ପୁଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ହୋଇଥିବା ଅଭିନବ ପ୍ରଶ୍ନପତ୍ର ଲିକ୍ ଏବେ ଦିନକୁ ଦିନ ଉତ୍କଟ ରାଜନୀତିରେ ପରିଣତ ହେଉଛି। ଜଣକ ପରେ ଜଣେ ଗିରଫ ହେଉଥିବା ବ୍ୟକ୍ତି ବିଶେଷଙ୍କର ବିଜେଡି ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ସମ୍ପର୍କ ଦଳ ଭିତରେ ବିଭାଜନକୁ ଘନୀଭୂତ କରୁଛି। ସାରାରାଜ୍ୟ ଆକ୍ରାନ୍ତ ହୋଇଥିବା ଏହି ଦୂରାରୋଗ୍ୟ ରୋଗରେ ଯାଜପୁରର କ୍ଷମତାଶାଳୀ ଦଳୀୟ ସଂଗଠକମାନେ ଯେ ଯୋଡ଼ି ହୋଇଛନ୍ତି ତାହାକୁ ପ୍ରମାଣିତ କରିବା ପାଇଁ ସେହି ଜିଲ୍ଲାର ଅନ୍ୟ ନେତାମାନେ ଗୋଟି ଚଳାଉଥିବା ସୂଚନା ମିଳିଛି। ଏହି ସୂଚନା ଭିତରେ ରହିଛି ପ୍ରୀତି ରଞ୍ଜନ ଘଡ଼େଇ ଓରଫ ଡ୍ୟାନିଙ୍କ ପୁରୁଣା ରାଗ। ଯେଉଁ ନେତାଙ୍କ ଯୋଗୁ ସେ ଆଜି କ୍ଷମତା ରାଜନୀତିରୁ ବାହାରେ ରହିଛନ୍ତି, ଆଉ ଯେଉଁ ନେତାଙ୍କ ଯୋଗୁ ତାଙ୍କ ବାପା ଆଜି ରାଜନୀତିରୁ ଦୂରରେ ରହିଛନ୍ତି, ତାଙ୍କରି ଛତ୍ରଛାୟାରେ ଯେ ଏ ସମ୍ପୂର୍ଣ୍ଣ ପ୍ରଶ୍ନପତ୍ର ଲିକ୍ ମାମଲା ପରିଚାଳିତ ତାହାକୁ ପ୍ରମାଣିତ କରିବାକୁ ସେ ଚାହୁଁଛନ୍ତି।
ବାପାଙ୍କ ସଂଗଠନ ସମ୍ଭାଳିବାକୁ ଡ୍ୟାନୀ ପ୍ରସ୍ତୁତ
ଡ୍ୟାନୀ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଏକଦା ଜନତା ଦଳ ଓ ବିଜୁ ଜନତା ଦଳର ଜଣେ କ୍ଷମତାଶାଳୀ ନେତା ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ। ବିଜୁ ଜନତା ଦଳର ସରକାରରେ ପ୍ରଫୁଲ୍ଲ ଘଡ଼େଇ ଜଣେ ଦକ୍ଷ ମନ୍ତ୍ରୀ ଥିଲେ। ଅନେକ ବିଭାଗ ସଫଳତାର ସହ ସମ୍ଭାଳୁ ଥିଲେ। ପୁଣି କ୍ଷମତାରେ ରହିବା ପାଇଁ ତନ୍ତ୍ର, ମନ୍ତ୍ର ଯନ୍ତ୍ର ବ୍ୟବହାର କରୁଥିବାର ଅଭିଯୋଗ ହୋଇଛି। ଏମିତି ବି ଅଭିଯୋଗ ହୋଇଛି ଯେ ଶ୍ରୀ ଘଡ଼େଇ ସୁକିନ୍ଦା ଅଞ୍ଚଳର ଶ୍ରମିକ ନେତାଙ୍କୁ ନିଜ ଇଙ୍ଗିତରେ ଚାଲିବାକୁ ବାଧ୍ୟ କରୁଥିଲେ; ନ ହେଲେ ସାମ, ଦାମ, ଦଣ୍ଡ, ଭେଦ ନୀତି ଆପଣାଉଥିଲେ। ଏହା ଅନେକ ଭୟଙ୍କର ପରିସ୍ଥିତି ସୁକିନ୍ଦାରେ ସୃଷ୍ଟି କରିଥିଲା।
ଏ ଅଞ୍ଚଳର ପ୍ରତିଟି ଖଣି ଓ ଖାଦାନରେ ତାଙ୍କ ନାଁ ଶୁଣିଲେ ଲୋକଙ୍କ ଭିତରେ ଭୟ ସଞ୍ଚାର ହେଉଥିଲା। ସେଥିଲାଗି ତାଙ୍କରି ମନୋନୀତ ନେତା ଶ୍ରମିକ ସଂଗଠନର ନେତା ହେଉଥିବା କୁହାଯାଏ। ଆଜି ବି ପ୍ରଫୁଲ୍ଲ ଙଡ଼େଇଙ୍କ କିଛି ସଂଗଠନ ରହିଛି। ଏବେ ବାପାଙ୍କ ଅପରାହ୍ନରେ ପୁଅ ଡ୍ୟାନୀ ସେ ସଂଗଠନକୁ ଧରିବାକୁ ଚେଷ୍ଟା କରୁଛନ୍ତି। ହେଲେ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ତାଙ୍କୁ ନେଇ ସବୁବେଳେ ସତର୍କ ରହିଛି। ଆଉ ତାଙ୍କ କ୍ଷମତାକୁ ନିମ୍ନଗାମୀ କରିବା ଲାଗି ଅନବରତ ଚେଷ୍ଟା କରିଛି। ସେ ପ୍ୟାରୀବାବୁଙ୍କ ପରାମର୍ଶ ସମୟ କଥା କୁହନ୍ତୁ କି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ସେବା ସମୟ, ସବୁବେଳେ ତତ୍କାଳୀନ ନେତୃତ୍ୱ ତାଙ୍କର ଏହି ସଂଗଠନରେ ବି ପାଣି ଫିଙ୍ଗି ଧ୍ୱସ୍ତ କରିବାକୁ ଚାହିଁଥିବା ଅଭିଯୋଗ ହୋଇଛି। ଏପରିକି ପାଣ୍ଡିଆନ୍ଙ୍କ କା’ ଭାବେ କଳ୍ପତରୁ ଦାସ ବା ପ୍ରଣବ ପ୍ରକାଶ ଦାସ ତାଙ୍କୁ ସଙ୍କୁଚିତ କରିବାକୁ ଚାହିଁଛନ୍ତି। ଏହା ଏବେ ବି ଜାରି ରହିଛି।
ଡ୍ୟାନୀଙ୍କୁ ମିଳିଛି ପ୍ରତିଶୋଧର ସୁଯୋଗ
ଡ୍ୟାନୀ ବାପାଙ୍କଠାରୁ ସୁକିନ୍ଦାର ଉତ୍ତରାଧିକାର ନେବା ପୂର୍ବରୁ ୨୦୦୯ରେ କୋରାଇରେ ଜବରଦସ୍ତ ପ୍ରଭାବ ବିସ୍ତାର କରିଥିଲେ। କିନ୍ତୁ ପାଣ୍ଡିଆନ୍ଙ୍କ ଦୂତ ସାଜି ଅଖଣ୍ଡ କ୍ଷମତାର ଅଧିକାରୀ ହୋଇଥିବା ପ୍ରଣବ ପ୍ରକାଶ ଦାସ କୋରାଇ ନିର୍ବାଚନମଣ୍ଡଳିକୁ ଗତ ନିର୍ବାଚନରେ ଅକ୍ତିଆର କରି ନେଲେ। ଡ୍ୟାନୀଙ୍କୁ ୨୦୧୪ରେ ସୁକିନ୍ଦାକୁ ତଡ଼ିପାର କରି ପ୍ରଣବ ନିଜ ମା’ଙ୍କୁ ୨୦୨୪ରେ ଏଠାରୁ ପ୍ରାର୍ଥୀ କରିଥିଲେ। ଏହାଫଳରେ ଦୁଇଜଣଙ୍କ ଭିତରେ ଥିବା ସାଂଗଠନିକ ବୈଷମ୍ୟତା ବଢ଼ିଲା। ଚାପା ଗୋଷ୍ଠୀବିବାଦ ହେତୁ ପରବର୍ତ୍ତୀ ସମୟରେ କୋରାଇ ନା ବିବଙ୍କ ହାତରେ ରହିଲା ନା ସୁକିନ୍ଦା ଡ୍ୟାନୀଙ୍କ ହାତରେ। ଅର୍ଥାତ୍ ଉଭୟେ ହାରିଥିଲେ; ଆଉ ବିଜେପି ଏଠାରୁ ବିଜୟୀ ହୋଇଛି। ଏହାକୁ ଭୁଲିପାରି ନାହାନ୍ତି ଡ୍ୟାନୀ। ଏବେ ନବୀନଙ୍କ ଅପରାହ୍ଣରେ ଏହାର ପ୍ରତିଶୋଧ ନେବାକୁ ଉଚିତ ସମୟ ଭାବେ ଗ୍ରହଣ କରିଛନ୍ତି ଡ୍ୟାନୀ। କୁହାଯାଏ ପ୍ରଶ୍ନପତ୍ର ଲିକ୍ ଏହି ସମୟରେ ତାଙ୍କୁ ସହାୟକ ହୋଇଛି। କାରଣ ଏହି ମାମଲା ଯେତେ ଘଣ୍ଟା ଚକଟା ହେବ ତାଙ୍କ ରାଜନୈତିକ ଶତ୍ରୁ କୁହାଯାଉଥିବା ବବି ସେତିକି ଅଡୁଆରେ ପଡ଼ିବେ।
କୋଚିଂ ସେଣ୍ଟର ସହିତ ଜଡ଼ିତ ବିଜେଡି ନେତା ଡ୍ୟାନୀଙ୍କ ଟାର୍ଗେଟରେ
ନିଜକୁ ଦଳର ସଚ୍ଚା କର୍ମୀ ଓ ନବୀନ ଭକ୍ତ ବୋଲି ପ୍ରମାଣ ଦେଇ ଡ୍ୟାନୀ ବଡ଼ ଖେଳ ଖେଳୁଥିବା କୁହାଯାଉଛି। ପ୍ରଶ୍ନପତ୍ର ଲିକ୍ ମାମଲାର ସିବିଆଇ ତଦନ୍ତ ଦାବି କରି ଡ୍ୟାନୀ ବିଜେପିର ଶାସନକୁ ବିରୋଧ କରୁଥିବା ଭଳି ଜଣାପଡ଼ୁଛି; ହେଲେ ଏହାଦ୍ୱାରା ନିଜ ଦଳର ନେତାଙ୍କ ମୁଖା ଖୋଲିବାକୁ ଯାଉଛନ୍ତି। କାରଣ ସେ ଭଲ ଭାବେ ଜାଣିଛନ୍ତି ଯେ ଏ ଯେଉଁ ପ୍ରଶ୍ନପତ୍ର ଲିକ୍ ଚେର ସୃଷ୍ଟି ହୋଇଛି ତାହା ୧୫ ମାସର ଜଡ଼ ନୁହେଁ, ଏଥିରେ ୧୫ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ଆତଙ୍କ ଚଳାଇଥିବା ରାକେଟ୍ ଜଡ଼ିତ ରହିଛି।
ଏଥିରେ ବିଜେଡି ନେତାଙ୍କ କୋଚିଂ ସେଣ୍ଟର ରହିଛି ଆଉ ଏଥିରେ ବିଜେଡି ସଂଗଠନକୁ ଅର୍ଥ ଦେଉଥିବା ଦଲାଲ ବି ରହିଛନ୍ତି। ଏପରି ନେତାଙ୍କୁ ବାନ୍ଧି ଦଳ ସେହି ନେତାଙ୍କୁ ମୁଖା ଖୋଲିବାକୁ ଯାଉଛନ୍ତି ଯେଉଁମାନେ ତାଙ୍କୁ ପୂର୍ବରୁ ଅନେକ କ୍ଷତି ପହଞ୍ଚାଇଛନ୍ତି। ଏହି ନିଯୁକ୍ତି ଦଲାଲ ଓ ତାଙ୍କର ମୁଖିଆ କୁହାଯାଉଥିବା ସୁବ୍ରତ ଛାଟୋଇଙ୍କର ବବିଙ୍କ ସହିତ ଘନିଷ୍ଠ ସମ୍ପର୍କ ରହିଛି। ତେଣୁ ଡ୍ୟାନୀ ଏହି ନିଯୁକ୍ତି ଦଲାଲଙ୍କ ମାଧ୍ୟମରେ ବବିଙ୍କୁ ଟାର୍ଗେଟ କରୁଥିବା ଦଳୀୟ ମହଲରେ ଆଲୋଚନା ହେଉଛି।
ଚାକିରିରେ ଫିକ୍ସିଂରେ ବିଜେଡି ନେତା!
ପ୍ରୀତି ଘଡ଼େଇ ଓରଫ ଡ୍ୟାନୀଙ୍କର ବି ଶିକ୍ଷା ବ୍ୟବସାୟ ରହିଛି। ପ୍ରଫେସନାଲ୍ ଶିକ୍ଷା ଅନୁଷ୍ଠାନ ସେ ଚଳାଉଛନ୍ତି। ହେଲେ କୋଚିଂ ସେଣ୍ଟର ନୁହେଁ। କିନ୍ତୁ କୋଚିଂ ସେଣ୍ଟର ଚଳାଉଥିବା ନେତା ସୁବ୍ରତ ଛାଟୋଇ ଚାକିରିରେ ଏପରି ଫିକ୍ସିଂ କରୁଥିବା ଅଭିଯୋଗ ଅତୀତରେ ହୋଇଛି। ଆଉ ତଦନ୍ତରୁ ମିଳୁଥିବା ସୁରାକ ଏହାକୁ ଇଙ୍ଗିତ କରୁଛି। ଯଦି ଏହାର ତଦନ୍ତ ନିରପେକ୍ଷ ଭାବେ କରାଯାଏ ତେବେ ନିଶ୍ଚିତ ଭାବେ ଜଡ଼ରେ ଥିବା ବଡ଼ ବଡ଼ ନେତାଙ୍କ ଭୂମିକାକୁ ତାହା ଉନ୍ମୋଚନ କରିପାରେ।
ଶଙ୍କର ପୃଷ୍ଟି, ଚନ୍ଦନ ମଲ୍ଲିକଙ୍କର ରହିଛି ବିଜେଡି ସହ ସମ୍ପର୍କ
ଏବେ ପ୍ରଶ୍ନପତ୍ର ଲିକ୍ ମାମଲାରେ ୧୧୪ ପ୍ରାର୍ଥୀଙ୍କ ସମେତ ଦଲାଲଙ୍କ ୩ ଜଣ ଏଜେଣ୍ଟ ଗିରଫ ହୋଇଛନ୍ତି। ଏହା ସହ ଆଉ ତିନିଜଣଙ୍କୁ କ୍ରାଇମ ବ୍ରାଞ୍ଚ ବାନ୍ଧିଥିବା କହିଛି। ଏମାନଙ୍କର ସମ୍ପର୍କ ବିଷୟରେ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଛି, ସେଥିରେ ବିଜେଡିର ବଡ଼ ବଡ଼ ନେତାଙ୍କ ପ୍ରତ୍ୟକ୍ଷ ପରୋକ୍ଷ ସମ୍ପର୍କ ପଦାକୁ ଆସୁଛି।
ଯେଉଁ ଶଙ୍କର ପୃଷ୍ଟି, ଚନ୍ଦନ ମଲ୍ଲିକଙ୍କୁ ଗିରଫ କରାଯାଇଛି ସେମାନେ ପୂର୍ବରୁ ବିଜେଡି ସହ ସମ୍ପର୍କ ରକ୍ଷା କରିଥିବା କୁହାଯାଏ। ଏପରିକି ତାଙ୍କ ଫଟୋ ବି ଭାଇରାଲ ହେଉଛି। ଖାଲି ସେତିକି ନୁହେଁ, ଏଥିରେ ଅନେକ ବଡ଼ ବଡ଼ ଅଧିକାରୀ ବି ରହିଛନ୍ତି। ପୁଲିସ ନିଯୁକ୍ତି ମାମଲା ନୁହେଁ ଏମାନେ ଆହୁରି ଅନେକ ନିଯୁକ୍ତି ମାମଲାରେ ସରକାରୀ ଏଜେନ୍ସିକୁ ନିଜ ପକ୍ଷଭୁକ୍ତ କରି ପିଲାଙ୍କ ଭାଗ୍ୟ ସହ ଖେଳନ୍ତି ବୋଲି ଅଭିଯୋଗ ହୋଇଛି।
ଶଙ୍କର ଓ ଚନ୍ଦନଙ୍କ ଭଳି ସୁବ୍ରତ ମଧ୍ୟ ଏହି ଘଟଣାର କାର୍ପଟଦାର ହୋଇପାରନ୍ତି
ପୁଣି ଗିରଫ ହୋଇଥିବା ପ୍ରାର୍ଥୀଙ୍କ ଭିତରେ ଅନେକ ବଣିକ କୋଚିଂ ସେଣ୍ଟର ସହ ଜଡ଼ିତ ରହିଥିବା ଅଭିଯୋଗ ହୋଇଛି। ଏଣୁ ଏଇଠୁ ଫିକ୍ସିଂ ଚେର ଲମ୍ବି ଥାଇପାରେ ବୋଲି ଆଶଙ୍କା ହୋଇଛି। ପୁଣି ବଣିକର ପ୍ରତିଷ୍ଠାତା ସୁବ୍ରତ ଛାଟୋଇ ହେଉଛନ୍ତି ବିଜେଡିର ନେତା। ତାଙ୍କର ପାଣ୍ଡିଆନ୍ ଓ ପ୍ରଣବଙ୍କ ସହ ସମ୍ପର୍କ ଉତ୍ତମ ରହିଛି। ଶଙ୍କର ଓ ଚନ୍ଦନଙ୍କ ଭଳି ସୁବ୍ରତ ମଧ୍ୟ ଏହି ଘଟଣାର ଆଉ ଜଣେ କାର୍ପଟଦାର ହୋଇପାରନ୍ତି ବୋଲି କୁହାଯାଏ।
ଡ୍ୟାନୀଙ୍କ ଯୁକ୍ତି ରାଜ୍ୟ ପୁଲିସ ଏ ତଦନ୍ତ କଲେ ବାଣବଣା ହୋଇପାରେ
ଯଦି ନିରପେକ୍ଷ ତଦନ୍ତ ହୁଏ ତେବେ ଏହି ପେଡ଼ିର ଗୁମର ଖୋଲିବା ସମ୍ଭାବନା ରହିଛି। ଏଥିରେ ଡ୍ୟାନୀଙ୍କ ବିରୋଧୀ ଗୋଷ୍ଠୀର ନେତାମାନେ କଠୋର ନିୟମ ଅନୁସାରେ ଜେଲ ଦଣ୍ଡ ଭୋଗିପାରନ୍ତି। କିନ୍ତୁ ରାଜ୍ୟ ପୁଲିସ ଏ ତଦନ୍ତ କଲେ ତାହା ବି ବାଣବଣା ହୋଇପାରେ। କାରଣ ଏହି ଗୋଷ୍ଠୀର ରାଜ୍ୟ ପୁଲିସର ବଡ଼ ଅଧିକାରୀଙ୍କ ସହ ଭଲ ସମ୍ପର୍କ ରହିଛି। ଯାହା ତାଙ୍କୁ ପରବର୍ତ୍ତୀ ସମୟରେ ମଧ୍ୟ ସହାୟକ ହୋଇପାରେ। ଏଣୁ ସିବିଆଇ ତଦନ୍ତ ହେଲେ ତାହା ପ୍ରଣବ-ପାଣ୍ଡିଆନ୍ଙ୍କ ସମ୍ପର୍କକୁ ପଦାକୁ ଆଣିବାରେ ସହାୟକ ହେବ।
ଡ୍ୟାନୀ ସମର୍ଥନରେ ଯାଜପୁରର ଅନେକ ନେତା
ଏସ୍ଆଇ ନିଯୁକ୍ତି ଦୁର୍ନୀତିର ସିବିଆଇ ତଦନ୍ତ କରିବା ପାଇଁ ଡ୍ୟାନୀ ଦାବି କରିବାକୁ ଦଳ ପକ୍ଷରୁ ତାଙ୍କୁ ଯେଉଁ ଦାୟିତ୍ୱ ମିଳିଛି ସେଥିରେ ଯାଜପୁରର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ବିଧାୟିକା ପ୍ରମିଳା ମଲ୍ଲିକଙ୍କର ସମର୍ଥନ ରହିଥିବା ଦେଖିବାକୁ ମିଳିଛି। ଏପରିକି ଡ୍ୟାନୀଙ୍କୁ ଏହି କାମ ପଛରେ ପାଣ୍ଡିଆନଙ୍କର ସମର୍ଥନ ରହିଥିବା ଦଳୀୟ ମହଲରେ ଆଲୋଚନା ହେଉଛି। ତେଣୁ ଡ୍ୟାନୀ ଯୁବ ଓ ଛାତ୍ର ସଂଗଠନର ନେତାମାନଙ୍କୁ ସାଙ୍ଗରେ ଧରି ଏବେ ରାଜରାସ୍ତାରେ ଲଢ଼େଇ କରୁଛନ୍ତି।
ପୂର୍ବରୁ ବିଜେଡି କୌଣସି ତଦନ୍ତ ସିବିଆଇକୁ ଦେଇନାହିଁ
କିନ୍ତୁ ସିବିଆଇ ତଦନ୍ତ ପାଇଁ ଆଦେଶ ଦେବା ରାଜ୍ୟ ପୁଲିସର ଅପାରଗତାର ଏକ ପ୍ରମାଣ ବୋଲି ଗ୍ରହଣ କରାଯାଏ। ଏଣୁ ଯଦି ମୋହନ ସରକାର ସିବିଆଇ ଦନ୍ତ ଆଦେଶ ଦିଅନ୍ତି ତେବେ ତାଙ୍କ ନିଜ ହାତରେ ଥିବା ବିଭାଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ନାହିଁ ବୋଲି ଏକ ବାର୍ତ୍ତର ପ୍ରସାର ହେବ। ଏହି ବାର୍ତ୍ତା ଦଳକୁ ସହାୟକ ହେବ ବୋଲି ବିଜେଡି ଗ୍ରହଣ କରିଛି। ଏହି କାରଣରୁ ବିଜେଡି ପୂର୍ବରୁ ନିଜ ସମୟରେ ଘଟିଥିବା ଯେତେ ବି ବଡ଼ ଅପରାଧକୁ ସିବିଆଇ ହାତକୁ ଦେଇ ନାହିଁ। ଏଥିପାଇ ଯେତେ ବି ରାଜନୀତିକ ଆନ୍ଦୋଳନ ହୋଇଛି ତାହାକୁ ଏଡ଼ାଇ ଯାଇଛି। ଏପରିକି ଏହା ରାଜ୍ୟ ପୁଲିସ ଉପରେ ଆସ୍ଥା ପ୍ରତି ଆଘାତ ହେବ ବୋଲି ଖୋଦ୍ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରି ଆସିଛନ୍ତି।
ଆଜି ସମୟ ଆସିଛି ବିଜେଡିର ଏହି ଆଭିମୁଖ୍ୟକୁ ଚ୍ୟାଲେଞ୍ଜ ଦେବାର। କାରଣ ଏହା ପୂର୍ବରୁ ବିଜେପି ଶାସିତ ରାଜ୍ୟ ଉତ୍ତରାଖଣ୍ଡରେ ଏମିତି ଏକ ନିଯୁକ୍ତି ସ୍କାମକୁ ତଦନ୍ତ କରିବା ଲାଗି ସିବିଆଇକୁ ମାମଲା ହସ୍ତାନ୍ତର କରାଯାଇଛି। ଏଥିରେ ଲକ୍ଷ ଲକ୍ଷ ଆଶାୟୀ ଭାଗ୍ୟ ଜଡ଼ିତ ରହୁଥିବାରୁ ଏବଂ ଏଥିରେ ଏକ ବହୁ ଶକ୍ତିଶାଳୀ ପ୍ରାଦେଶିକ ସଂଗଠନ ଓ ନେତାଙ୍କ ଅନ୍ତର୍ଭୁକ୍ତି ଥିବାରୁ ଏହାର ତଦନ୍ତ କେନ୍ଦ୍ରୀୟ ଏଜେନ୍ସି ହିଁ କରିପାରିବ ବୋଲି ଆଶା ସୃଷ୍ଟି ହୋଇଛି। ଏଣୁ ରାଜ୍ୟର ବିଜେପି ସରକାର ମଧ୍ୟ ନିଜ ଉପରୁ କଳଙ୍କ ହଟାଇବାକୁ ଯାଇ ଏପରି ଏକ ପଦକ୍ଷେପ ନେଇପାରନ୍ତି ବୋଲି ଚର୍ଚ୍ଚା ହେଲାଣି। ଆଉ ଯଦି ଏହା ହୁଏ ତେବେ ତାହା ଡ୍ୟାନୀଙ୍କ ପାଇଁ ପ୍ରତିଶାଧର ପ୍ରଥମ ପର୍ଯ୍ୟାୟ ହେବ।
Also readhttps://purvapaksa.com/which-politician-will-defeat-the-strategist-in-bihar-elections/
