ଭାରତୀୟ ନିର୍ବାଚନ ଇତିହାସରେ ଏହା ଏକ ଅଦ୍ଭୁତପୂର୍ବ ଘଟଣା। ଗୋଟିଏ ରାଜ୍ୟର ଭୋଟର ତାଲିକାରୁ ପ୍ରାୟ ୧୨ ପ୍ରତିଶତ ମତଦାତାଙ୍କ ନାଁ ଏକାସାଙ୍ଗରେ କଟିଗଲା। ଏହା କେବଳ ଏକ ପରିସଂଖ୍ୟାନ ନୁହେଁ, ବରଂ ଏହା ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ଏକ ଜଟିଳ ରାଜନୈତିକ ଇକୋ-ସିଷ୍ଟମ୍ର ପୋଷ୍ଟମର୍ଟମ। ପଶ୍ଚିମବଙ୍ଗରେ ଭାରତୀୟ ନିର୍ବାଚନ କମିଶନଙ୍କ ଏସଆଇଆର ପ୍ରକ୍ରିୟା ଶେଷ ହେବା ପରେ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଏହା ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୯୦ ଲକ୍ଷ ‘ନକଲି’ ବା ସନ୍ଦେହଜନକ ଭୋଟରଙ୍କୁ ସିଷ୍ଟମରୁ ବାହାର କରିଦିଆଯାଇଛି। ଏହି ଘଟଣା ଏବେ ବେଙ୍ଗଲ୍ ରାଜନୀତିର ଗତିପଥ ବଦଳାଇବାକୁ ଯାଉଛି।
ସଂଖ୍ୟାର ମାୟାଜାଲ: କେଉଁଠି ଥିଲେ ଏହି ୯୦ ଲକ୍ଷ ଭୋଟର?
ଅକ୍ଟୋବର ୨୦୨୫ ସୁଦ୍ଧା ପଶ୍ଚିମବଙ୍ଗର ମୋଟ ଭୋଟର ସଂଖ୍ୟା ଥିଲା ପ୍ରାୟ ୭.୬୬ କୋଟି। କିନ୍ତୁ ଏସଆଇଆର ପ୍ରକ୍ରିୟା ପରେ ଏହି ସଂଖ୍ୟା କମି ହୋଇଯାଇଛି ୬.୭୫ କୋଟି। ଅର୍ଥାତ୍, ପ୍ରାୟ ୯୦ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ ତାଲିକାରୁ ହଟାଇ ଦିଆଯାଇଛି। ଏହା ପ୍ରମାଣିତ କରୁଛି ଯେ, ବେଙ୍ଗଲ୍ରେ ପ୍ରତି ୮ ଜଣ ଭୋଟରଙ୍କ ମଧ୍ୟରୁ ଜଣେ ‘ଫେକ୍’ କିମ୍ବା ଅବୈଧ ଥିଲେ।
ଶେଷ ପର୍ଯ୍ୟାୟରେ ଏହାକୁ ଯାଞ୍ଚ କରିବାକୁ ନିର୍ବାଚନ କମିଶନଙ୍କ ଦ୍ୱାରା ୭୫ ଜଣ ଜୁଡିସିଆଲ୍ ଅଫିସର ନିଯୁକ୍ତ ହୋଇଥିଲେ। ସେମାନେ ପ୍ରତିଟି ମାମଲାକୁ ଅତି ସୂକ୍ଷ୍ମଭାବେ ଯାଞ୍ଚ କରିଛନ୍ତି। ଆଇଡେଣ୍ଟିଟି ମିସମ୍ୟାଚ୍, ଡୁପ୍ଲିକେଟ୍ ଏଣ୍ଟ୍ରି, ମାଇଗ୍ରେସନ ଏବଂ ଅବୈଧ ନାଗରିକତା ଭଳି ପାରାମିଟର ଆଧାରରେ ଏହି ନାଁଗୁଡ଼ିକୁ କଟାଯାଇଛି। ଏହା କୌଣସି ସାଧାରଣ କ୍ଲରିକାଲ୍ ଅପଡେଟ୍ ନୁହେଁ, ବରଂ ଏକ ଗୁରୁତ୍ୱପୂର୍ଣ୍ଣ ନ୍ୟାୟିକ ସ୍କ୍ରୁଟିନି।
ସଫେଇର କେନ୍ଦ୍ରବିନ୍ଦୁ: ସୀମାନ୍ତ ଜିଲ୍ଲାର ସାଂଘାତିକ ସତ୍ୟ
ଏହି ଭୋଟର ସଫେଇରୁ ଜଣାପଡ଼ିଛି ଯେ, ବାଂଲାଦେଶ ସୀମାନ୍ତକୁ ଲାଗି ରହିଥିବା ଜିଲ୍ଲାଗୁଡ଼ିକରେ ସର୍ବାଧିକ ଅନିୟମିତତା ରହିଥିଲା।
• ଦେଶରେ ସୀମାରେ ଥିବା ମୁର୍ଶିଦାବାଦ ସବୁଠାରୁ ବଡ଼ ଚର୍ଚ୍ଚାରେ। ଏଠାରେ ସବୁଠାରୁ ଅଧିକ ୪.୫ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟରଙ୍କ ନାଁ କଟାଯାଇଛି।
• ନଦିଆ ଜିଲ୍ଲାରେ ‘ରିଜେକ୍ସନ ରେଟ୍’ ୭୮ ପ୍ରତିଶତ ରହିଛି, ଯାହାର ଅର୍ଥ ହେଉଛି ପ୍ରତି ୪ ଜଣ ସନ୍ଦେହଜନକ ଭୋଟରଙ୍କ ମଧ୍ୟରୁ ୩ ଜଣ ଅବୈଧ ଥିଲେ।
• ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ମଧ୍ୟ ୩.୨୫ ଲକ୍ଷରୁ ଅଧିକ ନାଁ ତାଲିକାରୁ ବାଦ୍ ପଡ଼ିଛି।
ଏହି ଜିଲ୍ଲାଗୁଡ଼ିକରେ ବର୍ଷ ବର୍ଷ ଧରି ଅବୈଧ ନାଗରିକ ଥିବା ଅଭିଯୋଗ ଆସୁଥିଲା। ମୃତ ଲୋକଙ୍କ ନାଁରେ ଭୋଟ୍ ପଡ଼ୁଛି ଏବଂ ଜଣେ ଜଣେ ବ୍ୟକ୍ତିଙ୍କ ନାଁରେ ଏକାଧିକ ଭୋଟର କାର୍ଡ ରହିଛି। ପଶ୍ଚିମବଙ୍ଗରେ ହେଉଥିବା ୮୦ ରୁ ୮୫ ପ୍ରତିଶତ ମତଦାନର ପବିତ୍ରତା ଏବେ ଏହି ରିପୋର୍ଟ ପରେ ସନ୍ଦେହ ଘେରକୁ ଆସିଛି।
୨୦୨୬ ନିର୍ବାଚନ: ପଲଟିଯିବ କି ଖେଳ?
୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏହି ଭୋଟ କାଟ୍ ପ୍ରକ୍ରିୟା ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ବେଙ୍ଗଲ୍ର ଅନେକ ଆସନରେ ଜୟ-ପରାଜୟର ବ୍ୟବଧାନ ମାତ୍ର କିଛି ହଜାର ଭୋଟ୍ ରହିଥାଏ। ଯେତେବେଳେ ଗୋଟିଏ ଆସନରୁ ୧୫ ରୁ ୨୦ ହଜାର ‘ଫର୍ଜି’ ଭୋଟର ବାହାରିଯିବେ, ସେତେବେଳେ ସେହି ଆସନର ରାଜନୈତିକ ସମୀକରଣ ସମ୍ପୂର୍ଣ୍ଣରୂପେ ବଦଳିଯିବ।
ପ୍ରଥମ ଥର ପାଇଁ ବେଙ୍ଗଲ୍ରେ ‘ଫ୍ରୋଜେନ୍ ଭୋଟର ଲିଷ୍ଟ’ ଏବଂ କଡ଼ା ସୁରକ୍ଷା ମଧ୍ୟରେ ନିର୍ବାଚନ ହେବାକୁ ଯାଉଛି। ବୁଥ୍ର ୧୦୦ମିଟର ପରିଧି ଭିତରେ ସ୍ଥାନୀୟ ପୋଲିସ ରହିବେ ନାହିଁ, ଯାହା ଭୋଟରଙ୍କ ମନରୁ ଭୟ ଦୂର କରିବାରେ ସାହାଯ୍ୟ କରିବ। ଶାସକ ଦଳ ପାଇଁ ଏହି ୯୦ ଲକ୍ଷ ଭୋଟର ହ୍ରାସ ହେବା ଏକ ବଡ଼ ଧକ୍କା ହୋଇପାରେ, କାରଣ ଏହି ବୋଗସ୍ ଭୋଟ୍ଗୁଡ଼ିକ ହିଁ ଅନେକ ସମୟରେ ନିର୍ଣ୍ଣାୟକ ସାବ୍ୟସ୍ତ ହେଉଥିଲା।
ନ୍ୟାୟିକ ଲଢ଼େଇ ଏବଂ ଆଗାମୀ ବାଟ
ବାଦ୍ ପଡ଼ିଥିବା ଭୋଟରଙ୍କୁ ନିଜର ବୈଧତା ପ୍ରମାଣ କରିବା ପାଇଁ ଟ୍ରିବ୍ୟୁନାଲ୍ର ସୁଯୋଗ ଦିଆଯାଇଛି। ପ୍ରାୟ ୭ ଲକ୍ଷ ଲୋକ ଅପିଲ୍ କରିଛନ୍ତି ଏବଂ ୧୯ଟି ଟ୍ରିବ୍ୟୁନାଲ୍ କୋର୍ଟରେ ଏହାର ଶୁଣାଣି ଚାଲିଛି। ଏପ୍ରିଲ ୧୮ ତାରିଖରେ ଏହାର ଚୂଡ଼ାନ୍ତ ସପ୍ଲିମେଣ୍ଟାରୀ ଲିଷ୍ଟ ଆସିବ। ଏହି ପ୍ରକ୍ରିୟା ଦର୍ଶାଉଛି ଯେ, ନିର୍ବାଚନ କମିଶନ ଏଥର କୌଣସି ବି ଭୁଲ୍ କରିବାକୁ ଚାହୁଁନାହାନ୍ତି।
ଏହା କେବଳ ଆରମ୍ଭ
ବେଙ୍ଗଲ୍ ଏସଆଇଆରର ଏହି ତଥ୍ୟ କେବଳ ଡାଟା କ୍ଲିନିଂ ନୁହେଁ, ବରଂ ଏହା ଗଣତନ୍ତ୍ରର ପୁନରୁଦ୍ଧାର ପାଇଁ ଏକ ସାହସିକ ପଦକ୍ଷେପ। ଯେତେବେଳେ ଭୋଟର ତାଲିକା ସ୍ୱଚ୍ଛ ହୁଏ, ସେତେବେଳେ ହିଁ ସାଧାରଣ ଜନତାଙ୍କ ପ୍ରକୃତ ସ୍ୱର ଶୁଣାଯାଏ। ୨୦୨୬ ନିର୍ବାଚନରେ କିଏ ଜିତିବ ତାହା ପରବର୍ତ୍ତୀ କଥା, କିନ୍ତୁ ଏତିକି ସ୍ପଷ୍ଟ ଯେ ବେଙ୍ଗଲ୍ରେ ଏଥର ‘ରିଅଲ୍ ଭୋଟର’ ହିଁ ସରକାର ଗଢ଼ିବେ।
ଓପିନିୟନ୍ ପୋଲ୍
୨୦୨୬ ବିଧାନସଭା ନିର୍ବାଚନ ପାଇଁ ଆସିଥିବା ‘ଫାଇନାଲ୍ ଓପିନିୟନ୍ ପୋଲ୍’ ଏବେ ବେଙ୍ଗଲ୍ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଲଢ଼େଇ ଏବେ କେବଳ ଭୋଟ୍ରେ ସୀମିତ ନାହିଁ, ବରଂ ଏହା ଦୁଇଟି ଶକ୍ତିଶାଳୀ ଆଦର୍ଶ—ମମତାଙ୍କ ‘ବଙ୍ଗଳା ଗର୍ବ’ ଏବଂ ମୋଦୀଙ୍କ ‘ବିକାଶ ଓ ପରିବର୍ତ୍ତନ’ ମଧ୍ୟରେ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଛି।
ସଂଖ୍ୟାର ସଙ୍କେତ: କାଣ୍ଟେ କି ଟକ୍କର
୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୧୪୮। ମ୍ୟାଟ୍ରାଇଜ୍ (Matrize) ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ, ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ମୁଖ୍ୟ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ବ୍ୟବଧାନ ଏବେ ଖୁବ୍ କମ୍।
• ଟିଏମସି: ୧୪୦ରୁ ୧୬୦ ଆସନ (୨୦୨୧ ତୁଳନାରେ ହ୍ରାସ)
• ବିଜେପି: ୧୩୦ରୁ ୧୫୦ ଆସନ (୨୦୨୧ ତୁଳନାରେ ବଡ଼ ଲମ୍ଫ)
• ଟିଏମସିକୁ ୪୩% ଭୋଟ୍ ମିଳୁଥିବାବେଳେ ବିଜେପି ୪୧% ଭୋଟ୍ ପାଖାପାଖି ପହଞ୍ଚିଛି।
ଏହି ପରିସଂଖ୍ୟାନ ଦର୍ଶାଉଛି ଯେ, ବିଜେପି ନିଜର ଭୋଟ୍ ଶେୟାରରେ ୪ ପ୍ରତିଶତ ବୃଦ୍ଧି କରିଛି, ଯାହା ସିଧାସଳଖ ମମତା ବାନାର୍ଜୀଙ୍କୁ ବହୁମତଠାରୁ ଦୂରେଇ ଦେଇପାରେ। ଯଦି ବିଜେପି ଏହି ଧାରା ବଜାୟ ରଖେ, ତେବେ ବେଙ୍ଗଲ୍ରେ ପ୍ରଥମ ଥର ପାଇଁ ପଦ୍ମ ସରକାର ଦେଖିବାକୁ ମିଳିପାରେ।
ସିଷ୍ଟମ୍ ଟାଇଟ୍ ହୋଇଛି ଏବଂ ପୁରୁଣା ‘ଖେଳା’ର ସମୟ ଏବେ ଶେଷ ହେବାକୁ ଯାଉଛି। ସାରାଦେଶର ନଜର ଏବେ ବେଙ୍ଗଲ୍ ଉପରେ, କାରଣ ଏହି ମଡେଲ୍ ଆଗାମୀ ଦିନରେ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ମଧ୍ୟ ପଥ ପ୍ରଦର୍ଶକ ସାଜିପାରେ।
AlsoRead; https://purvapaksa.com/cm-launches-power-projects-for-khordha-cuttack/


