prayagraj: ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ କଲେ ପ୍ରାର୍ଥନା
ମହାକୁମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ପ୍ରୟାଗରାଜ୍ ଗସ୍ତ କରି ତ୍ରିବେଣୀ ସଙ୍ଗମ ସ୍ଥଳରେ ସ୍ନାନ କରିଛନ୍ତି । ତାଙ୍କ ସହିତ ତାଙ୍କ ପରିବାର ମଧ୍ୟ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି । ତିନି ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସହ ପତ୍ନୀ ପ୍ରିୟଙ୍କା ମାରାଣ୍ଡି ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ପବିତ୍ର ସ୍ନାନ କରିବା ପୂର୍ବରୁ ସେମାନେ ସଙ୍ଗମରେ ପୂଜାର୍ଚ୍ଚନା କରିଥିଲେ ।
ଏହା ସହିତ ପୂଜା ଓ ଆରତି ମଧ୍ୟ କରିଛନ୍ତି । ଏହି ଅବସରରେ ଗଣମାଧ୍ୟମ ଆଗରେ ନିଜର ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ପ୍ରୟାଗରାଜ୍ ତ୍ରିବେଣୀ ସଂଗମରେ ସ୍ନାନ କରିବା ଏକ ଅତ୍ୟନ୍ତ ଆଧ୍ୟାତ୍ମିକ ଅନୁଭବ । ଏହା କେବଳ ଗଙ୍ଗା, ଯମୁନା, ସରସ୍ୱତୀର ସଙ୍ଗମ ସ୍ଥଳ ନୁହେଁ, ଏହା ହେଉଛି ବିଶ୍ୱାସ, ପରମ୍ପରା ଓ ଦିବ୍ୟତ୍ୱର ସଙ୍ଗମ ସ୍ଥଳ ବୋଲି ସେ କହିଛନ୍ତି । ଏହି ଅବସରରେ ପ୍ରାର୍ଥନା କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଭାରତର ଆତ୍ମିକ ଉତ୍ତରଣରେ ପ୍ରଧାନମନ୍ତ୍ରୀଙ୍କର ଗୃରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
ତାଙ୍କ ଦୂରଦୃଷ୍ଟି ଓ ମହାନ୍ ଦୃଷ୍ଟିକୋଣ ଯୋଗୁ ଦେଶର ଛୋଟ ଛୋଟ ଗାଁ ରୁ ବଡ଼ ବଡ଼ ସହର ପର୍ଯ୍ୟନ୍ତ ସମସ୍ତେ ଭାରତୀୟତାର ମହାନ୍ ଅନୁଭବରେ ଉଦବୁଦ୍ଧ ହୋଇଛନ୍ତି । ତାଙ୍କ ପ୍ରେରଣାରେ ଦେଶ ଓ ରାଜ୍ୟର ସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ବୋଲି ମତ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସହିତ ଫୋନ ଯୋଗେ କଥା ହୋଇ ଏଭଳି ସୁନ୍ଦର ଆୟୋଜନ ପାଇଁ ଧନ୍ୟବାଦ୍ ଦେଇଥିଲେ ।
ଉତ୍ତର ପ୍ରଦେଶର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସତିଶ ଶର୍ମାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ୍ ଦେଇଛନ୍ତି । ଶ୍ରୀ ଶର୍ମା ପ୍ରୟାଗରାଜ୍ ବିମାନ ବନ୍ଦର ଠାରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ଏବଂ ପବିତ୍ର ବୁଡ଼ ଓ ପୂଜା ସମୟରେ ତାଙ୍କ ସହିତ ରହିଥିଲେ । ଆଜି ବିଜେପି ନେତା ସମ୍ବିତ ପାତ୍ର, ସାଂସଦ ପ୍ରତାପ ଷଡଙ୍ଗୀ, ପ୍ରଖ୍ୟାତ ସୁଫି ଗାୟକ କୈଳାସ ଖେର ପ୍ରମୁଖ ରବିବାର ମହାକୁମ୍ଭରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିଲେ । ଉତ୍ତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଗୁରମିତ ସିଂହ ମଧ୍ୟ ତ୍ରିବେଣୀ ସଙ୍ଗମର ପବିତ୍ର ଜଳରେ ସ୍ନା କରିଥିବା ଜଣାଯାଇଛି ।
previous article:https://purvapaksa.com/virat-kohli-surpassed-ricky-ponting-in-most-international-runs-with-his-century-against-pakistan-in-champions-trophy/
ବିରାଟ କୋହଲିଙ୍କ ଶତକ ହଇଚଇ ସୃଷ୍ଟି କରିଛି… ରିକି ପଣ୍ଟିଂଙ୍କୁ ପଛରେ ପକାଇ ଥିଲେ ମଧ୍ୟ ତାଲିକାର ତୃତୀୟ ସ୍ଥାନରେ
