ପଡ଼ୋଶୀ ଦେଶମାନଙ୍କରେ ଅରାଜକତା ଏବେ ଦେଶର ଉପକୂଳ ରାଜ୍ୟଗୁଡ଼ିକ ପାଇଁ ସମସ୍ୟା ପାଲଟିଛି। ସମୁଦ୍ର ପଥରେ ଉପକୂଳବର୍ତ୍ତୀ ରାଜ୍ୟରେ ଅନୁପ୍ରବେଶର ଆଶଙ୍କା ବଢ଼ିଛି ଓ କୌଣସି ସମୟରେ ବି ଆତଙ୍କବାଦୀମାନେ ଏହି ରାଜ୍ୟରେ ପ୍ରବେଶ କରି କିଛି ବି ଅଘଟଣ ଘଟାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏପରି ସମୟରେ ଉପକୂଳ ସୁରକ୍ଷାକୁ ଓଡ଼ିଶା ପୁଲିସ ଗୁରୁତ୍ୱ ଦେଉଛି ବୋଲି ପୁଲିସ ଅଧିକାରୀମାନେ କରୁଥିବା ଦମ୍ଭର ବାସ୍ତବିକତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡ଼ିଶାର ଦୀର୍ଘ ମୁକୁଳା ଉପକୂଳ ଦେଇ ଅନୁପ୍ରବେଶ ରୋକିବାକୁ ନା ଅଛନ୍ତି କର୍ମଚାରୀ ନା ଅଛି ପାଟ୍ରୋଲିଂ ପାଇଁ ଅନୁରୂପ ବ୍ୟବସ୍ଥା। ଓଡିଶା ତଟକୁ ଜଗିବାପାଇଁ ଥିବା ସାମୁଦ୍ରିକ ଥାନାରେ କିନ୍ତୁ ଆବଶ୍ୟକ ସୁରକ୍ଷାକର୍ମୀ ନାହାନ୍ତି। ଏହିସବୁ ଥାନାପାଇଁ ଯେତିକି ମଞ୍ଜୁରୀପ୍ରାପ୍ତ ପଦ ରହିଛି ତାହାଠାରୁ ଢେର କମ୍ କର୍ମଚାରୀ ଅଛନ୍ତି ଓ ଥାନାକୁ ମିଳିଥିବା ଯାନବାହନ ବି ଅଚଳ ହୋଇ ପଡ଼ିଛି। ଏପରି ସ୍ଥିତିରେ ଉପକୂଳ ସୁରକ୍ଷା କେବଳ ଘୋଷଣାରେ ଅଟକି ଯାଇଥିବା ଅଭିଯୋଗ ହୋଇଛି।
ରାଜ୍ୟର ୪୮୦ କିଲୋମିଟର ବ୍ୟାପ ସମୁଦ୍ର ତଟର ସୁରକ୍ଷା ପାଇଁ ୧୮ଟି ଉପକୂଳ ଥାନା ସ୍ଥାପନ ହୋଇଛି। ଏହି ଥାନାପାଇଁ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ସାଢେ ୩ କୋଟି ଟଙ୍କା ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୧କୋଟି ୭୫ଲକ୍ଷ ଟଙ୍କାର ଦେଇଛନ୍ତି।
ଏହାବ୍ୟତୀତ ଏହି ଥାନାଗୁଡ଼ିକ ପାଇଁ ୩୬ଟି ଦୁଇ ଚକିଆ, ୧୮ଟି ଚାରିଚକିଆ ଓ ୧୫ଟି ଛୋଟ ଏବଂ ବଡ ବୋଟ୍, ନାଇଟ୍ ଭିଜନ ଡିଭାଇସ୍, ଡିଜିଟାଲ କ୍ୟାମେରା, ଏଲ୍ଇଡି ସର୍ଚ୍ଚ ଲାଇଟ୍ ସହିତ କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ସାଜ ସରଞ୍ଜାମ ପ୍ରଦାନ କରିଛନ୍ତି। ମାତ୍ର ଏହି ଥାନାଗୁଡ଼ିକର କର୍ମଚାରୀ ସ୍ଥିତି ଦେଖିଲେ ମିଳିଥିବା ଗାଡ଼ି ଚଳାଇବାକୁ ଲୋକ ନାହାନ୍ତି। ୨୦୨୫ ମାର୍ଚ୍ଚ ମାସ ସୁଦ୍ଧା ୧୮ଟି ଇନ୍ସପେକ୍ଟର ପଦବୀ ମଧ୍ୟରୁ ୩ଟି ଖାଲି ପଡିଥିବାବେଳେ ୫୪ ସବଇନ୍ସପେକ୍ଟରଙ୍କ ସ୍ଥାନରେ କାର୍ଯ୍ୟ କରୁଥିଲେ ମାତ୍ର ୯। ଅନୁରୂପ ଭାବରେ ୫୪ ଏଏସ୍ଆଇ ପଦବୀରୁ ୨୬ ଓ ୧୪୪ ହାବିଲଦାର ପଦରୁ ମାତ୍ର ୧୬ଟି ପୂରଣ ହୋଇ ପାରିଥିଲା। ୧୮ଟି ଥାନା ପାଇଁ ୪୩୨ କନଷ୍ଟେବଳ ପଦ ଥିବାବେଳେ ଏଠି ମାତ୍ର କାର୍ଯ୍ୟ କରୁଛନ୍ତି ୧୧୩। ସେହିପରି ୩୬ଡ଼୍ରାଇଭର ପଦରୁ ନିଯୁକ୍ତି ପାଇଛନ୍ତି ମାତ୍ର ୫। ବୈଷୟିକ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ଅନୁରୂପ। ୨୮୦ କର୍ମଚାରୀଙ୍କ ସ୍ଥାନରେ କାର୍ଯ୍ୟ କରୁଛନ୍ତି ୯୦ ଜଣ। ଏହି ପରିପ୍ରେକ୍ଷୀରେ କର୍ମଚାରୀ ସଙ୍କଟ ଯୋଗୁଁ ଥାନାଗୁଡିକ ଏକ ପ୍ରକାର ପଙ୍ଗୁ ପାଲଟି ଯାଇଛି ଏବଂ ଉପକୂଳରେ ପଇଁତରା ମାରିବା ତ ଦୂରରକଥା ଥାନା ଆଖପାଖକୁ ସୁରକ୍ଷିତ ରଖିବା ଆହ୍ୱାନ ପାଲଟିଛି।
ପାକିସ୍ତାନ ବିରୁଦ୍ଧରେ ଅପରେସନ ସିନ୍ଦୂର ଓ ବାଂଲାଦେଶ ସହ ଭାରତର ସମ୍ପର୍କ ଖରାପ ହେବା ପରେ ଉପକୂଳ ସୁରକ୍ଷା ଉପରେ କେନ୍ଦ୍ର ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଯେଉଁଥିପାଇଁ ରାଜ୍ୟରେ ବାଂଲା ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମାତ୍ର ରାଜ୍ୟ ପୁଲିସ ସମ୍ଭବତଃ ଏପରି ସ୍ପର୍ଶକାତର ଘଟଣାକୁ ଗୁରୁତ୍ୱ ଦେଉ ନାହିଁ। ଉପକୂଳ ସୁରକ୍ଷା ପାଇଁ ଆସିଥିବା ଡ୍ରୋନ୍କୁ ମାଓବାଦୀଙ୍କୁ ଠାବ ନିମନ୍ତେ ନିୟୋଜନ କରାଯାଇଛି। ଫଳରେ ବାଂଲାଦେଶୀ ଅପରାଧୀମାନେ ଏଠାରେ ଅପରାଧ ଘଟାଇ ପୁଣି ଜଳପଥ ଦେଇ ନିଜ ଦେଶକୁ ଫେରିଯାଉଛନ୍ତି। ତେଣୁ ଉପକୂଳ ସୁରକ୍ଷା ନିହାତି ଆବଶ୍ୟକ ହେଉଥିବା ବେଳେ ଓଡ଼ିଶା ପୁଲିସ ଭଗବାନଙ୍କ ଉପରେ ଛାଡ଼ି ଦେଇଥିବା ଅନେକ ଅଭିଯୋଗ କରିଛନ୍ତି।
