ଆମେରିକା ପରେ ଚୀନ ବିଶ୍ୱର ଦ୍ୱିତୀୟ କ୍ଷମତାକେନ୍ଦ୍ର । ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ଶୁଳ୍କ ନିର୍ଦ୍ଧାରଣକୁ ନେଇ ଯେଉଁ ଅଘୋଷିତ ଯୁଦ୍ଧ ପରିବେଶ ସୃଷ୍ଟି କରିଛନ୍ତି ତାହାର ଖୋଲା ମୁକାବିଲା କେବଳ ଚୀନ କରିଛି । ଆମେରିକାର ଯେକୌଣସି ଆହ୍ୱାନର ସମ୍ମୁଖୀନ ହେବା ସକାଶେ ଚୀନ ପ୍ରସ୍ତୁତ । ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପ୍ରଭାବୀ ଭୂମିକାକୁ ଅସ୍ୱୀକାର କରି ହେବନି । ଏପରିକି ଆମେରିକୀୟ ଡଲାରର ଥିବା ବିଶ୍ୱବ୍ୟାପୀ ପ୍ରଧାନ୍ୟକୁ ଖର୍ବ କରିବା ସକାଶେ ବ୍ରିକ୍ସ ସମ୍ମିଳନୀ ମାଧ୍ୟମରେ ଜିନପିଙ୍ଗଙ୍କ ସମାନ୍ତରାଳ ମୁଦ୍ରା ପ୍ରଚଳନ ପ୍ରସ୍ତାବ ଟ୍ରମ୍ପକୁ ବିବ୍ରତ କରିଛି । ଏଥରୁ ସୃଷ୍ଟ ଅନୁମେୟ ଯେ ଆମେରିକାର ନାଟୋ ସାମରିକ ମେଣ୍ଟ ଭଳି ଚୀନ ମଧ୍ୟ ନିଜର ଆର୍ଥିକ ଦମ୍ଭ ଓ ସାମରିକ ଶକ୍ତି ବଳରେ ଆହ୍ୱାନ ଦେଲା ଭଳି ସାମର୍ଥ୍ୟ ଏକଜୁଟ କରିବାକୁ ସମର୍ଥ ହୋଇଛି ।
ବ୍ରିକ୍ସ ସଂଗଠନର ପ୍ରମୁଖ ପୁରୋଧା ହେଉଛି ଚୀନ । ତେବେ ନିକଟରେ ବ୍ରାଜିଲରେ ଅନୁଷ୍ଠିତ ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅନୁପସ୍ଥିତି ସମସ୍ତଙ୍କୁ ଚକିତ କରିଥିଲା । ଗତ ୧୨ ବର୍ଷ ମଧ୍ୟରେ ଏହା ହିଁ ଥିଲା ସବୁଠାରୁ ବିରଳ ଘଟଣା । ଏହି ଅନୁପସ୍ଥିତି ବିଭିନ୍ନ ମହଲକୁ ଚର୍ଚ୍ଚାର ଖୋରାକ୍ ଯୋଗାଇଛି ।
ଗତ ମେ’ ମାସର ଦ୍ଵିତୀୟ ଭାଗରୁ ସାଧାରଣ ଜୀବନରେ ତାଙ୍କର ଅନୁପସ୍ଥିତି ପରିଲକ୍ଷିତ ହୋଇଛି । ଏମିତିରେ ଚୀନର ଆଭ୍ୟନ୍ତରୀଣ ପରିସ୍ଥିତି, ଏପରିକି କୌଣସି ବଡ଼ ଘଟଣା ଖୁବ୍ କ୍ଵଚିତ ସାଧାରଣରେ ପ୍ରକାଶ ପାଇଥାଏ । ସମସ୍ତ ତଥ୍ୟ ସରକାର କଟକଣାକୁ ଅତିକ୍ରମ କରି ପ୍ରକାଶ ପାଇବା ସମ୍ଭବ ନୁହେଁ । ଯାଞ୍ଚ ଓ ସରକାରୀ ସ୍ୱୀକୃତି ପରେ ଯାହା ପ୍ରକାଶ ପାଏ ତାହା ଯେ ପ୍ରକୃତ ଚିତ୍ର ଏକଥା ଜୋରଦେଇ କହିହେବନି । ତେଣୁ ଜିନପିଙ୍ଗ ଏବେ କେଉଁ ଅବସ୍ଥାରେ ଅଛନ୍ତି ତାହାର ସ୍ପଷ୍ଟଚିତ୍ର ଏଯାବତ ମିଳିନାହିଁ ସେ ଗୁରୁତର ଅସୁସ୍ଥ ନା ଗୃହବନ୍ଦୀ ଅବସ୍ଥାରେ ତାହା ମଧ୍ୟ ଜୋର ଦେଇ କହିହେବନି।
ସବୁଠାରୁ ଉଲ୍ଲେଖଯୋଗ୍ୟ ହେଲା, ଚୀନର ସରକାରୀ ଗଣମାଧ୍ୟମରେ ଯେଭଳି ପ୍ରାଧାନ ଦେଇ ପ୍ରକାଶ ପାଉଥିଲା, ଏବେ ତାହା ମଧ୍ୟ ଦୃଶ୍ୟମାନ ହେଉନାହିଁ । ତେଣୁ ଏହା ପଛରେ କିଛି ନା କିଛି ରହସ୍ୟ ନିଶ୍ଚୟ ଅଛି । ଏକଦଳୀୟ ଶାସନ ବ୍ୟବସ୍ଥାରେ କ୍ଷମତା କେନ୍ଦ୍ର ଯିଏ ହେଉନା କାହିଁକି ଯେତେବେଳେ ନେତୃତ୍ୱ ପରିବର୍ତ୍ତନର ଝଡ଼ ସୃଷ୍ଟି ହୁଏ ସେଥିରେ କେତେ କିଏ ଧରାଶାୟୀ ହୁଅନ୍ତି ତାହା ସାଧାରଣରେ ପ୍ରକାଶ ନ ପାଇଲେ ମଧ୍ୟ ତାହାରି ମଧ୍ୟରୁ ହଠାତ୍ ନୂଆ ନେତାଙ୍କ ଆବିର୍ଭାବ ହୁଏ ।
ଯେତେଦୂର ମନେହୁଏ ସେହି ପ୍ରକ୍ରିୟା ସଂପ୍ରତି ଚୀନରେ ଜାରି ରହିଛି । ଏଥିମଧ୍ୟରେ ଦୁଇଟି ଖବର ସାମ୍ନାକୁ ଆସିଛି । ହଠାତ୍ ରବିବାର ଦିନ ଜିନପିଙ୍ଗଙ୍କ ଚୀନ ଡିଜିଟାଲ ମିଡିଆରେ ଆବିର୍ଭାବ ଘଟିଛି । ସେ ତାଙ୍କର ସଂକ୍ଷିପ୍ତ ବକ୍ତବ୍ୟ ରଖୁଛନ୍ତି । ଅନ୍ୟ ଖବରଟି ହେଲା, ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ଲିଜ୍ବାଙ୍ଗଙ୍କୁ ଭେଟି ଆଲୋଚନା କରିବା ସକାଶେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଅଣ୍ଠୋନି ଆଲବାନିସ୍ ୬ ଦିନିଆ ଚାସ୍ତରେ ଆସିଛନ୍ତି । ସେ ନିବେଶ, ପର୍ଯ୍ୟଟନ ଓ ବାଣିଜ୍ୟ କାରବାର ସଂପର୍କରେ ଚୀନ ନେତ, ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ଚୀନର ଆଭ୍ୟନ୍ତରୀଣ ରାଜନୈତିଜ୍ଞ ପରିସ୍ଥିତି ଯାହା ହେଉନା କାହିଁକି ଏ ସଂପର୍କରେ କୂଟନୈତିକ ମହଲରେ ଯେଭଳି କୌଣ ଭୁଲ ବାର୍ତ୍ତା ନଯିବ ସେ ନେଇ କମ୍ୟୁନିଷ୍ଟ ପାର୍ଟି ଆବଶ୍ୟକତାଠାରୁ ଅଧିକ ସତର୍କ। ତେଣୁ ଆଲ୍ବାନିସ୍ ଓ ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନାର ଗତି ଓ ପ୍ରକୃତିରେ ନିଶ୍ଚ ସ୍ବାଭାବିକତା ରହିବ । କାରଣ ନେତୃତ୍ବ ବଦଳିଲେ ମଧ୍ୟ ନୀତି ଓ ଆଦର୍ଶ ପୂର୍ବ ଭଳି ଅତୁଟ ରହିବ। କାରଣ ଏଥିସହ ଚୀନର ବିପୁଳ ନିବେଶ ଓ ସାମରିକ ସହଯୋଗିତା ଯୋଡ଼ି ହୋଇ ରହିଛି। ଅଷ୍ଟ୍ରେଲିଆ ଓ ଚୀନ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ତଥା ବୁଝାମଣା ଏହି ଗସ୍ତ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ।
ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ମଧ୍ୟ ଜିପିଙ୍ଗ ଭେଟିଛନ୍ତି। ଏହା ଏକ ବିରଳ ପଦବାଚ୍ୟ ହୋଇପାରେ । କାରଣ ଜିନପିଙ୍ଗଙ୍କ ସ୍ୱଭାବ ଓ ମାନସିକତା ଯାହା ସେ ସବୁବେଳେ ତାଙ୍କ ପ୍ରତିପକ୍ଷଙ୍କୁ ହିଁ ସାକ୍ଷାତ କରନ୍ତି । କୌଣସି ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା କରିବା ଜିନପିଙ୍ଗ୍ ଅନୁମତି ଦେବା ପଛରେ ଚୀନ୍ ବୋଧହୁଏ ଏହା ପ୍ରମାଣିତ କରିବାକୁ ଚାହୁଁଛି ସବୁକିଛି ଠିକ୍ ଅଛି ।
ଚୀନ ସାମରିକ ବାହିନୀ ଜିନପିଙ୍ଗଙ୍କ ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ତିନି ବାହିନ ପ୍ରମୁଖଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଥିବାରୁ ସେ ଦାୟିତ୍ୱ ଓ ନେତୃତ୍ୱ ପରିବର୍ତ୍ତନ କରିଥିବାର କୁହାଯାଉଛି । ଦୁର୍ନୀତି ଓ ଭ୍ରଷ୍ଟାଚାର ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଚୀନର ଏକ ସ୍ୱଭାବିକ ବ୍ୟାପାର ।
ଖବରରୁ ପ୍ରକାଶ ଯେ ନୌବାହିନୀ ପ୍ରମୁଖ ଓ ଜ ବରିଷ୍ଠ ପରମାଣୁ ବୈଜ୍ଞାନିକଙ୍କୁ ମଧ୍ୟ ଦାୟିତ୍ୱରୁ ଅନ୍ତର କରାଯାଇଛି। ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ପ୍ରଘଟ ଅଭିଯୋଗ ସେମାନଙ୍କ ବିରୋଧରେ ରହିଛି। ଏବେ କମ୍ୟୁନିଷ୍ଟ ପାର୍ଟିର କ୍ଷମତା କେନ୍ଦ୍ର ପକ୍ଷରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ରୋକିବା ପାଇଁ ଦଣ୍ଡବିଧାନ ଶେଷ କଥା ନୁହେଁ ବରଂ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦିଆଯାଇଛି । ପରିସ୍ଥିତି କ୍ରମେ ଭିନ୍ନ ମୋଡ ନେଇଥିବାରୁ ଜିନପିଙ୍ଗ ଦଳର ପ୍ରମୁଖ ସଂଗଠନ ସହ ଆଲୋଚନା କରି କ୍ଷମତା ଆବଣ୍ଟନ କରିଥିବାର ଶୁଣାଯାଉଛି । ଯଦିବା ଏହ ସତ ହୋଇଥାଏ ତେବେ ଚୀନରେ ନେଇ ପରିବର୍ତ୍ତନ ଅବଶ୍ୟମ୍ଭାବୀ ।
ଫାଶୀଦଣ୍ଡ ବିରୋଧରେ ବିଶ୍ୱବ୍ୟାପୀ ଜନମତ ପ୍ରକ ପାଇଥିବାବେଳେ ଚୀନରେ ଏପ୍ରକାର ଦଣ୍ଡବିଧାନ ସର୍ବାଧିକ । ଏକ ରିପୋର୍ଟରୁ ପ୍ରକାଶ ଯେ ୨୦୨୩ ରେ କେବଳ ଚୀନରେ ୧୦୦୦ ଲୋକଙ୍କୁ ଫାଶୀ ଦିଆଯାଇଛି । ଚୀନରେ ନେତୃତ୍ୱ ପରିବର୍ତ୍ତନ ହେଉ ବା ନହେଉ ପାକିସ୍ତାନ ପ୍ରତି ବେଜିଂର ସଂପର୍କ ପୂର୍ବଭଳି ଅତୁଟ ରହିବ । କାରଣ ଚୀନର ମହତ୍ୱାକାଂକ୍ଷୀ ନିବେଶର ଭବିଷ୍ୟତ ପ୍ରତି କୌଣସି ପରିସ୍ଥିତିରେ ଆଖି ବୁଜି ଦିଆଯାଇପାରିବ ନାହିଁ । ଦକ୍ଷିଣ ଏସିଆ କୂଟନୀତିରେ ପାକିସ୍ଥାନ ଏକ ପ୍ରମୁଖ ଅଂଶୀଦାରର ମର୍ଯ୍ୟାଦା ହାସଲ କରିସାରିଛି । ପହଲଗାମ ଆତଙ୍କବାଦୀ ଘଟଣା ନିନ୍ଦା ପ୍ରସ୍ତାବ ଗ୍ରହଣ କରାଯାଇଥିଲେ ମଧ୍ୟ ଏଥିରେ ପାକିସ୍ତାନର ସମ୍ପୃକ୍ତିକୁ ଉଦ୍ଦେଶ୍ୟମୂଳକ ଭାବେ ବାଦ ଦିଆଯାଇଛି। ତେଣୁ ଜିନପିଙ୍ଗ କ୍ଷମତାରେ ରହନ୍ତୁ କି ନରହନ୍ତୁ ଭାରତ ପାଇଁ କିଛି ଫରକ ପଡ଼ିବ ନାହିଁ ।
ALSO READ https://purvapaksa.com/rmrc-bhubaneswar-develops-advanced-malaria-vaccine/
