ଅଦିନିଆ ବର୍ଷା ଯୋଗୁଁ ଓଡ଼ିଶାର ଚାଷୀମାନେ ଫସଲ କ୍ଷୟକ୍ଷତି ର ରିପୋର୍ଟ ଦେବା ସହ କ୍ଷୟକ୍ଷତିର କ୍ଷତିପୂରଣ ଦାବି କରିବାର ସମୟସୀମାକୁ ଜାନୁଆରି ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ପ୍ରଥମେ ଫସଲ ହାନିର ଶେଷ ତାରିଖ ଡିସେମ୍ବର ୨୯ ଥିଲା। ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମୟସୀମାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ସରକାର ଏହି ସମୟସୀମାକୁ ଜାନୁଆରି ପହିଲା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।
ଅଦିନିଆ ବର୍ଷା ରେ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା କରିବା ସହ ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିଆକଳନ କରିଛନ୍ତି। ଅନ୍ୟ ମନ୍ତ୍ରୀମାନେ ମଧ୍ୟ ବିଭିନ୍ନ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି।
ଫସଲ ହାନି ହୋଇଥିବା ଉଭୟ ବୀମାଭୁକ୍ତ ଓ ବୀମାଭୁକ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର କେନ୍ଦ୍ର କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ ଯେ କ୍ଷତିଗ୍ରସ୍ତ ଚାଷୀଙ୍କ ଫସଲ ହାନି ରିପୋର୍ଟ କରିବା ପାଇଁ ସମୟ ଦିଆଯାଉ। କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ସମୟକୁ ଆଉ ୩ ଦିନ ବୃଦ୍ଧି କରିଛନ୍ତି। ତେଣୁ ଚାଷୀମାନେ ୨୦୨୫ ଜାନୁଆରି ପହିଲା ସୁଦ୍ଧା ଫସଲ ହାନି ସମ୍ପର୍କରେ ବୀମା କଂପାନିଗୁଡ଼ିକୁ ଅବଗତ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଓଡ଼ିଶାର ଚାଷୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଏହି ସହାନୁଭୂତିପୂର୍ଣ୍ଣ ମନୋଭାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Also read https://purvapaksa.com/10000-rupees-will-be-given-to-archery-artists-from-this-year-suryaswhi-suraj/
ଧନୁଯାତ୍ରାରେ କଳାକାରଙ୍କୁ ଚଳିତ ବର୍ଷଠାରୁ ମିଳିବ ୧୦ ହଜାର ଟଙ୍କା ସହାୟତା: ସୂର୍ଯ୍ୟବଂଶୀ ସୁରଜ