- ବିଶ୍ୱଦରବାରେ ଓଡ଼ିଶାର ସୁନାମ ଆଣିବ
- ସହରର ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସମୀକ୍ଷାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୩ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ହେଉଛି। ବିଶ୍ୱ ଦରବାରରେ ଓଡିଶାକୁ ପ୍ରତିଷ୍ଠିତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ପ୍ରଧାନମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମ ଉପରେ ଅତ୍ୟନ୍ତ ଗୁରୁତ୍ୱ ଆରୋପ କରୁଛନ୍ତି। ତେଣୁ ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ତ୍ରୁଟିଶୂନ୍ୟ ଭାବେ ଆୟୋଜିତ କରି ସମଗ୍ର ବିଶ୍ୱ ଦରବାରରେ ଓଡିଶାର ଭାବମୂର୍ତ୍ତିକୁ ଉଜ୍ଜଳ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ବିଶେଷକରି ସହରର ସ୍ୱଚ୍ଛତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ଭୁବନେଶ୍ବରର ସ୍ୱଚ୍ଛତା ଅନ୍ତର୍ଜାତୀୟସ୍ତରର ହେବା ଆବଶ୍ୟକ ବୋଲି ସେ କହିଥିଲେ । ଏଥିପାଇଁ ଭୁବନେଶ୍ୱରରେ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହା ସହିତ ଏହି ଉତ୍ସବ ସହିତ ସ୍ଥାନୀୟ ଲୋକଙ୍କୁ ସଂଶ୍ଲିଷ୍ଟ କରିବା ପାଇଁ ମଧ୍ୟ ସେ କହିଥିଲେ ।
ସମୀକ୍ଷାରୁ ଜଣାଯାଇଛି ଯେ ପ୍ରଥମ ଦିନ ଜାନୁଆରି ୮ ତାରିଖରେ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଦ୍ୱିତୀୟ ଦିନ ଜାନୁଆରି ୯ ତାରିଖରେ ପ୍ରଧାନମନ୍ତ୍ରୀ ଓ ଶେଷ ଦିନ ଜାନୁଆରି ୧୦ ତାରିଖରେ ରାଷ୍ଟ୍ରପତି ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ‘Unraveling India’s Best Kept Secret’ ଏବଂ ‘Odisha – the Land of Opportunities’ ଆଦି ବିଷୟ ଉପରେ Plenary Session ଅନୁଷ୍ଠିତ ହେବ। ଏହା ସହିତ ଓଡିଶାର ଐତିହାସିକ ଗୌରବ, କଳା, ଭାସ୍କର୍ଯ୍ୟ, ସଂଗୀତ, ନୃତ୍ୟ, ଆଦିବାସୀ ସଂସ୍କୃତି, ଭାଷା, ସାହିତ୍ୟ, ପର୍ଯ୍ୟଟନ ସ୍ଥାନ ଆଦି ବିଭିନ୍ନ ବିଷୟ ଉପରେ ଡିଜିଟାଲ ଓ ଅନ୍ୟାନ୍ୟ ମାଧ୍ୟମରେ ଉପସ୍ଥାପନ କରାଯିବ। ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ଓଡିଶାର ଭିଜନକୁ ମଧ୍ୟ ପ୍ରଦର୍ଶନ କରାଯିବ।
ଏହି ସମୟରେ ଭୁବନେଶ୍ବରରେ ପ୍ରାୟ ୧୦ଟି ମହୋତ୍ସବ ଆୟୋଜିତ ହେବ। ଏହିସବୁ ଉତ୍ସବ ଗୁଡିକ ହେଉଛି – ରାଜାରାଣୀ ମ୍ୟୁଜିକ ଫେଷ୍ଟିଭାଲ ( ଜାନୁଆରି ୭-୧୧), ମୁକ୍ତେଶ୍ୱର ଡ୍ୟାନ୍ସ ଫେଷ୍ଟିଭାଲ (ଜାନୁଆରି ୭-୧୧), ଇଣ୍ଟରନେସନାଲ ଓଡିଶୀ ଡ୍ୟାନ୍ସ ଫେଷ୍ଟିଭାଲ (ଜାନୁଆରି ୭-୧୧), ଆଦିବାସୀ ନୃତ୍ୟ ଓ ଲୋକକଳା ଫେଷ୍ଟିଭାଲ (ଜାନୁଆରି ୭-୧୧), ଆଦିବାସୀ ମେଳା (ଜାନୁଆରି ୫-୧୫), ଚିଲିକା ବାର୍ଡ ଫେଷ୍ଟିଭାଲ (ଜାନୁଆରି ୬-୧୨), ଫ୍ଲାୱାର ସୋ (ଜାନୁଆରି ୭-୧୧), ଫୁଡ୍ ଫେଷ୍ଟ (ଜାନୁଆରି ୮-୧୦) ଓ ନାଇଟ୍ ଫ୍ଲି ମାର୍କେଟ (ଜାନୁଆରି ୮-୧୦)।
ଏହି କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱରର ସମସ୍ତ ରାସ୍ତାଘାଟର ନବୀକରଣ, ଆଲୋକୀକରଣ, ଆକର୍ଷଣୀୟ ସାଜସଜ୍ଜା ସହିତ ଅତିଥି ମାନଙ୍କ ପାଇଁ ହୋଟେଲ ବୁକିଂ ଆଦି ଜାରି ରହିଛି । ପର୍ଯ୍ୟଟନ ସ୍ଥାନ ଗୁଡିକର ସୌନ୍ଦର୍ଯ୍ୟକରଣ କରାଯାଉଛି। ଭୁବନେଶ୍ୱର, ପୁରୀ, କୋଣାର୍କ, ଯାଜପୁର ଆଦି ବିଭିନ୍ନ ସହରରେ ୨୮ଟି ପର୍ଯ୍ୟଟନ ସ୍ଥଳୀକୁ ଅତିଥି ମାନଙ୍କୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରାୟ ୭୫୦୦ ଡେଲିଗେଟ୍ ଯୋଗ ଦେବାର ସମ୍ଭାବନା ରହିଛି ।
ଅତିଥି ମାନଙ୍କ ପାଇଁ ୩୭୦୦ରୁ ଅଧିକ ରୁମ୍ ବୁକିଂ କରାଯାଇଥିବା ବେଳେ କେତେକ ସ୍ଥାନରେ ହୋମ୍ ଷ୍ଟେର ବ୍ୟବସ୍ଥା ମଧ୍ୟ କରାଯାଇଛି। କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଗଠିତ ହେଇଥିବା ବିଭିନ୍ନ କମିଟି ନିୟମିତ ବୈଠକ କରି ପ୍ରସ୍ତୁତିକୁ ତ୍ୱରାନ୍ୱିତ କରୁଛନ୍ତି। ଏହି ବୈଠକରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା, ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୁଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।
previous article:https://purvapaksa.com/sanjay-malhotra-is-the-new-governor-of-rbi/
