ଭାରତୀୟ ରାଜନୀତିରେ କେତେକ ବାକ୍ୟ କେବଳ ଶବ୍ଦ ନୁହେଁ, ସେଗୁଡ଼ିକ ସମୟର ଚିହ୍ନ ହୋଇଯାନ୍ତି। ଆମ ଦେଶର ପ୍ରଧାନମନ୍ତ୍ରୀ ଥିଲେ ମନମୋହନ ସିଂହ। ସେ କଥା କଥା କେ କହୁଥିଲେ, ଟଙ୍କା ଗଛରେ ଫଳେ ନାହିଁ। କିନ୍ତୁ ଏ କଥାକୁ ଆମର ରାଜନେତାମାନେ ବୋଧ ହୁଏ ଭୁଲି ଗଲେଣି। ତେଣୁ ସେମାନେ ଟଙ୍କା ଗଛରେ ଫଳିଲା ଭଳି ଆଚରଣ କରିବାରେ ଲାଗିଛନ୍ତି। “ଟଙ୍କା ଗଛରେ ଫଳେ ନାହିଁ” — ଏହି ଉକ୍ତି ଯେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମୁହଁରୁ ବାହାରିଥିଲା, ସେତେବେଳେ ଏହା କେବଳ ଆର୍ଥିକ ସତର୍କତାର ଉପଦେଶ ନୁହେଁ, ଏକ ଶାସନ ଦର୍ଶନର ଘୋଷଣା ଥିଲା। ଆଜି, ଦୁଇ ଦଶନ୍ଧି ପରେ, ସେଇ ବାକ୍ୟ ପୁଣିଥରେ ଆମ ସାମ୍ନାରେ ଆସିଛି— କିନ୍ତୁ ଏଥର ପ୍ରଶ୍ନର ଆକାରରେ: ଟଙ୍କା କ’ଣ ସତରେ ଗଛରେ ଫଳୁଛି?
![]()
ଲୋକସଭାରେ କେନ୍ଦ୍ରୀୟ ବଜେଟ୍ ଉପରେ ଆଲୋଚନା ସମୟରେ ସମାଜବାଦୀ ପାର୍ଟିର ସାଂସଦ ଲାଲଜୀ ବର୍ମା ଦାବି କରିଛନ୍ତି ସାଂସଦ ହାତପାଣ୍ଠି (MPLADS) ବାର୍ଷିକ ୫ କୋଟିରୁ ୨୫ କୋଟି କରାଯାଉ। ଲାଲଜୀ ବର୍ମାଙ୍କ ଏହି ଦାବି ଏବେ ରାଜନୀତିକ ମଞ୍ଚରେ ନୂଆ ବିତର୍କ ଆରମ୍ଭ କରିଛି। ଅର୍ଥାତ୍ ପାଞ୍ଚ ବର୍ଷରେ ମୋଟ ୧୨୫ କୋଟି ଟଙ୍କା। ଏହା ସହିତ ଏହି ପାଣ୍ଠି ଉପରେ ଲାଗୁ ହେଉଥିବା ୧୮% ଜିଏସଟି ଛାଡ଼ କରିବା ଦାବି ମଧ୍ୟ ଉଠିଛି।
ଏହି ପ୍ରସଙ୍ଗ କେବଳ ଏକ ଆର୍ଥିକ ମାପଦଣ୍ଡ ନୁହେଁ; ଏହା ଆମ ଗଣତନ୍ତ୍ରର ଆର୍ଥିକ ଚେତନା, ଉତ୍ତରଦାୟିତ୍ୱ ଓ ଶାସନ ଦର୍ଶନର ପରୀକ୍ଷା ବୋଲି କୁହାଯାଉଛି। ଟଙ୍କା ଗଛରେ ଫଳିଲାଣି?
ମନମୋହନ ସିଂହଙ୍କ ଆର୍ଥିକ ସଂଯମ: ଏକ ପ୍ରସଙ୍ଗ
୨୦୦୪-୦୯ ଯୁପିଏ-୧ କାଳରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାୟକ ଖଣିଜ ରୟାଲ୍ଟି ବୃଦ୍ଧି ଦାବିରେ ଦିଲ୍ଲୀ ଦୌଡ଼ୁଥିଲେ। ୪ ଅଗଷ୍ଟ ୨୦୦୯ରେ ସେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଭେଟିଥିଲେ। ରୟାଲ୍ଟି ବୃଦ୍ଧି ନେଇ କୌଣସି ଆଶ୍ୱସନା ମିଳିଲା ନାହିଁ। ବରଂ ମନମୋହନ ସିଂହ କଟାକ୍ଷ କରି କହିଲେ “ଟଙ୍କା ଗଛରେ ଫଳେ ନାହିଁ”। ମନମୋହନ ସିଂହଙ୍କ ଏହି ବାକ୍ୟଟି ରାଜନୀତିରେ ତରଙ୍ଗ ସୃଷ୍ଟି କଲା। ଏହାକୁ ନେଇ ଓଡ଼ିଶା ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ରାଜ୍ୟବ୍ୟାପୀ କେନ୍ଦ୍ରର କଂଗ୍ରେସ ସରକାର ବିରୋଧରେ ଜନମତ ମଧ୍ୟ ସୃଷ୍ଟି ହୋଇଥିଲା।
ପରେ ୨୧ ସେପ୍ଟେମ୍ବର ୨୦୧୨ରେ ଜାତୀୟ ସମ୍ବୋଧନରେ ମଧ୍ୟ ମନମୋହନ ସିଂହ ଡିଜେଲ ମୂଲ୍ୟ ବୃଦ୍ଧି ଓ ଅର୍ଥନୈତିକ ସଂସ୍କାରକୁ ଯଥାର୍ଥ କରିବା ପାଇଁ ଏହି ବାକ୍ୟଟିକୁ ପୁଣିଥରେ ଉଚ୍ଚାରଣ କରିଥିଲେ। ଏହା ତାଙ୍କର “ଆର୍ଥିକ ବିଚକ୍ଷଣତା” ଦର୍ଶନର ପ୍ରତୀକ ହୋଇଥିଲା— ରାଜସ୍ୱ ରହିଲେ ମାତ୍ର ବ୍ୟୟ; ଋଣ ନେଇ ପ୍ରଚାର ନୁହେଁ।
ସେଇ ସମୟରେ ବିରୋଧୀ ଦଳ ତାଙ୍କୁ “ଅତ୍ୟଧିକ ଆର୍ଥିକ ସଂଯମୀ” ବୋଲି ସମାଲୋଚନା କରୁଥିଲେ। କିନ୍ତୁ ଆଜି, ଯେତେବେଳେ ବ୍ୟୟ ବୃଦ୍ଧିର ଦାବି ନିଜେ ସାଂସଦମାନଙ୍କ ପକ୍ଷରୁ ଆସୁଛି, ସେଇ ବାକ୍ୟ ପୁଣିଥରେ ପ୍ରାସଙ୍ଗିକ ହୋଇ ଉଠିଛି।
ସାଂସଦ ହାତପାଣ୍ଠି: ଉଦ୍ଦେଶ୍ୟ ଓ ବାସ୍ତବତା

୧୯୯୩ ମସିହା ଡିସେମ୍ବର ୨୩ ତାରିଖରେ ଆରମ୍ଭ ହୋଇଥିବା ସାଂସଦ ହାତ ପାଣ୍ଠି ଯୋଜନା (Member of Parliament Local Area Development Scheme)ର ମୂଳ ଉଦ୍ଦେଶ୍ୟ ହେଉଛି— ସ୍ଥାନୀୟ ଭିତ୍ତିଭୂମି ଉନ୍ନୟନ ପାଇଁ ସାଂସଦଙ୍କୁ ନିର୍ଦ୍ଦିଷ୍ଟ ପାଣ୍ଠି ଦେବା। ରାସ୍ତା, ପୋଲ, ପାଣିଯୋଗାଣ, ବିଦ୍ୟାଳୟ, ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିବା ପାଇଁ ଅନୁଦାନ ଦେବା— ଏସବୁ ଏହି ପାଣ୍ଠିର ଅଂଶ।
ବର୍ତ୍ତମାନ ଏହିସବୁ କାମ ପାଇଁ ସାଂସଦମାନଙ୍କୁ ୨୦୧୧-୧୨ ଆର୍ଥିକ ବର୍ଷରୁ ବାର୍ଷିକ ୫ କୋଟି ଟଙ୍କା ଦିଆଯାଉଛି। ଯଦି ଏହା ୨୫ କୋଟି କରାଯାଏ, ତେବେ ୫ ଗୁଣ ବୃଦ୍ଧି। ପ୍ରଶ୍ନ ହେଉଛି— ଆବଶ୍ୟକତା ବୃଦ୍ଧି ହୋଇଛି କି? ଉତ୍ତର ଆସିବ ନିଶ୍ଚୟ। ମୁଦ୍ରାସ୍ଫୀତି ବୃଦ୍ଧି ହୋଇଛି କି? ହଁ। କିନ୍ତୁ ତାହା ପାଇଁ ୫ ଗୁଣ ବୃଦ୍ଧି ଯୁକ୍ତିସଙ୍ଗତ କି?
ଯଦି ଦେଶରେ ୫୪୩ ଲୋକସଭା ସାଂସଦ ଓ ୨୪୫ ରାଜ୍ୟସଭା ସଦସ୍ୟ ଅଛନ୍ତି, ତେବେ ପ୍ରତ୍ୟେକଙ୍କୁ ୨୫ କୋଟି ଦେଲେ ବାର୍ଷିକ ମୋଟ ବ୍ୟୟ କେତେ? ପ୍ରାୟ ୧୯,୭୦୦ କୋଟି ଟଙ୍କାରୁ ଅଧିକ ହେବ। ଏହା କେନ୍ଦ୍ରୀୟ ବଜେଟର ଗୁରୁତ୍ୱପୂର୍ଣ୍ଣ ଅଂଶ।
ଜିଏସଟି ମାଫ ଦାବି: ନୂଆ ତର୍କ
ଲାଲଜୀ ବର୍ମାଙ୍କ ଦାବିର ଦ୍ୱିତୀୟ ଅଂଶ— ସାଂସଦ ହାତ ପାଣ୍ଠି ଯୋଜନା ଉପରେ ୧୮% ଜିଏସଟି ଆଦାୟ ବନ୍ଦ କରାଯାଉ। ତାଙ୍କ ଯୁକ୍ତି— ପ୍ରତିବର୍ଷ ୫ କୋଟିରୁ ୯୦ ଲକ୍ଷ ଟଙ୍କା ଜିଏସଟି ଭାବେ କମିଯାଉଛି।
କିନ୍ତୁ ଏଠାରେ ଆର୍ଥିକ ନୀତିର ପ୍ରଶ୍ନ ଆସିଯାଏ। ଯଦି ସରକାରୀ ପାଣ୍ଠି ଉପରେ ମଧ୍ୟ ଜିଏସଟି ନ ଲାଗିବ, ତେବେ ଅନ୍ୟ ଯୋଜନାରେ ଏହାର ପ୍ରଭାବ କ’ଣ ହେବ? କର ବ୍ୟବସ୍ଥା ସମାନ ନୀତିରେ ଚାଲିବା ଦରକାର କି ନୁହେଁ? ଆପଣମାନେ ବିଚାର କରନ୍ତୁ।
ରାଜନୀତିକ ବିରୋଧାଭାସ

ଗୋଟିଏ ପକ୍ଷରେ ଆମେ ଦେଖୁଛୁ— ରାଜ୍ୟରେ ବିଧାୟକମାନଙ୍କ ଦରମା ୩୦୦% ବୃଦ୍ଧି ନେଇ ଚର୍ଚ୍ଚା ଓ ସମାଲୋଚନା ଏବେ ଚାଲିଛି। ରାଜ୍ୟ ସରକାର ଏହି ଦରମା ବୃଦ୍ଧିକୁ କ’ଣ କରିବେ ଏ ପର୍ଯ୍ୟନ୍ତ କିଛି ସ୍ଥିର କରିପାରି ନାହାନ୍ତି। ଅନ୍ୟପକ୍ଷରେ ସାଂସଦମାନେ ନିଜ ହାତପାଣ୍ଠି ବାର୍ଷିକ ୫ କୋଟିରୁ ୨୫ କୋଟିକୁ ବୃଦ୍ଧି କରିବାକୁ ଦାବି କରୁଛନ୍ତି। ଏହା ଲୋକମାନଙ୍କ ମନରେ ପ୍ରଶ୍ନ ଉଠାଏ— ଆର୍ଥିକ ସଂଯମ କେବଳ ଜନସାଧାରଣ ପାଇଁ? ଶାସକ ଓ ନିର୍ବାଚିତ ପ୍ରତିନିଧି ପାଇଁ କାହିଁକି ନୁହେଁ?
ଯଦି ନରେନ୍ଦ୍ର ମୋଦୀଙ୍କ ସରକାର ସମାଜବାଦୀ ପାର୍ଟିର ସାଂସଦ ଲାଲଜୀ ବର୍ମାଙ୍କ ଏହି ଦାବିକୁ ମଞ୍ଜୁର କରେ, ତେବେ ଏହା ଆର୍ଥିକ ନୀତିର ପରିଚାଳନା ଦିଗରେ ବଡ଼ ପରିବର୍ତ୍ତନ ହେବ। ଯଦି ମଞ୍ଜୁର ନ କରେ, ତେବେ ରାଜନୀତିକ ଚାପ ରହିବ। କାରଣ ସମାଜବାଦୀ ପାର୍ଟିର ସାଂସଦ ଲାଲଜୀ ବର୍ମା ଏକା ନୁହଁନ୍ତି ଅନେକ ଶାସକ ଦଳର ସାଂସଦ ମଧ୍ୟ ଏହି ହାତ ପାଣ୍ଠିକୁ ବୃଦ୍ଧି କରିବାକୁ ଚାହୁଛନ୍ତି।
ଆର୍ଥିକ ସଂଯମ ବନାମ ରାଜନୀତିକ ଲୋକପ୍ରିୟତା
ଆଜିର ଭାରତ ଏକ ବିକାଶଶୀଳ ଅର୍ଥନୀତି। ଭିତ୍ତିଭୂମିର ଆବଶ୍ୟକତା ଅସୀମ। କିନ୍ତୁ ପ୍ରତ୍ୟେକ ଦାବିକୁ ମଞ୍ଜୁର କଲେ ଦେଶରେ ଆର୍ଥିକ ସୁସ୍ଥତାକୁ ଚ୍ୟାଲେଞ୍ଜ ଦେଇପାରେ। ଯାହା ଫଳରେ ବିକାଶମୂଳକ କାମ ଅଟକିବା ସହିତ ଦେଶର ଅର୍ଥନୀତି ବିଗିଡ଼ି ଯିବାର ଆଶଙ୍କା ମଧ୍ୟ ରହିଛି।
ଆର୍ଥିକ ସଂଯମର ଅର୍ଥ କଞ୍ଜୁସି ନୁହେଁ; ଏହା ପ୍ରାଥମିକତା ନିର୍ଦ୍ଧାରଣ କରିବା ଆବଶ୍ୟକତା ରହିଛି। ଦେଶରେ ଏପର୍ଯ୍ୟନ୍ତ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ, କୃଷିରେ ଭିତ୍ତିଭୂମିର ଅଭାବ ରହିଛି। ସେଠାରେ ବ୍ୟୟ ବୃଦ୍ଧି ଅଧିକ ଆବଶ୍ୟକ, ନା ସାଂସଦ ପାଣ୍ଠି ବୃଦ୍ଧି କରିବା ଜରୁରୀ?
ଉତ୍ତରଦାୟିତ୍ୱର ପ୍ରଶ୍ନ
ସାଂସଦ ହାତ ପାଣ୍ଠି ଯୋଜନା ନେଇ ପୂର୍ବରୁ ମଧ୍ୟ ଅନେକ ରିପୋର୍ଟ ଆସିଛି— କେତେକ ସ୍ଥାନରେ ପାଣ୍ଠି ଅବ୍ୟବହୃତ ରହିଯାଇଛି, କେତେକ ସ୍ଥାନରେ ଅନୁଚିତ ବ୍ୟୟ ଅଭିଯୋଗ ମଧ୍ୟ ହୋଇଛି। ତେଣୁ ପ୍ରଶ୍ନ— ପ୍ରଥମେ ପ୍ରଚଳିତ ପାଣ୍ଠିର ସଠିକ ବ୍ୟବହାର ନିଶ୍ଚିତ କରାଯାଉନାହିଁ କାହିଁକି?
ଯଦି ପାଣ୍ଠି ୫ ଗୁଣ ବଢ଼ିବ, ତେବେ ନିରୀକ୍ଷଣ ବ୍ୟବସ୍ଥା ମଧ୍ୟ ୫ ଗୁଣ ମଜବୁତ ହେବା ଦରକାର।
ଗଣତନ୍ତ୍ରରେ ବାର୍ତ୍ତା
“ଟଙ୍କା ଗଛରେ ଫଳେ ନାହିଁ” ବାକ୍ୟଟି ଆଜି ପୁଣିଥରେ ସମୟସୂଚକ। ଏହା ମାତ୍ର ଆର୍ଥିକ ଶବ୍ଦ ନୁହେଁ; ଏହା ନୈତିକ ଦର୍ଶନ। ଶାସକ ଯଦି ଆର୍ଥିକ ସଂଯମ ଅନୁସରଣ କରନ୍ତି, ତେବେ ଜନସାଧାରଣ ମଧ୍ୟ ତାହାକୁ ଗ୍ରହଣ କରିବେ।
କିନ୍ତୁ ଯଦି ନିର୍ବାଚିତ ପ୍ରତିନିଧିମାନେ ନିଜ ପାଇଁ ପାଣ୍ଠି ବୃଦ୍ଧି ଦାବି କରନ୍ତି, ତେବେ ମତଦାତାଙ୍କ ମନରେ ବିଶ୍ୱାସ ହ୍ରାସ ପାଇପାରେ।
ଟଙ୍କା ଗଛରେ ଫଳୁଛି କି?
ଏହି ପ୍ରଶ୍ନର ଉତ୍ତର ସରଳ ନୁହେଁ। ମୁଦ୍ରାସ୍ଫୀତି ଓ ବିକାଶ ଆବଶ୍ୟକତା ବୃଦ୍ଧି ହୋଇଛି— ସେଥିରେ ସନ୍ଦେହ ନାହିଁ। କିନ୍ତୁ ବ୍ୟୟ ବୃଦ୍ଧିର ସୀମା ରହିବା ଦରକାର। ଆଜି ଆବଶ୍ୟକ ହେଉଛି— ଏକ ସମଗ୍ର ଆଲୋଚନା। ସାଂସଦ ହାତପାଣ୍ଠି ବୃଦ୍ଧି ପୂର୍ବରୁ, ଏହାର ପ୍ରଭାବ, ଉତ୍ତରଦାୟିତ୍ୱ ଓ ଆର୍ଥିକ ସୁସ୍ଥତା ଉପରେ ବିଚାର କରିବା ଆବଶ୍ୟକ। ଗଛରେ ଟଙ୍କା ଫଳେ ନାହିଁ। ଟଙ୍କା ଫଳେ ଆମ କରଦାତାଙ୍କ ପରିଶ୍ରମରୁ। ସେଇ ପରିଶ୍ରମର ମୂଲ୍ୟକୁ ସମ୍ମାନ କରିବା ହେଉଛି ଗଣତନ୍ତ୍ରର ପ୍ରଥମ କର୍ତ୍ତବ୍ୟ।
also read https://purvapaksa.com/youtubeerror/


