ଓଡ଼ିଶା ରାଜନୀତିରେ କଂଗ୍ରେସ ଦଳର ଅବସ୍ଥାକୁ ବୁଝିବା ପାଇଁ ଆଜି କୌଣସି ନୂଆ ଗଣିତ କିମ୍ବା ଅସାଧାରଣ ବିଶ୍ଳେଷଣର ଆବଶ୍ୟକତା ନାହିଁ। ପ୍ରାୟ ୨୬ ବର୍ଷ ଧରି ରାଜ୍ୟରେ ହୋଇଥିବା ସମସ୍ତ ପ୍ରକାର ନିର୍ବାଚନ; ସାଧାରଣ ନିର୍ବାଚନ, ବିଧାନସଭା, ରାଜ୍ୟସଭା, ଉପନିର୍ବାଚନ-ସବୁଥିରେ ଗୋଟିଏ ଦୃଶ୍ୟ ପୁନରାବୃତ୍ତି ହୋଇଆସୁଛି। କଂଗ୍ରେସ ଲଢ଼ୁଛି, କିନ୍ତୁ ଜିତିପାରୁନାହିଁ। ସଂଘର୍ଷ ଅଛି, କିନ୍ତୁ ସଫଳତାର ସ୍ୱାଦ ନାହିଁ। ଏହି ଦୀର୍ଘ ବିଫଳତାର ପଛରେ କେବଳ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ନୁହେଁ, ବରଂ କିଛି ଗଭୀର ଐତିହାସିକ କଳଙ୍କ, ଆଭ୍ୟନ୍ତରୀଣ କନ୍ଦଳ ଓ ନୀତିହୀନ ଦଳୀୟ ଚର୍ଯ୍ୟା ଜଡ଼ିତ ରହିଛି।
କଳଙ୍କିତ ଇତିହାସର ଭାର
କଂଗ୍ରେସ ଦଳ ଓଡ଼ିଶାରେ ଆଜି ଯାହା କିଛି ଭୋଗୁଛି, ତାହାର ମୂଳ ଗଭୀରଭାବେ ଜଡ଼ିତ ରହିଛି ଦଳର ଶାସନକାଳୀନ କଳଙ୍କିତ ଘଟଣାମାନଙ୍କ ସହ। ୧୯୮୪ର ଛବିରାଣୀ ହତ୍ୟାକାଣ୍ଡ ଓ ୧୯୯୯ ଜାନୁଆରୀ ୯ର ଅଞ୍ଜନା ମିଶ୍ର ଗଣବଳାତ୍କାର- ଏହି ଦୁଇଟି ଘଟଣା କେବଳ ଆଇନ ଶୃଙ୍ଖଳା ବିଫଳତା ନୁହେଁ, ବରଂ କଂଗ୍ରେସ ଶାସନର ନୈତିକ ଦୁର୍ବଳତାର ପ୍ରତୀକ ହୋଇ ରହିଗଲା। ଏହି କଳଙ୍କଗୁଡ଼ିକ ଏପର୍ଯ୍ୟନ୍ତ ଦଳକୁ ଛାଡ଼ୁନାହିଁ। ଦଳର ନେତା ଓ କର୍ମୀମାନଙ୍କ ମନୋବଳ ଉପରେ ଏହାର ପ୍ରଭାବ ଏତେ ଗଭୀର ଯେ, ଦଳ ଆଗକୁ ବଢ଼ିବା ପୂର୍ବରୁ ମଧ୍ୟ ନିଜ ଅତୀତର ଭାର ତଳେ ଦବି ଯାଉଛି।
ଆଶା ଅଛି, ଦିଗ ନାହିଁ
ଏହା ସତ୍ୟ ଯେ କଂଗ୍ରେସକୁ ଭଲପାଉଥିବା ଲୋକ ଓଡ଼ିଶାରେ ଏବେ ବି ଅଛନ୍ତି। ଏବେ ବି ଅନେକ ଲୋକ ସ୍ୱପ୍ନ ଦେଖୁଛନ୍ତି- ଦଳ ପୁଣିଥରେ କ୍ଷମତାକୁ ଫେରିବ। କିନ୍ତୁ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଯେଉଁ ରାସ୍ତା ଦରକାର, ସେହି ରାସ୍ତା ଦଳ ଆଜି ପର୍ଯ୍ୟନ୍ତ ନିଜେ ଖୋଜି ପାଇପାରିନାହିଁ। ନୀତି ଓ ଆଦର୍ଶକୁ ଆଧାର କରି ନୂଆ ରାଜନୀତି ଗଢ଼ିବା ପରିବର୍ତ୍ତେ, ଦଳ ବାରମ୍ବାର ନିଜର କଳଙ୍କିତ ଇତିହାସକୁ ମୁଣ୍ଡାଇ ନେଇ ଜନସମ୍ମୁଖକୁ ଯାଉଛି। ଏହି ପ୍ରବୃତ୍ତି କଂଗ୍ରେସପ୍ରେମୀଙ୍କୁ ହତୋତ୍ସାହ କରୁଛି।

ବହିଷ୍କାର ଓ ବିଦ୍ରୋହର ରାଜନୀତି
ଦଳ ଭିତରେ ଶୃଙ୍ଖଳା ରକ୍ଷା ନାଁରେ ନେତାଙ୍କ ବହିଷ୍କାର- ଏହା କଂଗ୍ରେସ ପାଇଁ ନୂଆ ଘଟଣା ନୁହେଁ। ମୋକିମଙ୍କୁ ବିଦା କରିବା ପର୍ଯ୍ୟନ୍ତ କଥା ଯିବା ଦଳର ଭିତରୁ ଥିବା ଗଭୀର ଦ୍ୱନ୍ଦ୍ୱକୁ ପ୍ରକାଶ କରୁଛି। ଏହି ବହିଷ୍କାର ଦଳକୁ ସୁଧାରିବ ନା ରସାତଳକୁ ନେଇଯିବ- ତାହା ସମୟ କହିବ। କିନ୍ତୁ ଭକ୍ତଙ୍କ କଠୋର ଆଭିମୁଖ୍ୟ ଓ ଦଳ ଭିତରେ ଥିବା ଆଲୋଚନା ଏହା ସ୍ପଷ୍ଟ କରୁଛି ଯେ, ସମସ୍ୟା କେବଳ କିଛି ନାମରେ ସୀମିତ ନୁହେଁ; ଏହା ଦଳୀୟ ଗଠନର ଗଭୀର ରୋଗ।
ହାଇକମାଣ୍ଡର ଏକ୍ସପେରିମେଣ୍ଟ
ଓଡ଼ିଶା କଂଗ୍ରେସ ଦୀର୍ଘଦିନ ଧରି ଦିଲ୍ଲୀର ହାଇକମାଣ୍ଡ ପାଇଁ ଏକ ପରୀକ୍ଷାଗାର ଭଳି ବ୍ୟବହୃତ ହୋଇଆସିଛି- ଏହି ଅଭିଯୋଗ ନୂଆ ନୁହେଁ। ଦିଲ୍ଲୀରୁ ନିଯୁକ୍ତି ପାଇ ଭୁବନେଶ୍ୱରରେ ପାଦ ଦେବାମାତ୍ରେ ରାଜ୍ୟ ସଭାପତିଙ୍କ ବିରୋଧରେ ଗୋଷ୍ଠୀକନ୍ଦଳ ଆରମ୍ଭ ହୋଇଯାଏ। ଯେଉଁ ବ୍ୟକ୍ତି ଗୋଟିଏ ପରିବାରର ବ୍ୟବସାୟିକ ସ୍ୱାର୍ଥ ସହ ମେଳ ଖାଉନାହାନ୍ତି, ସେ କଂଗ୍ରେସର ନେତୃତ୍ୱରେ ଦୀର୍ଘଦିନ ରହିପାରୁ ନାହାନ୍ତି। ଏହି ଆଭ୍ୟନ୍ତରୀଣ ବିରୋଧ ଦଳକୁ ଭିତରୁ ଦୁର୍ବଳ କରିଦେଇଛି।
ଭକ୍ତ ଚରଣ ଦାସ: ଆଶା ନା ଶେଷ ସୁଯୋଗ?
୨୦୨୫ ଫେବୃଆରୀରେ ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ଦାୟିତ୍ୱ ଦିଆଯିବାକୁ ଅନେକେ ଏକ ନୂଆ ଆଶା ଭାବେ ଦେଖିଥିଲେ। ଦଳକୁ ଶୃଙ୍ଖଳିତ କରିବା, ଗୋଷ୍ଠୀକନ୍ଦଳ ଦମନ କରିବା ଓ ନୂଆ ରଣକୌଶଳ ପ୍ରୟୋଗ; ଏସବୁ ଉଦ୍ୟମ ଦେଖାଗଲା। କିନ୍ତୁ ନୂଆପଡ଼ା ଉପନିର୍ବାଚନ ଭକ୍ତଙ୍କ ପାଇଁ ଏକ ଅଗ୍ନିପରୀକ୍ଷା ଥିଲା, ଯେଉଁଠି ସେ ଆଶାନୁରୂପ ସଫଳ ହୋଇପାରିଲେ ନାହିଁ।
ସଂଖ୍ୟା ଦୃଷ୍ଟିରୁ ଦଳ ଦ୍ୱିତୀୟ ସ୍ଥାନରେ ଥିଲେ ମଧ୍ୟ କଂଗ୍ରେସରୁ ଟିକଟ ପାଇଥିବା ପ୍ରାର୍ଥୀ ପୂର୍ବ ନିର୍ବାଚନ ତୁଳନାରେ ଭୋଟ ହାରାଇଲା—ଯାହା ଦଳର ଦୁର୍ବଳତାକୁ ସ୍ପଷ୍ଟ କରିଦେଲା।
ରାଜ୍ୟସଭା ଗଣିତ ଓ କଂଗ୍ରେସର ଅନୁପସ୍ଥିତି
ଆସନ୍ତା ଏପ୍ରିଲ ୨ରେ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ଖାଲି ହେବ। ରାଜନୀତିକ ଗଣିତ ସ୍ପଷ୍ଟ କରୁଛି; ଏହି ଦୌଡ଼ରେ କଂଗ୍ରେସ ନାହିଁ। ମୁଖ୍ୟ ଦୌଡ଼ ବିଜେପି ଓ ବିଜେଡି ମଧ୍ୟରେ। କଂଗ୍ରେସ ଏତେ ପଛରେ ରହିଥିବାରୁ କେବଳ କିଛି ସଦସ୍ୟଙ୍କ ଉପରେ କିଣାବିକାର ଅଭିଯୋଗ ଲାଗିବାର ଆଶଙ୍କା ରହିଛି; ଯାହା ଦଳର ଛବିକୁ ଆଉ ମଳିନ କରିପାରେ।
ଆଗାମୀ ୨୦୨୭: ଶେଷ ସତର୍କ ସଙ୍କେତ
୨୦୨୭ର ପଞ୍ଚାୟତ ନିର୍ବାଚନ କଂଗ୍ରେସ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧିକ୍ଷଣ। ଯଦି ଦଳ ଏବେଠାରୁ ନିଜ ଘର ସଜାଡ଼ି ନାହିଁ, ତେବେ ଏହି ନିର୍ବାଚନ ପୁଣିଥରେ ଘାତକ ସାବ୍ୟସ୍ତ ହେବ। ଭକ୍ତଙ୍କୁ ଯେ ଦାୟିତ୍ୱ ଦିଆଯାଇଛି କଂଗ୍ରେସର ପାପ ଧୋଇବା; ସେଥିରେ ଯଦି ସେ ନିଜେ ଅଟକି ଯାଆନ୍ତି, ତେବେ ଦଳର କ୍ଷମତା ଫେରିବା ଆଶା ମଉଳିଯିବ।
କଳଙ୍କ ଛାଡ଼ି ଆଗକୁ ବଢ଼ିବ କି?
ଓଡ଼ିଶାରେ କଂଗ୍ରେସର ସମସ୍ୟା କେବଳ ନେତୃତ୍ୱ କିମ୍ବା ନିର୍ବାଚନୀ ଗଣିତ ନୁହେଁ। ମୂଳ ସମସ୍ୟା ହେଉଛି; ଦଳ ଏପର୍ଯ୍ୟନ୍ତ ନିଜ କଳଙ୍କିତ ଅତୀତ ସହ ସତ ସମ୍ମୁଖୀନ ହୋଇପାରିନାହିଁ। ଯେପର୍ଯ୍ୟନ୍ତ ସେଇ କଳଙ୍କକୁ ଧୋଇ ନୂଆ ନୀତି, ନୂଆ ଆଦର୍ଶ ଓ ନୂଆ ଭରସା ସହ ଆଗକୁ ଯିବା ନାହିଁ- ସେ ପର୍ଯ୍ୟନ୍ତ କଂଗ୍ରେସ ପାଇଁ କ୍ଷମତା କେବଳ ସ୍ୱପ୍ନ ହୋଇ ରହିବ।
ଓଡ଼ିଶା ରାଜନୀତି ଆଜି ନିର୍ଦ୍ଦୟ। ଏଠି ସ୍ମୃତି ଛୋଟ, କିନ୍ତୁ କଳଙ୍କ ଦୀର୍ଘ। କଂଗ୍ରେସ ଯଦି ଏହାକୁ ବୁଝିପାରେ, ତେବେ ଏଖଣି ବି ସମୟ ଅଛି। ନ ହେଲେ—“କଂଗ୍ରେସ–କଳଙ୍କ–କନ୍ଦଳ” ଏକ ଶୀର୍ଷକ ନୁହେଁ, ଦଳର ଦୀର୍ଘ ଭବିଷ୍ୟତ ହୋଇଯିବ।
AlsoRead; https://purvapaksa.com/cbse-has-decided-that-playgrounds-in-schools-should-be-2000-square-meters/
https://purvapaksa.com/cbse-has-decided-that-playgrounds-in-schools-should-be-2000-square-meters/

