ଓଡ଼ିଶାର ଆର୍ଥିକ ହିତକୁ ବଜାୟ ରଖାଯିବା ସହ ପୂର୍ବତଟ ରେଳପଥ ମଧ୍ୟରେ ପୂର୍ବପରି ୩ଟି ରେଳ ମଣ୍ଡଳ ରହିବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
ମଙ୍ଗଳବାର ନୂଆଦିଲ୍ଲୀରେ ଓଡ଼ିଶାର ଲୋକସଭା ସାଂସଦମାନଙ୍କ ସହିତ ଆଲୋଚନ ପରେ ଶ୍ରୀ ବୈଷ୍ଣବ କହିଛନ୍ତି, ଓଡ଼ିଶାର ରେଳ ବିକାଶ ପ୍ରସଙ୍ଗରେ ସାଂସଦମାନଙ୍କ ସହିତ ବିସ୍ତୃତ ଆଲୋଚନା ହେଲା। ବର୍ତ୍ତମାନ ପୂର୍ବତଟ ଏବଂ ଦକ୍ଷିଣ ତଟ ରେଳ ଜୋନ୍ ପୁନର୍ଗଠନ ହେଉଥିବାବେଳେ ଓଡ଼ିଶାର ଆର୍ଥିକ ସ୍ୱାର୍ଥରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।
ଓଡ଼ିଶାରେ ରେଳ ବିକାଶ ପାଇଁ ୭୩,୭୨୩ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ପ୍ରସ୍ତାବିତ ରାୟଗଡା ରେଳ ମଣ୍ଡଳକୁ ମଞ୍ଜୁର କରାଯାଇଛି। ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୦୭ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି।
କେନ୍ଦ୍ର ରେଳ ମନ୍ତ୍ରୀ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତୃତୀୟ କାର୍ଯ୍ୟକାଳ ଆରମ୍ଭ କରିବା ପରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ଓଡ଼ିଶାର ପ୍ରକଳ୍ପଗୁଡ଼ିକୁ ମଞ୍ଜୁର କରିଛନ୍ତି। ପୂର୍ବତଟ ରେଳପଥ ମଧ୍ୟରେ ପୂର୍ବପରି ତିନିଟି ରେଳ ମଣ୍ଡଳ ରହିବ। ଅମୃତ ଷ୍ଟେସନ ଯୋଜନାରେ ଓଡ଼ିଶାର ୫୯ଟି ଷ୍ଟେସନକୁ ପୁନର୍ବିକାଶ କରାଯାଉଛି। ୧୯,୨୮୯ କୋଟି ଟଙ୍କାର ୮ଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି।
- ୧. ଗୁଣୁପୁର-ଥେରୁବାଲି ନୂତନ ରେଳ ଲାଇନ
- ୨. ଜୁନାଗଡ଼ ରୋଡ଼-ନବରଙ୍ଗପୁର ନୂତନ ରେଳ ଲାଇନ
- ୩. ମାଲକାନଗିରି-ପଣ୍ଡୁରଙ୍ଗାପୁରମ ଭାୟା ଭଦ୍ରାଚଳମ ନୂତନ ରେଳ ଲାଇନ
- ୪. ବାଦାମପାହାଡ଼-କେନ୍ଦୁଝରଗଡ଼ ନୂତନ ରେଳ ଲାଇନ
- ୫. ବାଙ୍ଗିରିପୋଷି-ଗୋରୁମହିଷାଣୀ ନୂତନ ରେଳ ଲାଇନ
- ୬. ବୁଡ଼ାମରା-ଚାକୁଳିଆ ନୂତନ ରେଳ ଲାଇନ
- ୭. ସରଡ଼େଗା-ଭାଲୁମୁଡା ନୂତନ ଦୋହରୀକରଣ ରେଳ ଲାଇନ
- ୮. ବରଗଡ଼ ରୋଡ଼-ନୂଆପଡା ରୋଡ଼ ନୂତନ ରେଳ ଲାଇନ
ଏହି ଅବସରରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ, ଯାଜପୁର ସାଂସଦ ରବୀନ୍ଦ୍ର କୁମାର ବେହେରା, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, କଳାହାଣ୍ଡି ସାଂସଦ ମାଳବିକା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।
Also readhttps://purvapaksa.com/president-of-india-to-visit-odisha-from-today/
