Budget Reaction: ଅର୍ଥ ଆବଣ୍ଟନ କରିବାଟା ବଡ଼ କଥା ନୁହେଁ, ରାଜ୍ୟର ବିକାଶ ଲାଗି ଖର୍ଚ୍ଚ କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ନବୀନ।
ରାଜ୍ୟ ବଜେଟ୍ ସମ୍ପର୍କରେ ପ୍ରଥମ ପ୍ରତିକ୍ରିୟା ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଡବଲ୍ ଇଞ୍ଜିନ୍ ସରକାର ପଛୁଆ ଗିଅରରେ ଚାଲୁଛି। ଅର୍ଥ ଆବଣ୍ଟନ କରିବାଟା ବଡ଼କଥା ନୁହେଁ, ରାଜ୍ୟର ବିକାଶ ଲାଗି ଖର୍ଚ୍ଚ କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ନବୀନ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ବଜେଟ ଉପସ୍ଥାପନ ହେବାର କିଛିକ୍ଷଣ ମଧ୍ୟରେ ଏହାକୁ ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି, ପୂର୍ବ ବଜେଟରେ ଅନେକ ପରିମାଣ ଏ ଯାଏ ଖର୍ଚ୍ଚ ହୋଇନାହିଁ। ଖାଲି ବଜେଟ୍ ପରିମାଣ ବୃଦ୍ଧି କରିବା ବଡ଼କଥା ନୁହେଁ ଏହାକୁ ରାଜ୍ୟର ବିକାଶରେ ସୁଚାରୁ ରୂପେ ଖର୍ଚ୍ଚ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ।
ସେ କହିଛନ୍ତି, ରାଜ୍ୟରେ ଶିଳ୍ପ ପ୍ରଗତି ହ୍ରାସ ପାଇଛି। ଏହାସହ ରାଜ୍ୟର ଅର୍ଥ ବ୍ୟବସ୍ଥା ମଧ୍ୟ ତଳକୁ ଖସିଛି। ଏହା ଦର୍ଶାଉଛି ଯେ, ଡବଲ୍ ଇଞ୍ଜିନ୍ ସରକାର ପଛୁଆ ଗିଅରରେ ଚାଲୁଛି।
ଦରଦାମ ବୃଦ୍ଧି ପ୍ରସଙ୍ଗକୁ ଅତ୍ୟନ୍ତ ଜଟିଳଭାବେ ଆଖ୍ୟାୟିତ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହା ସମସ୍ତଙ୍କୁ କଠୋର ପରିସ୍ଥିତିର ସମ୍ମୁଖୀନ କରିବାକୁ ବାଧ୍ୟ କରାଉଛି। ମହିଳାମାନେ ମିଶନଶକ୍ତିରେ କାମ ପାଉନାହାନ୍ତି। ବେକାରୀ ବଢ଼ୁଛି। ବଜେଟରେ ଅଧିକ ଅର୍ଥ ବ୍ୟୟ ଘୋଷଣା କରିବା ଗୁରୁତ୍ୱପୂର୍ଣ୍ଣ ନୁହେଁ, ରାଜ୍ୟର ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବା ଆବଶ୍ୟକ। ଆମେ ଏବେ ଦେଖିବୁ ଆଗକୁ କ’ଣ କରାଯାଉଛି।
ଶ୍ରୀ ମାଝୀ ଆଜି ଦ୍ୱିତୀୟଥର ଲାଗି ରାଜ୍ୟର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ୨ଲକ୍ଷ ୯୦ ହଜାର କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି। ଏହା ପୂର୍ବ ବଜେଟ୍ ଅପେକ୍ଷା ୨୫ ହଜାର କୋଟି ଅଧିକ।
Also readhttps://purvapaksa.com/mohan-majhi-extends-mlas-funds-now-an-mla-will-spend-rs-5-crore-a-year/
ବିଧାୟକଙ୍କ ହାତପାଣ୍ଠିକୁ ବଢ଼ାଇଲେ ମୋହନ ମାଝୀ, ଏଣିକି ବର୍ଷକୁ ୫ କୋଟି ଖର୍ଚ୍ଚ କରିବେ ଜଣେ ବିଧାୟକ
