- ୪୦ କୋଟିର ବଜେଟ ବ୍ୟବସ୍ଥା
- ୨୦୨୪ରେ ୨୨,୮୬୮ଟି ଜଙ୍ଗଲରେ ଲାଗିଥିଲା ନିଆଁ
ଓଡ଼ିଶା ଜଙ୍ଗଲରେ ଲାଗୁଥିବା ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଯୋଜନା କରିଛି ବନ ବିଭାଗ। ଚଳିତ ଜାନୁଆରି ପହିଲାରୁ ଆରମ୍ଭ ହୋଇ ଜୁନ୍ ଶେଷ ପର୍ଯ୍ୟନ୍ତ ଚାଲିବାକୁ ଥିବା ଜଙ୍ଗଲ ନିଆଁ ଋତୁରେ ନିଆଁ ଲାଗିବା ଘଟଣାରେ ଶତ ପ୍ରତିଶତ ନିୟନ୍ତ୍ରଣ ହାସଲ କରିବାକୁ ବନ ବିଭାଗ ଲକ୍ଷ୍ୟ ରଖିଛି। ବନ ବିଭାଗର ପରିସଂଖ୍ୟାନ ଅନୁଯାୟୀ, ଓଡ଼ିଶାରେ ଗତବର୍ଷ ୨୨,୮୬୮ଟି ଜଙ୍ଗଲର ପଏଣ୍ଟରେ ନିଆଁ ଲାଗିଥିବା ରେକର୍ଡ କରାଯାଇଛି। ଯାହା କି ଗତ ତିନି ବର୍ଷ ମଧ୍ୟରେ ସର୍ବନିମ୍ନ ଏବଂ ସେଥିମଧ୍ୟରୁ ୯୯.୮୬ ପ୍ରତିଶତ ନିୟନ୍ତ୍ରଣ କରାଯାଇଛି। ୨୦୨୨ ମସିହାରେ ରାଜ୍ୟରେ ୨୮,୭୫୫ ଟି ଏବଂ ୨୦୨୩ରେ ୩୬,୭୧୩ ଟି ପଏଣ୍ଟରେ ନିଆଁ ଲାଗିଥିବା ରେକର୍ଡ କରାଯାଇଥିଲା । ଯାହାର ନିୟନ୍ତୟଣ ହାର ଯଥାକ୍ରମେ ୯୧.୬୨ ପ୍ରତିଶତ ଓ ୯୮.୯୩ ପ୍ରତିଶତ ରହିଛି।
୨୦୨୪ ଜଙ୍ଗଲ ନିଆଁ ଋତୁରେ ଜଙ୍ଗଲ ନିଆଁରେ କ୍ଷତିଗ୍ରସ୍ତ ଅଞ୍ଚଳ ୪୦୬୭.୦୫ ହେକ୍ଟର ଥିବା ବେଳେ ୨୦୨୨ରେ ଏହା ୮,୪୧୪.୫୫ ହେକ୍ଟର ଏବଂ ୨୦୨୩ରେ ୯,୫୫୦.୮୬ ହେକ୍ଟର ଥିଲା। ପିସିସିଏଫ୍ ଓ ଏଚ୍ଓଏଫ୍ଏଫ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି, ଅଗ୍ନିକାଣ୍ଡ ରୋକିବା ପାଇଁ ଜିଲ୍ଲାସ୍ତରୀୟ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯିବା ସହ ଜଙ୍ଗଲବର୍ତ୍ତୀ ଗ୍ରାମଗୁଡ଼ିକରେ ସଚେତନତା ଶିବିର ଆୟୋଜନ କରାଯାଇଛି। କେତେକ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ମାସରେ ଅଗ୍ନି ଲାଇନ ନିର୍ମାଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ପ୍ରତିବର୍ଷ ପ୍ରାୟ ୧୨ ହଜାର କିଲୋମିଟର ଅଗ୍ନି ଲାଇନ ସୃଷ୍ଟି ହୋଇଥାଏ।
ଜାନୁଆରି ଶେଷରୁ ଆରମ୍ଭ ହୋଇ ଏପ୍ରିଲ ପ୍ରାରମ୍ଭ ପର୍ଯ୍ୟନ୍ତ ପତ୍ରଝଡା ଚାଲୁଥିବାରୁ ଏହି ସମୟ ମଧ୍ୟରେ ଫିଲ୍ଡ କର୍ମଚାରୀଙ୍କ ଦ୍ୱାରା ଅଗ୍ନି ଲାଇନ ନିର୍ମାଣ କରାଯିବା ସହ ଏଥିପାଇଁ ଫୁଟ ପାଟ୍ରୋଲିଂ ବୃଦ୍ଧି କରାଯିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି। ଏହାସହ ଜିଆଇଏସ ଓ ଆଭେଞ୍ଜା ଆପ ସାହାଯ୍ୟରେ ଅଗ୍ନି ଲାଇନ ସଠିକ ଚିହ୍ନଟ ପାଇଁ ପଦକ୍ଷେପ ନିଆଯିବ। ଚଳିତ ବର୍ଷ ଜଙ୍ଗଲ ନିଆଁ ଋତୁ ପାଇଁ ୧୦ ଜଣ ସଦସ୍ୟଙ୍କୁ ମିଶାଇ ପ୍ରାୟ ୨୩୦ଟି ଦଳ ନିୟୋଜିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ସରକାର ସେମାନଙ୍କୁ ୨୩୦ଟି ଗାଡ଼ିରେ ସଜ୍ଜିତ କରିବେ। ଚଳିତ ବର୍ଷ ଜଙ୍ଗଲ ନିଆଁର ଦୃଢ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରାୟ ୪୦ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରିଛନ୍ତି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଲାଗିଥିବା ୫ଟି ଏଆଇ କ୍ୟାମେରା ଟାୱାରକୁ ବ୍ୟବହାର କରାଯିବ। ଆସନ୍ତା ମାସକ ମଧ୍ୟରେ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ଏଭଳି ଆଉ ଦୁଇଟି ଟାୱାର ସ୍ଥାପନ କରାଯିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।
previous article:https://purvapaksa.com/on-the-first-day-3000-visited-the-raj-bhavan-gardens/


