- ଏଥର ୪୦୦ ଷ୍ଟଲ୍
- ଭାଗନେବେ ୨୦୦ ପ୍ରକାଶକ ଓ ପୁସ୍ତକ ବିକ୍ରେତା
ଆସନ୍ତାକାଲିଠୁ ଭୁବନେଶ୍ୱରସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଏହା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଆୟୋଜନ କରାଯିବ। ଚଳିତ ବର୍ଷ ପ୍ରାୟ ପୁସ୍ତକ ମେଳାରେ ୪୦୦ଟି ଷ୍ଟଲ୍ ସହିତ ପ୍ରାୟ ୨୦୦ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଯୋଗଦେବେ।
ଚଳିତବର୍ଷ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ, ଓଡ଼ିଶାରେ ବୁଦ୍ଧ ସ୍ମାରକୀ, ଭଗବାନ ବିର୍ସା ମୁଣ୍ଡା ଓ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ଆଧାର କରାଯାଇ ତିନିଗୋଟି ଥିମ୍ ପାଭିଲିୟନ ନିର୍ମାଣ କରାଯିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ପୁସ୍ତକ ମେଳାର ମୁଖ୍ୟ ପ୍ରବେଶ ଦ୍ୱାରକୁ ଡକ୍ଟର ହରେକୃଷ୍ଣ ମହତାବ, ମୁଖ୍ୟମଞ୍ଚକୁ ସୁନାମଧନ୍ୟ ସାହିତ୍ୟିକ ସାତକଡି ହୋତା, ମେଳାର ଭିତର ପ୍ରବେଶ ଦ୍ୱାରକୁ କବି ହରିହର ମିଶ୍ର ଏବଂ ମେଳାର ଭିତର ମଞ୍ଚକୁ ସାହିତ୍ୟିକ ସତ୍ୟନାରାୟଣ ବହିଦାରଙ୍କ ନାମରେ ନାମିତ କରାଯିବ। ଏଥିସହ ପୁସ୍ତକ ମେଳାର ବିଭିନ୍ନ ସ୍ଥାନରେ ବହୁ ଯୁଗସ୍ରଷ୍ଟା ସାହିତ୍ୟିକମାନଙ୍କର ଫଟୋଚିତ୍ର ସ୍ଥାନିତ କରାଯିବ।
ଚଳିତବର୍ଷର ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଆୟୋଜନ ସମ୍ବନ୍ଧରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଆସନ୍ତା ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଚଳିତବର୍ଷର ରାଜ୍ୟ ପୁସ୍ତକ ମହୋତ୍ସବରେ ଓଡ଼ିଆ ଅସ୍ମିତାର ବିନ୍ଧାଣୀ ଏବଂ ଯୁଗସ୍ରଷ୍ଟା ସାହିତ୍ୟିକମାନଙ୍କର ସାରସ୍ୱତ ସାହିତ୍ୟ ସର୍ଜନାକୁ ପ୍ରାଧାନ୍ୟ ଦିଆଯାଇଛି। ଏଥିସହ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ, ଓଡ଼ିଶାରେ ବୁଦ୍ଧ ସ୍ମାରକୀ, ଭଗବାନ ବିର୍ସା ମୁଣ୍ଡା ଓ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ଆଧାର କରାଯାଇ ଥିମ୍ ପାଭିଲିୟନ ନିର୍ମାଣ କରାଯାଇଛି। ରାଜ୍ୟସ୍ତରୀୟ ପୁସ୍ତକ ମେଳା ରାଜ୍ୟରେ ପାଠକୀୟ ପରିବେଶରେ ଅଭିବୃଦ୍ଧି ଆଣିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।
ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ଲେଖକ ଓ ପାଠକମାନଙ୍କ ଭିତରେ ଭାବ ବିନିମୟ ନିମନ୍ତେ ଏକ କଫି କର୍ଣ୍ଣର, ପୁସ୍ତକ ଉନ୍ମୋଚନ ଏବଂ ସାହିତ୍ୟ ଆଲୋଚନା ଚକ୍ର ନିମନ୍ତେ ଏକ କ୍ଷୁଦ୍ର ପ୍ରେକ୍ଷାଳୟ ସ୍ଥାପନ କରାଯାଇଥିବା ବେଳେ, ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ, ମିଲେଟ ମିଶନ, କୋରାପୁଟ କଫି, ମିଶନ ଶକ୍ତି ଆଦି ତରଫରୁ ଖାଦ୍ୟ ଷ୍ଟଲ ମଧ୍ୟ ପ୍ରସ୍ତୁତ ହୋଇଥିବାର ସୂଚନା ସୂଚନା ମିଳିଛି। ଚଳିତବର୍ଷର ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ବିଭିନ୍ନ ସମ୍ବାଦପତ୍ର ସଂସ୍ଥା, ସରକାରୀ ବିଭାଗ, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ତରଫରୁ ଷ୍ଟଲ୍ ନିର୍ମାଣ କରାଯାଇଥିବା ବେଳେ ଏହାର ଆୟୋଜନ କରିବାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ, ଓଡ଼ିଶା ପ୍ରକାଶକ ସଂଘ, ରାଜଧାନୀ ପୁସ୍ତକ ମେଳା,ଏକାମ୍ର ପୁସ୍ତକ ମେଳା ଓ ଭୁବନେଶ୍ୱର ପୁସ୍ତକ ମେଳାର କର୍ମକର୍ତ୍ତା ତଥା ରାଜ୍ୟ ଓ ରାଜ୍ୟ ବାହାରର ଅନେକ ପୁସ୍ତକ ପ୍ରକାଶକ ଓ ପୁସ୍ତକ ବିକ୍ରେତାମାନେ ସହଯୋଗ ପ୍ରଦାନ କରିଛନ୍ତି।
previous article:https://purvapaksa.com/subhadra-money-will-be-given-again-on-25/
