ଶ୍ରୀଜଗନ୍ନାଥଙ୍କ ଅସୀମ କୃପା ଓ ଆଧ୍ୟାତ୍ମିକ ପରମ୍ପରାର ସାକ୍ଷୀ ହେଉଛି ପୁରୀ ଶ୍ରୀମନ୍ଦିର । ଏହି ପବିତ୍ର ଧାମରେ ଆଜି ଭୋରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି । ଭୋର ବେଳାର ଶାନ୍ତ, ପବିତ୍ର ପରିବେଶରେ ସେ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ଚରଣରେ ମନ ଭରି ପ୍ରାର୍ଥନା କରିଥିଲେ।

ଶ୍ରୀମନ୍ଦିର ଭିତରେ ସେ ପ୍ରାୟ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ରହି ଶ୍ରୀଜଗନ୍ନାଥ, ମା ବଳଭଦ୍ର ଓ ମା ସୁଭଦ୍ରାଙ୍କ ଦର୍ଶନ କରିଥିଲେ। ଏହି ସମୟରେ ମନ୍ଦିରର ଶୃଙ୍ଖଳା, ଆଚାର–ବିଚାର ଓ ସେବାୟତଙ୍କ ସହଯୋଗ ଦେଖି ସେ ସନ୍ତୋଷ ପ୍ରକାଶ କରିଥିଲେ।
ମନ୍ଦିର ଦର୍ଶନ ସମାପ୍ତ ପରେ ଫେରିବା ବେଳେ ବାଇଶି ପାହାଚ ନିକଟରେ ସେବାୟତମାନେ ନୀଳଚକ୍ରରେ ଲାଗିଥିବା ପବିତ୍ର ପତାକା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଦାନ କରିଥିଲେ। ଏହି ପବିତ୍ର ପତାକାକୁ ସେ ଭକ୍ତିଭାବରେ ଗ୍ରହଣ କରି ମହାପ୍ରଭୁଙ୍କ ପ୍ରତି ନିଜ ଅଟୁଟ ଆସ୍ଥା ପ୍ରକାଶ କରିଥିଲେ।
ଏହା ପରେ ସେ ସିଂହଦ୍ୱାର ଉପରେ ବିରାଜିତ ମା ଗୁମୁଟ ଲକ୍ଷ୍ମୀଙ୍କୁ ମଧ୍ୟ ଦର୍ଶନ କରିଥିଲେ। ମନ୍ଦିର ପରିସରରେ ତାଙ୍କ ସହ ପୁରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ପୁରୀ ଏସପି ମଧ୍ୟ ଉପସ୍ଥିତ ଥିଲେ। ସମସ୍ତ ବ୍ୟବସ୍ଥା ସୁଚାରୁ ଭାବେ ପରିଚାଳିତ ହୋଇଥିଲା।
ଶ୍ରୀମନ୍ଦିର ଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଗଲା ଧର୍ମଶାଳା ପରିସରରେ ଆୟୋଜିତ ଭାରତୀୟ ମଜଦୂର ସଂଘର ୨୧ତମ ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଯାଇଥିଲେ। ଏହି ୩ ଦିନିଆ ଜାତୀୟ ସମ୍ମିଳନୀରେ ସେ ସ୍ୱତନ୍ତ୍ର ଅତିଥି ଭାବେ ଉପସ୍ଥିତ ରହିବେ।
ଏହି ସମ୍ମିଳନୀରେ ଭାରତର ୨୮ଟି ରାଜ୍ୟ, ୪ଟି କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ୪୨ଟି ଶିଳ୍ପ ଫେଡେରେସନର ପ୍ରତିନିଧିତ୍ୱ କରୁଥିବା ପ୍ରାୟ ୨୫୦୦ ପ୍ରତିନିଧି ଯୋଗଦେଇଛନ୍ତି। ଏହି ସମ୍ମିଳନୀରେ ଶ୍ରମିକ ସମସ୍ୟା, ଦେଶର ଆର୍ଥିକ ଉନ୍ନତିରେ ଶ୍ରମିକଙ୍କ ଭୂମିକା ଓ ଭବିଷ୍ୟତ ଯୋଜନା ନେଇ ଗଭୀର ଆଲୋଚନା ହେବାର ସମ୍ଭାବନା ରହିଛି।
also read https://purvapaksa.com/haroscope-valentines-week/
Haroscope Valentines Week ।। ଭାଲେଣ୍ଟାଇନ୍ସ ସପ୍ତାହରେ ପ୍ରେମକୁ ପାଇବେ ରାଶିମାନେ


