ଓଡ଼ିଶା ପୁଲିସର ‘ପାରିବାପଣିଆ’ ଏବେ ସନ୍ଦେହ ଘେରରେ। ଗୋଟିଏ ପଟେ ଦେଶର ସର୍ବୋଚ୍ଚ ଅଦାଲତଙ୍କ କଡ଼ା ନିର୍ଦ୍ଦେଶ ଏବଂ ଅନ୍ୟପଟେ ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠ; ଏ ସବୁକୁ ଫୁ’ କରି ଉଡ଼ାଇ ଦେଇଛି ରାଜ୍ୟ ପୁଲିସ ପ୍ରଶାସନ। ଯେଉଁ ଥାନା ଓ ଫାଣ୍ଡିରେ ସାଧାରଣ ଜନତାଙ୍କୁ ସୁରକ୍ଷା ମିଳିବା କଥା, ସେଠାରେ ଏବେ ‘ଡିଜିଟାଲ୍ ଅନ୍ଧାର’। ରାଜ୍ୟର ୨୬ଟି ଥାନା ଓ ୩୨ଟି ଫାଣ୍ଡିରେ ଆଜି ବି ସିସିଟିଭି କ୍ୟାମେରା ନାହିଁ। କେବଳ ସେତିକି ନୁହେଁ, ପ୍ରାୟ ୪୦ ପ୍ରତିଶତ ଥାନାରେ ସିସିଟିଏନଏସ୍ (Crime and Criminal Tracking Network & Systems) ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଫେଲ୍ ମାରିଛି। ବିଡ଼ମ୍ବନାର ବିଷୟ ହେଉଛି, ଏପରି ସାଂଘାତିକ ବିଫଳତା ସତ୍ତ୍ୱେ ପୁଲିସ ଏବେ ‘ରାଷ୍ଟ୍ରପତି ପୁଲିସ କଲର୍ସ ଆୱାର୍ଡ’ର ସେଲିବ୍ରେସନ୍ ପାଇଁ ପ୍ରସ୍ତୁତିରେ ମାତିଛି।
ଭରତପୁରରୁ ଭୁବନେଶ୍ୱର: ଖୋଲିଲା ପୋଲ୍
![]()
୨୦୨୪ ସେପ୍ଟେମ୍ବର ମାସରେ ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନାରେ ଜଣେ ଆର୍ମି ଅଫିସର ଏବଂ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଯେଭଳି ନିର୍ଯାତନା ଦେଲା, ତାହା ସାରା ଦେଶକୁ ଚକିତ କରିଥିଲା। ସେହି ସମୟରେ ଥାନାର ସିସିଟିଭି କ୍ୟାମେରା କାମ କରୁନଥିବା କଥା ପଦାକୁ ଆସିବା ପରେ ହାଇକୋର୍ଟ ଅତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ତତକାଳୀନ ଅତିରିକ୍ତ ଡିଜି ଦୟାଲ ଗଙ୍ଗୱାର ସତ୍ୟପାଠ ଦାଖଲ କରି କହିଥିଲେ ଯେ, ୨୦୨୫ ମାର୍ଚ୍ଚ ସୁଦ୍ଧା ଶତପ୍ରତିଶତ ଥାନା ଓ ଫାଣ୍ଡିରେ ସିସିଟିଭି ଲଗାଯିବ। କିନ୍ତୁ ସଞ୍ଜୟ କୁମାର (ଅତିରିକ୍ତ ଡିଜି, ଆଇନଶୃଙ୍ଖଳା) ଗୃହ ବିଭାଗକୁ ଲେଖିଥିବା ଚିଠି ଏବେ ସରକାରୀ ମିଥ୍ୟାର ପୋଷ୍ଟମର୍ଟମ କରିଛି।
ସଂଖ୍ୟାର ଭାଷାରେ ବିଫଳତାର ଚିତ୍ର

ଗୃହ ବିଭାଗର ସଦ୍ୟତମ ତଥ୍ୟ ଅନୁସାରେ, ରାଜ୍ୟର ପୁଲିସ ବ୍ୟବସ୍ଥାରେ ‘ଡିଜିଟାଲ୍ ସର୍ଭିଲାନ୍ସ’ର ସ୍ଥିତି ଅତି ଶୋଚନୀୟ:
- ଥାନା: ୬୪୫ଟି ମଧ୍ୟରୁ ୨୬ଟିରେ ସିସିଟିଭି ନାହିଁ।
- ଫାଣ୍ଡି: ୨୯୫ଟି ମଧ୍ୟରୁ ୩୨ଟିରେ ସିସିଟିଭି ନାହିଁ।
- ସିସିଟିଏନଏସ୍ ସଂଯୋଗ: ୯୮ଟି ଥାନା କେନ୍ଦ୍ରୀୟ ମନିଟରିଂ ସିଷ୍ଟମ୍ (CMS) ସହ ସଂଯୁକ୍ତ ନାହାନ୍ତି।
- ଅକାମୀ ଥାନା: ପୂର୍ବରୁ ସଂଯୁକ୍ତ ଥିବା ୧୫୧ଟି ଥାନାର ସିସିଟିଏନଏସ୍ ବ୍ୟବସ୍ଥା ଏବେ ଅଚଳ।
- ଭଙ୍ଗା କ୍ୟାମେରା: ଥାନାଗୁଡ଼ିକରେ ଲାଗିଥିବା ୧୨,୭୯୭ଟି କ୍ୟାମେରା ମଧ୍ୟରୁ ୫୧୮ଟି ଏବଂ ଫାଣ୍ଡିର ୨୪ଟି କ୍ୟାମେରା ଅକାମୀ।
ଆଶ୍ଚର୍ଯ୍ୟର କଥା, ଭୁବନେଶ୍ୱର ସ୍ଥିତ ସାଇବର ଓ ଅର୍ଥନୈତିକ ଅପରାଧ ଶାଖା (EOW) ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟରେ ମଧ୍ୟ ସିସିଟିଭି ବା ସିସିଟିଏନଏସ୍ ବ୍ୟବସ୍ଥା ନାହିଁ।
ଅର୍ଥ ହରିଲୁଟ୍ର ଗନ୍ଧ: ଟେଣ୍ଡରରେ ଟେନସନ୍
![]()
- ସିସିଟିଭି ଲଗାଇବା ଓ ରକ୍ଷଣାବେକ୍ଷଣ ନାଁରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ମୁମ୍ବାଇର ‘କ୍ରିଷ୍ଟାଲ ଇଣ୍ଟିଗ୍ରେଟେଡ୍ ସର୍ଭିସେସ୍ ଲିଃ’ ଏବଂ କେରଳର ‘କେଲଟ୍ରନ୍’ ନାମକ ଦୁଇଟି ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯାଇଥିଲା।
- କ୍ରିଷ୍ଟାଲ ସଂସ୍ଥାକୁ ୧୦୪.୯୬ କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା, ଯାହା ବଜାର ଦରଠାରୁ ଯଥେଷ୍ଟ ଅଧିକ ଥିଲା।
- ୫୮ କୋଟି ଟଙ୍କାର ଟେଣ୍ଡରକୁ ଓକାକ୍ (OKAC) ଜରିଆରେ ୮୨.୩୬ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା।
- ସବୁଠୁ ସାଂଘାତିକ କଥା ହେଉଛି, କୌଣସି ‘ଫିଲ୍ଡଲେଭଲ୍ ସାର୍ଟିଫିକେସନ୍’ ବିନା ଓକାକ୍ ଓ କେଲଟ୍ରନକୁ ପ୍ରାୟ ୫୦ କୋଟି ଟଙ୍କା ପୈଠ କରାଯାଇଛି।

ଥାନାଗୁଡ଼ିକରେ କ୍ୟାମେରା ଖରାପ ହେଲେ ମଧ୍ୟ ଏହି ସଂସ୍ଥାଗୁଡ଼ିକ ମରାମତି କରୁନାହାନ୍ତି। ବାରମ୍ବାର ରିମାଇଣ୍ଡର ସତ୍ତ୍ୱେ ସେମାନେ ନୀରବ। ପ୍ରଶ୍ନ ଉଠୁଛି, ଚୁକ୍ତି ଖିଲାପ କରୁଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ ସେମାନଙ୍କୁ କେଉଁ ସ୍ୱାର୍ଥରେ ଆର୍ଥିକ ‘ତୁଷ୍ଟୀକରଣ’ କରାଯାଉଛି?
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ‘ଫୁ’

ସୁପ୍ରିମକୋର୍ଟ ପାରମବୀର ସିଂହ ବନାମ ବଳଜିତ ସିଂହ ମାମଲାରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ପ୍ରତ୍ୟେକ ଥାନାର ଏଣ୍ଟ୍ରି, ଏକ୍ସିଟ୍, ଲକ୍-ଅପ୍, ଏବଂ କରିଡରରେ ୨୪ ଘଣ୍ଟିଆ ଅଡିଓ-ଭିଜୁଆଲ୍ ରେକର୍ଡିଂ ବ୍ୟବସ୍ଥା ରହିବ। ଓଡ଼ିଶା ପୁଲିସ କିନ୍ତୁ କୋର୍ଟଙ୍କୁ ଭୁଆଁ ବୁଲାଇବାରେ ସିଦ୍ଧହସ୍ତ ସାଜିଛି। ମୋହନ ସରକାର ଗତ ଦୁଇ ବର୍ଷରେ ପୁଲିସ ବଜେଟ୍ରେ ରେକର୍ଡ ପରିମାଣର ଅର୍ଥ ବଢ଼ାଇଥିଲେ ମଧ୍ୟ ସେହି ଟଙ୍କା କେଉଁ ଗଳାବାଟରେ ଯାଉଛି, ତାହା ଏବେ ତଦନ୍ତ ସାପେକ୍ଷ।
ଜନତାଙ୍କ ଭରସା କେଉଁଠି?

ଥାନା ଭିତରେ ମାନବ ଅଧିକାରର ସୁରକ୍ଷା ପାଇଁ ସିସିଟିଭି ହିଁ ଏକମାତ୍ର ମୂକସାକ୍ଷୀ। ଯଦି ସେହି ତୃତୀୟ ଆଖିକୁ ହିଁ ପୁଲିସ ଅନ୍ଧ କରି ରଖିବ, ତେବେ ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବ କିଭଳି? ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦେଇଥିବା ଅଧିକାରୀଙ୍କ ବିରୋଧରେ ‘କଣ୍ଟେମ୍ପ୍ଟ ଅଫ୍ କୋର୍ଟ’ ମାମଲା ରୁଜୁ ହେବା ଉଚିତ। ଆୱାର୍ଡ ପାଇଁ ସେଲିବ୍ରେସନ୍ କରିବା ପୂର୍ବରୁ ଓଡ଼ିଶା ପୁଲିସକୁ ନିଜର ଚେହେରା ଦର୍ପଣରେ ଦେଖିବା ଦରକାର।

ରାଜ୍ୟର ସୁରକ୍ଷା ବ୍ୟବସ୍ଥାରେ ଏହି ‘ସିସିଟିଭି ଷଡ଼ଯନ୍ତ୍ର’ର ଅନ୍ତ ଘଟିବା ସମୟର ଆବଶ୍ୟକତା। ଯଦି ତୁରନ୍ତ ସଂସ୍କାର ନଆସେ, ତେବେ ଭରତପୁର ଭଳି ଘଟଣା ବାରମ୍ବାର ଦୋହରାଇବ ଏବଂ ପୁଲିସ ନିଜର ସିସିଟିଭି ‘ଅକାମୀ’ ଥିବା କହି ଖସିଯିବାକୁ ଚେଷ୍ଟା କରିବ।
also read : https://purvapaksa.com/eat-beef-but-at-home-himanta-sharmas-comments-before-elections-are-right/


