ପୂର୍ବ ସରକାର ଅମଳରେ ବନ୍ଦ ହୋଇଥିବ ଶ୍ରୀମନ୍ଦିରର ଚିନି ଦ୍ଵାର ଖୋଲିବାକୁ ମୋହନ ସରକାର ଶପଥ ଗ୍ରହଣ କରିବା ପରେ ପ୍ରଥମ ନିଷ୍ପତ୍ତି ନେଇଥିଲେ। ବିଜେପିର ନିର୍ବାଚନ ପ୍ରତିଶ୍ରୁତିରେ ଏହା ପ୍ରମୁଖ ପ୍ରସଙ୍ଗ ଥିଲା । ତେବେ ତତ୍କାଳୀନ ନବୀନ ସରକାର ସମୟରେ ତିନି ଦ୍ୱାର ବନ୍ଦକୁ ନେଇ ଚୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା ଭକ୍ତ ମହଲରେ। ଏବେ ଆରଟିଆଇରେ ତିନି ଦ୍ୱାର ବନ୍ଦକୁ ନେଇ ଯେଉଁ ତଥ୍ୟ ମିଳିଛି ତାହା ସମସ୍ତଙ୍କୁ ଚକିତ କରିଛି । ଏଥସହ ଆଉ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ଯେ, କାହିଁକି ଏହି ତିନିଦ୍ୱାର ବନ୍ଦ ପ୍ରସଙ୍ଗରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ମିଛ କହିଥିଲେ ।
ସୂଚନା ଅଧିକାର କର୍ମୀ ପ୍ରକାଶ ଦାଶ ଏହି ପ୍ରସଙ୍ଗରେ ତଥ୍ୟ ପାଇଁ ଆବେଦନ କରିଥିଲେ । ଆଇନ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀମନ୍ଦିରର ତିନି ଦ୍ୱାର ବନ୍ଦ ପାଇଁ ସରକାରୀ ଓ ପ୍ରଶାସନିକ ସ୍ତରରେ କୌଣସି ନିଷ୍ପତ୍ତି ନିଆଯାଇନଥିଲା। ଏ ସମ୍ପର୍କିତ କୌଣସି ତଥ୍ୟ ଆଇନ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ପାଖରେ ନାହିଁ । ଏହାର ଅର୍ଥ ବେଆଇନ ଭାବେ ତିନି ଦ୍ୱାର ବନ୍ଦ କରାଯାଇଥିଲା । ହେଲେ ନିଷ୍ପତ୍ତି ନେଇଥିଲା କି ଏ ? କାହା ଇଙ୍ଗିତରେ ଏହା କରାଯାଇଥିଲା । ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରାଗଲା କାହିଁକି ? ଏହି ତଥ୍ୟ ମିଳିବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି । କାରଣ ସେତେବେଳେ ସେ ହିଁ ସବୁ ନିର୍ଦ୍ଦେଶ ଦେଇଥିଲେ । ସରକାର ଏବଂ ପ୍ରଶାସନିକ କଳ ତାଙ୍କ ନିର୍ଦ୍ଦେଶରେ ହିଁ ଚାଲୁଥିଲା । ଶ୍ରୀ ଦାଶ ପ୍ରଶ୍ନ କରିଛନ୍ତି ଯେ, ଏହାର ଜବାବ ବିଜୁ ଜନତା ଦଳ ଏବଂ ନବୀନ ବାବୁ ଦେବା ଦରକାର ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆରମ୍ଭ ପରେ ତିନି ଦ୍ଵାର ବନ୍ଦ କରାଯାଇଥିଲା । ପ୍ରବଳ ବିରୋଧ ଓ ବିକ୍ଷୋଭ ସତ୍ତ୍ଵେ ତତ୍କାଳୀନ ସରକାର ଭକ୍ତଙ୍କ ଭାବାବେଗକୁ ବୁଝିନଥିଲେ, ଭକ୍ତଙ୍କୁ ହଇରାଣ ହେବାକୁ ପଡ଼ୁଥିଲା । ଏହି ସମୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଥିଲେ ଯେ, ପରିକ୍ରମା ପ୍ରକଳ୍ପ କାମ ପାଇଁ ତିନି ଦ୍ୱାର ବନ୍ଦ ରହିଛି । ଏହା ଶେଷ ହେବା ପରେ ତିନି ଦ୍ୱାର ଖୋଲାଯିବ । ଯଦି ସରକାରୀ ଓ ପ୍ରଶାସନିକ ସ୍ତରରେ ଏଭଳି କୌଣସି ନିଷ୍ପତ୍ତି ନିଆଯାଇନଥିଲା ତେବେ କଣ ପାଇଁ ଏଭଳି ଉତ୍ତର ରଖିଥିଲେ ଗଜପତି ମହାରାଜ । ତେଣୁ ପ୍ରଶ୍ନ ଉଠୁଛି ଗଜପତିଙ୍କ ମିଛ କହିବା ଏବେବି ପାଣ୍ଡିଆନଙ୍କ ପ୍ରତି ତାଙ୍କ ଉଦାର ଭାବକୁ ଦର୍ଶାଉଛି । ଶ୍ରୀ ଦାଶ କହିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଯେଉଁମାନେ ରାଜନୀତି କରନ୍ତି ତାହାର ପରିଣାମ କ’ଣ ହୁଏ ସମସ୍ତେ ଦେଖିବେ । ତେଣୁ ଆମର ଦାବି ସରକାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦେଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି । ସୂଚନାଯୋଗ୍ୟ ଯେ, ଜୁନ ୧୨, ୨୦୨୪ରେ ମୋହନ ସରକାରଙ୍କ କ୍ୟାବିନେଟରେ ଶ୍ରୀମନ୍ଦିର ତିନି ଦ୍ଵାରା ଖୋଲିବା ନିଷ୍ପତ୍ତିରେ ମୋହର ମରାଯାଇଥିଲା ।
ALSO READ https://purvapaksa.com/operation-sindoor-has-ruined-the-dignity-of-the-pakistan-army/
