କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭାର ନିଜଦ୍ୱାରା ବ୍ୟବହୃତ ଶବ୍ଦ ପାଇଁ ସମାଲୋଚନାର ପାତ୍ର ହୋଇଛନ୍ତି। ଏପରିକି ଏହି ଶବ୍ଦକୁ ଫେରାଇ ନେଲେ ବୋଲି ମଧ୍ୟ ଗୃହରେ କହିଛନ୍ତି।
ଜାତୀୟ ଶିକ୍ଷା ନୀତି ଲାଗୁ କରିବା ନେଇ ତାମିଲନାଡୁ ସରକାର ଦୋମୁହାଁ ନୀତି ଆପଣାଉଛନ୍ତି ବୋଲି କହିବାବେଳେ ଉତ୍ତେଜିତ ହୋଇ ତାମିଲନାଡୁ ସରକାର ଏବଂ ଏହାର ଜନତାଙ୍କ ପାଇଁ ଅନ୍ସିଭିଲାଇଜଡ୍ ତଥା ଅସଭ୍ୟ ଶବ୍ଦ ବ୍ୟବହାର କରିଥିଲେ। ଯାହାକୁ ନେଇ ଗୃହରେ ହଟ୍ଟଗୋଳ ହୋଇଥିଲା ଏବଂ ବାଧ୍ୟ ହୋଇ ବାଚସ୍ପତିଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା।
ଆଜି ବଜେଟ୍ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭରୁ ଜାତୀୟ ଶିକ୍ଷା ନୀତି ପ୍ରସଙ୍ଗରେ ଗୃହ ସରଗରମ ହୋଇଥିଲା। ତାମିଲନାଡୁର ଜଣେ ସଂସଦ ଡ. ସୁମତି ତାଙ୍କ ରାଜ୍ୟକୁ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରୁନାହାନ୍ତି ବୋଲି କହିଥିଲେ। ଏହାର ଉତ୍ତର ଦେବାଲାଗି ଧର୍ମେନ୍ଦ୍ର ପ୍ରଧାନ ଠିଆ ହୋଇଥିଲେ।
ଶ୍ରୀ ପ୍ରଧାନ କହିଥିଲେ, ଦେଶର ବିଭିନ୍ନ ରାଜ୍ୟରେ ଜାତୀୟ ଶିକ୍ଷାନୀତି ଲାଗୁ ହୋଇଛି। ଏଥିର କେନ୍ଦ୍ର ସରକାର ରାଜନୀତିକ ଗନ୍ଧ ଦେଖୁ ନାହାନ୍ତି। ଜାତୀୟ ଶିକ୍ଷାନୀତିକୁ କର୍ଣ୍ଣାଟକ, ପଞ୍ଜାବ, ହିମାଚଳ ଭଳି ଅଣ ବିଜେପି ସରକାରମାନେ ଏହାକୁ ବିରୋଧ କରୁଛନ୍ତି। ତାମିଲନାଡୁର ପ୍ରତି ଦଳ ଏଥିଲାଗି ତାଙ୍କ ସହ ଆଲୋଚନ କରି ପରେ ୟୁ ଟର୍ଣ୍ଣ ମାରିଛନ୍ତି। ରାଜନୀତିକ ଉଦେଶ୍ୟ ରଖି ଏହି ଆଭିମୁଖ୍ୟ ନେଇଥିବା ଅଭିଯାଗ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ସେମାନଙ୍କ ଏହି ଆଭିମୁଖ୍ୟ ଅସଭ୍ୟ ଏବଂ ଅଗଣତାନ୍ତ୍ରିକ।
ଶିକ୍ଷାମନ୍ତ୍ରୀଙ୍କ ଏଭଳି ବୟାନକୁ କେନ୍ଦ୍ରକରି ଗୃହରେ ହଟ୍ଟଗୋଳ ହୋଇଥିଲା। ଡିଏମକେ ସାଂସଦମାନେ ଗୃହର ମଧ୍ୟଭାଗକୁ ଆସି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିରୋଧ କରିଥିଲେ। ବାଚସ୍ପତିଙ୍କ ବାରମ୍ବାର ତାଗିଦ ସତ୍ତ୍ୱେ ସେମାନେ ନିଜ ଆସନକୁ ଫେରିନଥିଲେ। ଫଳରେ ଗୃହରେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରାୟ ଅଧାଘଣ୍ଟା ସମୟ ଏହିପରି ଅସ୍ୱାଭାବିକ ସ୍ଥିତିରେ ଗୃହ ଚାଲିବା ପରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।
ପୁଣିଥର ଗୃହ କାର୍ଯ୍ୟକୁ ଫେରିବାପରେ ବାଚସ୍ପତି ଦୁଇପକ୍ଷ ଭିତର ଆଲୋଚନା ହୋଇଥିବା ନେଇ ସୂଚନା ଦେଇଥିଲେ। ପରେ ଡିଏମକେ ସଂସଦ କନିମୋଝୀଙ୍କୁ ବକ୍ତବ୍ୟ ରଖିବାକୁ କହିଥିଲେ। କନିମୋଝୀ ମନ୍ତ୍ରୀଙ୍କ ସମ୍ବୋଧନର ତାମିଲନାଡୁ ଓ ସେଠାର ବାସିନ୍ଦାଙ୍କ ପାଇଁ ବ୍ୟବହୃତ ଶବ୍ଦକୁ ବି ନିନ୍ଦା କରିଥିଲେ।
ପରେ ଶ୍ରୀ ପ୍ରଧାନ ଏ ଶବ୍ଦକୁ ପ୍ରତ୍ୟାହାର କରୁଥିବା ଦର୍ଶାଇଥିଲେ। ଏହାପରେ ଗୃହ ସ୍ୱାଭାବିକ ହୋଇଥିଲା।
Also readhttps://purvapaksa.com/what-preventing-odisha-from-becoming-a-mining-powerhouse/
