ପାକିସ୍ତାନର ଉତ୍ତର–ପଶ୍ଚିମ ପ୍ରଦେଶ ଖାଇବର ପଖତୁନଖ୍ୱାରେ ଏକ ଭୟଙ୍କର ଆତ୍ମଘାତୀ ବୋମା ବିସ୍ଫୋରଣ ସାରା ଅଞ୍ଚଳକୁ ଆତଙ୍କିତ କରିଦେଇଛି । ଏହି ବିସ୍ଫୋରଣରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ କିଛି ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ଖାଇବର ପଖତୁନଖ୍ୱାର ଏକ ଅଞ୍ଚଳରେ ଜଣେ କମିଟି ସଦସ୍ୟଙ୍କ ଘରେ ବିବାହ ଉତ୍ସବ ଚାଲିଥିଲା। ଉତ୍ସବର ମଝିରେ ହଠାତ୍ ଜଣେ ଆତ୍ମଘାତୀ ଆତଙ୍କବାଦୀ ନିଜ ଶରୀରରେ ଲଗାଇଥିବା ବୋମାକୁ ବିସ୍ଫୋରଣ କରିଥିଲା । ଭୟଙ୍କର ଶବ୍ଦ ସହ ଘଟିଥିବା ଏହି ବିସ୍ଫୋରଣରେ ଅନେକ ଲୋକ ଘଟଣାସ୍ଥଳରେ ଛିଟିକି ପଡ଼ିଥିଲେ ।

ବିସ୍ଫୋରଣର ତୀବ୍ରତା ଏତେ ବେଶି ଥିଲା ଯେ ଘରର ଏକ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା ଏବଂ କୋଠରୀର ଛାତ ଭୁଶୁଡ଼ି ଯାଇଥିଲା। ଏହା ଫଳରେ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିଲେ। ଛାତ ଭାଙ୍ଗି ପଡ଼ିଥିବାରୁ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଥିଲା।
ଘଟଣା ବିଷୟରେ ସୂଚନା ପାଇବା ସହିତ ସହିତ ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲେ। ସାତୋଟି ଆମ୍ବୁଲାନ୍ସ, ଗୋଟିଏ ଦମକଳ ଗାଡ଼ି ଓ ଗୋଟିଏ ବିପର୍ଯ୍ୟୟ ସହାୟତା ଗାଡ଼ିକୁ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଥିଲା। ଦୀର୍ଘ ସମୟର ପରିଶ୍ରମ ପରେ ୧୦ ଜଣ ଆହତଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା। ଏହି ଘଟଣା ପରେ କର୍ତ୍ତୃପକ୍ଷ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ତଦନ୍ତ ଆରମ୍ଭ କରିଛନ୍ତି। ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି, ଯାହାଦ୍ୱାରା ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ମିଳିପାରିବ।
ଖାଇବର ପଖତୁନଖ୍ୱାର ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ କଠୋର ନିନ୍ଦା କରି ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ସେହିପରି ଆହତମାନଙ୍କ ସର୍ବୋତ୍ତମ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦିଆଯିବ ବୋଲି ଘୋଷଣା କରିଛନ୍ତି। ବିବାହ ଭଳି ଆନନ୍ଦର ମୁହୂର୍ତ୍ତରେ ଏଭଳି ଆକ୍ରମଣ ପୁଣିଥରେ ଆତଙ୍କବାଦର ନିର୍ମମ ଚେହେରାକୁ ସାମ୍ନାକୁ ଆଣିଛି।
also read https://purvapaksa.com/russian-drone-attacks-on-ukraine/


