୧ କୋଟି ୪୬ ଲକ୍ଷ ପିଲା ଓ ୧୭.୭ ଲକ୍ଷ ମହିଳାଙ୍କ ପାଇଁ କୃମିନାଶକ ଔଷଧର ବ୍ୟବସ୍ଥା
ଚଳିତ ଫେବୃଆରି ମାସରେ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଓ ୟୁନିସେଫର ମିଳିତ ଉଦ୍ୟମରେ ସାରା ଓଡ଼ିଶାରେ ଜାତୀୟ କୃମିନାଶକ ଦିବସ ପାଳନ କରାଯିବ। ମହିଳା ଓ ଶିଶୁ ମାନଙ୍କର ଉନ୍ନତ ସ୍ୱାସ୍ଥ୍ୟ, ସଠିକ ପୋଷଣ ଓ ଉତ୍ତମ ଶାରୀରିକ ଏବଂ ମାନସିକ ବିକାଶର ଲକ୍ଷ ନେଇ ଆସନ୍ତା ୧୦ ତାରିଖରେ ଏହା ପାଳନ କରାଯିବ । ଯେଉଁମାନେ ୧୦ ତାରିଖରେ କୌଣସି କାରଣରୁ ଏହି ଔଷଧ ଖାଇପାରିନଥିବେ ସେମାନେ ଆସନ୍ତା ୧୭ ତାରିଖରେ ଏହି ଔଷଧ ଖାଇପାରିବେ । ୧ ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ପ୍ରତି ୬ ମାସରେ ଥରେ ସ୍କୁଲ ଆଉ ଅଙ୍ଗନବାଡି କେନ୍ଦ୍ରରେ କୃମିନାଶକ ଔଷଧ ଦିଆଯାଉଛି । ଏହା ସହିତ ଏହି ଦିନମାନଙ୍କରେ ୨୦ରୁ ୨୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ପ୍ରଜନନକ୍ଷମ ମହିଳା ମାନଙ୍କୁ ମଧ୍ୟ କୃମିନାଶକ ଔଷଧ ଦିଆଯାଉଛି ।
ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବୋଧନ କରି ଓଡିଶା ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶିକା ଡା. ସଂଯୁକ୍ତା ସାହୁ କହିଥିଲେ, ଜାତୀୟ କୃମିନାଶକ ଦିବସ ଅବସରରେ ୧ ରୁ ୧୯ ବର୍ଷ ସମସ୍ତ ବାଳକ-ବାଳିକା ଓ ୨୦ ରୁ ୨୪ ବର୍ଷର ପ୍ରଜନନକ୍ଷମ ମହିଳା ମାନଙ୍କୁ ନିକଟସ୍ଥ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ରରେ ଶିକ୍ଷକ ଓ ଅଙ୍ଗନବାଡି କର୍ମୀ ତଥା ଆଶା କର୍ମୀଙ୍କ ଦ୍ୱାରା କୃମିନାଶକ (ଦ୍ରବଣ/ବଟିକା) ଔଷଧ ଖାଇବାକୁ ଦିଆଯିବ। ଏହା ସହିତ ୯ ମାସରୁ ୬୦ ମାସ ବୟସର ସମସ୍ତ ପିଲା ମାନଙ୍କୁ ନିଜର ବୟସ ମୁତାବକ ଉପଯୁକ୍ତ ମାତ୍ରାରେ ‘ଭିଟାମିନ ଏ’ ଦ୍ରବଣ ମଧ୍ୟ ଦିଆଯିବ । ଏହି ମାସରେ ସରକାରୀ ଟିକାକରଣ କେନ୍ଦ୍ର ଓ ସ୍ୱତନ୍ତ୍ର ଭିଚଏନଡିରେ ‘ଭିଟାମିନ ଏ’ ଦ୍ରବଣ ପ୍ରଦାନ କରାଯିବ,” ବୋଲି ସେ କହିଥିଲେ ।
ସମସ୍ତ ସରକାରୀ, ସରକାରୀ ସହାୟତା ପ୍ରାପ୍ତ, କେନ୍ଦ୍ର ସରକାର ଏବଂ ବେସରକାରୀ ବିଦ୍ୟାଳୟ ସହିତ ଅଙ୍ଗନବାଡି କେନ୍ଦ୍ର, ପ୍ଲେ ସ୍କୁଲ, ଚାଇଲଡ଼ କେୟାର ଇଂଷ୍ଟିଟ୍ୟୁସନ ଓ ଶିକ୍ଷାଭିତ୍ତିକ ଅନୁଷ୍ଠାନ ମାନଙ୍କରେ କୃମିନାଶକ ଦିବସ ପାଳନ କରାଯିବ । ରାଜ୍ୟରେ ଏହି ଜାତୀୟ କୃମିନାଶକ ଦିବସ ମାଧ୍ୟମରେ ଆନୁମାନିକ ରୂପେ ୧ରୁ ୧୯ ବର୍ଷ ମଧ୍ୟରେ ୧,୪୬,୪୯,୬୨୩ ବାଳକ-ବାଳିକା, କିଶୋର-କିଶୋରୀ ଉପକୃତ ହେଵା ସହିତ ୨୦ରୁ ୨୪ ବର୍ଷ ପର୍ଯ୍ୟନ୍ତ ୧୭,୭୩,୧୮୭ ପ୍ରଜନନକ୍ଷମ ମହିଳା ଉପକୃତ ହେବେ ବୋଲି ଡ଼ା. ସ୍ମୃତିଜିତ ପଟ୍ଟନାୟକ, ଯୁଗ୍ମ-ନିର୍ଦ୍ଦେଶକ, ନ୍ୟୁଟ୍ରିସନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଥିଲେ |
ରାଜ୍ୟର ୨୪ଟି ଜିଲ୍ଲା ଯଥା: – ଅନୁଗୋଳ, ବରଗଡ, ବୌଦ୍ଧ, ବାଲେଶ୍ଵର, ଭଦ୍ରକ, ଦେଓଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, କେନ୍ଦୁଝର, କୋରାପୁଟ, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡା, ପୁରୀ, ସୋନପୁର, ସମ୍ବଲପୁର ଓ ସୁନ୍ଦରଗଡରେ କୃମିନାଶକ ଦିବସ ପାଳନ କରାଯିବ । ଏହା ବ୍ୟତୀତ ଅନ୍ୟ ୬ଟି ଜିଲ୍ଲା ଯଥା: – ବଲାଙ୍ଗୀର, କଟକ, କଳାହାଣ୍ଡି, କନ୍ଧମାଳ, ନୟାଗଡ ଓ ରାୟଗଡାରେ ଯେଉଁ ବ୍ଲକରେ ଲିମ୍ଫାଟିକ ଫ୍ୟାଲେରିଆସିସ କାର୍ଯ୍ୟକ୍ରମ ହେଉନଥିବ, ସେଠାରେ ମଧ୍ୟ ହିତାଧିକାରୀମାନଙ୍କୁ କୃମିନାଶକ ଦିବସରେ ଔଷଧ ଖାଇବାକୁ ଦିଆଯିବା ।
ଏହି ସମ୍ପର୍କରେ ଅଧିକ ସୂଚନା ଦେଇ ୟୁନିସେଫ ଓଡିଶାର ନ୍ୟୁଟ୍ରିସନ ସ୍ପେସିଆଲିଷ୍ଟ, ସୌରଭ ଭଟ୍ଟାଚାର୍ଜୀ କହିଥିଲେ, ଆମ ପିଲା ମାନଙ୍କର ସାମୂହିକ ବିକାଶକୁ ସୁନିଶ୍ଚିତ କରିବା ଦିଗରେ ଜାତୀୟ କୃମିନାଶକ ଦିବସ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ପଦକ୍ଷେପ ଅଟେ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କର ଓ ପ୍ରଜନନକ୍ଷମ ମହିଳା ମାନଙ୍କ ଲାଗି ଉତ୍ତମ ସ୍ୱାସ୍ଥ୍ୟ, ସଠିକ ପୃଷ୍ଟି ସ୍ତର, ଶିକ୍ଷା, ଦକ୍ଷତା ବୃଦ୍ଧି ତଥା ଉନ୍ନତ ମାନର ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ୟୁନିସେଫ ଓଡ଼ିଶାର ନ୍ୟୁଟ୍ରିସନ ଅଧିକାରୀ ଡା. ସଞ୍ଜୟ କୁମାର ସାହୁ କହିଥିଲେ, ଜୀବାଣୁ ଦ୍ୱାରା ବ୍ୟାପୁଥିବା ନକାରାତ୍ମକ ପ୍ରଭାବ ରୋକିବା ସହିତ ଆମ ପିଲା ମାନଙ୍କର ଏବଂ ପ୍ରଜନନକ୍ଷମ ମହିଳା ମାନଙ୍କର ସ୍ୱାସ୍ଥ୍ୟ ଓ ସାମୂହିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ । ଏହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ତଥା ୟୁନିସେଫର ଏକ ମିଳିତ ପ୍ରୟାସ ଅଟେ ।
previous article: https://purvapaksa.com/the-word-of-the-gita-accused-acquitted/