ନିଜକୁ ବେଷ୍ଟ ବୋଲି କୁହ ପଛେ ଅନ୍ୟକୁ ଠକ ବୋଲି କହିପାରିବ ନାହିଁ । ଆୟୁର୍ବେଦ ସାମଗ୍ରୀ ପ୍ରସ୍ତୁତ କରୁଥିବା ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳିକୁ କିଛି ଏଭଳି ଭାଷାରେ ଶୁଣାଇଦେଇଛନ୍ତି କୋର୍ଟ । ବାସ୍ତବରେ ଦିଲ୍ଲୀ ହାଇକୋର୍ଟରେ ଡାବର ଇଣ୍ଡିଆ ଏବଂ ପତଞ୍ଜଳି ଆୟୁର୍ବେଦ ମଧ୍ୟରେ ଏକ ଆଇନଗତ ବିତର୍କ ପରେ କୋର୍ଟ ତାଙ୍କର ରାୟ ସଂରକ୍ଷିତ ରଖିଛନ୍ତି। ମାମଲାଟି ପତଞ୍ଜଳିର ନୂତନ ସ୍ୱତନ୍ତ୍ର ଚ୍ୟବନପ୍ରାଶ ବିଜ୍ଞାପନ ସହିତ ଜଡ଼ିତ, ଯାହା ଅନ୍ୟ ସମସ୍ତ ବ୍ରାଣ୍ଡକୁ ଠକ ବୋଲି ଅଭିହିତ କରିଥିଲା।

ଦିଲ୍ଲୀ ହାଇକୋର୍ଟରେ ଏକ ଶୁଣାଣି ସମୟରେ ବିଚାରପତି ତେଜସ କାରିଆ ପତଞ୍ଜଳିକୁ କଠୋର ଭାବରେ ପ୍ରଶ୍ନ କରିଥିଲେ, “ତୁମେ ନିଜକୁ ସର୍ବୋତ୍ତମ କହିପାରିବ କିନ୍ତୁ ଅନ୍ୟମାନଙ୍କ ଉତ୍ପାଦକୁ ‘ଠକ’ କହିପାରିବ ନାହିଁ । ‘ଠକ’ ଶବ୍ଦଟି ନକାରାତ୍ମକ ଏବଂ ଅପମାନଜନକ। ଶବ୍ଦକୋଷରେ ଏଭଳି ଅନ୍ୟ କୌଣସି ଶବ୍ଦ ଆପଣ ପାଇପାରିବେ ନାହିଁ କି?” ଡାବରଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ଦିଲ୍ଲୀ ହାଇକୋର୍ଟରେ ଯୁକ୍ତି ଦେଇଥିଲେ ଯେ ଏହି ବିଜ୍ଞାପନ କେବଳ ଡାବର ନୁହେଁ ବରଂ ସମଗ୍ର ଚ୍ୟବନପ୍ରାଶ ଶିଳ୍ପର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଏ। “ଆମେ ଏକ ୧୦୦ ବର୍ଷ ପୁରୁଣା କମ୍ପାନୀ, ଆମର ୬୧ ପ୍ରତିଶତ ବଜାର ଅଂଶ ଅଛି ଏବଂ ଏହି ବିଜ୍ଞାପନ ମାତ୍ର ପାଞ୍ଚ ଦିନରେ ୯୦ ନିୟୁତ ଥର ଦେଖାଯାଇଛି। ଏହା ଲୋକଙ୍କ ମଧ୍ୟରେ ଭୟ ଏବଂ ଦ୍ୱନ୍ଦ୍ୱ ସୃଷ୍ଟି କରିବାର ଏକ ପ୍ରୟାସ,” ଓକିଲ ଯୁକ୍ତି ଦେଇଥିଲେ।
ଓକିଲ ଏହା ମଧ୍ୟ କହିଛନ୍ତି ଯେ ପତଞ୍ଜଳି ମିଥ୍ୟା ଦାବି କରୁଛି ଯେ ଏହାର ଚ୍ୟବନପ୍ରାଶରେ ୫୧ଟି ଆୟୁର୍ବେଦିକ ଔଷଧ ଏବଂ କେସର ରହିଛି, ଯଦିଓ କେନ୍ଦ୍ର ସରକାର ପୂର୍ବରୁ ଏପରି ଦାବିକୁ ଭ୍ରାମକ ଘୋଷଣା କରିଥିଲେ। ଓକିଲ ଯୁକ୍ତି କରିଥିଲେ ଯେ “ସ୍ୱତନ୍ତ୍ର” ଶବ୍ଦର ବ୍ୟବହାର ମଧ୍ୟ ନିୟମ ଉଲ୍ଲଂଘନ କରେ, କାରଣ ଆୟୁର୍ବେଦିକ ଔଷଧର ନାମରେ ଏପରି ଶବ୍ଦ ଯୋଡିବା ବେଆଇନ। ଦିଲ୍ଲୀ ହାଇକୋର୍ଟରେ ପତଞ୍ଜଳିର ଓକିଲ ଯୁକ୍ତି ଦେଇଥିଲେ ଯେ, “ଆମେ କୌଣସି କମ୍ପାନୀକୁ ଠକ କହୁନାହୁଁ। ଏହା କେବଳ ମାର୍କେଟିଂ ଭାଷା। ମୁଁ କହିପାରିବି ଯେ ମୋର ଉତ୍ପାଦ ସର୍ବୋତ୍ତମ। ଡାବର ଏ ବିଷୟରେ ଅତ୍ୟଧିକ ସମ୍ବେଦନଶୀଳ ହେଉଛି।”

ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି। ପରବର୍ତ୍ତୀ ଶୁଣାଣିରେ ପତଞ୍ଜଳିକୁ ଏହାର ବିଜ୍ଞାପନରେ “ଠକ” ଭଳି ଶବ୍ଦ ବ୍ୟବହାର କରିବାରୁ ନିଷେଧ କରାଯିବ କି ନାହିଁ ତାହା ନିର୍ଣ୍ଣୟ କରାଯିବ।


