ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସ୍ଥାପନାର ୧୦୦ ବର୍ଷ ପୂରଣ ହୋଇଛି। ୧୯୨୫ ମସିହାରେ ବିଜୟାଦଶମୀ ଦିନ ଡକ୍ଟର କେଶବ ବଳିରାମ ହେଡ଼ଗେୱାରଙ୍କ ନେତୃତ୍ୱରେ ନାଗପୁରରେ ଏହାର ସ୍ଥାପନା ହୋଇଥିଲା। ତାରିଖ ଥିଲା ୨୭ ସେପ୍ଟେମ୍ବର। ତେବେ ସଂଘ ନିଜର ସ୍ଥାପନା ଦିବସ ବିଜୟାଦଶମୀରେ ହିଁ ପାଳନ କରେ। ଏହି ବର୍ଷ ବିଜୟାଦଶମୀରେ ଶତାବ୍ଦୀ ବର୍ଷ ଉତ୍ସବ ଆରମ୍ଭ ହୋଇଛି, ଯାହା ଦୁଇ ବର୍ଷ ଧରି ଚାଲିବ। ଶହେ ବର୍ଷ ପରେ ସଂଘ ଏବେ ବିଶାଳ ବଟବୃକ୍ଷ। ବିଶ୍ୱର ସବୁଠାରୁ ବଡ଼ ସ୍ୱୟଂ ସେବକ ସଂଗଠନ । ସଂଘ ପରିବାରରୁ ଜନ୍ମ ନେଇଛନ୍ତି ଅନେକ ସଂଗଠନ। ଯେଉଁ ସଂଗଠନ ସବୁ ଦେଶର ରାଜନୀତି ଓ ସମାଜରେ ଆଣିଛନ୍ତି ପରିବର୍ତ୍ତନ। ଆପଣ ସଂଘକୁ ଭଲ ପାଆନ୍ତୁ କି ଘୃଣା କରନ୍ତୁ, ଆପଣ କିନ୍ତୁ ସଂଘର ପ୍ରଭାବରୁ ଅଛୁଆଁ ନୁହନ୍ତି। କେମିତି ନା କେମିତି ସଂଘ ଆପଣଙ୍କ ଜୀବନକୁ ପ୍ରଭାବିତ କରୁଛି। ଆରଏସଏସରୁ ଅନେକ ସଂଗଠନର ଜନ୍ମ ହୋଇଛି। ଭିନ୍ନ ଭିନ୍ନ ଆବଶ୍ୟକତା ପାଇଁ ଏଗୁଡ଼ିକୁ ଗଠନ କରାଯାଇଛି। ଆସନ୍ତୁ ଜାଣିବା ଆରଏସଏସରୁ କେତେ ସଂଗଠନର ଜନ୍ମ ହୋଇଛି ଏବଂ ସେମାନଙ୍କ କାର୍ଯ୍ୟ କ’ଣ?
ଜନସଂଘ ଏବଂ ଭାରତୀୟ ଜନତା ପାର୍ଟି
୧୯୫୧ ମସିହାରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ରାଜନୈତିକ ସଂଗଠନ ଭାରତୀୟ ଜନସଂଘର ସ୍ଥାପନା କରିଥିଲେ, ଯାହାକୁ ଏକ ପ୍ରକାର ସଂଘର ରାଜନୈତିକ ଅଙ୍ଗ ବୋଲି ବିବେଚନା କରାଯାଉଥିଲା। ତେବେ ୧୯୭୭ ମସିହାରେ ଜନସଂଘ ଏବଂ ଅନ୍ୟ ଦଳମାନଙ୍କର ବିଲୟ କରି ଜନତା ପାର୍ଟି ଗଠନ କରାଯାଇଥିଲା। ଯାହା ଇନ୍ଦିରା ବିରୋଧୀ ହାୱାରେ ସବାର ହୋଇ କେନ୍ଦ୍ରରେ ସରକାର ଗଠନ କରିଥିଲା। କିନ୍ତୁ ନେତାଙ୍କ ମହତ୍ୱାକଂକ୍ଷା ପାଇଁ ସରକାର ମଧ୍ୟରେ ବିଭେଦ ସୃଷ୍ଟି ହୋଇଥିଲା। ଦ୍ୱୈତ୍ୟ ସଦସ୍ୟତାକୁ ବିରୋଧ କରି ସଂଘରୁ ଆସିଥିବା ନେତାଙ୍କୁ ମୁଳ ସଂଗଠନ ଛାଡ଼ିବାକୁ ଚାପ ପଡ଼ିଥିଲା। ଯାହାକୁ ନେଇ ଜନତା ପାର୍ଟିରେ ମତଭେଦ ସୃଷ୍ଟି ହୋଇଥିଲା। ଚରଣ ସିଂହଙ୍କ ନେତୃତ୍ୱରେ ଗୋଟିଏ ଗୋଷ୍ଠୀ ଇନ୍ଦିରାଙ୍କ ସମର୍ଥନରେ ସରକାର ଗଠନ କରିଥିଲେ। କିନ୍ତୁ ୨୪ ଦିନରେ ଏହି ସରକାର ଭାଙ୍ଗି ଯାଇଥିଲା। ଏହାପରେ ସଂଘ ସହ ଜଡ଼ିତ ସଦସ୍ୟମାନେ ଏଥିରୁ ଅଲଗା ହୋଇଗଲେ। ସେମାନେ ଏକ ନୂଆ ରାଜନୈତିକ ସଂଗଠନ ଭାରତୀୟ ଜନତା ପାର୍ଟି ଗଠନ କଲେ। ଏହାର ସ୍ଥାପନା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅଧ୍ୟକ୍ଷତାରେ ୬ ଅପ୍ରେଲ ୧୯୮୦ରେ ଦିଲ୍ଲୀରେ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଏକ ସୁଦୃଢ଼, ସମୃଦ୍ଧ ଏବଂ ଶକ୍ତିଶାଳୀ ଦେଶର ସ୍ଥାପନା କରିବା। ସମୟ ସହ ଏକ ରାଜନୈତିକ ଦଳ ଭାବେ ଭାରତୀୟ ଜନତା ପାର୍ଟି ନିଜର ଅଲଗା ପରିଚୟ ସୃଷ୍ଟି କରିଛି ଏବଂ ଆଜି ଏହା ବିଶ୍ୱର ସବୁଠାରୁ ଅଧିକ ସଦସ୍ୟ ସଂଖ୍ୟା ବିଶିଷ୍ଟ ଦଳ ବୋଲି ଦାବି କରେ।
ଭାରତୀୟ ମଜଦୁର ସଂଘ ଏବଂ ଭାରତୀୟ କିସାନ ସଂଘ
ଦେଶର ସ୍ୱାଧୀନତା ପରେ ସମାଜବାଦୀ ଏବଂ ମାର୍କ୍ସବାଦୀ ଶ୍ରମିକ ଆନ୍ଦୋଳନ ପ୍ରଚଳିତ ଥିଲା। ଏହାର ପ୍ରତିକ୍ରିୟା ସ୍ୱରୂପ ୨୩ ଜୁଲାଇ ୧୯୫୫ରେ ଦତ୍ତୋପନ୍ତ ଠେଙ୍ଗଡ଼ୀ ଭୋପାଳରେ ଭାରତୀୟ ମଜଦୁର ସଂଘ (ବିଏମଏସ)ର ସ୍ଥାପନା କରିଥିଲେ। ଏହା ଏକ ଏଭଳି ଶ୍ରମିକ ସଂଗଠନ ଯାହା କୌଣସି ରାଜନୈତିକ ଦଳ ସହ ସିଧାସଳଖ ଜଡ଼ିତ ନୁହେଁ ଏବଂ ଶ୍ରମିକମାନଙ୍କ ହିତ ପାଇଁ କାମ କରେ। ତେବେ ଏହି ସଂଗଠନ ଶ୍ରମିକ ହିତ ଉପରେ ମଧ୍ୟ ରାଷ୍ଟ୍ରହିତକୁ ପ୍ରାଧାନ୍ୟ ଦିଏ। ସେହିପରି କୃଷକମାନଙ୍କ ହିତ ରକ୍ଷା ପାଇଁ ଦତ୍ତୋପନ୍ତ ଠେଙ୍ଗଡ଼ୀ ୪ ମାର୍ଚ୍ଚ ୧୯୭୯ରେ ରାଜସ୍ଥାନର କୋଟାରେ ଭାରତୀୟ କିଷାନ ସଂଘର ସ୍ଥାପନା କରିଥିଲେ। ଏହାର ଲକ୍ଷ୍ୟ ହେଉଛି ଭାରତର କୃଷକମାନଙ୍କର ସମଗ୍ର ବିକାଶ ସାଧନ କରିବା। ଏହି ସଂଗଠନ ମାଧ୍ୟମରେ କୃଷିରେ ବୈଷୟିକ ନବୀକରଣକୁ ପ୍ରୋତ୍ସାହନ ଦିଆଯାଏ। ଏହା ସହ ପରିବେଶ ସଂରକ୍ଷଣ ଏବଂ ପାରମ୍ପରିକ ଭାରତୀୟ କୃଷି ପଦ୍ଧତିର ଗୁରୁତ୍ୱ ବଜାୟ ରଖିବାକୁ ଚେଷ୍ଟା କରେ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ
ସଂଘର ଛାତ୍ର ଅଙ୍ଗ ହେଉଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ। ସଂଘର କାର୍ଯ୍ୟକର୍ତ୍ତା ବଳରାଜ ମାଧୋକଙ୍କ ନେତୃତ୍ୱରେ ୯ ଜୁଲାଇ ୧୯୪୯ରେ ଏହାର ସ୍ଥାପନା ହୋଇଥିଲା। ଆଜି ଏହି ସଂଗଠନ ବିଶ୍ୱର ସବୁଠାରୁ ବଡ଼ ଛାତ୍ର ସଂଗଠନ ବୋଲି ଦାବି କରେ। ଏହି ସଂଗଠନର ଲକ୍ଷ୍ୟ ହେଉଛି ଛାତ୍ରମାନଙ୍କ ମଧ୍ୟରେ ରାଷ୍ଟ୍ରଭକ୍ତିର ଭାବନା ଜାଗ୍ରତ କରିବା ଏବଂ ସେମାନଙ୍କୁ ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ଲଗାଇବା। ଏହା ବ୍ୟତୀତ ଏବିଭିପି ଶିକ୍ଷା ବ୍ୟବସ୍ଥାରେ ସୁଧାର ଏବଂ ଛାତ୍ରମାନଙ୍କ ହିତ ପାଇଁ ଛାତ୍ର ଆନ୍ଦୋଳନର ନେତୃତ୍ୱ ମଧ୍ୟ ଦେଇ ଆସୁଛି।
ବିଶ୍ୱ ହିନ୍ଦୁ ପରିଷଦ
ସମଗ୍ର ଦୁନିଆର ହିନ୍ଦୁମାନଙ୍କୁ ସଂଗଠିତ କରିବା ଏବଂ ହିନ୍ଦୁ ଜୀବନ ଦର୍ଶନର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ୧୯୬୪ ମସିହାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ମୁମ୍ବାଇରେ ବିଶ୍ୱ ହିନ୍ଦୁ ପରିଷଦ (ବିଏଚପି)ର ସ୍ଥାପନା ଆରଏସଏସର ସରସଂଘଚାଳକ ମାଧବ ସଦାଶିବ ଗୋଲୱାଲକର ଏବଂ ସ୍ୱାମୀ ଚିନ୍ମୟାନନ୍ଦଙ୍କ ନେତୃତ୍ୱରେ ହୋଇଥିଲା। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଚାଲିଥିବା ଆନ୍ଦୋଳନରେ ଭିଏଚପି ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଏହା ବ୍ୟତୀତ ଘର ବାପସୀ ଭଳି ଅଭିଯାନ ମଧ୍ୟ ଚଳାଇ ଆସୁଛି।
ବଜରଙ୍ଗ ଦଳ ଏବଂ ଦୁର୍ଗା ବାହିନୀ
ବିଶ୍ୱ ହିନ୍ଦୁ ପରିଷଦର ଯୁବ ଶାଖା ହେଉଛି ବଜରଙ୍ଗ ଦଳ ଏବଂ ଦୁର୍ଗା ବାହିନୀ। ବଜରଙ୍ଗ ଦଳ ପୁରୁଷମାନଙ୍କ ପାଇଁ ଏବଂ ଦୁର୍ଗା ବାହିନୀ ମହିଳାମାନଙ୍କ ପାଇଁ। ଏଗୁଡ଼ିକର ଗଠନ ହିନ୍ଦୁତ୍ୱର ପ୍ରସଙ୍ଗକୁ ଆଗେଇ ନେବା ପାଇଁ କରାଯାଇଥିଲା।
ବିଦ୍ୟା ଭାରତୀ
୧୯୫୨ ମସିହାରେ ସରସ୍ୱତୀ ଶିଶୁ ମନ୍ଦିର ଭଳି ଶିକ୍ଷା ସଂସ୍ଥାର ସ୍ଥାପନା କରାଯାଇଥିଲା। ଏହା ଆଗକୁ ବଢ଼ି ୧୯୭୭ ମସିହାରେ ଦିଲ୍ଲୀରେ ବିଦ୍ୟା ଭାରତୀର ସ୍ଥାପନା ହୋଇଥିଲା, ଯାହା ଆଜି ଦେଶର ସବୁଠାରୁ ବଡ଼ ଅଣ-ସରକାରୀ ଶିକ୍ଷା ସଂଗଠନ ହୋଇଛି। ଦାବି କରାଯାଏ ଯେ ଏହା ଅଧୀନରେ ପ୍ରାୟ ୩୦ ହଜାର ବିଦ୍ୟାଳୟ ସଞ୍ଚାଳିତ ହେଉଛି। ଏହାର ଲକ୍ଷ୍ୟ ହେଉଛି ଭାରତୀୟ ସଂସ୍କୃତି ଏବଂ ସଂସ୍କାର ଆଧାରିତ ଶିକ୍ଷା ପ୍ରଦାନ କରିବା।
ସ୍ୱଦେଶୀ ଜାଗରଣ ମଞ୍ଚ
ପାଞ୍ଚଟି ସଂଗଠନ ଭାରତୀୟ ମଜଦୁର ସଂଘ, ଏବିଭିପି, ଭାରତୀୟ କିଷାନ ସଂଘ, ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଏବଂ ସହକାର ଭାରତୀର ପ୍ରତିନିଧିମାନଙ୍କର ବୈଠକରେ ନାଗପୁରରେ ୨୨ ନଭେମ୍ବର ୧୯୯୧ରେ ସ୍ୱଦେଶୀ ଜାଗରଣ ମଞ୍ଚର ଗଠନ ସେହି ବର୍ଷର ନୂଆ ଅର୍ଥନୈତିକ ନୀତିର ଜବାବରେ କରାଯାଇଥିଲା। ଏହାର ଲକ୍ଷ୍ୟ ହେଉଛି ଭାରତୀୟ ବଜାରର ସୁରକ୍ଷା ଏବଂ ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହନ ଦେବା। ଏହି ମଞ୍ଚ ବିଦେଶୀ ଉତ୍ପାଦର ବର୍ଜନ ଏବଂ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେବା ଅଭିଯାନ ଚଳାଇଥାଏ।
ସଂସ୍କାର ଭାରତୀ
ଲଳିତ କଳା ମାଧ୍ୟମରେ ରାଷ୍ଟ୍ରୀୟ ଚେତନାକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ମୌରେ ଜାନୁଆରୀ ୧୯୮୧ରେ ସଂସ୍କାର ଭାରତୀର ସ୍ଥାପନା ହୋଇଥିଲା। ଏହି ସଂଗଠନ କଳା ପ୍ରଦର୍ଶନୀ, ସଂଗୋଷ୍ଠୀ ଏବଂ ସାହିତ୍ୟ ପ୍ରକାଶନ ମାଧ୍ୟମରେ ଭାରତୀୟ ସଂସ୍କୃତିର ସଂରକ୍ଷଣ ଏବଂ ସଂବର୍ଦ୍ଧନ ପାଇଁ ଚେଷ୍ଟା କରେ।
ରାଷ୍ଟ୍ରୀୟ ଶିଖ ସଙ୍ଗତ ଏବଂ ମୁସଲିମ ରାଷ୍ଟ୍ରୀୟ ମଞ୍ଚ
ରାଷ୍ଟ୍ରୀୟ ଶିଖ ସଙ୍ଗତ ଏବଂ ମୁସଲିମ ରାଷ୍ଟ୍ରୀୟ ମଞ୍ଚ ଭଳି ସଂଘର ଅନୁଷାଙ୍ଗିକ ସଂଗଠନ ସଂଖ୍ୟାଲଘୁ ସମ୍ପ୍ରଦାୟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଗଠନ କରାଯାଇଛି। ରାଷ୍ଟ୍ରୀୟ ଶିଖ ସଙ୍ଗତ ଗୁରବାଣୀର ଜ୍ଞାନ ପ୍ରସାର କରେ। ଅନ୍ୟପକ୍ଷରେ ମୁସଲିମ ରାଷ୍ଟ୍ରୀୟ ମଞ୍ଚ ମୁସଲମାନମାନଙ୍କ ମଧ୍ୟରେ ରାଷ୍ଟ୍ରୀୟତାର ଭାବନାକୁ ବୃଦ୍ଧି କରେ। ଏଗୁଡ଼ିକ ମାଧ୍ୟମରେ ଏହି ଧାରଣାକୁ ମଧ୍ୟ ଚ୍ୟାଲେଞ୍ଜ କରାଯାଇଛି ଯେ ସଂଘ କେବଳ ହିନ୍ଦୁ ବହୁସଂଖ୍ୟକବାଦ ଉପରେ ଆଧାରିତ।
ସେବା ଭାରତୀ ଓ ରାଷ୍ଟ୍ର ସେବିକା ସମିତି
ବାଳାସାହେବ ଦେବରସ ବଞ୍ଚିତ ଓ ଉପେକ୍ଷିତମାନଙ୍କୁ ଆତ୍ମନିର୍ଭର ଓ ସ୍ୱାବଲମ୍ବୀ କରିବା ପାଇଁ ସେବା ଭାରତୀର ସ୍ଥାପନା କରିଥିଲେ। ସେହିପରି ଆରଏସଏସର ଏକ ସମାନ୍ତରାଳ ମହିଳା ସଂଗଠନ ହେଉଛି ରାଷ୍ଟ୍ର ସେବିକା ସମିତି। ଏହାର ସ୍ଥାପନା ମଧ୍ୟ ବିଜୟାଦଶମୀ ଦିନ ୧୯୩୬ରେ ବର୍ଦ୍ଧାରେ ଲକ୍ଷ୍ମୀବାଇ କେଳକର (ମୌସୀଜୀ)ଙ୍କ ଦ୍ୱାରା ହୋଇଥିଲା। ଏହି ସଂଗଠନ ମହିଳାମାନଙ୍କ ପାଇଁ ଏକ ଅଲଗା ମଞ୍ଚ ଭାବେ ସଂଘର ଦର୍ଶନକୁ ପ୍ରତିଫଳିତ କରେ।
ALSO READ https://purvapaksa.com/vijay-rashmika-to-tie-the-knot-soon-engagement-in-february/
Vijay, Rashmika to tie the knot soon ।। ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବିଜୟ , ରଶ୍ମିକା
