ରାଜ୍ୟର ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ସଭାପତି କିଏ ହେବ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି। ରାଜ୍ୟର ପରବର୍ତ୍ତୀ ବିଜେପି ସଭାପତି କିଏ ହେବ? ନିର୍ବାଚନ ପରଠାରୁ ଗତ ୭ ମାସ ହେଲା ଏହି ଚର୍ଚ୍ଚା ଲାଗି ରହିଛି। ଆଉ ଅନ୍ୟପଟେ ପ୍ରାୟ ୮ ମାସ ହେବ ପିସିସି ସଭାପତି ଚୌକି ଫାଙ୍କା। ମାସ ପରେ ମାସ ଗଡ଼ି ଚାଲିଥିବାବେଳେ ରାଜ୍ୟରେ କଂଗ୍ରେସ ମୁଖିଆ ପଦରେ କାହାକୁ ନିଯୁକ୍ତି ଦିଆଯାଇ ପାରିନାହିଁ।
ଓଡ଼ିଶାରେ ଏବେ ବିଜେପିର ସରକାର ରହିଛି। ଆଉ ବିଜେପିର ଏହି ବିଜୟ ପଛରେ ରାଜ୍ୟରେ ବିଜେପିର ସଭାପତି ମନମୋହନ ସାମଲଙ୍କର ବଡ଼ ଅବଦାନ ଥିବା ଦାବି କରିବା ସହ ତାଙ୍କ ସମର୍ଥକମାନେ ପୁନର୍ବାର ତାଙ୍କୁ ସଭାପତି କରାଯାଉ ବୋଲି ଦାବି କରୁଛନ୍ତି। ଏହି ଦାବି ପଛରେ ଦଳର କିଛି ଟାଣୁଆ ନେତା ତଥା ସାଂସଦଙ୍କର ସମର୍ଥନ ଥିବା ମଧ୍ୟ କୁହାଯାଉଛି। ଅନ୍ୟପକ୍ଷରେ ଓଡ଼ିଶାରେ ବିଜେପିର ସଫଳତା ସମ୍ପୂର୍ଣ୍ଣରୂପେ ବିଜେପି ଜାତୀୟ ନେତୃତ୍ୱଙ୍କ ଅବଦାନ ଓ ଏହା ପଛରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରତ୍ୱପୂର୍ଣ୍ଣ ଭୂମିକା ଥିବା ଦାବି କରି ମନମୋହନଙ୍କ ଶିବିର କରୁଥିବା ଦାବି ନିରାଧାର ବୋଲି ତାଙ୍କ ପ୍ରତିପକ୍ଷ ପ୍ରଚାର କରିବା ସହ ଅନ୍ୟ ବ୍ୟକ୍ତିଙ୍କ ଉପରେ ସଭାପତି ଦାୟିତ୍ୱ ଦେବାକୁ ମଧ୍ୟ ଲବି କରୁଛନ୍ତି। ଏହି ବାଦବିବାଦ ମଧ୍ୟରେ ବିଜେପିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ବିଳମ୍ବିତ ହୋଇ ଚାଲିଛି ଓ ଜିଲ୍ଲା ସଭାପତି ନିଯୁକ୍ତି ହୋଇପାରୁନାହିଁ।
ଏହି ପରିପ୍ରେକ୍ଷୀରେ ଗତ ମଙ୍ଗଳବାର ଦିଲ୍ଲୀରେ ଦଳର କୋର କମିଟି ବୈଠକ ଅନୁଷ୍ଠିତ ହୋଇଛି ଏବଂ ଚଳିତ ସପ୍ତାହ ମଧ୍ୟରେ ଜିଲ୍ଲା ସଭାପତିମାନଙ୍କ ନାମ ଘୋଷଣା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଏହାପରେ ଆସନ୍ତା ୨୫ ତାରିଖ ମଧ୍ୟରେ ରାଜ୍ୟ ସଭାପତିଙ୍କ ନାମ ଘୋଷଣା କରାଯାଇପାରେ ବୋଲି ଆପାତତଃ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ବିଜେପି ସଭାପତି, ସାଧାରଣ ସମ୍ପାଦକ(ସଂଗଠନ), ରାଜ୍ୟ ପ୍ରଭାରୀଙ୍କ ସମେତ ଏହି ବୈଠକରେ ଜାତୀୟ ପ୍ରମୁଖ ଉପସ୍ଥିତ ଥିବା ସୂଚନା ମିଳିଛି।
ଏହି ବୈଠକରେ ଓଡ଼ିଶାର ସାଂଗଠନିକ ନିର୍ବାଚନ ସ୍ଥିତି ନେଇ ବ୍ୟାପକ ଚର୍ଚ୍ଚା ଆଲୋଚନା ହୋଇଛି। ପୂର୍ବରୁ ଜାନୁଆରୀ ୧୫ ତାରିଖ ସୁଦ୍ଧା ରାଜ୍ୟ ସଭାପତି ଚୟନ ପ୍ରକ୍ରିୟା ସରିବ ବୋଲି ଦଳର ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ସୂଚନା ଦେଇଥିଲେ। ଏପରିକି ଜାନୁଆରୀ ୧୦ ତାରିଖ ସୁଦ୍ଧା ଜିଲ୍ଲା ସଭାପତି ନିର୍ବାଚନ ଶେଷ ହେବ ବୋଲି ମଧ୍ୟ କହିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ରାଜ୍ୟର ମୋଟ ୩୭ ସାଙ୍ଗଠନିକ ଜିଲ୍ଲାରୁ ଗୋଟିକରେ ମଧ୍ୟ ସଭାପତି ନିଯୁକ୍ତି ହୋଇନାହିଁ। ରାଜ୍ୟରେ ଦଳର ୯୦୦ରୁ ଊର୍ଦ୍ଧ୍ୱ ମଣ୍ଡଳରେ ସଭାପତି ନିର୍ବାଚନ ହୋଇନାହିଁ। ତେଣୁ ମଣ୍ଡଳ ସଭାପତି, ଜିଲ୍ଲା ସଭାପତି ନିଯୁକ୍ତି ହୋଇପାରୁ ନ ଥିବାରୁ ରାଜ୍ୟ ସଭାପତି ନିର୍ବାଚନ ବିଳମ୍ବିତ ହୋଇ ଚାଲିଛି।
ଅନ୍ୟପକ୍ଷରେ ଗୋଷ୍ଠୀ ବିଭାଜିତ ବିଜେପିର ଛାମୁଆଁ ନେତାମାନେ ନିଜ ନିଜ ପସନ୍ଦର ସମର୍ଥକଙ୍କୁ ଜିଲ୍ଲା ସଭାପତି ଆସନରେ ବସାଇବାକୁ ଉଦ୍ୟମ କରୁଥିବାରୁ ଜିଲ୍ଲା ସଭାପତି ନିଯୁକ୍ତି ମଧ୍ୟ ହୋଇ ପାରୁନାହିଁ। ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଏ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିବା ସୂଚନା ମିଳିଛି। ଏପରିକି ମାତ୍ର ୨ ଦିନରେ ଜିଲ୍ଲା ସଭାପତି ନିଯୁକ୍ତି ନିମନ୍ତେ କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ବିଜେପି ନେତୃତ୍ୱଙ୍କୁ ପରାମର୍ଶ ଦେଇଛନ୍ତି ଏବଂ ରାଜ୍ୟ ସଙ୍ଗଠନ ଏଥିପାଇଁ ଚାରିଦିନ ସମୟ ନେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ସଭାପତି ନିଯୁକ୍ତି ସରିବା ପରେ ସରକାରଙ୍କ ପକ୍ଷରୁ ବିଭିନ୍ନ ନିଗମ, ବୋର୍ଡର ଅଧ୍ୟକ୍ଷ ତଥା ଉପଦେଷ୍ଟା ପଦବୀରେ ନିଯୁକ୍ତି ଦିଆଯିବ। ଏହାପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବା ପାଇଁ ମଧ୍ୟ ଦଳ ଯୋଜନା କରିଛି। ରାଜ୍ୟ ବିଜେପି ସରକାରକୁ ଇତିମଧ୍ୟରେ ୭ ମାସ ବିତିଥିବାବେଳେ ନିଗମ ନିଯୁକ୍ତି ହୋଇ ପାରିନାହିଁ, ଯାହାକୁ ନେଇ ଦଳୀୟ ମହଲରେ ଅସନ୍ତୋଷ ଦେଖାଦେଇଛି। ସେହିପରି ଦଳ ନେତାଙ୍କ ମଧ୍ୟରେ ପଦବୀ ପାଇବା ପାଇଁ ଛକାପଞ୍ଝା ମଧ୍ୟ ନେତୃତ୍ୱଙ୍କୁ ଅକଳରେ ପକାଇଛି। ଏହା ଉଭୟ ସରକାର ଓ ସଙ୍ଗଠନକୁ ପ୍ରଭାବିତ କରିଛି। ତେଣୁ ବଜେଟ୍ ଅଧିବେଶନ ପୂର୍ବରୁ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଏହି ସୂତ୍ରରୁ ସୂଚନା ମିଳିଛି।
ଦିଲ୍ଲୀରେ ଝୁଲୁଛି ପିସିସି ସଭାପତି ଚୟନ ପ୍ରକ୍ରିୟା
ପ୍ରାୟ ୮ ମାସ ହେବ ପିସିସି ସଭାପତି ଚୌକି ଫାଙ୍କା। ମାସ ପରେ ମାସ ଗଡ଼ି ଚାଲିଥିବାବେଳେ ରାଜ୍ୟରେ କଂଗ୍ରେସ ମୁଖିଆ ପଦରେ କାହାକୁ ନିଯୁକ୍ତି ଦିଆଯାଇ ପାରିନାହିଁ। ଏଆଇସିସି ପିସିସିର ସମସ୍ତ କମିଟିକୁ ଭଙ୍ଗ କରିଥିବାରୁ ରାଜ୍ୟରେ କଂଗ୍ରେସ ସଙ୍ଗଠନ ପ୍ରାୟ ସୁପ୍ତ ଓ କିଛି ଦଳୀୟ ନେତା ନିଜ ନିଜ ପ୍ରଚେଷ୍ଟାରେ ସଙ୍ଗଠନ ଚଳାଉଥିବା ଦେଖାଯାଉଛି। ପିସିସି ଅନୁପସ୍ଥିତିରେ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ଗଠିତ ଷ୍ଟିଅରିଂ କମିଟି ମଧ୍ୟ ଅଚେତନ ଅବସ୍ଥାରେ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଓଡ଼ିଶା କଂଗ୍ରେସ ଷ୍ଟିଅରିଂ କମିଟି ଅଧ୍ୟକ୍ଷ ତଥା ରାଜ୍ୟ ପ୍ରଭାରୀ ଅଜୟ କୁମାର ପରାଜିତ ହେବା ପରେ ଆଉ ଓଡ଼ିଶା ଆସି ନାହାନ୍ତି। ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ନିଯୁକ୍ତି ପ୍ରସଙ୍ଗରେ ଜାତୀୟ ନେତୃତ୍ୱ ସହ ଆଲୋଚନା ନିମନ୍ତେ ମଙ୍ଗଳବାର ଦିଲ୍ଲୀ ଗସ୍ତ କରିଥିଲେ ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ରାଜଚନ୍ଦ୍ର କାଡ଼ାମ ଓ ରାଜ୍ୟର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା।
ଗତ ଜୁଲାଇ ୨୧ରେ ପିସିସିର ସମସ୍ତ କମିଟିକୁ ଏଆସିସି ଭଙ୍ଗ କରିଥିଲା। ୨୦୨୪ ସାଧାରଣ ନିର୍ବାଚନରେ ଆଶାନୁରୂପ ସଫଳତା ମିଳିନଥିବାରୁ ହାଇକମାଣ୍ଡ ଦଳର ସମସ୍ତ ଛାମୁଆ କମିଟି ଭଙ୍ଗ କରିଥିଲେ। ତେବେ ନୂଆ ନେତା ସନ୍ଧାନରେ ଏଆଇସିସି ଦୀର୍ଘ ୭ ମାସ ହେବ କସରତ ଜାରି ରଖିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ନିଷ୍କର୍ଷ ବାହାରି ପାରୁନାହିଁ। ପିସିସି ସଭାପତି ଚୟନ ପାଇଁ ଦଳର ବରିଷ୍ଠ ନେତ୍ରୀ ମିନାକ୍ଷୀ ନଟରାଜନ ଏବଂ ଛତିଶଗଡ଼ରେ ବିରୋଧୀ ଦଳ ନେତା ଚରଣ ଦାଶ ମହନ୍ତ ଗତ ବର୍ଷ ଡିସେମ୍ୱର ପ୍ରଥମ ସପ୍ତାହରେ ଭୁବନେଶ୍ୱରରେ ଏକାଧିକ ନେତାଙ୍କ ସହ ଆଲୋଚନା କରିଥିଲେ। ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ନିର୍ବାଚନ ପରେ ନୂଆ ପିସିସି ସଭାପତିଙ୍କ ନାମ ଘୋଷଣା ହେବ ବୋଲି ସେମାନେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଇତି ମଧ୍ୟରେ ହରିୟାଣା, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ନିର୍ବାଚନ ସରିବା ପରେ ମଧ୍ୟ ସଭାପତିଙ୍କ ନାମ ଘୋଷଣା ହୋଇପାରିନାହିଁ। ମାତ୍ର ଆଗକୁ ଦିଲ୍ଲୀ ନିର୍ବାଚନ ଥିବାରୁ କଂଗ୍ରେସ ନେତାମାନେ ବ୍ୟସ୍ତ ଅଛନ୍ତି ଓ ଏହା ପରେ ପିସିସି ସଭାପତି ମନୋନୟନ ହେବ ବୋଲି କୁହାଯାଉଛି।
ତେବେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ଯେ ଖୁବ୍ଶୀଘ୍ର ହାଇକମାଣ୍ଡ ପିସିସି ସଭାପତି ନେଇ ନାମ ଘୋଷଣା କରିବେ। ବର୍ତ୍ତମାନ କଂଗ୍ରେସ ନେତୃତ୍ୱ ରେସରେ ଉଭୟ ଯୁବ ଓ ବରିଷ୍ଠ ନେତା ଅଛନ୍ତି। ଶୀଘ୍ର କଂଗ୍ରେସ ଅଧିକ ନୂଆ ମୁଖିଆଙ୍କ ନେତୃତ୍ୱରେ ଅଧିକ ଶକ୍ତିଶାଳୀ ହେବ।
Also readhttps://purvapaksa.com/job-condition-is-serious-the-big-threat-ai/
