ସରକାରଙ୍କୁ ବର୍ଷେ ପୂରିବାକୁ ବସିଲାଣି କିନ୍ତୁ ମନ୍ତ୍ରିମଣ୍ଡଳ ଓ ଅମଲଲାତନ୍ତ୍ର ଭିତରେ ସମନ୍ୱୟ ପ୍ରତିଷ୍ଠା କରିପାରୁ ନାହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉପରୁ ତଳକୁ ସରକାରଙ୍କ ଆଭିମୁଖ୍ୟ ପ୍ରବାହିତ ହୋଇପାରୁନାହିଁ। ଏଯାଏ ବି ରାଜ୍ୟର ଅଧିକାରୀଙ୍କ ଉପରେ ବିଜୁ ଜନତା ଦଳର ପ୍ରଭାବ ରହିଛି। ଏ କଥାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ସ୍ୱୀକାର କରୁଛନ୍ତି, ପୁଣି ଯେତେବେଳେ ଅଫିସରଙ୍କୁ ଭେଟୁଛନ୍ତି ସେତେବେଳେ ଏହି କଥା କହି ନିଜର ହତାଶାକୁ ସ୍ପଷ୍ଟ କରୁଛନ୍ତି।
ଏ ଉକ୍ତି ରାଜ୍ୟବାସୀଙ୍କ ମନରେ ଅନେକ ପ୍ରଶ୍ନ ଉଦ୍ରେକ କରୁଛି। ସେଥିରୁ ମୂଳ ପ୍ରଶ୍ନଟି ହେଉଛି ଯଦି ଜଣେ ମୁଖ୍ୟମନ୍ତ୍ରୀ ସାଧାରଣ ବିଡିଓଙ୍କୁ ନିୟନ୍ତ୍ରଣ କରିପାରୁନାହାନ୍ତି ତେବେ ରାଜ୍ୟର ସାଧାରଣ ଜନତା କିପରି ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା କରିବେ? କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଏପରି ଭାଷଣ ପଢ଼ିବାକୁ ବା କହିବାକୁ ପରାମର୍ଶ କିଏ ଦେଉଛି? ଯେଉଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତାଙ୍କୁ ସର୍ବୋଚ୍ଚ ନେତାଭାବେ ପ୍ରତିଷ୍ଠିତ କରିବାକୁ ଦାୟିତ୍ୱ ନେଇଛି ତାହା ମୁଖ୍ୟମନ୍ତ୍ରୀଙ୍କୁ ପଛରେ ଛୁରିକାଘାତ କରୁନାହିଁ ତ?
ଅଫିସର ଓ ନେତାଙ୍କ ଭିତରେ ତାଳମେଳ ଠିକ୍ ନ ରହିଲେ ରାଜ୍ୟ କେବେ ଅଗ୍ରଗତି କରିବ ନାହିଁ। ଏ ବିଷୟକୁ ବାରମ୍ବାର ମୁଖ୍ୟମନ୍ତ୍ରୀ କହିଆସିଛନ୍ତି। ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଏ ବିଷୟକୁ କହିଥିଲେ। ସେତେବେଳେ ଜିଲ୍ଲାପାଳମାନଙ୍କୁ ତିନିମାସରେ ଥରେ ବିକାମଶମୂଳକ ପ୍ରକଳ୍ପଗୁଡ଼ିକ ସମୀକ୍ଷା କରିବାକୁ ଉପଦେଶ ଦେଇଥିଲେ। ନିଜର ୨୭ ବର୍ଷର ରାଜନୀତିକ ଜୀବନରେ ଲୋକଙ୍କ ଦୁଃଖ ଦୂର କରିବା ପାଇଁ ସେ ଉଚିତ ଅବସର ପାଇଛନ୍ତି ବୋଲି କହି ଅଫିସରଙ୍କ ସହାୟତା କାମନା କରିଥିଲେ।
ହେଲେ ଆଜି ଏକ ବର୍ଷ ପୂରିବାକୁ ଯାଉଥିବାବେଳେ ଶାସନ ବ୍ୟବସ୍ଥାରେ ସେହି ତାଳମେଳ ସୃଷ୍ଟି ହୋଇପାରିନାହିଁ। ଖାଲି ଯେ ଅନ୍ୟ ମନ୍ତ୍ରୀ ବା ବିଧାୟକଙ୍କୁ ଅଫିସରମାନେ ହଇରାଣ କରୁଛନ୍ତି ତା’ ନୁହେଁ, ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚୂନ ଲଗାଇବାକୁ ପଛାଉ ନାହାନ୍ତି। ତାଙ୍କ ପଛରେ ଛୁରିକାଘାତ କରୁଛନ୍ତି। ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଆସିଲେ ସ୍କ୍ରିନ୍କୁ ବନ୍ଦ କରି ଲୋକଙ୍କୁ ଚାଲିଯିବାକୁ କିଛି ବିଡିଓ କହୁଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହା ଅତ୍ୟନ୍ତ ଉଦବେଗ ଓ ଦୁର୍ଭାଗ୍ୟର ବିଷୟ ନିଶ୍ଚିତ ଭାବେ। କିନ୍ତୁ ମୁଖ୍ୟମନ୍ତ୍ରୀ କରୁଛନ୍ତି କ’ଣ? କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନାହିଁ? ମୁଖ୍ୟମନ୍ତ୍ରୀ ଅଫିସରଙ୍କ ପ୍ରତି ଦୟାଳୁ ହେଉଛନ୍ତି ନା ନିୟମ ଲଢ଼େଇରେ ପଛରେ ପଡ଼ିଯାଇଛି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର?
ରାଜ୍ୟର ବିଭିନ୍ନ ଅଫିସରଙ୍କୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ବ୍ୟବସ୍ଥା ସହ ଏକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବି ରହିଛି। ଏହି କାର୍ଯ୍ୟାଳୟକୁ ମୁଖ୍ୟ ଶାସନ ସଚିବଙ୍କଠାରୁ ବି କ୍ଷମତାଶାଳୀଭାବେ ଗ୍ରହଣ କରାଯାଇଥାଏ। ସରକାରଙ୍କ ନୀତି କିପରି ଲୋକଙ୍କ ପାଖରେ ପହଞ୍ଚୁଛି ତାହାକୁ ତଦାରଖ କରିବା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟରେ ସର୍ବୋଚ୍ଚ ନେତାଭାବେ ଗଢ଼ି ତୋଳିବା ଲାଗି ଏହି କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ପୂର୍ବ ସରକାର ସମୟରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ଏହାର ସର୍ବେସର୍ବା ଥିଲେ। ସେ ଅଧିକାରୀମାନଙ୍କୁ ଦିଗଦର୍ଶନ ଦେଉଥିଲେ। ଯାହାଫଳରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଟି କଥାକୁ ଅଧିକାରୀ ଶୁଣିବାକୁ ବାଧ୍ୟ ହେଉଥିଲେ। କିନ୍ତୁ ତାଙ୍କର ଅତିରିକ୍ତ ପ୍ରଭାବ ସମ୍ପୃକ୍ତ ଦଳର ମନ୍ତ୍ରୀ ଓ ବିଧାୟକମାନଙ୍କୁ ବି ପାଟିଚୂପ କରି ବସିବାକୁ ବାଧ୍ୟ କରାଉଥିଲା। ଏହା ଏକ ପ୍ରକାର ଦମନଲୀଳା ଥିଲା।
ନୂଆ ଶାସନରେ ଆଉ ‘ସେକାଳ ପଖାଳ’ର ପୁନରାବୃତ୍ତି ନ କରି ଜନ ପ୍ରତିନିଧିଙ୍କୁ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। କିନ୍ତୁ ବର୍ଷେ ଭିତରେ ଫଳ ଫଳିଛି ଓଲଟା। ବିଡିଓ ସମ୍ମିଳନୀରେ ଗୁରୁବାରଦିନ ମୁଖ୍ୟମନ୍ତ୍ରୀ ଦେଇଥିବା ଭାଷଣରୁ ଏହା ସ୍ପଷ୍ଟ ଜଣାପଡ଼ୁଛି। ସେ କେତେ ହତାଶା ଓ ନିରାଶାରେ ରହିଛନ୍ତି ତାହା ପ୍ରସ୍ଫୁଟିତ ହେଉଛି।
ସେ କହିଛନ୍ତି, ବିଡିଓମାନେ ଲୋକପ୍ରତିନିଧିଙ୍କ କଥା ଶୁଣୁନାହାନ୍ତି, ସମ୍ମାନ ଦେଉନାହାନ୍ତି କି ବସିବାକୁ ଚେୟାର ଦେଉନାହାନ୍ତି। ଏମିତିକି ମୁଖ୍ୟମନ୍ତ୍ରୀଙ୍କ ସହ ଭଲ ସମ୍ପର୍କ ରଖିନାହାନ୍ତି ବିଡିଓମାନେ। ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଆସିଲେ ଟିଭି ବନ୍ଦ କରି ଲୋକଙ୍କୁ ପଳାଇଯିବାକୁ ବି କହୁଛନ୍ତି।
ଏହା ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ ନିରାଶା ଓ ହତାଶାର ସଙ୍କେତ ଛଡ଼ା ଆଉକିଛି ହୋଇନପାରେ। କିନ୍ତୁ ଏଭଳି ଭାଷଣ ମୁଖ୍ୟମନ୍ତ୍ରୀଙ୍କୁ କିଏ ଲେଖିକରି ଦେଉଛି? ଉତ୍ତର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଛଡ଼ା ଆଉ କେହି ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ସରଳ ଭାବମୂର୍ତ୍ତିକୁ ଦେଖାଇବାକୁ ଯାଇ ଯେଉଁ କାର୍ଯ୍ୟାଳୟ ଜଣେ ମୁଖ୍ୟମନ୍ତ୍ରୀଙ୍କ ହତାଶାବୋଧକୁ ପ୍ରକାଶ କରୁଛି ସେ ଭାଷଣ ଲେଖୁଥିବା ଲୋକ ପଛପଟେ ମୁଖ୍ୟମନ୍ତ୍ରୀଙ୍କ ଛୁରିକାଘାତ କରୁନାହାନ୍ତି କି? ସେ କ’ଣ ବିଶ୍ୱାସ ଯୋଗ୍ୟ?
ଶାସନ ବ୍ୟବସ୍ଥାରେ ଏପରି ଅଫିସର ରାଜ ବିଜେଡି ସରକାର ସମୟରେ ଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସବୁ ନିୟନ୍ତ୍ରଣ କରୁଥିବାରୁ ବିଡିଓ ବି ଏହି ଦପ୍ତରର ନିର୍ଦ୍ଦେଶକୁ ଅପେକ୍ଷା କରୁଥିଲେ। ହେଲେ ଏବେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଆଉ ନିର୍ଦ୍ଦେଶ ଆସୁ ନାହିଁ କି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଗୁରୁତ୍ୱ ଦେଉନାହାନ୍ତି ଅଧିକାରୀ। ଏହି ଅଧିକାରୀ ତାଲିକାରେ କେବଳ ବିଡିଓ ରହିଛନ୍ତି ତାହା ନୁହେଁ ଜିଲ୍ଲାପାଳମାନେ ବି ରହିଛନ୍ତି। କାରଣ ଜିଲ୍ଲାପାଳମାନେ ହେଉଛନ୍ତି ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ଏବଂ କାର୍ଯ୍ୟକାରୀ କରିବାର ପ୍ରମୁଖ ନାୟକ। ସେମାନଙ୍କ ଅଧୀନରେ ବିଡିଓମାନେ ପରିଚାଳିତ ହୋଇଥାଆନ୍ତି।
ପୂର୍ବରୁ ଯେତେବେଳେ ୧୦୦ ଦିନ ପୂରିଥିଲା ସେତେବେଳେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ସମ୍ମିଳନୀରେ ନୂଆ ସରକାରର ଆଭିମୁଖ୍ୟକୁ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଏହା ବିଡିଓଙ୍କ ସ୍ତରକୁ ପ୍ରବାହିତ ହେବା କଥା। ହେଲେ ଆଜି ଏକ ବର୍ଷ ଭିତରେ ବିଡିଓମାନେ ମନମୁଖୀ ଆଚରଣ କରିବାର ଅର୍ଥ ହେଉଛି ଜିଲ୍ଲାପାଳମାନେ ବିଡିଓଙ୍କୁ ଉଚିତ ମାର୍ଗ ଦର୍ଶନ କରାଇପାରି ନାହାନ୍ତି।
ଅଫିସରଙ୍କ ଏହି ଅମନଯୋଗୀତା ହେତୁ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ‘ଆଦିବାସୀ’ ବୋଲି କହିବାକୁ ପଡ଼ୁଛି। ସେ ଆଦିବାସୀ ବର୍ଗରୁ ଆସିଥାଇପାରନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ ଭାବେ ସେ ସମଗ୍ର ଓଡ଼ିଶାବାସୀଙ୍କ ନାୟକ। ଆଜି ଯଦି ତାଙ୍କ ଦୂରଦୃଷ୍ଟିକୁ କାର୍ଯ୍ୟକାରୀ କରାଯାଇପାରୁନାହିଁ ତେବେ ତାହା ରାଜ୍ୟବାସୀଙ୍କ ପାଇଁ ଅପମାନ। ପୁଣି ଯଦି ମୁଖ୍ୟମନ୍ତ୍ରୀ ହତାଶ୍ ହୁଅନ୍ତି ତେବେ ସାରାରାଜ୍ୟବାସୀ ହତାଶ୍ ହେବାଟା କିଛି ନୂଆ କଥା ନୁହେଁ।
ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ଏଥିରେ ପଳାୟନ ମାର୍ଗ ନୁହେଁ କଠୋର ମାର୍ଗ ଦେଖିବାକୁ ପଡ଼ିବ। ୨୪ ବର୍ଷ ନିରନ୍ତରଭାବେ ଶାସନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମାର୍ଗକୁ ଅନୁସରଣ କରିବାକୁ ପଡ଼ିବ। ଏହା ବେଳହୁଁ ସାବଧାନ ହେବାର ସମୟ। ନ ହେଲେ ନେଡ଼ିଗୁଡ଼ କହୁଣୀଙ୍କୁ ବହିଗଲେ ଲାଭ କିଛି ନ ଥିବ!