍ଶନୀ ମାଧ୍ୟମରେ ଯେପରି ମିଳିପାରିବ ସେଥିଲାଗି ଏ ବ୍ୟବସ୍ଥା କରାଯାଉଛି। କିନ୍ତୁ ପ୍ରଶ୍ନ ଉଠୁଛି ସରକାର କେଉଁ ସଫଳତାକୁ ଏହି ବର୍ଷେ ଭିତରେ ହାସଲ କରିଛନ୍ତି ଯାହାର ପ୍ରଚାର ଆବଶ୍ୟକ? କିଛି ଆଖିଦୃଶିଆ ସଫଳତା ସରକାର ହାସଲ କରିଛନ୍ତି କି?
ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ
ଗତବର୍ଷ ଜୁନ୍ ୧୨ ତାରିଖରେ କେନ୍ଦୁଝରର ସଦର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଥିଲେ। ଅକସ୍ମାତ୍ ବିଜୟ ହାସଲ କରିଥିବା ବିଜେପିର କେଉଁ ନେତା ମୁଖ୍ୟମନ୍ତ୍ରୀ ହେବେ ତାହା ଆଗରୁ ସ୍ଥିର କରାଯାଇନଥିଲା। ଲୋକମାନେ ମଧ୍ୟ ଶ୍ରୀ ମାଝୀଙ୍କୁ ମୁଖ୍ୟମନ୍ତ୍ରୀଭାବେ ଭୋଟ୍ ଦେଇନଥିଲେ। ଅର୍ଥାତ୍ ଗତ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀଭାବେ ନିଜର ନିର୍ମଳ ଭାବମୂର୍ତ୍ତି ରକ୍ଷା କରିଥିବା ନବୀନ ପଟ୍ଟନାୟକଙ୍କଠାରୁ ଧ୍ୟାନ ଖସାଇବା ଲାଗି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏପରି ଏକ ନିଷ୍ପତ୍ତି ନେଇଥିଲେ, ଯେଉଁଥିରେ ଆଦିବାସୀ ସମାଜରୁ ମୋହନଙ୍କୁ ବାଛି ଲୋକଙ୍କ ସରକାରଭାବେ ଅଭିଷିକ୍ତ କରାଯାଇଥିଲା। ଏ ଭିତରେ ‘ଲୋକଙ୍କ ସରକାର’ ଟ୍ୟାଗ୍ଟି କେତେ ପ୍ରଯୁଜ୍ୟ ହୋଇଛି, ତାହା ବିଚାରଯୋଗ୍ୟ।
ଲୋକଙ୍କୁ ନଗଦ ଟଙ୍କା
ଏହି ଟ୍ୟାଗ୍କୁ ସାକାର କରିବା ଲାଗି ସରକାର ସବୁ ଲୋକଙ୍କ ପାଖରେ ନଗଦ ଟଙ୍କା ପହଞ୍ଚାଇବା ଲାଗି ବିଭିନ୍ନ ଯୋଜନା କରିଛନ୍ତି। ସେଥିରେ ସର୍ବପ୍ରଥମ ହେଉଛି ସୁଭଦ୍ରା ଯୋଜନା। ଅବଶ୍ୟ ଏହି ଯୋଜନା ସମ୍ପର୍କିତ ପ୍ରତିଶ୍ରୁତି ପ୍ରତାରଣା ହୋଇଛି ତାହାକୁ କେହି ଅସ୍ୱୀକାର କରିବେ ନାହିଁ। କାରଣ କ୍ଷମତାକୁ ଆସିବା ପୂର୍ବରୁ ବିଜେପିର ନେତାମାନେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ଏକକାଳୀନଭାବେ ପ୍ରିପେଡ୍ କାର୍ଡ ମାଧ୍ୟମରେ ଦିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ସରକାର ଯେତେବେଳେ ନିୟମ ପ୍ରଣୟନ କରିଲେ ତାହା ୫ ବର୍ଷିଆ ସ୍କିମରେ ପରିଣତ ହୋଇଗଲା। ଅର୍ଥାତ୍ କୃଷକମାନଙ୍କୁ ଯେମିତି ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ୫ ବର୍ଷରେ ୫୦ ହଜାର ଟଙ୍କା ମିଳୁଛି ଠିକ୍ ସେପରି ମହିଳାଙ୍କୁ ମଧ୍ୟ ସମାନ ପ୍ରକାରର ସହାୟତା ମିଳିବା ଆରମ୍ଭ ହୋଇଛି। ଫରକ୍ ଏତିକି ଯେ କୃଷକମାନଙ୍କୁ ମିଳୁଥିବା ଏ ଟଙ୍କାରୁ କେନ୍ଦ୍ର ସରକାର ବର୍ଷକୁ ୬ ହଜାର ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ୪ ହଜାର ଟଙ୍କା ଦେଉଛନ୍ତି। କିନ୍ତୁ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳୁଥିବା ନଗଦ ୧୦ ହଜାର ଟଙ୍କା ରାଜ୍ୟ ନିଜ ତହବିଲରୁ ହିଁ ଖର୍ଚ୍ଚ କରୁଛି। ଏ ଭିତରେ ପୂରା ଏକବର୍ଷ ବିତିଗଲାଣି ହେଲେ ବର୍ଷକର ହିତାଧିକାରୀ ଚିହ୍ନଟ ଓ ଟଙ୍କା ବଣ୍ଟା ସରିପାରିନାହିଁ।
ଏ ଯୋଜନାର ସଫଳତା କ’ଣ ତାହାର କୌଣସି ନିର୍ଦ୍ଦିଷ୍ଟ ରିପୋର୍ଟ ପ୍ରସ୍ତୁତ କରାଯାଇନାହିଁ। କେତେ ମହିଳା ଏହି ଅର୍ଥରେ ସ୍ୱାବଲମ୍ବୀ ହୋଇଛନ୍ତି ତାହାର ହିସାବ ନାହିଁ। ଅର୍ଥାତ୍ ମହିଳା ସଶକ୍ତିକରଣ କ୍ଷେତ୍ରରେ ସୁଭଦ୍ରା ଅବଦାନର କୌଣସି ଅନୁଶୀଳନ ହୋଇନାହିଁ। ପୂର୍ବ ସରକାର ଏସ୍ଏଚ୍ଜି ମାଧ୍ୟମରେ ମହିଳାଙ୍କୁ ସ୍ୱବଲମ୍ବୀ କରିବା ଲାଗି ପ୍ରତି ସ୍ୱୟସହାୟକ ଗୋଷ୍ଠୀକୁ ସହାୟତା ଦେଉଥିଲେ, ହେଲେ ଏଠାରେ ସବୁ ମହିଳାଙ୍କ ପାଖରେ ନଗଦ ଅର୍ଥ ସରକାର ପହଞ୍ଚାଇ ପାରିଛନ୍ତି। ଏଣୁ ବର୍ଷପୂର୍ତ୍ତି ପାଇଁ ଥିବା ଆଉକିଛି ୩୯ ଦିନ ଭିତରେ ସରକାର ଏ ବାବଦରେ ଏକ ବିସ୍ତୃତ ସର୍ବେକ୍ଷଣ ପ୍ରସ୍ତୁତ କରିବେ ନିଶ୍ଚୟ। ଏହା ସମ୍ପୂର୍ଣ୍ଣ ଏକ ଅମଲାତାନ୍ତ୍ରିକ କ୍ରିୟାକଳାପ ହୋଇଥିବାରୁ ଏହିପରି ଆଶା କରିବା ସ୍ୱାଭାବିକ।
କୃଷକଙ୍କୁ ସର୍ବନିମ୍ନ ସହାୟତା
ଏହିଭଳି ଆଉ ଏକ ଟଙ୍କା ବଣ୍ଟନ କାର୍ଯ୍ୟକ୍ରମ ହେଉଛି ଧାନକ୍ରୟରେ କୃଷକଙ୍କୁ ସର୍ବନିମ୍ନ ସହାୟତା ବା ଏମ୍ଏସ୍ପି ବୃଦ୍ଧି। ଏବେ ଚାଷୀଙ୍କୁ ଧାନର କ୍ୱିଣ୍ଟାଲ୍ ପିଛା ସହାୟତା ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହା ଚାଷୀଙ୍କ ଆୟ ବଢ଼ାଇବାରେ ସହାୟକ ହୋଇଛି ଏଥିରେ ସନ୍ଦେହ ନାହିଁ। କିନ୍ତୁ ଧାନ କିଣାବେଳେ ଚାଷୀଙ୍କଠାରୁ ସବୁ ଅମଳ ହୋଇଥିବା ଧାନ କିଣିବା, କଟନୀ ଛଟନୀ ବନ୍ଦ କରିବା ଆଦି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଏଠାରେ ପାଳନ କରାଯାଇ ନାହିଁ।
ଶ୍ରମିକ ଦିବସ ଅବସରରେ ଶ୍ରମିକଙ୍କ ମଜୁରୀକୁ ଦୈନିକ ୧୦ଟଙ୍କା ବୃଦ୍ଧି କରିଛନ୍ତି ସରକାର। ପୂର୍ବରୁ ସର୍ବନିମ୍ନ ମଜୁରୀ ୪୫୨ଟଙ୍କା ଥିବାବେଳେ ଏବେ ତାହା ୪୬୨ ଟଙ୍କାକୁ ବୃଦ୍ଧି ପାଇଛି। ଏହା ବି ଲୋକଙ୍କ ପାଖରେ ଅଧିକ ଅର୍ଥ ପହଞ୍ଚାଇ ସେମାନଙ୍କ ଖର୍ଚ୍ଚ ବୃଦ୍ଧିରେ ସହାୟକ ହେବାର ଏହା ଏକ ଯୋଜନା।
କିନ୍ତୁ ପ୍ରଶ୍ନ ହେଉଛି ଏକ ନିର୍ବାଚିତ ସରକାର ଯାହାଙ୍କୁ ଲୋକେ ଭିନ୍ନ ଶାସନ ପାଇଁ ଭୋଟ୍ ଦେଇଥିଲେ, ତାହାର ସଫଳତା କ’ଣ? ରାଜ୍ୟ ତହବିଲରୁ ଖର୍ଚ୍ଚ ବୃଦ୍ଧି ପାଇଁ ଯୋଜନା ହୋଇଛି ସତ କିନ୍ତୁ ଏସବୁ ତୁଲାଇବା ଲାଗି ଆୟ କେଉଁଠୁ ହେଉଛି?
କେନ୍ଦ୍ରୀୟ ଯୋଜନା
ଅର୍ଥ ଖର୍ଚ୍ଚ କରିବା ଯୋଜନାଗୁଡ଼ିକର ରୂପାୟନ ପରେ କେନ୍ଦ୍ରୀୟ ଯୋଜନାକୁ ରୂପାୟନ କରିବା ନେଇ ସରକାର ନେଇଥିବା କିଛି ବିଷୟକୁ ମଧ୍ୟ ସରକାର ସଫଳତାଭାବେ ଗ୍ରହଣ କରୁଛନ୍ତି। ଏହିକ୍ରମରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ବଦଳରେ ଆୟୁଷ୍ମାନ ଯୋଜନା ଲାଗୁ, ପିଏମ୍ ଉଷା ପାଇଁ କେନ୍ଦ୍ର ସରକାରଙ୍କ ସହିତ ବୁଝାମଣା ପ୍ରଭୃତି ପ୍ରମୁଖ।
ପୂର୍ବର ବିଜେଡି ସରକାର ସମୟରେ ଥିବା ସ୍ୱାସ୍ଥ୍ୟବୀମା ଯୋଜନା ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଏହାକୁ ଅପସାରଣ କରି କେନ୍ଦ୍ରୀୟ ଯୋଜନାକୁ ଲାଗୁ କରିବାଦ୍ୱାରା ଲୋକଙ୍କୁ ଅଧିକ ହସ୍ପିଟାଲରେ ଚିକିତ୍ସା ପାଇଁ ସୁଯୋଗ ମିଳିବ ବୋଲି କୁହାଯାଇଛି। ହେଲେ ଆଜିଯାଏ ଏହି ଯୋଜନାକୁ ରୂପାୟନ ପାଇଁ ଟେକ୍ନୋଲୋଜି ବିସ୍ତାର କରାଯାଇପାରିନାହିଁ। ଫଳରେ ଅନେକ ସମୟରେ ରୋଗୀ ହନ୍ତସନ୍ତ ହେଉଥିବା ଅଭିଯୋଗ ଆସିଛି।
ଠିକ୍ ସେହିପରି ସରକାରଙ୍କ ଏପରି ବିଳମ୍ବିତ ପ୍ରକ୍ରିୟାରେ ନୂଆ ରାସନ୍ କାର୍ଡ ପାଇଁ ଆବେଦନ କରିଥିବା ସମ୍ଭାବ୍ୟ ହିତାଧିକାରୀ ବି ହନ୍ତସନ୍ତ ହେଉଛନ୍ତି।
ଶ୍ରୀମନ୍ଦିର ସଂସ୍କାର
ଶ୍ରୀମନ୍ଦିରର ଭକ୍ତ ବି ଅନେକ ସଂସ୍କାର ଶୁଣୁଛନ୍ତି କିନ୍ତୁ ତାହା ଲାଗୁ ହୋଇପାରୁନଥିବାରୁ ସରକାରଙ୍କ ଉପରେ ଅଶାନ୍ତି ହୋଇଛନ୍ତି। କେତେବେଳେ ଧାଡ଼ି ଦର୍ଶନ ହେବ, କେତେବଳେ ବନ୍ଦ ହେବ, କେତେବଳେ ଅବଢ଼ା ମିଳିବ, କେତେବେଳେ ଶ୍ରୀ ଜୀଉଙ୍କୁ ଦର୍ଶନରେ ପରିବର୍ତ୍ତନ ପ୍ରଭୃତି ବିବାଦ ଆଜି ବି ଲାଗି ରହିଛି। ସରକାର ତାହାକୁ ନେଇ ଗଣମାଧ୍ୟମରେ କେବଳ ଭାଷଣବାଜୀ ସିନା କରୁଛନ୍ତି ସମାଧାନ କରିପାରୁ ନାହାନ୍ତି।
ଠିକ୍ ସେହିପରି ନିର୍ବାଚନ ପ୍ରତିଶ୍ରୁତିରେ ସରକାର ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଗଣତି, ଭଣତି ଓ ମରାମତି କଥା କହିଥିଲେ। ବର୍ଷେ ପୂରିଲାଣି ହେଲେ ରତ୍ନ ଭଣ୍ଡାର ଖାଲି ଖୋଲିଛନ୍ତି ସିନା, ଗଣତି, ଭଣତି, ମଣତି ଓ ମରାମତି ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି।
ରାଜ୍ୟ ସରକାର ବଜେଟରେ ପାଣ୍ଠି ଦେଇନାହାନ୍ତି ତାହା ନୁହେଁ। ଶ୍ରୀମନ୍ଦିର ଲାଗି ୫୦୦ କୋଟି ପ୍ରଦାନ କରାଯାଇ କର୍ପସ ପାଣ୍ଠି ଘୋଷଣା କରାଯାଇଛି ହେଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହାତ ମାରିପାରୁ ନାହାନ୍ତି ସରକାର।
ଖର୍ଚ୍ଚ କରିପାରୁନାହାନ୍ତି ସରକାରୀ କଳ
ଗତ ଆର୍ଥିକ ବର୍ଷରେ ଟଙ୍କା ଖର୍ଚ୍ଚ କରିପାରିନଥିବାରୁ ସରକାର ବିରୋଧୀ ଦଳ ଦ୍ୱାରା ବେଶ୍ ସମାଲୋଚିତ ହୋଇଥିଲେ। ଏହାପରେ ପୂର୍ତ୍ତ ବିଭାଗକୁ ଅପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରିବାକୁ ଦେଲେ। ଏହାକୁ ନେଇ ଭୁବନେଶ୍ୱରରର ବିଭିନ୍ନ ରାସ୍ତା, ଫ୍ଲାଏଓଭରରେ ମାଷ୍ଟିକ୍ ଆସ୍ଫାଲଟ୍ ଚାଦର ବିଛାଇବା ଆରମ୍ଭ ହେଲା। ଏବେ ମାର୍ଚ୍ଚ ମାସ ସରି ମେ’ ମାସ ପ୍ରଥମ ସପ୍ତାହ କିନ୍ତୁ କାମ ଅଧାରୁ ଠପ୍ ହୋଇ ପଡ଼ିଛି। ସବୁ ଫ୍ଲାଏ ଓଭରରେ ଗୋଡ଼ି, ବାଲି, ସିମେଣ୍ଟ ପିଚୁ ଗଦା ହୋଇଛି। ଏହାସହ ରାସ୍ତା ନିର୍ମାଣର ଉପକରଣ ରାସ୍ତାକୁ ଅବରୋଧ କରୁଛି କିନ୍ତୁ ସରକାରୀ କଳ ଶୋଇଛନ୍ତି। ରାଜଧାନୀରେ ଏ ଅବସ୍ଥାରୁ ରାଜ୍ୟର ଅବସ୍ଥା କ’ଣ ଥିବ ତାହା ଆପଣ ଅନୁମାନ କରନ୍ତୁ।
ଏବେ ମୋହନ ଚରଣ ମାଝୀଙ୍କ ସରକାର ୩୦ ଜିଲ୍ଲାରେ ୧୧୫୧ କୋଟି ଟଙ୍କା ବ୍ୟୟରେ ୪୮୧ଟି ଉନ୍ନୟନ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଛନ୍ତି। ଯଦି ଏହାକୁ ସଫଳତାଭାବେ ଧରିବା ତେବେ ନିଶ୍ଚିତଭାବେ ମୋହନ ଚରଣ ମାଝୀଙ୍କ ସରକାର ପ୍ରଶଂସନୀୟ। ଆଉ ଭୋଟ୍ ଦେଇ ପରିବର୍ତ୍ତନ ଚାହିଁଥିବା ଜନତା ସମାଲୋଚନାର ପାତ୍ର!
Also readhttps://purvapaksa.com/impact-and-reasons-for-the-decline-of-left-politics-in-india/