- କଟନୀ ଛଟନୀ ଅଭିଯୋଗର କଲେ ତଦନ୍ତ
- ମଣ୍ଡି ସଂପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି
ହାଫ୍ ପ୍ୟାଣ୍ଟ୍କୁ ବେକରେ ଗାମୁଛା । ମୁହଁରେ ମାସ୍କ ପିନ୍ଧି ମଣ୍ଡିରେ ପହଞ୍ଚିଲେ ଜିଲ୍ଲାପାଳ । ୪ ତାରିଖ ଧାନ ବିକିବାକୁ ଟୋକନ୍ ମିଳିଛି । ଧାନ ଆଣିବି କି ବୋଲି ମଣ୍ଡିରେ ପଚାରିଲେ । ହେଲେ ୧୬ ତାରିଖରେ ଧାନ ଆଣ ବୋଲି ମଣ୍ଡି ସମ୍ପାଦକ କହିଥିଲେ । ପୁଣି ୧୫ରୁ ୧୬ କେଜି ଯାଏ ଧାନ କାଟିବେ ବୋଲି ମଧ୍ୟ କହିଥିଲେ। ହେଲେ ହାଫ୍ ପ୍ୟାଣ୍ଟ ପିନ୍ଧା ମଣିଷ ଜଣକ ଚାଷୀ ନ ଥିଲେ, ଥିଲେ ଜିଲ୍ଲା ମୁଖିଆ । ଭଦ୍ରକ ଜିଲ୍ଲାପାଳଙ୍କ ଚାଷୀ ବେଶରେ ମଣ୍ଡି ପରିଦର୍ଶନ ବେଳେ ଘୋର ଅବ୍ୟବସ୍ଥା ସାମ୍ନାକୁ ଆସିଛି । ଏହାକୁ ଦେଖି ଖପ୍ପା ହୋଇଛନ୍ତି ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ । ଏଥିସହ ସମ୍ପୃକ୍ତ ମଣ୍ଡି ସମ୍ପାଦକଙ୍କୁ ଏଭଳି ଅବ୍ୟବସ୍ଥା ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।
ସତ୍ୟତା ଜାଣିବାକୁ ଜିଲ୍ଲାପାଳ ରବିବାର ଧାମନଗର ବ୍ଲକ୍ କଟସାହି ସେବା ସମବାୟ ମଣ୍ଡିକୁ ଚାଷୀ ବେଶରେ ବାଇକ୍ରେ ପହଞ୍ଚିଥିଲେ । ସୁରକ୍ଷାକର୍ମୀ ମଧ୍ୟ ଅନୁରୂପ ବେଶରେ ଯାଇଥିଲେ । ହାଫ୍ ପ୍ୟାଣ୍ଟ, ମୁଣ୍ଡରେ ଠେକା ଭିଡ଼ି, ଚପଲ ପିନ୍ଧିଥିବାରୁ ସମବାୟ ସମିତି ସମ୍ପାଦକ ବିନୋଦ ଦଳାଇ ଜିଲ୍ଲାପାଳଙ୍କୁ ଚିହ୍ନି ପାରି ନ ଥିଲେ । ଜିଲ୍ଲାପାଳ ନିଜକୁ ଲୁଣିଆ ତେଲିସାହିର ଜଣେ ଚାଷୀ ବୋଲି ପରିଚୟ ଦେଇଥିଲେ । ପଚାରି ବୁଝିବା ବେଳେ ମଣ୍ଡିରେ ୧୫ କେଜି ଯାଏ ଧାନ କଟାଯାଉଥିବା ଓ ବ୍ୟାପକ ଅବ୍ୟବସ୍ଥା ଚାଲିଥିବା ଜାଣିବାକୁ ପାଇଥିଲେ। ସେଠାରୁ ଫେରି ସମ୍ପାଦକ ଶ୍ରୀ ଦଳେଇଙ୍କ ଉପରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ। ଭଦ୍ରକ ଉପନିବନ୍ଧକଙ୍କ କାର୍ଯ୍ୟାଳୟକୁ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ମଣ୍ଡିରେ କଟ୍ନୀ ଛଟ୍ନୀ ରୋକିବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ମିଲର୍ଙ୍କୁ ତାଗିଦ୍ କରାଯାଉଛି । ହେଲେ ଭଦ୍ରକ ଜିଲ୍ଲାରେ ୮ରୁ ୧୦ କେଜି ପର୍ଯ୍ୟନ୍ତ ଧାନ କଟା ଯାଉଥିବା ଅଭିଯୋଗ ହୋଇଆସୁଛି । ଯାହାକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କିଛିଦିନ ତଳେ ଭଦ୍ରକ ଗସ୍ତରେ ଆସି ସ୍ଥିତି ପରଖିଥିଲେ । ମିଲର୍ ଓ ସମିତି ସମ୍ପାଦକଙ୍କୁ ଚେତାବନୀ ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କଟ୍ନୀ ଛଟ୍ନୀ ରୋକିବା ଦିଗରେ ତତ୍ପରତା ଦେଖାଦେଇଥିଲା । ଖୋଦ୍ ଜିଲ୍ଲାପାଳ ଶ୍ରୀ ରାଉତରାୟ ମଣ୍ଡିକୁ ଯାଇ ଯାଞ୍ଚ କରିଥିଲେ । ଏହା ସତ୍ତ୍ଵେ ପୁଣି ଅନୁରୂପ ଅଭିଯୋଗ ଆସିବାକୁ ଲାଗିଲା । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାପାଳ ନିଜ ଗାଡିକୁ ବହୁ ଦୂରରେ ପାର୍କିଂ କରି ସର୍ଟସ, ଟି-ସାର୍ଟ ଓ ମୁହଁରେ ମାସ୍କ ପିନ୍ଧି କଟସାହି ପ୍ୟାକ୍ସ (ପ୍ରାଥମିକ କୃଷି କ୍ରେଡିଟ୍ ସୋସାଇଟି)ରେ ପହଞ୍ଚିଥିଲେ। ଏହି ପରିପ୍ରେକ୍ଷୀରେ ସେ ଚାଲି ଚାଲି ମଣ୍ଡି ବୁଲି ଚାଷୀଙ୍କ ବାରମ୍ବାର ସମସ୍ୟା ଅନୁଧ୍ୟାନ କରିବା ସହ ସମୀକ୍ଷା କରିଥିଲେ।
କଟସାହି ପ୍ୟାକ୍ସ ସମ୍ପାଦକଙ୍କୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସରେ କୁହାଯାଇଛି ଯେ, ଆପଣଙ୍କ ପ୍ୟାକ୍ସ ବିରୋଧରେ ଆସିଥିବା ଅଭିଯୋଗ ସତ ପ୍ରମାଣିତ ହୋଇଛି ଏବଂ ତେଣୁ ଆପଣଙ୍କ ବିରୋଧରେ କାହିଁକି ଉପଯୁକ୍ତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତାହାର କାରଣ ଦର୍ଶାଇବାକୁ କୁହାଯାଇଛି।
ଚିଠି ପାଇବାର ଦୁଇ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ନୋଟିସରେ ସଂପୃକ୍ତ ଅଧିକାରୀଙ୍କୁ କୁହାଯାଇଛି, ନଚେତ୍ ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନୋଟିସରେ କୁହାଯାଇଛି ଯେ, ଚାଷୀମାନେ କିପରି ପ୍ୟାକ୍ସ ଓ ମିଲରଙ୍କ ଷଡ଼ଯନ୍ତ୍ରର ଶିକାର ହେଉଛନ୍ତି ସେ ନେଇ ଜିଲ୍ଲାପାଳଙ୍କୁ ବିଭିନ୍ନ ରିପୋର୍ଟ ଓ ଅଭିଯୋଗ ମିଳିଛି। ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଭଦ୍ରକ ସହକାରୀ ସମବାୟ ସମିତି (ଏଆରସିଏସ୍) ନିକଟରେ ଜିଲ୍ଲାର ବିଭିନ୍ନ ପ୍ୟାକ୍ସର ସଚିବଙ୍କୁ ଭେଟି ଚାଷୀଙ୍କୁ ଯେପରି କ୍ଷତିରେ ନ ପହଞ୍ଚାଇବେ ସେଥିପାଇଁ ପଦକ୍ଷେପ ନେଇଥିଲେ। ଦୁର୍ଭାଗ୍ୟବଶତଃ ଜିଲ୍ଲା ପ୍ରଶାସନର ବୈଠକ ଓ ନିର୍ଦେଶ ସତ୍ତ୍ୱେ କଟନୀ-ଛଟନୀ ଜାରି ରହିଥିବାରୁ ଭଦ୍ରକ ଜିଲ୍ଲାପାଳଙ୍କ ଅଭିନବ ଓ କଠୋର ଆଭିମୁଖ୍ୟ ଦେଖିବାକୁ ମିଳିଛି।
previous article:https://purvapaksa.com/gender-budget-allocation-of-rs-449-lakh-crore/
