ମଥୁରାରେ ପୁଣି ହେବ କଂସର ରାଜୁତି
ପୁଣି ମଥୁରାରେ ଆରମ୍ଭ ହେବ କଂସର ରାଜୁତି। ଦେଖିବାକୁ ମିଳିବ ଭଗବାନ କୃଷ୍ଣ ଓ ବଳରାମଙ୍କ ବାଲ୍ୟଲୀଳା। ଗୋପରେ କୃଷ୍ଣଲୀଳା। ଏହା କିପରି ସୁରୁଖୁରୁରେ ଚାଲିବ ସେ ନେଇ ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ବିଭାଗର ସମ୍ମିଳନୀ କକ୍ଷରେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆୟୋଜନ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅଧ୍ୟକ୍ଷତା କରି କହିଥିଲେ ଯେ ବରଗଡ଼ ଧନୁଯାତ୍ରା ଆମର ଗର୍ବ ଓ ଗୌରବ । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ସ୍ୱୀକୃତିପ୍ରାପ୍ତ ବରଗଡ଼ ଧନୁଯାତ୍ରା ଭଗବାନ କୃଷ୍ଣ, ତାଙ୍କ ବାଲ୍ୟଲୀଳା ଓ ତାଙ୍କ ରାକ୍ଷସ ମାମୁଁ କଂସଙ୍କ କାହାଣୀ ଉପରେ ଆଧାରିତ ।
ଏହି ଉତ୍ସବ ସମୟରେ ସମଗ୍ର ବରଗଡ଼ ଜିଲ୍ଲା ମଥୁରା ରାଜ୍ୟରେ ପରିଣତ ହୋଇଯାଏ । ଏହାର ଆୟୋଜନ କେବଳ ବରଗଡ଼ ଜିଲ୍ଲା ପ୍ରଶାସନଙ୍କ ଦାୟିତ୍ୱ ନୁହେଁ ଏହା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି । ଏହି ବୈଠକରେ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ ଆଭାସୀ ମାଧ୍ୟମରେ ଯୋଗଦେବା ସହ ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ବଲବନ୍ତ ସିଂ, ପର୍ଯ୍ୟଟନ ନିର୍ଦ୍ଦେଶକ ସମର୍ଥ ବର୍ମା ଓ ଅନ୍ୟ ପର୍ଯ୍ୟଟନ ବିଭାଗ ଅଧିକାରୀ ଯୋଗ ଦେଇଥିଲେ ।
ଏହାସହ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ ଉପାଧ୍ୟାୟ, ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବାଳୀରାମ ବୋନ୍ଦର, ବରଗଡ଼ ଜିଲ୍ଲା ଏସପି ପ୍ରହଲାଦ ସାହାଇ ମୀନା ଏବଂ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ । ବରଗଡ଼ ଧନୁଯାତ୍ରାକୁ ବିଶ୍ୱସ୍ତରରେ ପହଞ୍ଚାଇବ ପାଇଁ ଏହି ବୈଠକରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା । ଧନୁଯାତ୍ରାର ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଲଇଡ଼ି ଡିସପ୍ଲେ ମାଧ୍ୟମରେ ସିଧା ପ୍ରସାରଣ କରି ଡିଜିଟାଲ ପ୍ରସାରକୁ ବୃଦ୍ଧି କରିବା ସହ ଅତିଥି ଓ ପର୍ଯ୍ୟଟକମାନଙ୍କୁ ଏକ ସୁନ୍ଦର ଅନୁଭୂତି ପ୍ରଦାନ କରିବା ଉପରେ ଏହି ବୈଠକରେ ଆଲୋଚନା କରାଯାଇଥିଲା ।
ଦେବ୍ରିଗଡ ବନ୍ୟପ୍ରାଣୀ ଅଭୟାରଣ୍ୟ, ହୀରାକୁଦ ଡ୍ୟାମ ଏବଂ ସ୍ଥାନୀୟ ହସ୍ତଶିଳ୍ପ କ୍ଲଷ୍ଟର ଓ ରାତ୍ରି ବଜାରକୁ ଆକର୍ଷଣୀୟ କରି ଏହି ଉତ୍ସବରେ ସାମିଲ କରିବା ଉପରେ ବିଶେଷ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ ଉତ୍ସାହ ଭରିବା ପାଇଁ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ଏବଂ ଲଳିତ କଳା ଏକାଡେମୀ ଭଳି ପ୍ରତିଷ୍ଠିତ ଅନୁଷ୍ଠାନଗୁଡିକର ଯୋଗଦାନ ଉପରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା ।
previous article:https://purvapaksa.com/5-soldires-killed-in-accident/
