ଏକଦା ଓଡ଼ିଶା ବିଜେପିର ଅଘୋଷିତ ମୁଖିଆ ସାଜିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏବେ ବେଳେ ଖରାପ ଚାଲିଛି। ନା ରାଜନୀତିକ ସମୀକରଣ କାମ ଦେଉଛି ନା ପ୍ରାକୃତିକ ପରିବେଶ। ପରିସ୍ଥିତି ଏପରି ହୋଇଛି ଯେ, ଧର୍ମେନ୍ଦ୍ର ନା କହିପାରୁଛନ୍ତି ନା ସହିପାରୁଛନ୍ତି। ଯେଉଁ ସମ୍ବଲପୁରରୁ ତାଙ୍କୁ ଲୋକମାନେ ନିର୍ବାଚିତ କରିଛନ୍ତି ସେହି ଲୋକମାନଙ୍କୁ ବି ସେ ଉଚିତ ନ୍ୟାୟ ଦେବାରେ ସମର୍ଥ ହୋଇପାରୁ ନାହାନ୍ତି। ଧର୍ମେନ୍ଦ୍ରଙ୍କ ଲାଗି ନ୍ୟୁ ନର୍ମାଲ ସାଜିଥିବା ଓଡ଼ିଶାର ପରିବର୍ତ୍ତିତ ରାଜନୀତିକ ପରିବେଶକୁ ନେଇ ଆଜିର ଆଲୋଚନା।
ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଜ୍ୟ ତଥା ରାଷ୍ଟ୍ରୀୟ ରାଜନୀତିର ଅନ୍ୟତମ ପ୍ରଭାବଶାଳୀ ନେତାଭାବେ ଜଣାଶୁଣା। ଛାତ୍ର ଜୀବନରୁ ସଂଘ ପରିବାର ଓ ବିଜେପି ସହ ଜଡ଼ିତ ଥିବା ଏହି ରାଜନେତାଙ୍କ କେନ୍ଦ୍ରୀୟ ପ୍ରଭାବ ଦିନକୁ ଦିନ କମୁଥିବା ତାଙ୍କ ସମର୍ଥକମାନଙ୍କ ମହଲରେ ଆଲୋଚନା ହେଉଛି। ଏପରିକି କେନ୍ଦ୍ରୀୟ ନେତୃତ୍ୱ ଧର୍ମେନ୍ଦ୍ରଙ୍କ ବିକଳ୍ପ ପାଇ ସାରିଛନ୍ତି। ଓଡ଼ିଶା ସରକାର ଓ ବିରୋଧୀ ଦଳ ସହ ଆବଶ୍ୟକ ସମସ୍ତ ପ୍ରକାର ନେଗୋସିଏସନ୍ ଲାଗି ବିକଳ୍ପ ନେତାଭାବେ ଅନ୍ୟଜଣେ କେନ୍ଦ୍ରମନ୍ତ୍ରୀଙ୍କ ଆବିର୍ଭାବ ହେତୁ ଧର୍ମେନ୍ଦ୍ର କୋଣଠେସା ହେବାରେ ଲାଗିଛିନ୍ତି। ଗଣମାଧ୍ୟମରେ ଏ ବିଷୟରେ ବାରମ୍ବାର ଆଲୋଚନା ହୋଇଛି।
ଏପରିକି ଓଡ଼ିଶା ସରକାରରେ ଧର୍ମେନ୍ଦ୍ରଙ୍କ ପ୍ରଭାବ ଆଉ ପୂର୍ବଭଳି କାଟୁ କରିପାରୁନାହିଁ। ତାଙ୍କ ଶିବିରର ଯେଉଁ ନେତାମାନେ ମନ୍ତ୍ରୀ ହୋଇଛନ୍ତି ସେମାନଙ୍କ ଅବସ୍ଥା ବି ବେହାଲ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଆଜି ଯଦି ମନ୍ତ୍ରିମଣ୍ଡଳ ଅଦଳ ବଦଳ ହୁଏ ତେବେ ସେମାନଙ୍କ ଚିହ୍ନବର୍ଣ୍ଣ ହଜିଯିବ ବୋଲି ରାଜନୀତିକ ପଣ୍ଡିତମାନେ କହୁଛନ୍ତି। କାରଣ ତାଙ୍କ ଶିବିରର ଯେଉଁମାନେ ସାମ୍ବିଧାନିକ ପଦବୀରେ ନ ଥାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟକୁ ଅଘୋଷିତଭାବେ ପରିଚାଳନା କରୁଥିଲେ ସେମାନଙ୍କୁ ଏବେ ଲୋକସେବା ଭବନର ଗେଟ୍ ଭିତରକୁ ପ୍ରବେଶ କରିବା ବି କଷ୍ଟକର ହେଉଛି।
ଏ ତ ଗଲା ସରକାରରେ ଧର୍ମେନ୍ଦ୍ରଙ୍କ ପ୍ରଭାବ ହ୍ରାସ କଥା। କିନ୍ତୁ ବିପର୍ଯ୍ୟୟ ତ ଏକୁଟିଆ ଆସେ ନାହିଁ, ସେ ବନ୍ଧୁ ସହୋଦରମାନଙ୍କୁ ସାଙ୍ଗରେ ନେଇ କି ଆସେ। ଏଣୁ ସଂଗଠନରେ ବି ଧର୍ମେନ୍ଦ୍ରଙ୍କ ପ୍ରଭାବକୁ ବେଖାତିର କରାଯାଉଛି। ଯେଉଁମାନେ ସଂଗଠନରେ ରହିଛନ୍ତି ସେମାନେ ଉପର ନେତାଙ୍କୁ ଏହା ସ୍ପଷ୍ଟ କରିସାରିଛନ୍ତି ଯେ, ଯଦି ଧର୍ମେନ୍ଦ୍ରଙ୍କ ପ୍ରଭାବ ଯଦି ସଂଗଠନରେ ରହିବ ତେବେ ଦଳ ଆଉ ହାତରେ ରହିବ ନାହିଁ। ଏହିକ୍ରମରେ କେନ୍ଦ୍ରୀୟ ନେତୃତ୍ୱ ଆଉ ଧର୍ମେନ୍ଦ୍ର ବା ତାଙ୍କ ଶିବିରର କୌଣସି ନେତାଙ୍କୁ ଦଳୀୟ ସଂଗଠନର ନିଷ୍ପତ୍ତି ନେବାର ଅଙ୍ଗ ହେବାକୁ ସୁଯୋଗ ଦେଉନାହାନ୍ତି। ଏହାର ଅର୍ଥ ନୁହେଁ ଯେ, ତାଙ୍କ ଶିବିର ଚୁପ୍ ବସିଛି। ଯଦି ତାହା ହୋଇଥାଆନ୍ତା ତେବେ ଆଜିକୁ ଅନେକ ଦିନ ତଳୁ ରାଜ୍ୟରେ ନୂଆ ସଭାପତି ଘୋଷଣା ହୋଇସାରନ୍ତାଣି।
ଧର୍ମେନ୍ଦ୍ରଙ୍କ ଶିବିରର ନେତାଙ୍କୁ ରାଜ୍ୟର ପରବର୍ତ୍ତୀ ସଭାପତି କରିବା ଲାଗି ଏକ ସଶକ୍ତ ଲବି କାର୍ଯ୍ୟ କରୁଛି। ଏହି ଲବି ମନମୋହନ ସାମଲଙ୍କୁ ବିରୋଧ କରୁଛି। ହେଲେ ମନମୋହନ ନିଜେ ସିନା ନିର୍ବାଚିତ ଜିତିପାରି ନାହାନ୍ତି କିନ୍ତୁ ତାଙ୍କରି ନେତୃତ୍ୱରେ ଦଳ କ୍ଷମତା ହାସଲ କରିଛି। ପ୍ରଥମଥର ପାଇଁ ସରକାର ଗଢ଼ିଛି। ଏଣୁ କେନ୍ଦ୍ରୀୟ ନେତାମାନେ ତାଙ୍କୁ ପଦବୀରୁ ହଟାଇବାକୁ ଚାହୁଁ ନାହାନ୍ତି ବୋଲି କୁହାଯାଉଛି। ଏହି ହେତୁ ବିବାଦ ସୃଷ୍ଟି ହୋଇଛି।
ସରକାର ଓ ସଂଗଠନ ପରେ ଏବେ ଧର୍ମେନ୍ଦ୍ରଙ୍କର ନିଜ ନିର୍ବାଚନ ମଣ୍ଡଳୀରେ ବି ସମସ୍ୟା ସୃଷ୍ଟି ହେଲାଣି। ନିଜର ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରହିଛି ଓ କେନ୍ଦ୍ରରେ ପ୍ରଭାବ ରହିଛି ବୋଲି କହିବାକୁ ଚେଷ୍ଟା କରୁଥିବା ଧର୍ମେନ୍ଦ୍ରଙ୍କୁ ପରିସ୍ଥିତି ଅକଳରେ ପକାଇଛି। ତାଙ୍କର ସବୁ ଯୋଜନାକୁ ପଣ୍ଡ କରୁଛି ପରିସ୍ଥିତି। ନିକଟରେ ସମ୍ବଲପୁରରେ କିଛି ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ଲାଗି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧର୍ମେନ୍ଦ୍ର ଅନୁରୋଧ କରିଥିଲେ। ସବୁକିଛି ନିର୍ଣ୍ଣୟ ମଧ୍ୟ ହୋଇଥିଲା। ହେଲେ ପରିସ୍ଥିତି ଗୋଟିକ ପରେ ଗୋଟିଏ ଏତେ ବିପରୀତ ହେଉଛି ଯେ, ଶାହଙ୍କ ଆଗମନ ଅନିଶ୍ଚିତତା ଭିତରକୁ ୩ଥର ଚାଲିଗଲାଣି। ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନିଧନ ହେତୁ ରାଷ୍ଟ୍ରୀୟ ଶୋକ ଘୋଷଣା ଶାହଙ୍କ ଗସ୍ତକୁ ବାତିଲ କରିଥିଲା। ଦ୍ୱତୀୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପିତୃ ନିଧନ ଓ ପରେ ଅପରେସନ୍ ସିନ୍ଦୂର ସମ୍ବଲପୁରରେ ଏହି ସରକାରୀ କାର୍ଯ୍ୟକ୍ରମକୁ ବାରମ୍ବାର ବାତିଲ କରି ଆସିଛି।
ନିଜର ପୃଷ୍ଠପୋଷକ ଶ୍ରୀ ଶାହଙ୍କୁ ଆଣି କ୍ଷମତାର ପୁନର୍ବିନ୍ୟାସ କରିବା ଲାଗି ଧର୍ମେନ୍ଦ୍ର ଯେଉଁ ଚେଷ୍ଟା କରୁଥିଲେ ତାହା ବିଫଳ ହୋଇଛି। ଅପରପକ୍ଷେ ଧର୍ମେନ୍ଦ୍ରଙ୍କ ନିର୍ବାଚନମଣ୍ଡଳୀରେ ସରକାରୀ କାର୍ଯ୍ୟକ୍ରମରେ ତାଙ୍କୁ ଡକାଯାଉନଥିବା ବି ବଡ଼ ଆଲୋଚନାର ବିଷୟ ହୋଇଛି। ନିକଟରେ ପ୍ରଥମଥର ପାଇଁ ସରକାର ସମ୍ବଲପୁର ଯାଇ ଅଭିଯୋଗ ଶୁଣାଣି ଶିବିର କଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁବନେଶ୍ୱର ଛାଡ଼ି ବାହାରେ କୌଣସି ସ୍ଥାନରେ ଲୋକଙ୍କ ସମସମ୍ୟା ଶୁଣିବା ଲାଗି ଶିବିର ପକାଇବା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ କରି ଦେଖାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିରରେ ସ୍ଥାନୀୟ ବିଧାୟକ ଥିଲେ। କିନ୍ତୁ ସ୍ଥାନୀୟ ସାଂସଦ ନ ଥିଲେ। ସାଂସଦ ସେଦିନ ଯେ ଓଡ଼ିଶାରେ ନ ଥିଲେ ତା’ ନୁହେଁ, ସେ ସେଦିନ ପଶ୍ଚିମ ଓଡ଼ିଶାରେ ଥାଇ ମଧ୍ୟ ସରକାରୀ କଳ ତାଙ୍କୁ ଅଭିଯୋଗ ଶୁଣାଣି ଶିବିରକୁ ନିମନ୍ତ୍ରଣ କରିବାକୁ ଚାହିଁ ନ ଥିଲା। ଅର୍ଥାତ୍ ସରକାରଙ୍କ ସହ ଯେ ଧର୍ମେନ୍ଦ୍ରଙ୍କ ସମ୍ପର୍କ ତିକ୍ତ ହୋଇସାରିଛି ତାହା ଏଠାରେ ପ୍ରମାଣିତ ହେଉଛି।
ଖାଲି ସେତିକି ନୁହେଁ ନିକଟରେ ସମ୍ବଲପୁରରେ ଭାରତୀୟ ପ୍ରବନ୍ଧନ ପ୍ରତିଷ୍ଠାନ ବା ଆଇଆଇଏମ୍ର ସମାବର୍ତ୍ତନ ଦିବସ ଆୟୋଜନ ହୋଇଥିଲା। ଧର୍ମେନ୍ଦ୍ରଙ୍କ ବିଭାଗର ଅନୁଷ୍ଠାନ ହେଉଛି ଆଇଆଇଏମ୍। ପୁଣି ନିଜ ନିର୍ବାଚନମଣ୍ଡଳୀ ଭିତରେ ରହିଛି। ଏହି ସମାବର୍ତ୍ତନରେ ତାଙ୍କ ଉପସ୍ଥିତି ରହିବା ଅନେକ ଆଶା କରୁଥିଲେ। ହେଲେ କେନ୍ଦ୍ରମନ୍ତ୍ରୀଙ୍କୁ ସେଦିନ ସମାବର୍ତ୍ତନ ଉତ୍ସବରେ ଦେଖିବାକୁ ମିଳି ନ ଥିଲା। ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ନମ୍ବର ସଚିବ ପ୍ରମୋଦ କୁମାର ମିଶ୍ର ଉତ୍ସବରେ ମୁଖ୍ୟଅତିଥି ହୋଇଥିଲେ। କୁହାଯାଉଛି ଯେ ଧର୍ମେନ୍ଦ୍ର ଏବେ ଆଉ ପିଏମଓର ସୁନଜରରେ ନାହାନ୍ତି। ତେଣୁ ପିଏମଓର ଅଧିକାରୀମାନେ ତାଙ୍କ ଡେଣା କାଟିବା ଆରମ୍ଭ କରିଦେଇଛନ୍ତି।
ଏହି ଉଦାହରଣଗୁଡ଼ିକ ରାଜନୀତିକ ମହଲରେ ଧର୍ମେନ୍ଦ୍ରଙ୍କ ଲାଗି ଅନେକ କିଛି ଇଙ୍ଗିତ ସୃଷ୍ଟି କରୁଛି। ଏପରିକି ଏବେ ତାଙ୍କ ବେଳା ଭଲ ନାହିଁ ବୋଲି ଚର୍ଚ୍ଚା ହେଉଛି। କେହି କେହି କହୁଛନ୍ତି ଯିଏ ଧର୍ମେନ୍ଦ୍ରଙ୍କୁ ଚିହ୍ନି ନ ପାରିଛି ସେ ଓଡ଼ିଶା ରାଜନୀତିରେ ବିଜେପିର ମଞ୍ଜକୁ ଜାଣି ନାହିଁ। ସେ ଯଦି ଚାହିଁବେ ସରକାର ବି ଟଳି ପଡ଼ିବ ବୋଲି ତାଙ୍କର ସମର୍ଥକମାନେ କହୁଛନ୍ତି। ବିଜେଡି ସହ ଭଲ ସମ୍ପର୍କ ରକ୍ଷାରେ ଧର୍ମେନ୍ଦ୍ର ସିଦ୍ଧହସ୍ତ ଥିଲେ। ପୂର୍ବରୁ ଅନେକ ସମୟରେ କେନ୍ଦ୍ର ରାଜ୍ୟ ଭିତରେ ସମ୍ପର୍କର ସେତୁ ସେ ପାଲଟିଥିଲେ। ଖାଲି ସେତିକି ନୁହେଁ ପେଟ୍ରୋଲିୟମ ମନ୍ତ୍ରୀ ଥିବାବେଳେ ଧର୍ମେନ୍ଦ୍ର ଏଠାରେ ଦଳ ସପକ୍ଷରେ ଯେତିକି ଗଣମାଧ୍ୟମରେ ଅଭିଯାନ ଚଳାଇଥିଲେ ଆଜି ଦଳ ସରକାରରେ ଥାଇ ସୁଦ୍ଧା ସେତିକି ହେବା ମୁସ୍କିଲ ହେଉଛି। ଅର୍ଥାତ୍ ଧର୍ମେନ୍ଦ୍ରଙ୍କୁ ସରକାରୀ ଜାଲରୁ ବାହାରେ ରଖିବା ଅନେକ ଆହ୍ୱାନ ସୃଷ୍ଟି କରିବ।
କିନ୍ତୁ ବଡ଼ କଥା ହେଲା ଏବେ ତାଙ୍କ ସ୍ଥାନରେ ଦଳରେ ଅଶ୍ୱିନୀ ବୈଷ୍ଣବଙ୍କୁ ଦେଖିବାକୁ ମିଳୁଛି। ଓଡ଼ିଶାର ନ ହୋଇ ମଧ୍ୟ ଅଶ୍ୱିନୀଙ୍କୁ ଓଡ଼ିଶାର ନେତା ଅନେକ ପରିମାଣରେ ଗ୍ରହଣ କରୁଛନ୍ତି। ତାଙ୍କ କଥାରେ ବିରୋଧୀ ଦଳର ଅନେକ ଚିତ୍ର ଓ ଚରିତ୍ର ପରିଚାଳନା ହେଉଛନ୍ତି ବୋଲି କୁହାଯାଉଛି। ଓଡ଼ିଶା ବିଜେପି ଏବେ ଧର୍ମେନ୍ଦ୍ରଙ୍କ ବିକଳ୍ପଭାବେ ଅଶ୍ୱିନୀଙ୍କୁ ଗ୍ରହଣ କରିଲେଣି। ତେଣୁ ଆଗାମୀ ଦିନରେ ଓଡ଼ିଶା ବିଜେପିରେ ଅଶ୍ୱିନୀ ବନାମ ଧର୍ମେନ୍ଦ୍ର ସମୀକରଣ ଦେଖିବାକୁ ମିଳିପାରେ।