ବନ୍ ଠାରେ ଅନୁଷ୍ଠିତ ଜଳବାୟୁ ସମ୍ମିଳନୀ ହେଉଛି ଜଳବାୟୁ ସମ୍ପର୍କିତ ଏକ ଅର୍ଦ୍ଧବାର୍ଷିକ ସମୀକ୍ଷା ବୈଠକ । ଯାହା ସଦସ୍ୟମାନଙ୍କ ବାର୍ଷିକ ସମ୍ମିଳନୀ ପାଇଁ ଏକ ପ୍ରାଥମିକ ପ୍ରସ୍ତୁତି ଭାବରେ କାର୍ଯ୍ୟ କରିଥାଏ । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ , ଜର୍ମାନୀର ବନ୍ ରେ ଅର୍ଦ୍ଧବାର୍ଷିକ ସମୀକ୍ଷା ସେଭଳି କିଛି ସୁସମ୍ବାଦ ଆଣିବା ଭଳି ହୋଇନାହିଁ । ସାମ୍ପ୍ରତିକ ସମୟରେ ସମଗ୍ର ବିଶ୍ୱର ସବୁ ରାଷ୍ଟ୍ର ଜଳବାୟୁ ପରିବର୍ତ୍ତନର ପ୍ରଭାବଗୁଡ଼ିକୁ ଅନୁଭବ କରୁଥିବା ବେଳେ ଏଥିରେ ପରିବର୍ତ୍ତନ ଆଣି ପୂର୍ବବତ୍ ସନ୍ତୁଳନ ରକ୍ଷା କରିବାକୁ ପ୍ରତି ବର୍ଷ ଅଲୋଚନା କରୁଛନ୍ତି । କିନ୍ତୁ ଯେଉଁଭଳି ଢଙ୍ଗରେ ଏ ବାବଦରେ କାମ କରିବା କଥା, ତାହା ବିଭିନ୍ନ କାରଣରୁ କରିବାରେ ସକ୍ଷମ ହେଉ ନାହାଁନ୍ତି କେବଳ ବିପର୍ଯ୍ୟୟ ବେଳେ ହଠାତ୍ ଚେଇଁଉଠି କାମ କରିବାକୁ ଶପଥ ନେବାରେ ସୀମିତ ରହି ଯାଉଛନ୍ତି । ସାଧାରଣତଃ ଛଅ ପ୍ରକାରର ପ୍ରମୁଖ ବିପର୍ଯ୍ୟୟ ରହିଛି- ଭୂମିକମ୍ପ, ବନ୍ୟା, ଝଡ଼ବାତ୍ୟା, ଅଂଶୁଘାତ, ବନାଗ୍ନି ଏବଂ ମରୁଡ଼ି ।
ଏହି ବିପର୍ଯ୍ୟୟଗୁଡ଼ିକ କାରଣରୁ ଯେଉଁସବୁ କ୍ଷତି ହୋଇଥାଏ, ସେସବୁ ମଧ୍ୟରେ ଅନ୍ତର୍ଭୁକ୍ତ ପାରିବେଶିକ, ମାନବୀୟ ସ୍ଥାନାନ୍ତରଣ ମୂଲ୍ୟ, ସ୍ୱାସ୍ଥ୍ୟଗତ ପ୍ରଭାବ ଏବଂ ଶିକ୍ଷା ଓ ବ୍ୟବସାୟ ସମେତ ଅନ୍ୟାନ୍ୟ ସାମାଜିକ ମୂଲ୍ୟ । ବିପର୍ଯ୍ୟୟ ଜୀବନର ପ୍ରାୟ ସବୁ ଦିଗକୁ ପ୍ରଭାବିତ କରିଥାଏ । ଅର୍ଥନୀତିର ପ୍ରାୟ ସବୁ ଦିଗ ଯଥା କୃଷି, ଜଙ୍ଗଲ, ମତ୍ସ୍ୟ, କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ସମୂହ ଏବଂ ଶ୍ରମ ବିପର୍ଯ୍ୟୟ ଏହା ଦ୍ଵାରା ପ୍ରଭାବିତ ହୋଇଥାଏ । ଏହାର ଅର୍ଥ ହେଉଛି, ଯେ କୌଣସି ଦେଶର ସରକାରଙ୍କ ପ୍ରତ୍ୟେକ ବିଭାଗ ବା ଅନୁଷ୍ଠାନ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ କାର୍ଯ୍ୟକ୍ରମ ବା ଯୋଜନାମାନ ପ୍ରସ୍ତୁତ କରିବା ଉଚିତ । ଏଥିପାଇଁ ମଧ୍ୟ କେନ୍ଦ୍ର ଏବଂ ରାଜ୍ୟ ସ୍ତରର ସଂସ୍ଥାମାନେ ସେମାନଙ୍କ ମଧ୍ୟରେ ଉପଯୁକ୍ତ ସଂଯୋଜନା ରଖିବାର ଆବଶ୍ୟକତା ରହିଛି ।
ଅଧିକାଂଶ ସରକାରୀ ସଂସ୍ଥା ଭାବନ୍ତି ଯେ ବିପର୍ଯ୍ୟୟ ଏବଂ ଜଳବାୟୁ ପ୍ରତିରୋଧୀ ପ୍ରସଙ୍ଗଗୁଡ଼ିକର ସମାଧାନ ବିପର୍ଯ୍ୟୟ ବିଭାଗ ବା ବନ ଓ ପରିବେଶ ବିଭାଗ କରିବ । ପ୍ରତି ଦେଶର ସରକାରଙ୍କ କ୍ଷେତ୍ରରେ ଊଣା ଅଧିକେ ସମାନ ଅବସ୍ଥା ଦେଖିବାକୁ ମିଳିଥାଏ । ଜଳବାୟୁ ପରିବର୍ଭନଜନିତ ବିପଦର ମୁକାବିଲା ସେମାନଙ୍କର ସମସ୍ତ ବିଭାଗ ପାଇଁ ଅନିବାର୍ଯ୍ୟ ହୋଇ ନଥାଏ । ବିପର୍ଯ୍ୟୟଗୁଡ଼ିକ ଜନ ଗୋଷ୍ଠୀଙ୍କ ଉପରେ ସାମାଜିକ ଓ ମନସ୍ତାତ୍ତ୍ଵିକ ପ୍ରଭାବ ପକାଇବା ବ୍ୟତୀତ ଜାତୀୟ ଅର୍ଥନୀତିରେ ଅସ୍ଥିରତା ସୃଷ୍ଟି କରିଥାଏ, ସରକାରୀ ଅର୍ଥ ବ୍ୟବସ୍ଥା ଉପରେ ଅଧିକ ବୋଝ ଲଦି ଦେଇଥାଏ, ଦାରିଦ୍ର୍ୟ ଏବଂ ଅସମାନତାକୁ ଗଭୀର କରିଥାଏ ଏବଂ ଦୀର୍ଘକାଳୀନ ବିକାଶ ଲାଭଗୁଡ଼ିକ କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି କରିଥାଏ ।
ବର୍ତ୍ତମାନ ସମୟରେ ପାଣିପାଗ ସମ୍ବନ୍ଧିତ ଘଟଣାମାନ ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଛି, ଯଥା ଅଂଶୁଘାତ, ଝଡ଼ବାତ୍ୟା ଇତ୍ୟାଦି । ଏଥି ସହିତ ପ୍ରଦୂଷଣ, ବିଶେଷକରି ସହରାଞ୍ଚଳମାନଙ୍କରେ ଏହାର ପରିମାଣ ଢେର ଅଧିକ । ତେଣୁ ଜଳବାୟୁ ସଚେତନ ହେବା ଏବେ କେବଳ କେତେକ ବିଭାଗ ବା ସରକାରଙ୍କ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ, ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ସଚେତନ ରହି ସୁସ୍ଥ ବାତାବରଣ ସୃଷ୍ଟି ଦିଗରେ କାମ କରିବା ଉଚିତ ।
ଅପରପକ୍ଷରେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକୁ କେବଳ କୌଣସି ଗୋଟିଏ ବା ଦୁଇଟି ଦେଶ ଭୋଗ କରୁ ନାହାଁନ୍ତି କିମ୍ବା ଏହା କିଛି ସଂଖ୍ୟକ ଦେଶଙ୍କ ଭିତରେ ସୀମିତ ନୁହେଁ । ଏଥିପାଇଁ ବିଶ୍ୱର ସବୁ ରାଷ୍ଟ୍ର ଆଗେଇ ଆସିବା ସଙ୍ଗେ ସଙ୍ଗେ ସମସ୍ତେ ନିଜ ନିଜର ଅବଦାନ ରଖିବା ଅନିବାର୍ଯ୍ୟ ।
ଦୀର୍ଘ ବର୍ଷ ହେବ ଏ ବାବଦରେ ଦେଶମାନଙ୍କ ମଧ୍ୟରେ ଆଲୋଚନା ଏବଂ କାର୍ଯ୍ୟାନୁଷ୍ଠାନ ଚାଲୁ ରହିଥିଲେ ସୁଦ୍ଧା ଏହି କାର୍ଯ୍ୟ ଯେତେ ଦ୍ରୁତ ଗତିରେ କରାଯିବାର ଆବଶ୍ୟକତା ରହିଛି, ସେତିକି ଅନେକଗୁଡ଼ିଏ କାରଣରୁ ହୋଇପାରୁ ନାହିଁ । ଉଦାହରଣ ସ୍ଵରୂପ, ବନ୍ ଅଦ୍ଧବାର୍ଷିକ ସମ୍ମିଳନୀର ପ୍ରଥମ ଦିନରେ ବିକଶିତ ରାଷ୍ଟ୍ରମାନଙ୍କ ସହିତ ଏଇ ପ୍ରସଙ୍ଗରେ ଉଚ୍ଚବାଚ ହେବା । ଏହାର କାରଣ, ପ୍ୟାରିସ୍ ରାଜିନାମାର ଅନୁଚ୍ଛେଦ ୯.୧ ଅଧୀନରେ ଜଳବାୟୁ ପାଣ୍ଠି ସମ୍ପର୍କରେ ଆଲୋଚନା କରିବା ଏବଂ ଜଳବାୟୁ ଲକ୍ଷ୍ୟକୁ ମନରେ ରଖିଏକତରଫା ବାଣିଜ୍ୟିକ ପଦକ୍ଷେପ ନେବା ସମ୍ପର୍କିତ ଆଲୋଚନା ଭଳି ଦୁଇଗୋଟି ପ୍ରସଙ୍ଗକୁ ବାର୍ଷିକ ସମ୍ମିଳନୀର କାର୍ଯ୍ୟସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଦିଆ ଯାଇଥିବା ପ୍ରସ୍ତାବ ।
ସୂଚାଇ ଦିଆଯାଇପାରେ କି, ଡୋନାଲ୍ଡ ଟ୍ରମ୍ପଙ୍କ ଯୁକ୍ତରାଷ୍ଟ୍ର ଆମେରିକା ଏହି ଅଦ୍ଧବାର୍ଷିକ ସମ୍ମିଳନୀରେ ଅନୁପସ୍ଥିତ ରହିଥିଲା । ବିଶ୍ୱ ତାପାୟନକୁ ୧.୫ ଡିଗ୍ରୀ ସେଲସିୟସ୍ ମଧ୍ୟରେ ସୀମିତ ରଖିବାର ଲକ୍ଷ୍ୟ ପାଇଁ କୌଣସି ଅର୍ଥପୂର୍ଣ୍ଣ କାର୍ଯ୍ୟ କରାଯିବାର ଗତାୟନ ଆପାତତଃ ବନ୍ଦ ହୋଇଯିବାର ସମ୍ଭାବନା ଦେଖା ଦେଇଛି ।
ବିଶ୍ଵରେ ସହମତି ସୃଷ୍ଟି କରିବା ପାଇଁ ବହୁମୁଖୀ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଉପରେ ଆସ୍ଥାର ପୁନରୁଦ୍ଧାର କରିବା ଆବଶ୍ୟକ କରେ ଏବଂ ଏହି ଦାୟିତ୍ଵ ଅଧିକ ପରିମାଣରେ ନିର୍ଭର କରେ ବିକଶିତ ଦେଶମାନଙ୍କ ଉପରେ । ସେମାନେ ଦର୍ଶାଇବାର ଆବଶ୍ୟକତା ରହିଛି ଯେ ଜଳବାୟୁ ପ୍ରସଙ୍ଗ ଉପରେ ସେମାନେ ଅନ୍ୟ ବିକଶିତ ଦେଶମାନଙ୍କ ସହିତ ମିଶି କାମ କରିବାକୁ ଇଚ୍ଛୁକ ଅଛନ୍ତି । ଏଥି ପାଇଁ ସେମାନେ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଦାୟିତ୍ୱରୁ ଆମେରିକାର ଓହରି ଯିବା ଯୋଗୁଁ ଯେଉଁ କ୍ଷତି ହୋଇଛି, ତାକୁ ଭରଣା କରିବା ସଙ୍ଗେ ସଙ୍ଗେ ଅତୀତରେ ସେମାନେ ସହମତି ପ୍ରକାଶ କରିଥିବା ରିହାତିଗୁଡ଼ିକ ଅପେକ୍ଷା ଅଧିକ ରିହାତି ପ୍ରଦାନ କରି ବିକାଶୋନ୍ମୁଖୀ ରାଷ୍ଟ୍ରମାନଙ୍କ ସହାୟତା କରିବାର ପ୍ରତିବଦ୍ଧତା ପ୍ରଦର୍ଶନ କରିବା ଉଚିତ । ଆଉ ଏହା ପ୍ରଦର୍ଶନ କରିବା ନିମନ୍ତେ ଯେଉଁ ଗୋଟିଏ କ୍ଷେତ୍ର ରହିଛି, ତାହା ହେଉଛି – ଜଳବାୟୁ ପାଣ୍ଠି । ପାଣ୍ଠି ବିନା କୁହା ବଡ଼ ବଡ଼ ଅଭିଳଷିତ ଲକ୍ଷ୍ୟକୁ ହାସଲ କରିବା ପାଇଁ କାମକୁ ଚାଲୁ ରଖୁବା ତ ଦୂରର କଥା, ପ୍ରାଥମିକ ଜଳବାୟୁ ପରିବର୍ତ୍ତନ ପ୍ରତିରୋଧୀ କାର୍ଯ୍ୟ ମଧ୍ୟ କରିବା କଷ୍ଟ ।
ALSO READ https://purvapaksa.com/heavy-rain-warning-school-holiday-in-these-districts-today/
