ପଶ୍ଚିମବଙ୍ଗରେ ଶିକ୍ଷକ ଦୁର୍ନୀତି ମାମଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଠିକ୍ ଏତିକିବେଳେ ରାଜ୍ୟର ବିଜେପି ସରକାରକୁ ବଦନାମ୍ କରିବା ପାଇଁ ଶିକ୍ଷା ବିଭାଗରେ ଥିବା ପାଣ୍ଡିଆନ ଇକୋସିଷ୍ଟମ ଏବ ବଡ଼ ଖେଳ କରିଦେଇଛି। ସରକାରଙ୍କୁ ଏ ସମ୍ପର୍କରେ କିଛି ଜଣା ନାହିଁ। ଅକ୍ଟୋବର ମାସରେ ୧୬ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା କଥା ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି।
ମାମଲାଟି ଏହିପରି, ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶରେ ଓସେପା ପକ୍ଷରୁ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲ ଗୁଡ଼ିକରେ ପ୍ରାୟ ୨୦ ହଜାର କନିଷ୍ଠ ଶିକ୍ଷକ ପଦ ପୂରଣ ପାଇଁ ୨୦୨୩, ସେପ୍ଟେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇ ନଭେମ୍ବର ମାସରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ସମୟରେ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇ ୨୦୨୪ ଅକ୍ଟୋବର ମାସ ୫ ତାରିଖରେ ମୁଖ୍ୟମନ୍ତ୍ରୀ ୧୬,୦୦୯ ଜଣ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ।
ପରୀକ୍ଷା ଫଳ ବାହାରିବା ପରେ ଏହି ପ୍ରକ୍ରିୟାରେ ସ୍ୱଚ୍ଛତଃ ପାଇଁ ପରୀକ୍ଷାର୍ଥୀମାନଙ୍କୁ ଓସେପା ପକ୍ଷରୁ ପରୀକ୍ଷା ଫଳ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ସ୍ୱତଃ ପ୍ରଦାନ କରାଯିବା କଥା। କିନ୍ତୁ ଓସେପା କର୍ତ୍ତୃପକ୍ଷ ପରୀକ୍ଷାରେ ସ୍ୱଚ୍ଛତା ଅବଲମ୍ବନ କରିନଥିବାରୁ ଅତ୍ୟନ୍ତ ଚତୁରତାର ସହ ତଥ୍ୟ ଲୁଚାଇ ଦୁର୍ନୀତିକୁ ପ୍ରଶ୍ରୟ ଦେବାରେ ଲାଗିଛନ୍ତି।
ଇତିମଧ୍ୟରେ କନିଷ୍ଠ ଶିକ୍ଷକମାନେ ନିଯୁକ୍ତି ପାଇବାର ଦୀର୍ଘ ୬ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଭିନ୍ନ ବର୍ଗର କଟ୍ ଅଫ୍ ମାର୍କ, ବ୍ୟକ୍ତିଗତ ମାର୍କ ବା ସଫଳ ପ୍ରାର୍ଥୀମାନଙ୍କ ମାର୍କ ସାର୍ବଜନୀନ କରାଯାଇନାହିଁ । ରାଜ୍ୟର ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ମାର୍କ ସ୍ଵତଃ ଓ.ପି.ଏସ୍.ସି, ଓ.ଏସ୍.ଏସ୍.ସି ଏବଂ ଓ.ଏସ୍.ଏସ୍.ଏସ୍.ସି ଆଦି ସଂସ୍ଥାମାନ ସାର୍ବଜନୀନ କରୁଥିବାବେଳେ ଓସେପା କିନ୍ତୁ ତଥ୍ୟ ନ ଦେବା ସହ ଆରଟିଆଇ ଜରିଆରେ ତଥ୍ୟ ମାଗିଲେ ମଧ୍ୟ ତଥ୍ୟ ନ ଦେଇ ବିଭିନ୍ନ ଆଳ ଦେଖାଇ ତଥ୍ୟକୁ ସାର୍ବଜନୀନ କରୁନାହିଁ। ଅନେକ ପ୍ରାର୍ଥୀ ଆରଟିଆଇ ଆବେଦନର ଆଦୌ କୌଣସି ଉତ୍ତର ମିଳି ନ ଥିବା ଅଭିଯୋଗ କରୁଥିବାବେଳେ ଅନ୍ୟ କିଛି ଆରଟିଆଇ ଆବେଦନର ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଓସେପା ଦେଇଥିବା ଉତ୍ତର ଅନୁସାରେ ଆବଶ୍ୟକୀୟ ତଥ୍ୟ ତାଙ୍କ ଦପ୍ତରରେ ନ ଥିବା ବୁଦ୍ଧିଜୀବୀ ମହଲରେ ବିସ୍ମୟ ସୃଷ୍ଟି କରିଛି।
ସଦ୍ୟ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି କେଳେଙ୍କାରୀକୁ ନଜରରେ ରଖି ଆଶାୟୀ ଶିକ୍ଷକ ଏବଂ ଅଭିଭାବକ ମହଲରେ ଆମ ରାଜ୍ୟରେ ହୋଇଥିବା ଏହି ସବୁଠୁ ବଡ଼ ନିଯୁକ୍ତିରେ (ପାଖାପାଖି ୨୦,୦୦୦) କିଛି ବଡ଼ ଷଡ଼ଯନ୍ତ୍ର ବା ଦୁର୍ନୀତି ଥିବା ନେଇ ଆଶଙ୍କା ସୃଷ୍ଟି ହେଉଛି।
ଏ ନେଇ ଜଣେ ଆଇନଜୀବୀ ହିସାବରେ ରଜତ କୁମାର ମିଶ୍ର ନିଜେ ବ୍ୟକ୍ତିଗତଭାବେ ଓସେପାର ନିର୍ଦ୍ଦେଶକ ଅନନ୍ୟା ଦାସଙ୍କୁ ବ୍ୟକ୍ତିଗତଭାବେ ସାକ୍ଷାତ୍ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ନିଜର ଅଭିଯୋଗ ଦାଖଲ କରିଥିଲେ ସୁଦ୍ଧା ଏ ଯାଏଁ କୌଣସି ସୁଫଳ ମିଳିନାହିଁ। ପରୀକ୍ଷା ଦେଇ ନିଜର ମାର୍କ ତଥା କଟ ଅଫ୍ ମାର୍କ ଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଁ ପରୀକ୍ଷାର୍ଥୀମାନେ ସଂଘର୍ଷ କରିବା ଆମ ରାଜ୍ୟ ତଥା ଆମ ଶାସନ ବ୍ୟବସ୍ଥା ପାଇଁ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି ସେ କହିଛନ୍ତି।
ଏଣୁ ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ଏ ନେଇ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେ ଦାବି କରିଛନ୍ତି। ସେହିପରି ଅନେକ ଆଶାୟୀ ଏବଂ ସେମାନଙ୍କର ଅଭିଭାବକମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏଥିରେ ବ୍ୟକ୍ତିଗତଭାବେ ହସ୍ତକ୍ଷେପ କଲେ ହୁଏତ ସେମାନଙ୍କୁ ନିଜର ମାର୍କ ମିଳିପାରିବ ବୋଲି ଆଶା ପୋଷଣ କରିଛନ୍ତି।
Also readhttps://purvapaksa.com/women-in-bjd-become-haunted-like-this/