ଆସନ୍ତା ୨୮ ସୁଦ୍ଧା ରିପୋର୍ଟ ପ୍ରଦାନ
ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ ବିଚାର ବିଭାଗୀୟ ଆୟୋଗ ଗତବର୍ଷ ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧିବୀଙ୍କୁ ନିର୍ଯାତନା ଦେବା ଘଟଣାର ତଦନ୍ତ ଶେଷ କରିଛନ୍ତି। ଏହି ଘଟଣାର ସଠିକ ତଦନ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବାକୁ କମିଶନ ଗଠନ କରାଯାଇଥିଲା। ଆସନ୍ତା ୨୮ ତାରିଖ ସୁଦ୍ଧା ମିଳିଥିବା ପ୍ରମାଣ ଆଧାରରେ ତଦନ୍ତ କମିଶନ ଚୂଡ଼ାନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।
ଏହି ଘଟଣା ପରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇବା ପରେ ରାଜ୍ୟ ସରକାର ମାମଲାର ତଦନ୍ତ ପାଇଁ ବିଚାର ବିଭାଗୀୟ କମିଶନ ଗଠନ କରିଥିଲେ। ତଦନ୍ତ ବେଳେ କମିଶନ ସତ୍ୟପାଠ ଜରିଆରେ ସମ୍ପୃକ୍ତ ସମସ୍ତଙ୍କ ଠାରୁ ମତାମତ ଲୋଡ଼ିଥିଲେ ଏବଂ ୫୦୦ରୁ ଅଧିକ ଜବାବ ପାଇଥିଲେ। ସାକ୍ଷୀ, ପ୍ରମାଣ ଓ ସତ୍ୟପାଠ ଯାଞ୍ଚ କରିବା ପରେ କମିଶନ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କ ବୟାନ ରେକର୍ଡ କରି ତଦନ୍ତ ଶେଷ କରିଛନ୍ତି।
କମିଶନ ସଚିବ ଶୁଭେନ୍ଦ୍ର ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ତଦନ୍ତ ଶେଷ ହୋଇଛି ଏବଂ ଫେବ୍ରୁଆରି ୨୮ ସୁଦ୍ଧା କମିଶନ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। କମିଶନଙ୍କ କାର୍ଯ୍ୟକାଳ ଜାନୁଆରି ୩୧ରେ ଶେଷ ହେବାକୁ ଥିଲା। ଅଭିଯୁକ୍ତ ପୁଲିସ ଅଧିକାରୀ ଓ ୩୫ ଜଣ ସାକ୍ଷୀଙ୍କୁ ପଚରାଉଚରା କରିବା ପାଇଁ ସେନା ଅଧିକାରୀଙ୍କ ଓକିଲ ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ସମୟ ମାଗିଥିଲେ। ତେବେ ସମୟ ପୂର୍ବରୁ କମିଶନ ଏହାର ତଦନ୍ତ ଶେଷ କରିଛନ୍ତି।
ସୂଚନାଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବର ୧୪ ତାରିଖରେ ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧିବୀଙ୍କୁ ପୁଲିସ ଅଧିକାରୀମାନେ ଅସଦାଚରଣ ଓ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଉଭୟ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ, କିନ୍ତୁ ପୁଲିସ ସେମାନଙ୍କ ସହ ଯୁକ୍ତିତର୍କ କରିବା ସହ ମାଡ଼ ମାରିଥିଲା। ଏହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ରାଜ୍ୟ ସରକାର ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିବା ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
previous article:https://purvapaksa.com/vastu-positive-energy-know-five-signs-of-good-luck-and-money-benefit/
