ୟୁକ୍ରେନ୍ ଉପରେ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଆକ୍ରମଣ ଚଳାଇଥିବାବେଳେ ଯୁଦ୍ଧବିରତି ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୀର୍ଘଦିନର ଉଦ୍ୟମ ସତ୍ତ୍ୱେ ଏଥିରେ କୌଣସି ଅଗ୍ରଗତି ଘଟିନାହିଁ । ବରଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ଜୋର୍ଦାର କରିଚାଲିଛନ୍ତି । ତେଣୁ ମସ୍କୋକୁ ଅସ୍ତ୍ରବିରତି ପାଇଁ ବାଧ୍ୟ କରିବା ନିମନ୍ତେ ଏହାର ଶକ୍ତି ରାଜସ୍ଵକୁ ଟାର୍ଗେଟ କରି ୟୁରୋପୀୟ ସଂଘ (ଇୟୁ) ଶୁକ୍ରବାର ଏହା ଉପରେ ଅନେକ ନୂଆ କଟକଣା ଲଗାଇଛି । ରୁଷିଆର ନର୍ଡ ଷ୍ଟ୍ରିମ୍ ଗ୍ୟାସ୍ ପାଇପ୍ଲାଇନ କାରବାର ଉପରେ ନିଷେଦ୍ଧାଦେଶ ଲଗାଯିବା ସହ ଏହାର ଜାହାଜଗୁଡ଼ିକୁ ଟାର୍ଗେଟ କରାଯାଇଥିବା ଇୟୁର ବିଦେଶ ନୀତି ମୁଖ୍ୟ କାଜା କଲାସ କହିଛନ୍ତି । ୟୁରୋପ ୟୁକ୍ରେନ୍କୁ ସମର୍ଥନରୁ ଓହରିଯିବ ନାହିଁ ବୋଲି ଏହି ବାର୍ତ୍ତାରୁ ସ୍ପଷ୍ଟ ହୋଇଛି ।
ରୁଷିଆ ଯୁଦ୍ଧ ବନ୍ଦ ନ କରିବା ପର୍ଯ୍ୟନ୍ତ ଏହା ଉପରେ ଚାପ ବଢ଼ାଇ ଚାଲିବୁ ବୋଲି ସେ କହିଛନ୍ତି । ଯୁଦ୍ଧକୁ ନେଇ ରୁଷିଆ ଉପରେ ଏହା ୟୁରୋପୀୟ ସଂଘର ସବୁଠୁ ଶକ୍ତିଶାଳୀ କଟକଣା । ୟୁକ୍ରେନକୁ ସୁରକ୍ଷିତ ରଖିବା ଦିଗରେ ସହାୟତା ପାଇଁ ୟୁରୋପୀୟ ଦେଶଗୁଡ଼ିକ ଆମେରିକାରୁ ଅସ୍ତ୍ର କିଣିବା ଆରମ୍ଭ କରିଛନ୍ତି । ନୂଆ ପଦକ୍ଷେପକୁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ସ୍ଵାଗତ କରିଛନ୍ତି । ରୁଷିଆ ଆକ୍ରମଣକୁ ସଲିମ୍ ତୈଳକ୍ଷେତ୍ରରେ ଥିବା ଅଏଲ୍ ଷ୍ଟୋରେଜ୍ ଜୋଦାର କରିଥିବାବେଳେ ଠିକ୍ ସମୟରେ ଏହା ଉପଯୁକ୍ତ ପଦକ୍ଷେପ ବୋଲି ସେ କହିଛନ୍ତି । ରୁଷିଆ ଯୁଦ୍ଧର ସମସ୍ତ ଭିତ୍ତିଭୂମିକୁ ଅବରୋଧ କରାଯିବା ଜରୁରୀ । ଇୟୁ ସହ ୟୁକ୍ରେନ୍ ମଧ୍ୟ ରୁଷିଆ ଉପରେ ଖୁବ୍ ଶୀଘ୍ର ଅତିରିକ୍ତ କଟକଣା ଲଗାଇବ ବୋଲି ଜେଲେନ୍ସ୍କି କହିଛନ୍ତି । ରୁଷିଆର ବିଶାଳ ଶକ୍ତି ରାଜସ୍ୱକୁ ଟାର୍ଗେଟ କରି ଇୟୁର କାର୍ଯ୍ୟନିର୍ବାହୀ ଶାଖା ୟୁରୋପୀୟ କମିଶନ ତୈଳଦର ୬୦ ଡଲାରରୁ ୪୫ ଡଲାରକୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଥିଲା । ତୈଳ ବ୍ୟାରେଲ ପ୍ରତି ଦର ୪୮ ଡଲାର ତଳେ ରଖିବା ପାଇଁ ୨୭ ସଦସ୍ୟ ରାଷ୍ଟ୍ର ନିଷ୍ପତ୍ତି ନେଇଛନ୍ତି । ତୈଳରୁ ହେଉଥିବା ଆୟରୁ ରୁଷିଆର ଅର୍ଥନୀତି ସମୃଦ୍ଧ ହେଉଛି ଏବଂ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ସଶସ୍ତ୍ର ବଳକୁ ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେଉଛନ୍ତି । ଫଳରେ ଜନସାଧାରଣଙ୍କ ଦୈନନ୍ଦିନ ମୁଦ୍ରାସ୍ଫିତି ପ୍ରଭାବିତ ହେଉନାହିଁ । ରୁଷିଆ ଅନେକ ଅଣୟୁରୋପୀୟ ସଂଘ ଦେଶଗୁଡ଼ିକ ଜରିଆରେ ଅଶୋଧିତ ତୈଳର ପରୋକ୍ଷ ରପ୍ତାନି କରୁଥିବା ବେଳେ ଉକ୍ତ ଗଳାବାଟକୁ ବନ୍ଦ କରିବା ଉଦ୍ୟମ ସ୍ୱରୂପ ଏକ ନୂଆ ଆମଦାନୀ ବ୍ୟାନ୍ ମଧ୍ୟ ଲଗାଯାଇଛି ।
ରୁଷିଆ ଏବଂ ଜର୍ମାନୀ ମଧ୍ୟରେ ଥିବା ନର୍ଡ ଷ୍ଟ୍ରିମ୍ ପାଇପ୍ଲାଇନକୁ ଇୟୁ ଟାର୍ଗେଟ କରିଛି, ଯାହାଦ୍ୱାରା ପୁଟିନ ଭବିଷ୍ୟତରେ ସେଥୁରୁ କୌଣସି ରାଜସ୍ୱ ପାଇବେ ନାହିଁ । ଏହି ପ୍ରକଳ୍ପରେ ନିବେଶ କରିବାକୁ ଥିବା ନିବେଶକମାନେ ନିରୁତ୍ସାହିତ ହେବେ। ଭାରତରେ କାମ କରୁଥିବା ରୁଷିଆର ଶକ୍ତି କମ୍ପାନୀ ରୋସିନେପ୍ଟର ରିଫାଇନାରି ମଧ୍ୟ ପ୍ରଭାବିତ ହେବ। ରୁଷିଆରୁ ପ୍ରାକୃତିକ ଗ୍ୟାସ୍ ଜର୍ମାନୀକୁ ପରିବହନ ଲାଗି ଏହି ପାଇପ୍ଲାଇନ ନିର୍ମାଣ କରାଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ । ରୁଷିଆର ପାଣ୍ଠି ଉଠାଣ କ୍ଷମତା ଓ ଆର୍ଥିକ କାରବାରକୁ ସୀମିତ କରିବା ଲକ୍ଷ୍ୟରେ ଏହାର ବ୍ୟାଙ୍କିଙ୍ଗ୍ ସେକ୍ଟର ଉପରେ ୟୁରୋପୀୟ ସଂଘ ନୂଆ କଟକଣା ଲଗାଇଛି । ଚାଇନା ବ୍ୟାଙ୍କଗୁଡ଼ିକୁ ମଧ୍ୟ ଏହି ତାଲିକାରେ ରଖାଯାଇଛି । ୨୦୨୨ ଫେବୃଆରୀ ୨୪ରେ ପୁଟିନ୍ ୟୁକ୍ରେନ୍କୁ ସୈନ୍ୟ ପଠାଇବା ପାଇଁ ନିର୍ଦ୍ଦେଶ ଦେବା ପରେ ରୁଷିଆ ଉପରେ ଇୟୁ ଅନେକ ପର୍ଯ୍ୟାୟ କଟକଣା ଲଗାଇଲାଣି । ସମ୍ପତି ଜବତ ଏବଂ ଟ୍ରାଭେଲ୍ ବ୍ୟାନ୍ ଯୋଗୁ ବହୁ ସରକାରୀ ସଂସ୍ଥା, ବ୍ୟାଙ୍କ, କମ୍ପାନୀ ଓ ସଂଗଠନ ପ୍ରଭାବିତ ହୋଇଛନ୍ତି ।
ALSO READ https://purvapaksa.com/minor-girl-set-ablaze-in-balanga-shifted-to-aiims-with-severe-burns/
