ରାଜ୍ୟର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ହେଉଛନ୍ତି ପୃଥ୍ୱୀରାଜ ହରିଚନ୍ଦନ। ଆଇନ ସହ ପୂର୍ତ୍ତ, ଅବକାରୀ ବିଭାଗ ବି ସେ ସମ୍ଭାଳୁଛନ୍ତି। ସେ ଏବେ ରାଜ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚିତ ରାଜନେତା। ଏପରିକି ମୁଖ୍ୟମନ୍ତ୍ରୀଙ୍କଠାରୁ ସେ ଚର୍ଚ୍ଚାରେ ଢେର ଆଗରେ। ତାଙ୍କ ବିଭାଗର ହେଉ ବା ନ ହେଉ ସେ ଖବରର ଶିରୋନାମାରେ ରହିବାଟା ପ୍ରାୟ ନିଶ୍ଚିତ। ଏମିତି ଏକ କ୍ଷମତା ଇକୋ ସିଷ୍ଟମ ଭିତରେ ପୃଥ୍ୱୀରାଜଙ୍କ ପୁଅଙ୍କୁ କେନ୍ଦ୍ର ସରକାର ଓଡ଼ିଶାରେ ସରକାରୀ ଓକିଲ ନିଯୁକ୍ତ କରିଛନ୍ତି। ଏହାକୁ କେହି କେହି କ୍ଷମତାର ଅପବ୍ୟବହାର ବୋଲି କହିଲେଣି।
ଆଇନ ପାଠ ନ ପଢ଼ି ମଧ୍ୟ ଆଇନମନ୍ତ୍ରୀ
ପୃଥ୍ୱୀରାଜ ହେଉଛନ୍ତି ଦ୍ୱିତୀୟ ପିଢ଼ିର ରାଜନେତା। ତାଙ୍କ ବାପା ବିଶ୍ୱଭୂଷଣ ହରିଚନ୍ଦନ ଏବେ ଅସୁସ୍ଥ; କିନ୍ତୁ ତାଙ୍କୁ ଓଡ଼ିଶାରେ ବିଜେପିର ପ୍ରତିଷ୍ଠାତାଙ୍କ ଭିତରୁ ଜଣେ ବୋଲି ଗ୍ରହଣ କରାଯାଏ। ସେଥିଲାଗି ବିଜେପି କ୍ଷମତାକୁ ଆସିବା ପରେ ବିଶ୍ୱଭୂଷଣଙ୍କୁ ଅନେକ ସାମ୍ବିଧାନିକ ପଦପଦବୀ ମିଳି ଆସିଛି। ରାଜ୍ୟରେ ମେଣ୍ଟ ସରକାର ଥିବାବେଳେ ସେ ରାଜସ୍ୱ, ପୂର୍ତ୍ତ, ଶିଳ୍ପ ଓ ଆଇନ ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇଥିଲେ। ଯେତେବେଳେ ସରକାର ଚାଲିଗଲା, କେନ୍ଦ୍ରରେ ବିଜେପି ସରକାର ତାଙ୍କୁ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ରାଜ୍ୟପାଳଭାବେ ମଧ୍ୟ ନିଯୁକ୍ତ କରିଥିଲେ। ପ୍ରାୟ ୫ ବର୍ଷ ସେ ଏହିପରି ସାମ୍ବିଧାନିକ ପଦବୀରେ କାର୍ଯ୍ୟ କରିଛନ୍ତି। ଏବେ ତାଙ୍କୁ ୯୧ ବର୍ଷ ବୟସ। ଆଉ ଯେତେବେଳେ ଏହି ସମୟରେ ରାଜ୍ୟରେ ବିଜେପି ସରକାର ଗଢ଼ିଛି, ତାଙ୍କରି ପୁଅଙ୍କୁ ରାଜ୍ୟ ସରକାରରେ ତିନିଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀଭାବେ ଦାୟିତ୍ୱ ଦିଆଯାଇଛି। ସେ ଆଇନ ପାଠ ନ ପଢ଼ି ମଧ୍ୟ ଆଇନ ବିଭାଗ ସହ ପୂର୍ତ୍ତ ଓ ଅବକାରୀ ବିଭାଗ ସମ୍ଭାଳୁଛନ୍ତି। ଅର୍ଥାତ୍ ସଂଯୋଗ ହେଲେ ବି ଆଇନ ବିଭାଗରେ ବାପାଙ୍କ ଉତ୍ତରାଧିକାରୀ ପାଲଟିଛନ୍ତି ପୃଥ୍ୱୀରାଜ। ତଥାପି ସେ ସନ୍ତୁଷ୍ଟ ନ ଥିବା ଚର୍ଚ୍ଚା ହୁଏ। ଏପରିକି ସେ ବେଳେ ବେଳେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଉପଯୁକ୍ତ ବୋଲି ଚର୍ଚ୍ଚା ହୁଏ।
ପୃଥ୍ୱୀରାଜ ଅରାଜି ହେଲେ ତାଙ୍କୁ ବୁଝାଇବା ଲାଗି ଖୋଦ୍ ରାଜ୍ୟପାଳ ବି ତାଙ୍କ ଘରକୁ ଆସନ୍ତି
ଖାଲି ସେତିକି ନୁହେଁ ରାଜ୍ୟ ମନ୍ତ୍ରିମଣ୍ଡଳରେ ପୃଥ୍ୱୀରାଜ ହରିଚନ୍ଦନଙ୍କ ବିରୋଧରେ ଯେତେ ଅଭିଯୋଗ ଆସିଲେ ବି ତାଙ୍କୁ ଆଙ୍ଗୁଠି ଦେଖାଇବାକୁ ମୁଖ୍ୟମନ୍ତ୍ରୀ ବି ସାହସ କରିପାରନ୍ତି ନାହିଁ ବୋଲି କୁହାଯାଏ। ଏହାର କାରଣ ପଛରେ ସେ ଯେ ଜଣେ ଜନପ୍ରିୟ ପ୍ରଭାବଶାଳୀ ନେତା ତାହା ନୁହେଁ। ଏହା ତାଙ୍କ ପ୍ରଥମ ନିର୍ବାଚନ ବିଜୟ କିନ୍ତୁ ବାପାଙ୍କ ପ୍ରଭାବ ଓ କେନ୍ଦ୍ରୀୟ ନେତାଙ୍କ ସହ ସମ୍ପର୍କରେ ସେ ବଳୀୟାନ ବୋଲି କୁହାଯାଏ। ଏହିକ୍ରମରେ ପୃଥ୍ୱୀରାଜ ଅରାଜି ହେଲେ ତାଙ୍କୁ ବୁଝାଇବା ଲାଗି ଖୋଦ୍ ରାଜ୍ୟପାଳ ବି ତାଙ୍କ ଘରକୁ ଆସନ୍ତି ବୋଲି ଚର୍ଚ୍ଚା ହୁଏ। ବିଗତ ଦିନରେ ମନ୍ତ୍ରିମଣ୍ଡଳର ଅଦଳବଦଳ ଖବର ଚର୍ଚ୍ଚିତ ଥିବାବେଳେ ରାଜ୍ୟପାଳ ପ୍ରୋଟୋକଲ ଭାଙ୍ଗି ପୃଥ୍ୱୀରାଜଙ୍କ ଘରେ ତାଙ୍କୁ ଭେଟିବା ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟପାଳ ଏହାକୁ ସାଧାରଣ ବିଷୟ ବୋଲି ଜଣାଇବା ଲାଗି ଅନ୍ୟମନ୍ତ୍ରୀଙ୍କୁ ନିଜ ସରକାରୀ ବାସଭବନକୁ ଡକାଇଥିଲେ। ଏ ବିଷୟରେ ଅନେକ ଭିଡିଓ ସୋଶାଲ୍ ମିଡିଆରେ ଘୂରି ବୁଲିଛି ଓ ଚର୍ଚ୍ଚା ହୋଇଛି। ହେଲେ ଏହା ଆଜିର ଚର୍ଚ୍ଚାର ବିଷୟ ନୁହେଁ, ବରଂ ଆଜିର ଚର୍ଚ୍ଚା ହେଉଛି ପୃଥ୍ୱୀରାଜ ହରିଚନ୍ଦନଙ୍କ ପୁଅଙ୍କୁ ସେଟଲ୍ କରିବାର ଚିନ୍ତା ବାବଦରେ।
ମାତ୍ର ୫ ବର୍ଷର ଅଭିଜ୍ଞତାରେ କେନ୍ଦ୍ର ସରକାରଙ୍କ ଓକିଲ

ତାଙ୍କ ପୁଅ ହେଉଛନ୍ତି ଦିଗବିଜୟ ହରିଚନ୍ଦନ। ଜଣେ ଯୁବ ଓକିଲ। ଅଧିକତମ ୫ ବର୍ଷର ଆଇନ ଅଭିଜ୍ଞତା। କିନ୍ତୁ ଗଲା ଜୁନ୍ ମାସରୁ ସେ ହେଉଛନ୍ତି କେନ୍ଦ୍ର ସରକାରଙ୍କ ବିଧି ମନ୍ତ୍ରାଳୟଦ୍ୱାରା ଓଡ଼ିଶାରେ ନିଯୁକ୍ତ ହୋଇଥିବା ଓକିଲ। ୨୦୨୮ ଯାଏ ସେ ଏହି ଦାୟିତ୍ୱ ସମ୍ପାଦନ କରିବେ। ଆଉ ତାଙ୍କ କାର୍ଯ୍ୟାଳୟ ହେଉଛି ମନ୍ତ୍ରୀଙ୍କ ଅଫିସିଆଲ୍ ରେସିଡେନ୍ସ ବା ସରକାରୀ ବାସଭବନ। ଅର୍ଥାତ୍ କ୍ୟାପିଟାଲ୍ ହସ୍ପିଟାଲ୍ ପଛରେ ଥିବା ୟୁନିଟ ୬ ସ୍ଥିତ ଏସଜିଓ-୧ ନମ୍ବର ରାଜ୍ୟ ସରକାରଙ୍କ ବାସଗୃହ। ବିଧି ବିଭାଗ ପକ୍ଷରୁ ଏ ବିଷୟକୁ ବିଜ୍ଞପ୍ତି ଆକାରରେ ପ୍ରକାଶ କରାଯାଇଛି। ଆଉ ସେ ଜୁନ୍ ୨ ତାରିଖରୁ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ରହିଛନ୍ତି। କେନ୍ଦ୍ର ସରକାର ଏହାଙ୍କ ପରାମର୍ଶ ପାଇଁ ଧାର୍ଯ୍ୟ ପାରିଶ୍ରମିକ ପ୍ରଦାନ କରୁଛନ୍ତି। ସେ ରାଜ୍ୟ ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିଧି ବିଭାଗର ମାମଲାକୁ ପରିଚାଳନା କରୁଛନ୍ତି। ପୁଣି ସବୁଠାରୁ ବଡ଼ କଥା କ’ଣ ଜାଣିଛନ୍ତି, ଏମିତି ନିଯୁକ୍ତି ପତ୍ର ପ୍ରକାଶ ପାଇଛି ଯେଉଁଥିରେ କେବଳ ଦିଗବିଜୟ ହିଁ ଏକମାତ୍ର ପ୍ରାର୍ଥୀ ହୋଇଛନ୍ତି। ଏହା ନିଶ୍ଚିତ ଭାବେ ଭ୍ରୁକୁଞ୍ଚନ ସୃଷ୍ଟିକାରୀ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏହି ନିଯୁକ୍ତି ପୂର୍ବରୁ ସେ ବିଜେପି ସରକାର କ୍ଷମତାକୁ ଆସବା ପରେ କ୍ୟାଟ୍ର ସରକାରୀ ଓକିଲ ନିଯୁକ୍ତ ହୋଇଥିଲେ।
ସରକାରୀ ଅନୁଷ୍ଠାନକୁ ପାରିବାରିକ ଅନୁଷ୍ଠାନରେ ପରିଣତ
ଏହି କେନ୍ଦ୍ର ସରକାରଙ୍କ ଓକିଲ ପଦବୀଙ୍କ ଲାଗି ଦିଗବିଜୟଙ୍କ ଯୋଗ୍ୟତା ରହିଛି କି ନା ତାହାକୁ ନେଇ ଆମେ ପ୍ରଶ୍ନ ଉଠାଉ ନାହୁଁ। ଯୁବକ ଭାବେ ତାଙ୍କର ଉଜ୍ଜ୍ୱଳ କ୍ୟାରିୟରର ସଫଳତା କାମନା କରିବା ଉଚିତ ଓ ଆମେ ବି ସେଥିପ୍ରତି କୁଣ୍ଠାବୋଧ ପ୍ରକାଶ କରୁନା। କିନ୍ତୁ ତାଙ୍କର ଏ ପଦବୀ ଲାଭ ରାଜ୍ୟ ବିଧି ବିଭାଗର କୌଣସି ଚାପ ବା ସୁପାରିସରେ ହୋଇନାହିଁ ତ? ବାପା ଯେଉଁ ବିଭାଗର ମନ୍ତ୍ରୀ ସେ ବିଭାଗର ସଂସ୍ଥାରେ ଏପରି ନିଯୁକ୍ତି ସରକାରୀ ଅନୁଷ୍ଠାନକୁ ପାରିବାରିକ ଅନୁଷ୍ଠାନରେ ପରିଣତ କରିବାର ଏକ ଉଦାହରଣ ନୁହେଁ କି?
ପୁଣି ଏ ନିଯୁକ୍ତି ଏମିତି ଏକ ପରିସ୍ଥିତିରେ ହୋଇଛି ଯେତେବେଳେ ରାଜ୍ୟ ସରକାରକୁ ଏକବର୍ଷ ପୂରିଛି। ଯେତେବେଳେ ରାଜ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ହେଉଥିଲା। ଏମିତି ଏକ ସମୟରେ ଏ ନିଯୁକ୍ତି ହୋଇଛି ଯେତେବେଳେ ରାଜ୍ୟ ସରକାର ନିଜର ମାମଲା ପରିଚାଳନା କରିବା ଲାଗି ଓକିଲ ନିଯୁକ୍ତି କରିବାରେ ବିଳମ୍ବ କରୁଥିଲେ। ରାଜ୍ୟର କୌଣସି କୋର୍ଟରେ ଆବଶ୍ୟକ ସଂଖ୍ୟକ ସରକାରୀ ଓକିଲ ନ ଥିଲେ, କି ଏବେବି ସରକାରୀ ଓକିଲ ନିଯୁକ୍ତି ହୋଇପାରିନାହିଁ। ସୁପ୍ରିମକୋର୍ଟରେ ରାଜ୍ୟର ଓକିଲ ହୁଅନ୍ତୁ କି ହାଇକୋର୍ଟ ଏବଂ ଜିଲ୍ଲା ସ୍ତରରେ ଓକିଲଙ୍କ କଥା ସବୁଥିରେ ବିଜେପି ସରକାରର ଆଇନ ବିଭାଗ ପଛରେ ପଡ଼ିଛି। ଅନେକ ବାଦ ବିବାଦ ପରେ ରାଜ୍ୟ ସରକାର ଗଲା ଅକ୍ଟୋବର ୩ ତାରିଖରେ ସୁପ୍ରିମକୋର୍ଟରେ ରାଜ୍ୟର ଓକିଲଙ୍କ ଏକ ତାଲିକା ପ୍ରକାଶ କରିଥିଲେ। ଏଯାଏ ବିଭିନ୍ନ ଜିଲ୍ଲା ଓ ଅର୍ଦ୍ଧ ନ୍ୟାୟିକ ସଂସ୍ଥା ଯେମିତି ଏନ୍ଜିଟିରେ ସରକାରଙ୍କ ଓକିଲଙ୍କ ଅଭାବ ରହିଛି।
ରାଜ୍ୟ ପ୍ରତି ଚିନ୍ତା ନାହିଁ, ପୁଅର କ୍ୟାରିୟର ପ୍ରତି ଅଧିକ ଚିନ୍ତିତ ମନ୍ତ୍ରୀ
ସାଧାରଣତଃ ଦଳୀୟ ସମର୍ଥିତ ଆଇନଜୀବୀଙ୍କୁ ଏହିପରି ପଦବୀ ମିଳେ। ରାଜ୍ୟରେ କେବଳ ଆଡଭୋକେଟ୍ ଜେନେରାଲ୍ଙ୍କୁ ବିଜେପି ସରକାର କ୍ଷମତାକୁ ଆସିବାର ମାସେ ୮ଦିନ ପରେ ନିଯୁକ୍ତ ଦେଇଥିଲେ ମଧ୍ୟ ଜିଲ୍ଲା ସ୍ତରରେ ଏପରି ଓକିଲ ନ ଥିବାରୁ ବିଚାରାଧୀନ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। କେବଳ ସେତିକି ନୁହେଁ ସରକାରୀ ଓକିଲ ନ ଥିବାରୁ ଚୋରା ଡ୍ରଗ୍ସ ବେପାରୀମାନେ ସହଜରେ ବେଲ ପାଇବାରେ ସଫଳ ହେଉଛନ୍ତି। ଅପରପକ୍ଷରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ସରକାରୀ ଓକିଲଙ୍କ ଅଭାବରୁ ବେଲ ପାଇବାରେ ବିଳମ୍ବ ହୋଇଥିଲା। କିନ୍ତୁ ରାଜ୍ୟ ପ୍ରତି ଚିନ୍ତା ନ କରି ଆଇନ ମନ୍ତ୍ରୀ ନିଜ ପୁଅର କ୍ୟାରିୟର ପ୍ରତି ଅଧିକ ଚିନ୍ତିତ ରହି ଏପରି ଏକ ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି।
ଖାଲି ସେତିକି ନୁହେଁ, ରାଜ୍ୟ ସରକାରରେ ଏଯାଏ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରି ନାହିଁ। ନିର୍ବାଚିତ ନେତାମାନଙ୍କୁ ଆବଶ୍ୟକ ଖାତିରଦାରି ମିଳିପାରୁ ନାହିଁ। ଏପରିକି ଯେଉଁମାନେ ଦଳକୁ ନିର୍ବାଚନ ଜିତିବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ, ସେମାନଙ୍କୁ ବି ଥଇଥାନ କରାଯାଇ ନାହିଁ। ରାଜ୍ୟରେ ନିଗମ ଅଧ୍ୟକ୍ଷ ନିଯୁକ୍ତି ହୋଇପାରୁ ନାହିଁ। କିନ୍ତୁ ଯେଉଁଭଳି ଭାବେ ଦିଗବିଜୟଙ୍କୁ କେନ୍ଦ୍ର ସରକାର ସରକାରୀ ଓକିଲ ଭାବେ ନିଯୁକ୍ତ କରିଛନ୍ତି ତାହା ପ୍ରମାଣିତ କରୁଛି ଯେ, ରାଜ୍ୟ ସରକାରର ଏହି ମନ୍ତ୍ରୀ ନିଜ ପୁଅ ପାଇଁ ଅଧିକ ତତ୍ପର ହୋଇଛନ୍ତି। ତାଙ୍କ ପାଇଁ କେନ୍ଦ୍ର ସରକାରରେ ନିଜର ଚାପ ପ୍ରୟୋଗ କରିଛନ୍ତି ବୋଲି ଆଲୋଚନା ହେଉଛି।
ବିଜେପି ମନ୍ତ୍ରୀଙ୍କୁ କଂଗ୍ରେସ ରୋଗ
କଂଗ୍ରେସ ଶାସନରେ ଏପରି କୁଟୁମ୍ବ-ପରିଚାଳିତ ଶାସନ ବ୍ୟବସ୍ଥା ଦ୍ୱାରା ଲୋକେ ଅତିଷ୍ଠ ହୋଇଥିଲେ। ସେଥିଲାଗି ଆଜି ବି କଂଗ୍ରେସ କହିଲେ ଭାଇ-ବନ୍ଧୁ-କୁଟୁମ୍ବଙ୍କ ଦଳ ବୋଲି ଗ୍ରହଣ କରାଯାଉଛି। ଯଦି ଦିଗବିଜୟଙ୍କ ନିଯୁକ୍ତିରେ ପୃଥ୍ୱୀରାଜଙ୍କ ଲିଖିତ, ଅଲିଖିତ ପ୍ରଭାବ ବା ପରାମର୍ଶ ଥାଏ ତେବେ ରାଜ୍ୟରେ ବିଜେପି ସରକାର ପାଇଁ ପାଇଁ ଏହା ସବୁଠାରୁ ବଡ଼ ଦୁଃଖ ହେବ। ନୂଆକରି କ୍ଷମତାକୁ ଆସୁ ଆସୁ ରାଜ୍ୟର ଆଇନ ମନ୍ତ୍ରୀ ନିଜ ପୁଅକୁ ନିଜ ଗୋଡ଼ରେ ଠିଆ ହେବାକୁ ନ ଦେଇ ଏମିତି କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଦଳ ଓ ସରକାର ପାଇଁ ନକରାତ୍ମକ ସ୍ଥିତି ସୃଷ୍ଟି କରିବ। ଏବେ ଅପେକ୍ଷା ଏହାକୁ କେନ୍ଦ୍ରୀୟ ନେତୃତ୍ୱ କି ପ୍ରକାର ରାସ୍ତା ଦେଖାଉଛନ୍ତି।
ବାପା ଆଇନ ମନ୍ତ୍ରୀ ଥିବାବେଳେ ସଦ୍ୟ ପାସ୍ କରିଥିବା ପୁଅ ରାଜ୍ୟ ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ଓକିଲ ହୋଇ ନିଯୁକ୍ତି ହେବା ପୃଥ୍ୱୀରାଜଙ୍କ ପୁତ୍ର ପ୍ରେମକୁ ସ୍ପଷ୍ଟ କରୁନାହିଁକି?
Also readhttps://purvapaksa.com/opposition-criticizes-lokpals-bmw-obsession/
Opposition criticizes Lokpal’s BMW obsession ।। ଲୋକପାଳଙ୍କ ବିଏମଡବ୍ଲ୍ୟୁ ମୋହକୁ ବିରୋଧୀଙ୍କ ସମାଲୋଚନା

