ଭାସ୍କର ପରିଚ୍ଛା
ଡିସେମ୍ବର ୧୯୩୬ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଓଡ଼ିଶାରେ ତାହାର ଶାଖା ପ୍ରତିଷ୍ଠା କରିଥିଲା। ଦଳ ସେତେବେଳେ ବ୍ରିଟିଶ ଶାସନ ଅଧୀନରେ ବେଆଇନ ଭାବରେ କାର୍ଯ୍ୟ କରୁଥିଲା । ପ୍ରାରମ୍ଭିକ ୪୦ ଜଣ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ କଂଗ୍ରେସ ସମାଜବାଦୀ ପାର୍ଟିରୁ ଆସିଥିବା ବେଳେ ଭଗବତୀ ଚରଣ ପାଣିଗ୍ରହୀ, ଗୁରୁ ଚରଣ ପଟ୍ଟନାୟକ ଏବଂ ପ୍ରାଣନାଥ ପଟ୍ଟନାୟକଙ୍କ ଭଳି ପ୍ରମୁଖ ବ୍ୟକ୍ତିତ୍ୱ ମୂଳ ସିପିଆଇରେ ସାମିଲ ଥିଲେ।
୧୯୪୦ ମସିହାରେ କଟକ କମ୍ୟୁନିଷ୍ଟ ଷଡ଼ଯନ୍ତ୍ର ମାମଲା ପରେ ଏହି ଶାଖାର ଅସ୍ତିତ୍ୱ ସାର୍ବଜନୀନ ହୋଇଥିଲା। ଫଳସ୍ୱରୂପ ବ୍ୟାପକ ଗିରଫଦାରୀ ହୋଇଥିଲା ଏବଂ ଦଳର ଗୁପ୍ତ କାର୍ଯ୍ୟକଳାପ ସାମନାକୁ ଆସିଲା। ୧୯୬୪ର କମ୍ୟୁନିଷ୍ଟ ବିଭାଜନ ଏବଂ ୧୯୯୦ ଦଶକରେ ଓଡ଼ିଶା କମ୍ୟୁନିଷ୍ଟ ପାର୍ଟି ଭଳି ଗୋଷ୍ଠୀର ଜନ୍ମ ଓଡ଼ିଶାରେ ବାମପନ୍ଥୀ ଇତିହାସର ଏକ ଏକ ପରିଚିତ ଅଧ୍ୟାୟ।
୧୯୪୩ରେ ଓଡ଼ିଶାରେ କମ୍ୟୁନିଜିମର ପ୍ରତିଷ୍ଠାତା ଭଗବତୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଥିଲା। ବହୁତ କମ୍ ବୟସରେ ତାଙ୍କର ଅକାଳ ମୃତ୍ୟୁ ଦଳର ନେତା ଓ କର୍ମୀଙ୍କ ଭିତରେ ବଡ଼ ହତାଶା ସୃଷ୍ଟି କରିଥିଲା । ତେବେ ଦଳର ନେତୃତ୍ୱ ଶରତ ପଟ୍ଟନାୟକ, ରାମକୃଷ୍ଣ ପଟ୍ଟନାୟକ, ଗୁରୁଚରଣ ପଟ୍ଟନାୟକ, ପ୍ରାଣନାଥ ପଟ୍ଟନାୟକ, ମନମୋହନ ମିଶ୍ର ମୋହନ ଭଳି ଯୁବକମାନଙ୍କ ହାତକୁ ଗଲା। ଜାତୀୟ ନେତାଙ୍କ ପରି ଓଡିଶାରେ ଏହି ଯୁବ ନେତ୍ରୁତ୍ଵଙ୍କ ଧାରଣା ହେଲା ଯେ ସ୍ଵାଧୀନତା ଆନ୍ଦୋଳନ ନା ଲୋକଙ୍କ ପାଇଁ ଲଢାଯାଉଛି ନା ଲୋକେ ଲଢୁଛନ୍ତି। କଂଗ୍ରେସ ନେତ୍ରୁତ୍ଵରେ ଚାଲିଥିବା ଆନ୍ଦୋଳନ ଧନୀ ଲୋକଙ୍କ ଆନ୍ଦୋଳାନ ଥିଲା, ତେଣୁ ଏହାର ସ୍ୱଭାବ ବୁର୍ଜୁଆ ଏହଭଳି ଏକ ଧାରଣାର ବଶବର୍ତୀ ହୋଇଥିଲେ ନେତାମାନେ । ଓଡ଼ିଶାର କମ୍ୟୁନିଷ୍ଟମାନେ କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ।
୧୯୪୭-୪୮ ମସିହା ବେଳକୁ ସିପିଆଇ. ଅନେକ ଆଭ୍ୟନ୍ତରୀଣ ଅସ୍ଥିରତା ଏବଂ ବିଭାଜନ ଦେଇ ଗତି କରୁଥିଲା। ପ୍ରାରମ୍ଭରେ ଏହା ସାମ୍ପ୍ରଦାୟିକ ଶକ୍ତି ବିରୁଦ୍ଧରେ ନେହେରୁଙ୍କୁ ସମର୍ଥନ କରିଥିଲା। ପରେ ଦଳ ଏହି ସ୍ୱାଧୀନତାକୁ ‘ମିଥ୍ୟା “ବୋଲି କହିବା ଆରମ୍ଭ କଲା। ୧୫ ଅଗଷ୍ଟକୁ ସିପିଆଇ ଜାତୀୟ ବିଶ୍ୱାସଘାତକତା ଦିବସ ବୋଲି ଅଭିହିତ କରିଥିଲା। ସେମାନେ ଘୋଷଣା କଲେ, “ୟେ ଆଜାଦି ଝୁଠୀ ହୈ”।
ସିପିଆଇ ଓଡ଼ିଶା ଶାଖାର ପ୍ରଥମ ସମ୍ମିଳନୀ ୧୯୪୮ ମସିହା ଫେବୃଆରୀ ୫ରୁ ୮ ତାରିଖ ପର୍ଯ୍ୟନ୍ତ ମଞ୍ଚେଶ୍ୱରରେ ଅନୁଷ୍ଠିତ ହୋଇଥିଲା। କମ୍ୟୁନିଷ୍ଟ ଚିନ୍ତାଧାରାକୁ ଓଡିଶାରେ ତୃଣମୂଳ ସ୍ତରକୁ ବିସ୍ତାର କରିବା ପାଇଁ ଏଠି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା। ଓଡ଼ିଶାର ଅନେକ ନେତା ୧୯୪୮ରେ ସିପିଆଇର ଦ୍ୱିତୀୟ କଂଗ୍ରେସ ବା ସମ୍ମିଳନୀରେ ଯୋଗ ଦେଇଥିଲେ। କଂଗ୍ରେସ ସରକାର ଭାରତୀୟ ଲୋକଙ୍କ ପ୍ରମୁଖ ଶତ୍ରୁ ବୋଲି ଏହି ସମ୍ମିଳନୀରେ ଘୋଷଣା କରାଗଲା।ପିସି ଯୋଶୀଙ୍କ ସ୍ଥାନରେ ବିଟି ରଣଦିଭେଙ୍କୁ ନୂତନ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିଲା। ସେତେବେଳେ ସିପିଆଇ ବାସ୍ତବରେ ଏକ ଚୌରାସ୍ତାରେ ଛିଡ଼ା ହୋଇଥିଲା। ସ୍ୱାଧୀନ ଭାରତର ସାମ୍ବିଧାନିକ ଢାଞ୍ଚା ମଧ୍ୟରେ କାର୍ଯ୍ୟ କରିବ ନା ବିଦ୍ରୋହୀ -ବିପ୍ଳବୀ ସଂଘର୍ଷରେ ନିୟୋଜିତ ହେବ – ଏହା ଥିଲା ଦଳ ପାଇଁ ଏକ ବଡ ଦ୍ଵନ୍ଦ୍ଵ। ଯୋଶୀ ପ୍ରଥମ ବିକଳ୍ପକୁ ପ୍ରତିନିଧିତ୍ୱ କରୁଥବା ବେଳେ ରଣଦିଭେ ଦ୍ଵିତୀୟ ବିକଳ୍ପ ସପକ୍ଷରେ ଥିଲେ।
କଲିକତାରେ ଅନୁଷ୍ଠିତ ସମ୍ମିଳନୀରେ କୋରିଆ, ଇଣ୍ଡୋ-ଚାଇନା, ଇଣ୍ଡୋନେସିଆ ଏବଂ ବର୍ମା ଇତ୍ୟାଦି ସ୍ଥାନରୁ ବାମପନ୍ଥୀ କର୍ମୀମାନେ ଯୋଗ ଦେଇଥିଲେ । ଏହି ସମ୍ମିଳନୀ ପରେ ବିଭିନ୍ନ ରାଜ୍ୟରେ ବ୍ୟାପକ ଗିରଫଦାରୀ ଚାଲିଲା। ଓଡ଼ିଶା ସରକାର ବି ଅନେକ କମ୍ୟୁନିଷ୍ଟ ନେତାଙ୍କୁ ଗିରଫ କରିଥିଲେ ।କମ୍ୟୁନିଷ୍ଟ ପ୍ରେସ୍ ଏବଂ ପୁସ୍ତକ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଅନେକ ନେତା ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲେ।
ଖୋର୍ଦ୍ଧା,ପଟିଆ, କଟକର ଶଙ୍କରପୁରର ଘନ ଜଙ୍ଗଲ, ଚିଲିକା ଆଦି ଅଞ୍ଚଳରେ କମ୍ୟୁନିଷ୍ଟ ନେତାମାନେ ଗୋପନରେ ରହୁଥିଲେ। ଏହି ସବୁ ହାଇଡଆଉଟ ବ୍ଯତୀତ କଟକର କାଳିଆବୁଦା ଆଶ୍ରମ ବି ଲୁଚି ରହିବା ପାଇଁ ବ୍ୟବହୃତ ହେଉଥିଲା । ସେମାନଙ୍କୁ ସମର୍ଥନ କରୁଥିଲେ ସେହି ଆଶ୍ରମର ପାଗଲ ବାବା । ମନମୋହନ ମିଶ୍ର ଗିରଫ ହୋଇ କଟକ ଜେଲରେ ରହିଲେ।
କମ୍ୟୁନିଷ୍ଟମାନେ ଓଡ଼ିଶାରେ ଥିବା ବିଭିନ୍ନ ଶିଳ୍ପ ସଂସ୍ଥାର ଶ୍ରମିକମାନଙ୍କୁ ସଂଗଠିତ କରୁଥିଲେ। ସେତେବେଳେ କୌଣସି ବଡ଼ ଶିଳ୍ପ ନଥିଲା ।ତେଣୁ ଶକ୍ତିଶାଳୀ ଶ୍ରମିକ ସଂଗଠନ ଗଠନ କରିବା କଷ୍ଟକର ଥିଲା। କେବଳ କୋଇଲା ଖଣି ଶ୍ରମିକମାନଙ୍କୁ ସାମିଲ କରାଯାଊଥିଲା। କଟକ ସରକାରୀ ପ୍ରେସ୍, ବାରଙ୍ଗ ଝୁନ୍ଝୁନ୍ୱାଲା କାଚ କାରଖାନା, ବ୍ରଜରାଜନଗର ପେପର ମିଲ୍, ପୁରୀର ସଫେଇ କର୍ମଚାରୀ, କଟକର ଦର୍ଜି ଇତ୍ୟାଦି ଶ୍ରମିକମାନେ ସଂଗଠନ ପଛରେ ଠିଆ ହୋଇଥିଲେ ।ସିପିଆଇର ଆଦର୍ଶ ଓ ଚିନ୍ତା ଏହି ଲୋକମାନଙ୍କ ମଧ୍ୟରେ ଅନୁଭୂତ ହୋଇଥିଲା।
ଜନତାଙ୍କ ସ୍ୱାର୍ଥ ପାଇଁ ଲଢୁଥିବା କମ୍ୟୁନିଷ୍ଟମାନଙ୍କ କାର୍ଯ୍ୟକଳାପ ସେମାନଙ୍କୁ ଗ୍ରାମୀଣ ଲୋକଙ୍କ ନିକଟତର କରିପାରିଥିଲା। ଏହା ସରକାରଙ୍କ ଉପରେ ମଧ୍ୟ ଚାପ ପକାଇବାକୁ ଆରମ୍ଭ କଲା। ଶୋଷଣର ଉତ୍ସକୁ ବନ୍ଦ କରିବା ପାଇଁ ଆଇନ ପ୍ରଣୟନ ସକାଶେ ଏହା ସରକାରଙ୍କ ପାଇଁ ଚେତାବନୀ ସଦୃଶ ଥିଲା। ଯେତେବେଳେ ନେତାମାନେ ଆନ୍ଦୋଳନକୁ ତୀବ୍ର କରିଥିଲେ ସେତେବେଳେ ସେମାନେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲେ ଏବଂ ସରକାର ସେମାନଙ୍କୁ ଦମନ କରିବା ପାଇଁ ନିଜର ଶକ୍ତି ପ୍ରୟୋଗ କରିଥିଲେ। ଓଡ଼ିଶାରେ ମହତାବଙ୍କ ସରକାର କମ୍ୟୁନିଷ୍ଟମାନଙ୍କ ଉପରେ ଦମନ ଲୀଳା ଆରମ୍ଭ କରିଥିଲା।
ଏହି କ୍ରମରେ ଗୋଟିଏ ଜନ ଆନ୍ଦୋଳନ ଯାହା ଜନମତକୁ ଆକର୍ଷିତ କରିଥିଲା, ତାହା ଥିଲା ୧୯୪୬ ମସିହାର ପଟିଆ ବନ୍ଧ ଆନ୍ଦୋଳନ। ଏହାର ଆୟୋଜନ କମ୍ୟୁନିଷ୍ଟମାନଙ୍କ ଦ୍ୱାରା କରାଯାଇଥିଲା । କୃଷକମାନେ ଜମିଦାର ଏବଂ କଂଗ୍ରେସ ସରକାରଙ୍କ ଗୁଣ୍ଡାମାନଙ୍କୁ ଭ୍ରୂକ୍ଷେପ ନକରି କୁଆଖାଇ ନଦୀ ଉପରେ ୯ ମାଇଲ ଲମ୍ବା ବନ୍ଧ ନିର୍ମାଣ କରିଥିଲେ।ତେଣେ ପୁରୀ ଜିଲ୍ଲାରେ କମ୍ୟୁନିଷ୍ଟମାନେ ଜମିଦାରଙ୍କ ଜମିରେ ପ୍ରବେଶ କରିବା ପାଇଁ ମଳିପଡ଼ାର ରୟତମାନଙ୍କୁ ପ୍ରବର୍ତ୍ତାଇଥିଲେ ।ନିମାପଡା, ଗୋପ ଏବଂ କାକଟପୁରରେ ମଧ୍ୟ ସମାନ ଧରଣର ଆନ୍ଦୋଳନ ହୋଇଥିଲା ।ଗଞ୍ଜାମର ଶେରଗଡ଼ ଏବଂ ସମ୍ବଲପୁରରେ ପରିସ୍ଥିତି ବି ଖରାପ ହୋଇଯାଇଥିଲା । କଂଗ୍ରେସ ସରକାର କମ୍ୟୁନିଷ୍ଟମାନଙ୍କୁ ଦମନ କରିବାକୁ ଚେଷ୍ଟା କରିବା ସମୟରେ ଗଞ୍ଜାମ, ପୁରୀ, ବାଲେଶ୍ୱର (ସୋରୋ), ନୀଳଗିରି ଆଦିରେ ଭାଗଚାଷୀ ଆନ୍ଦୋଳନ ଲୋକପ୍ରିୟ ହୋଇ ଉଠିଥିଲା।
ଗଞ୍ଜାମରେ କମ୍ୟୁନିଷ୍ଟମାନେ ଜମି ମାଲିକମାନଙ୍କ ଦ୍ୱାରା ଶୋଷଣକୁ ସମାପ୍ତ କରିବା ପାଇଁ ମୁସ୍ତାଦାରୀ ଏବଂ ଇନାମଦାରୀ ପ୍ରଥା ବିରୁଦ୍ଧରେ ଆନ୍ଦୋଳନ ଆୟୋଜନ କରିଥିଲେ। ରୟତମାନେ ନିଜ ନିଜ ମଧ୍ୟରେ ‘ହୋତା’ ଜମି ବଣ୍ଟନ କରିଥିଲେ। କମ୍ୟୁନିଷ୍ଟମାନେ ଗଞ୍ଜାମରେ ବ୍ୟାପକ ପ୍ରଭାବ ସୃଷ୍ଟି କରିଥିଲେ କାରଣ ମଧ୍ୟସ୍ଥିମାନେ କୃଷକମାନଙ୍କୁ ପ୍ରଚୁର ଶୋଷଣ କରୁଥିଲେ। ୧୯୪୭ ମସିହାରେ ତକରଡାରେ ପଚିଶ ହଜାର ରୟତ ଏବଂ ଗଞ୍ଜାମର ବ୍ରହ୍ମପୁରରେ ପନ୍ଦର ହଜାର ଚାଷୀ ସଭା କରିଥିଲେ। ପୋଲିସ୍କୁ ସାମ୍ନା କରିବା ପାଇଁ ହଜାର ହଜାର ଲୋକ ଯେତେବେଳେ ଏକାଠି ହୋଇଥିଲେ, ତକରଡାରେ ପୋଲିସ ଗ୍ରାମବାସୀଙ୍କୁ ହତ୍ୟା କରିଥିଲା। ପୋଲିସ ଗୋବିନ୍ଦ ପ୍ରଧାନଙ୍କ ଘରେ ପ୍ରଥମେ ପଶିଲା। ମେ ‘୨୪ ତାରିଖ। ୧୯୪୮ ମସିହାରେ ପୋଲିସ୍ ଲୋକଙ୍କୁ ଗିରଫ କରିବା ପାଇଁ ଗାଁରେ ପ୍ରବେଶ କରିଥିଲା। ଏହାକୁ ବିରୋଧ କରିବାରୁ, ପୋଲିସ୍ ଗୁଳିରେ ୬୩ ଲୋକ ପ୍ରାଣ ହରାଇଥିଲେ ଏବଂ ୫୦ ଜଣ ଆହତ ହୋଇଥିଲେ।
ଏଣେ ବନମାଳୀ ଦାସ କୃଷକମାନଙ୍କୁ ସଂଗଠିତ କରୁଥିଲେ। ସେ ସୋରୋ, ଖଇରା ଏବଂ ଔପଦାରେ ଲୋକମାନଙ୍କୁ ସଙ୍ଗଠିତ କରିଥିଲେ। ଈଶ୍ୱର ଦାସ, ଗୋକୁଳାନନ୍ଦ ନାୟକ, ଅନାଦି ନାୟକ, ପୂର୍ଣ୍ଣ ବାଗ ଆଦି ଗରିବ କୃଷକମାନଙ୍କୁ ସଂଗଠିତ କରଯାଇଥିଲା। କୁଜଙ୍ଗ, ମଙ୍ଗଳପୁର, ସାଲେପୁର, ଟାଙ୍ଗି, ସୁକିନ୍ଦା, ଧର୍ମଶାଳା, ବଡଚଣା ଆଦି ଅଞ୍ଚଳରେ କୃଷକ ଆନ୍ଦୋଳନ ହୋଇଥିଲା।
ଗଞ୍ଜାମ ଶେରଗଡ଼ରେ ସାମରିକ ପୋଲିସ ମୁତୟନ କରାଯାଇଥିଲା। ପଶ୍ଚିମବଙ୍ଗରୁ କମ୍ୟୁନିଷ୍ଟ ନେତାମାନେ ସେମାନଙ୍କୁ ସମ୍ବୋଧିତ କରିବାକୁ ଆସିଥିଲେ। ପଟିଆରୁ ହଜାର ହଜାର କୃଷକ କଟକ ସହର ଯାଏଁ ପାଦରେ ଆସି ସରକାରଙ୍କ ନିକଟରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ରାମକୃଷ୍ଣ ପତି ଏବଂ ବୈଦ୍ୟନାଥ ରଥ ଏହାର ମୁଖ୍ୟ ଆୟୋଜକ ଥିଲେ। ତା ‘ପରେ ରାମଚନ୍ଦ୍ର ମିଶ୍ର ,ଶରତ ମହାନ୍ତି,ପଠାଣି ପ୍ରଧାନ, ନାଥ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।
ALSO READ https://purvapaksa.com/shoe-throwing-meaning-sometimes-a-sign-of-war-kiss-and-honeymoon/
Shoe Throwing Meaning II ଜୋତା ମାଡ଼, କେଉଁଠି ଯୁଦ୍ଧର ଘୋଷଣା ତ’ କେଉଁଠି ହନିମୁନର ସଂକେତ !
