ରାଜ୍ୟରେ ବିଜେପି ସରକାର ଆସିବା ପରେ ଓଡ଼ିଆରେ ସରକାରୀ କାର୍ଯ୍ୟ ହେବ ବୋଲି ଘୋଷଣା କରାଯାଇଥିଲା । ୨୦୨୪ ଜୁଲାଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ସରକାରୀ ଦପ୍ତରରେ ଓଡ଼ିଆ ଭାଷା ବ୍ୟବହାର କରାଯିବା ସହ ନଥପତ୍ର ମଧ୍ୟ ଓଡ଼ିଆରେ ଲେଖାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହି ନିର୍ଦ୍ଦେଶକୁ ଏକବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏହାକୁ କୌଣସି ବିଭାଗ ପାଳନ କରୁନଥିବା ପରିଲକ୍ଷିତ ହୋଇଛି । ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ବିଭାଗକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବିଭାଗ ବିଜ୍ଞପ୍ତି, ଚିଠି, ଓ ନିର୍ଦ୍ଦେଶନାମାରେ ଇଂରାଜୀ ବ୍ୟବହାରେ କରୁଛନ୍ତି ।
ସବୁ ବିଭାଗ ପକ୍ଷରୁ ଏନେଇ ପୃଥକ ଭାବେ ମାର୍ଗଦର୍ଶିକା ଜାରି କରାଯାଇଥିଲା । ଏଥିରେ ଚିଠି, ବିଜ୍ଞପ୍ତି ଓ ନିର୍ଦ୍ଦେଶନାମାରେ ଓଡ଼ିଆ ଭାଷା ବ୍ୟବହାର ପାଇଁ କୁହାଯାଇଥିଲା । ଇତିମଧ୍ୟରେ ପ୍ରାୟ ୧୦ମାସ ଅତିକ୍ରାନ୍ତ କରିଥିଲେ ମଧ୍ୟ ସବୁ ବିଭାଗରେ ଓଡ଼ିଆ ଭାଷା ବ୍ୟବହାର ହୋଇପାରୁନି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଲୋକଦେଖାଣିଆ କିଛି ବିଭାଗ ଓଡ଼ିଆରେ କିଛିଦିନ ଚିଠିପତ୍ର ଲେଖାଲେଖି କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ପୁଣିଥରେ ପୂର୍ବଭଳି ଇଂରାଜୀକୁ ବ୍ୟବହାର କରାଯାଉଛି ।
ଓଡ଼ିଶାରେ ଓଡ଼ିଆରେ ଶାସନ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି । ସମସ୍ତ ସରକାରୀ ଓ ବେସରକାରୀ ସ୍ତରରେ ଓଡ଼ିଆ ଭାଷାକୁ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ସରକାରୀ ଅଧିକାରୀମାନେ ଏହାକୁ ଉପେକ୍ଷା କରିଚାଲିଛନ୍ତି । ଏସବୁପରେ ମଧ୍ୟ ଉକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କୌଣସି କାରଣ ଦର୍ଶାଅ ନୋଟିସ ନାହିଁ କି ଦଣ୍ଡ ବିଧାନ ମଧ୍ୟ ନାହିଁ । ତେଣୁ ସରକାରୀ ସ୍ତରରେ ଓଡ଼ିଆ ଭାଷା ବ୍ୟବହାର ନିୟମକୁ କେହି ଖାତିର କରୁନାହାନ୍ତି କି ଓଡ଼ିଆ ଭାଷା ବ୍ୟବହାର କରିବାକୁ ଆନ୍ତରିକତା ପ୍ରକାଶ କରୁନାହାନ୍ତି ବୋଲି ଓଡ଼ିଶାରେ ଓଡ଼ିଆରେ ସରକାରୀ କାର୍ଯ୍ୟ କରିବାକୁ ଦାବି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
ଲୋକସେବାଭବନଠାରୁ ଆରମ୍ଭ କରି ଅନ୍ୟ ସରକାରୀ କାର୍ଯ୍ୟାଳୟରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ସରକାର ନିର୍ଦ୍ଦେଶନାମା ଜାରି କରି ନିଜ ଦାୟିତ୍ଵ ସାରିଦେଇଥିବାବେଳେ ଏହା କିଭଳି କାର୍ଯ୍ୟକାରୀ ହେବ ସେନେଇ କୌଣସି ପ୍ରଚେଷ୍ଟା ନାହିଁ। ଅପରପକ୍ଷରେ ଯେଉଁମାନେ ଏହାକୁ ଉଲ୍ଲଙ୍ଘନ କରୁଛନ୍ତି ସେମାନଙ୍କ ପାଇଁ କୌଣସି ଦଣ୍ଡବିଧାନ ମଧ୍ୟ ନାହିଁ । ଫଳସ୍ୱରୁପ ଚିରାଚରିତ ଢଙ୍ଗରେ ପ୍ରାୟ ସବୁ ବିଭାଗ ଇଂରାଜୀ ଭାଷା ବ୍ୟବହାରକୁ ଗୁରୁତ୍ବ ଦେଉଛନ୍ତି। ତେଣୁ ଓଡ଼ିଆ ଭାଷା ବହୁଳ ଭାବେ ବ୍ୟବହାର ହୋଇପାରୁନି। ଆଇନ, ଉଚ୍ଚଶିକ୍ଷା, ଜିଏ, ପିଜି, ଶିଳ୍ପ, ଶକ୍ତି, କୃଷି, ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଆଦି ବିଭାଗରେ ବହୁଳ ଭାବେ ଇଂରାଜୀକୁ ବ୍ୟବହାର କରାଯାଉଛି। ଭାଷା ଭିତ୍ତିରେ ଗଠନ ହୋଇଥିବା ରାଜ୍ୟରେ ଓଡ଼ିଆ ଭାଷା ପ୍ରଶାସନିକ କାର୍ଯ୍ୟରେ ବ୍ୟବହାର ହୋଇପାରୁନି । ଏହାକୁ ନେଇ ଭାଷାବିଦ, ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି।
ALSO READ https://purvapaksa.com/horrific-situation-in-the-state-due-to-diarrhea-now-in-south-odisha/
