ଭାସ୍କର ପରିଚ୍ଛା
ମୃତପ୍ରାୟ ଶିରା ପ୍ରଶିରା ଭଳି ଏବେ ଓଡ଼ିଶାର ନଦୀଗୁଡ଼ିକର ଅବସ୍ଥା। ଶୁଷ୍କ,ଜୀବନହୀନ ଓ ଅସ୍ୱାସ୍ଥ୍ୟକର। ଏକଦା ପବିତ୍ର ଜୀବନରେଖା ଏବଂ ସଭ୍ୟତାର ପୋଷଣକାରୀ ଭାବେ ପରିଗଣିତ, ଓଡ଼ିଶାର ନଦୀଗୁଡ଼ିକ ଆଜି ଏକବାର ଅଣନିଃଶ୍ୱାସୀ ହୋଇପଡ଼ିଛନ୍ତି। ଢୋକେ ପିଇ ଦଣ୍ଡେ ଜୀଇଁବା ଭଳି ନଦୀଗୁଡ଼ିକର ସ୍ଥିତି। ଲକ୍ଷ ଲକ୍ଷ ଲୋକଙ୍କୁ ଖାଦ୍ୟ ଓ ଜୀବନ ଯୋଗାଉଥିବା ଓ ନିଜ ନୀରବରେ ସେମାନଙ୍କ ଅବବାହିକାକୁ ପୋଷଣ କରୁଥିବା ଶକ୍ତିଶାଳୀ ମହାନଦୀ ଠାରୁ ଆରମ୍ଭ କରି ଅଳ୍ପ ଜଣାଶୁଣା ଋଷିକୁଲ୍ୟା ପର୍ଯ୍ୟନ୍ତ ସମସ୍ତଙ୍କର କାହାଣୀଟି ପ୍ରାୟ ସମାନ। ଆଧୁନିକତା ଓ ଅବହେଳାର ବୋଝ ତଳେ କ୍ରମିକ କ୍ଷୟ ହୋଇ ଚାଲିଥିବା ନଦୀମାନଙ୍କର ଅବସ୍ଥା ଆଜି ସଙ୍ଗୀନ । ନଦୀଗୁଡ଼ିକ ଏବେ ବି ପ୍ରବାହିତ ହେଉଛି ସତ , କିନ୍ତୁ ସେଗୁଡ଼ିକର ଜୀବନୀଶକ୍ତି ଆଉ ନାହିଁ । ହ୍ରାସ ପାଉଛି ସେମାନଙ୍କର ଜଳ ଧାରଣ ଶକ୍ତି, ବିଲୁପ୍ତ ହୋଇ ଚାଲିଛି ସେମାନଙ୍କ ପ୍ରଭାବ ଓ ପରାକାଷ୍ଠା।
ଶହ ଶହ ବର୍ଷ ଧରି, ଏହି ନଦୀଗୁଡ଼ିକ ଓଡ଼ିଶାର ଭୌଗୋଳିକ ସ୍ଥିତି, ରାଜ୍ୟର କୃଷି ଓ ଜଳସେଚନ ଏବଂ ଏପରିକି ଏହାର ଜନଜୀବନ ଓ ବିଶ୍ୱାସକୁ ପରିଭାଷିତ କରି ଆସୁଥିଲେ। ନଦୀ କୂଳରେ ଗଢି ଉଠୁଥିଲେ ମନ୍ଦିର। ମନ୍ଦିରକୁ ଲାଗି ପର୍ବପର୍ବାଣୀଗୁଡ଼ିକର ଆଗମନ ହେଉଥିଲା ଓ ପ୍ରସ୍ଥାନ ବି । କିନ୍ତୁ ଆଜି ପରିସ୍ଥିତି ସଂପୂର୍ଣ୍ଣ ଭିନ୍ନ। ସହରାଞ୍ଚଳର ବିସ୍ତାର, ଶିଳ୍ପ ସମ୍ପ୍ରସାରଣ ଏବଂ ବ୍ୟାପକ ବର୍ଜ୍ୟବସ୍ତୁ ପରିଚାଳନା କାରଣରୁ ଏହି ନଦୀଗୁଡ଼ିକର ପରିବେଶଗତ ସ୍ପନ୍ଦନ ହ୍ରାସ ପାଇଛି। ମୃତ ଅବସ୍ଥାରେ ରହିଥିବା ସଂଖ୍ୟାଧିକ ନଦୀ କହୁଛନ୍ତି ଏକ ଏକ ଭୟଙ୍କର କାହାଣୀ । ଏହି ମୃତାବସ୍ଥା ଖାଲିଆଖିରେ ଦେଖିବାକୁ ମିଳିନପାରେ। କିନ୍ତୁ ତାହା ହିଁ ସତ।
ଭୁବନେଶ୍ୱରର ଗଙ୍ଗୁଆ ନାଳକୁ ନିଅନ୍ତୁ।ଏକଦା ରାଜଧାନୀ ସହରର ଆର୍ଦ୍ରଭୂମି ଦେଇ ବର୍ଷା ଜଳ ପ୍ରବାହିତ କରୁଥିବା ଏହି ଝରଣା ଆଜି ଏକ ରକମ ନିଶ୍ଚିହ୍ନ। ଏବେ ଏହା ଏକ କଳା, ମନ୍ଥର ଗତିରେ ଚାଲିଥିବା ଡ୍ରେନରେ ପରିଣତ ହୋଇଛି । ଯାହା ସହରର ବର୍ଜ୍ୟବସ୍ତୁକୁ ନେଇ ଦୟା ନଦୀରେ ପକାଇବା କାର୍ଯ ହିଁ ଏବେ କରୁଛି। ପରୀକ୍ଷାଗାର ରିପୋର୍ଟ କହୁଛି ଗଙ୍ଗୁଆ ନାଳର ପ୍ରତି ଲିଟର ପାଣିରେ ପ୍ରାୟ ୨୦ ମିଗ୍ରା ବାୟୋକେମିକାଲ୍ ଅମ୍ଳଜାନ ବା ବିଓଡ଼ି ରହିଛି।ଜଳଜ ଜୀବନ ସହିପାରୁଥିବା ପରିଣାମ ତୁଳନାରେ ଏହା ପ୍ରାୟ ଚାରି ଗୁଣ ଅଧିକ । କୋଲିଫର୍ମ ଗଣନା ମାଧ୍ୟମରେ ଯଦି ଏହାର ବ୍ୟାକ୍ଟେରିଆ ଲୋଡ ମାପ କରାଯାଏ, ଲକ୍ଷ ଲକ୍ଷ ବ୍ୟାକ୍ଟେରିଆ ଅନୁବୀକ୍ଷଣ ଯନ୍ତ୍ରରେ ଦେଖାଯିବେ। ଏପରି ପାଣି ପିଇବା ତ ଦୂରର କଥା ଏହାକୁ ଛୁଇଁବା ମଧ୍ୟ ବିପଦ।
ଏକଦା ରାଉରକେଲା ଦେଇ ପ୍ରବାହିତ ଏବଂ ଶିଳ୍ପ ସହରର ଧମନୀ କୁହାଯାଉଥିବା ଗର୍ବ ଓ ଗୌରବର ନଦୀ ବ୍ରାହ୍ମଣୀ ବି ସମାନ କାହାଣୀ କହୁଛି । ଇସ୍ପାତ କାରଖାନା, ଖଣି କାର୍ଯ୍ୟ ଏବଂ ବସ୍ତିରୁ ନିର୍ଗତ ବର୍ଜ୍ୟବସ୍ତୁ ଏହାର ଢେର କିଛି ଅଂଶକୁ ବିଷାକ୍ତ କରିଦେଇଛି। ମାଛ ଏବଂ ନଦୀ ଉଦ୍ଭିଦକୁ ପୋଷଣ କରୁଥିବା ଅମ୍ଳଜାନ ରାସାୟନିକ ବର୍ଜ୍ୟବସ୍ତୁ ଦ୍ୱାରା ଶ୍ୱାସରୁଦ୍ଧ ହୋଇପଡୁଥିବାବେଳେ ଏହାର କୂଳରେ ଥିବା ମାନବ ବସତି ବି ଅସ୍ୱାସ୍ଥ୍ୟର ପାହାଡ ଉପରେ ବସିଛନ୍ତି। ଚର୍ମ ରୋଗ, ପାକସ୍ଥଳୀ ସଂକ୍ରମଣ, ଏପରିକି କେତେକ ଅଞ୍ଚଳରେ କର୍କଟ ରୋଗର ବିପଦ ବ୍ରାହ୍ମଣୀ ନଦୀର ନୂଆ କଥା କହୁଛି।
ଆହୁରି ପାଖକୁ ଚାଲି ଆସନ୍ତୁ : ମିଳିତ ଭାବେ ମହାନଦୀ ତ୍ରିକୋଣଭୂମିକୁ ଜଳ ଯୋଗାଇ ଆସୁଥିବା କାଠଯୋଡ଼ି ଏବଂ କୁଆଖାଇ ଯଥାକ୍ରମେ କଟକ ଏବଂ ଭୁବନେଶ୍ୱରର ଅପରିଶୋଧିତ ବର୍ଜ୍ୟଜଳକୁ ନିଃସଙ୍କୋଚରେ ବୋହି ଚାଲିଛନ୍ତି। ଏବେ ଏହି ଦୁଇ ନଦୀଧାରାର ଜଳ ଆଖିରେ ଦେଖିବାକୁ ଅସ୍ପଷ୍ଟ କେବଳ ନୁହେଁ ଦୁର୍ଗନ୍ଧର ଗଗନବ୍ୟାପୀ ରାଜୁତି ।ଏ ଦୁଇ ନଦୀର ଅବସ୍ଥା ଜାଣିବା ପାଇଁ କୌଣସି ସରକାରୀ ରିପୋର୍ଟକୁ ଅପେକ୍ଷା କରିବାର ଆବଶ୍ୟକତା ନାହିଁ। ଏହାର କୋଲିଫର୍ମ ଗଣନା ଅନୁମୋଦିତ ସୀମାର ଲକ୍ଷ ଲକ୍ଷ ଗୁଣ ଅତିକ୍ରମ କରିଯାଇପାରେ । ଏହି ବର୍ଜ୍ୟଜଳ ଓ ବସ୍ତୁକୁ ପୁଣି ଦୟା ନଦୀ ଚିଲିକା ହ୍ରଦ ଆଡକୁ ବୋହି ନେଇଯାଏ। ଦୟା ନଦୀ ଏବେ ପ୍ରଦୂଷକମାନଙ୍କର ଅନିଚ୍ଛୁକ ବାହକ । ଚିଲିକା ଲାଗୁନର କ୍ଷଣଭଙ୍ଗୁର ଇକୋସିଷ୍ଟମକୁ ବିପଦରେ ପକାଇ ଚାଲିଛି ଦୟା ନଦୀ ଯାହା ଦିନେ ପାଲଟି ଥିଲା କରୁଣା ଓ ଅହିଂସାର ପ୍ରତୀକ।
ଓଡ଼ିଶାରେ ନଦୀମାନଙ୍କ କାହାଣୀ ଯେ ସମ୍ପୂର୍ଣ୍ଣ ଆଶାହୀନ ତାହା ବି ନୁହେଁ। ସହର କିମ୍ବା ଶିଳ୍ପ କରିଡରକୁ ଛୁଇଁବା ପୂର୍ବରୁ ଏହି ନଦୀଗୁଡ଼ିକର ଉର୍ଦ୍ଧ୍ବପ୍ରବାହରେ ଏବେ ମଧ୍ୟ ଶୁଦ୍ଧତା ବଜାୟ ରହିଛି। ମହାନଦୀର ଉପର ଅବବାହିକା , ଦକ୍ଷୀଣରେ ଋଷିକୁଲ୍ୟା ଏବଂ ଉତ୍ତର ଓଡ଼ିଶାର ବୁଢାବଳଙ୍ଗର ଉପରି ଭାଗ ଏବେ ମଧ୍ୟ ଅପେକ୍ଷାକୃତ ପରିଷ୍କାର । ଏ ସବୁ ନଦୀର ଜଳ ଆଜି ବି ଗ୍ରାମୀଣ କୃଷିକୁ ବଜାୟ ରଖିଛି, ଜଳଭଣ୍ଡାରକୁ ରିଚାର୍ଜ କରିବାରେ ସହାୟକ ହେଉଛି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଘନ ସବୁଜ ଅଞ୍ଚଳକୁ ଜୀବନ୍ତ କରି ରଖିଛି । କିନ୍ତୁ ଏଗୁଡ଼ିକ ମଧ୍ୟ ବିପଦରେ ଅଛନ୍ତି। ଜଙ୍ଗଲ ବିନାଶ, କୃଷି ଜଳ ପ୍ରବାହ, ଜଳବାୟୁ ପରିବର୍ତ୍ତନ , ଋତୁକାଳୀନ ପ୍ରବାହ ଏବଂ ରସାୟନ ନଦୀର ମୂଳ ଚରିତ୍ରକୁ ବଦଳାଇବାର ଗୋଟିଏ ଗୋଟିଏ ମୁଖ୍ୟ କାରଣ।
ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଜ୍ୟର ପ୍ରାୟ କୋଡ଼ିଏଟି ନଦୀ ଅଞ୍ଚଳକୁ “ପ୍ରଦୂଷିତ” ଭାବରେ ତାଲିକାଭୁକ୍ତ କରିଛି। ଭାରତର ସର୍ବାଧିକ ପ୍ରଦୂଷିତ ଓ ଅବକ୍ଷୟ ହୋଇଥିବା ନଦୀ ସହିତ ଏହା ସମାନ। ନଦୀକୁ ମାରି ଚାଲିଥିବା ମୁଖ୍ୟ ଦୋଷୀମାନେ କୌଣସି ଅଦୃଶ୍ୟ ଶକ୍ତି ନୁହନ୍ତି।ଅବିଶୋଧିତ ବର୍ଜ୍ୟଜଳ, ଶିଳ୍ପ ବର୍ଜ୍ୟବସ୍ତୁ, କଠିନ ବର୍ଜ୍ୟବସ୍ତୁ ଏବଂ ଜଳ ନିଷ୍କାସନ ଭିତ୍ତିଭୂମିର ଅଭାବ ହିଁ ଜଣେ ଜଣେ ଅସଲ ଆସାମୀ । ଯେଉଁଠାରେ ବିଶୋଧନାଗାର ରହିଛି, ସେଗୁଡ଼ିକ କ୍ଷମତା ଠାରୁ କମ୍ କାର୍ଯ୍ୟ କରନ୍ତି କିମ୍ବା ସମ୍ପୂର୍ଣ୍ଣ ସ୍ୱେରେଜ୍ ନେଟୱାର୍କ ସହିତ ସଂଯୋଗ କରିବାରେ ଏଗୁଡିକ ପୂରାପୂରି ବିଫଳ । କହିବ ଅନାବଶ୍ୟକ ଯେ ଶୁଖିଲା ମାସରେ, ଯେତେବେଳେ ଜଳ ସ୍ତର ହ୍ରାସ ପାଏ, ପ୍ରଦୂଷକଗୁଡ଼ିକର ସାନ୍ଦ୍ରତା ବୃଦ୍ଧି ପାଇଥାଏ, ଯାହା ଫଳରେ ନଦୀଗୁଡ଼ିକ ନାଳ ଭଳି ଦେଖାଯାଏ ଏବଂ ଦୁର୍ଗନ୍ଧଯୁକ୍ତ ହୋଇଥାଏ।
ନଦୀମାନଙ୍କର ଏହି ପରିବେଶଗତ ଅଧୋଗତି ପଛରେ ଏକ ବଡ଼ ବିଡ଼ମ୍ବନା ବି ରହିଛି। ପ୍ରଚୁର ବର୍ଷା ଏବଂ ଘନ ବହୁଳ ନଦୀ ନେଟୱାର୍କ ଥିବା ଓଡ଼ିଶା ଏକ ଜଳ-ସୁରକ୍ଷିତ ରାଜ୍ୟ ଭାବେ ପରିଗଣିତ ହୋଇ ଆସିଥିଲା।ନଦୀ ଥିଲା ଆମ ଜୀବନ ଓ ଜିଜୀବିଷା ।କିନ୍ତୁ, ଜଳ ବାହିତ ରୋଗ ଆଜି ସାଧାରଣ ହୋଇ ରହିଛି ଏବଂ ବହୁ ସଂଖ୍ୟକ ଲୋକ ନଦୀକୂଳ ଜିଲ୍ଲାଗୁଡ଼ିକରେ ବୋତଲ କିମ୍ବା ଫିଲ୍ଟର୍ ହୋଇଥିବା ପାଣି ଉପରେ ନିର୍ଭର କରୁଛନ୍ତି। ଯେଉଁ ନଦୀଗୁଡ଼ିକ ଏକଦା ଗ୍ରାମଗୁଡ଼ିକୁ ବଞ୍ଚାଇ ରଖିଥିଲା, ସେଗୁଡ଼ିକୁ ଏବେ ଜନସ୍ୱାସ୍ଥ୍ୟ ପ୍ରତି ବିପଦ ହୋଇ ଉଭା ହୋଇଛନ୍ତି ।
ତେବେ, ସ୍ଥିତି ଧୀରେ ଧୀରେ ପରିବର୍ତ୍ତନ ହେଉଛି। ମନିଟରିଂ ଷ୍ଟେସନଗୁଡିକ ବର୍ତ୍ତମାନ ପ୍ରଦୂଷଣ ସ୍ତରକୁ ଟ୍ରାକ୍ କରୁଛନ୍ତି ଏବଂ ରାଜ୍ୟ ସରକାର ନୂତନ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ରଣାଳୀରେ ଅର୍ଥ ବିନିଯୋଗ ଆରମ୍ଭ କରିଛନ୍ତି । ପ୍ରଦୂଷଣ ଅଡିଟ୍, କୋର୍ଟ ଆଦେଶ, ପରିବେଶ ସଚେତନତା ଏବଂ ସ୍ଥାନୀୟ ସକ୍ରିୟତା ଯୋଗୁଁ ପୌରପାଳିକା ଏବଂ ଶିଳ୍ପ ସଂସ୍ଥାଗୁଡ଼ିକ ଉତ୍ତରଦାୟିତ୍ୱ ଆଡକୁ ଠେଲିହେବା ଆରମ୍ଭ କରିଛନ୍ତି। ପାଣି ପୁଣି ଥରେ ନୀଳ ହେବାକୁ ବର୍ଷ ବର୍ଷ ଓ ଏପରିକି ଦଶନ୍ଧି ଦଶନ୍ଧି ସମୟ ଲାଗେ। ନଦୀ ପ୍ରତି ସଚେତନତା ଅନ୍ତତଃ ଆରମ୍ଭ ହୋଇଛି ତାହା ବଡ଼ କଥା ।
ନଦୀ କେବଳ ଏକ ଜଳପଥ ନୁହେଁ; ତାହା ଏକ ଜୀବନ୍ତ ପ୍ରବାହ,ପରମ୍ପରା ଓ ସଂସ୍କୃତିର ପରିଚାୟକ। ନଦୀ ଆମ ସଭ୍ୟତା ଓ ନୈତିକତାର ଦର୍ପଣ। ଆଜି ଓଡ଼ିଶାର ନଦୀସମୂହ କେବଳ ଦୁଇଟି କଥା କହନ୍ତି : ଆଘାତପ୍ରାପ୍ତ କିନ୍ତୁ ଭିତରେ ବଞ୍ଚିବାର ପ୍ରବଳ ଇଚ୍ଛା। ଓଡ଼ିଶାର ନଦୀମାନେ ପୁଣି ସୁସ୍ଥ ହୋଇପାରିବେ କି ନା ତାହା ନିର୍ଭର କରିବ ସେମାନଙ୍କର ନୀରବ ନିବେଦନକୁ ଲୋକମାନେ କେତେଦୂର ଶୁଣୁଛନ୍ତି।
ALSO READ https://purvapaksa.com/three-afghan-cricketers-killed-in-pakistan-airstrikes/
