ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ପୂର୍ବରୁ ଚୀନ ସହ ଗତ ପାଞ୍ଚ ବର୍ଷ ଧରି ଥିବା ତିକ୍ତ ସଂପର୍କକୁ ସହଜ ଓ ସାବଲୀଳ କରିବା ପାଇଁ ଭାରତ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ପ୍ରଥମ ପଦପେକ୍ଷ ସ୍ଵରୂପ ଜୁଲାଇ ୨୪ରୁ ଚୀନ ନାଗରିକଙ୍କୁ ପର୍ଯ୍ୟଟନ ଭିସା ଦେବା ସକାଶେ ରାଜି ହୋଇଛି ଭାରତ । ଏହା ଫଳରେ ଦୁଇ ଦେଶର ନାଗରିକଙ୍କ ମଧ୍ୟରେ ସଂପର୍କ ଓ ସହଯୋଗ ପ୍ରତିଷ୍ଠା ହୋଇପାରିବ । ଗଲୱାନ ଉତ୍ତେଜନା ଓ କୋଭିତ ମହାମାରୀ ପ୍ରେକ୍ଷାପଟରେ ଏହି ସଂପର୍କ ଏକପ୍ରକାର ତୁଟି ଯାଇଥିଲା ।
ନିକଟରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବେଜିଂ ଗସ୍ତରେ ଯାଇ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କରିଥିବା ଆଲୋଚନା ଏ ଦିଗରେ ପଥ ପରିଷ୍କାର କରିଛି। ଦ୍ୱିପାକ୍ଷିକ ସଂପର୍କର ଭିତ୍ତିଭୂମି ଗତ ଅକ୍ଟୋବରରେ ଜିନପିଙ୍ଗ ଓ ମୋଦୀଙ୍କ ମସ୍କୋ ବୈଠକରେ ପଡ଼ିଥିଲେ ମଧ୍ୟ ଅପରେସନ ସିନ୍ଦୂର’ରେ ଚୀନର ଭୂମିକା କ୍ଷେତ୍ରପ୍ରସ୍ତୁତିରେ ବାଧକ ସାଜିଥିଲା । ତେବେ ପରିବର୍ତ୍ତୀତ କୂଟନୈତିକ ଦୃଶ୍ୟପଟ୍ଟ ଦୁଇପକ୍ଷଙ୍କୁ ପୁନର୍ବିଚାର କରିବାର ସୁଯୋଗ ଆଣିଦେଇଛି । ଏଥିସହ କୈଳାସ ମାନସରୋବର ଯାତ୍ରା ସକାଶେ ମଧ୍ୟ ପଥ ପରିଷ୍କାର ହୋଇଛି।
ଏକଥା ସତ ଯେ ସୋଭିଏତ ରୁଷ ବିଭାଜନ ପରେ ଆମେରିକାର ପ୍ରତିପତ୍ତି ଓ ପଇଁତରା ବଢ଼ିଛି । ପୂର୍ବ ୟୁରୋପର କମ୍ୟୁନିଷ୍ଟ ଦୁର୍ଗର ପତନ ଘଟିଛି । ଅଧିକାଂଶ ବିଭାଜିତ ରାଷ୍ଟ୍ର ନାଟୋ ମେଣ୍ଟରେ ଅଂଶୀଦାର ହୋଇଛନ୍ତି, ଯାହାର ପରିଣାମ ଓ କ୍ଷତି ହେଉଛି ରୁଷ ଯୁକ୍ରେନ ଯୁଦ୍ଧ । ରୁଷର ଦୁର୍ବଳ ଅର୍ଥନୀତି ପୁତିନଙ୍କ ନେତୃତ୍ବରେ ସବଳ ହୋଇଛି । ସର୍ବଶକ୍ତିମାନ ଆମେରିକା ପାଇଁ ଆହ୍ୱନ ସୃଷ୍ଟି କରିପାରି ନଥିଲେ ମଧ୍ୟ ଚୁଷ ନିଜର ସ୍ଥିତି ଜାହିର କରିବାକୁ ସମର୍ଥ ହୋଇଛି ।
ଆମେରିକାରେ ଟ୍ରମ୍ପଙ୍କ ପରିବର୍ତ୍ତିତ ନେତୃତ୍ୱ ନିଜର ବାଣିଜ୍ୟ ନୀତି ମାଧମରେ ସମଗ୍ର ବିଶ୍ୱ ପାଇଁ ଆହ୍ୱାନ ସୃଷ୍ଟି କରିଥିବା ବେଳେ ପରିସ୍ଥିତିକୁ ସମ୍ମୁଖୀନ ହେବା ପାଇଁ ବିକଳ୍ପ କ୍ଷମତା କେନ୍ଦ୍ରର ଆବଶ୍ୟକତା ରହିଛି। ଏସବୁ ସତ୍ତ୍ଵେ ଚୀନର ମୁକାବିଲାମୂଳକ ଆଭିମୁଖ୍ୟ ନିକଟରେ ଆମେରିକା ନିଜ ବଜାରର ଚାହିଦା ଦୃଷ୍ଟିରୁ କେତେକାଂଶରେ ସାଲିସ କରିବାକୁ ବାଧ୍ୟ ହୋଇଛି ।
ଆମେରିକା ପଛକୁ ଚୀନ ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତି ହୋଇଥିଲେ ହେଁ ନିଜର ବାଣିଜ୍ୟିକ ସ୍ବାର୍ଥରକ୍ଷା ପାଇଁ ମାର୍କିନ ବଜାର ଉପରେ ନିର୍ଭରଶୀଳତାକୁ ଅଣଦେଖା କରିପାରିବ ନାହିଁ । ଉଭୟ ସାମରିକ ଓ ବୈଷୟିକ ଜ୍ଞାନକୌଶଳ ହାସଲ କରିବାରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ଚୀନ ଯେ ଅନ୍ୟତମ ଶକ୍ତି ଏକଥା ସ୍ଵୀକାର କରିବାକୁ ହେବ।
ରୁଷ ଓ ଚୀନ ସଂପର୍କ ଆମେରିକା ପାଇଁ ଚିନ୍ତା ଓ ଉଦ୍ବେଗର କାରଣ ହୋଇଛି । ପୁତିନଙ୍କ ପକ୍ଷରୁ ତୁଷ-ଭାରତ-ଚୀନ (ଆଇଆଇସି) ସଂପର୍କ ଓ ସହଯୋଗ ପ୍ରତିଷ୍ଠା ସକାଶେ ଆରମ୍ଭ ହୋଇଥିବା ଉଦ୍ୟମରେ ଚୀନର ବିସ୍ତାରବାଦୀ ଆଭିମୁଖ୍ୟ ବାଧକ ସାଜିଛି । ଅଗଷ୍ଟ ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସଂଘାଇ ସହଯୋଗ ସଂଗଠନର ଶିଖର ସମ୍ମିଳନୀ ପୂର୍ବରୁ ଭାରତ ଓ ଚୀନ ମଧ୍ୟରେ ଆରମ୍ଭ ହୋଇଥିବା ଭିସା ରାଜନୀତି ସ୍ଵାଭାବିକ ସଂପର୍କ ପାଇଁ ପଥ ପରିଷ୍କାର କରିବ ବୋଲି ଆଶା କରାଯାଉଛି ।
ଚୀନ ପଞ୍ଚମଥର ପାଇଁ ସଂ।ଘାଇ ସହଯୋଗ ସଂଗଠନ ସମ୍ମିଳନୀ ଆୟୋଜନ କରୁଛି । ୯ଟି ରାଷ୍ଟ୍ରକୁ ନେଇ ଗଠିତ ଏହି ସଂଗଠନରେ ତୁଷ, ଚୀନ, ଭାରତ, ପାକିସ୍ତାନ ଓ ଇରାନ ସଦସ୍ୟ ଥିବାରୁ ଏହାର ସ୍ୱତନ୍ତ୍ର କୂଟନୈତିକ ଗୁରୁତ୍ବ ରହିଛି । ଆମେରିକାର ତୁଷ ଓ ଇରାନ୍ ବିରୋଧୀ ଆଜିମୁଖ୍ୟକୁ ଆହ୍ୱାନ ଦେଲା ଭଳି ଯଦି କୌଣସି ନିଷ୍ପତ୍ତି ସମ୍ମିଳନୀରେ ଗ୍ରହଣ କରାଯାଏ ତେବେ ଟ୍ରମ୍ପ ବ୍ରିକ୍ସ ଘୋଷଣାନାମା ଭଳି ଏକ୍ଷେତ୍ରରେ ବିଷୋଦଗାର କରିବା ଏକ ପ୍ରକାର ନିଶ୍ଚିତ ।
ଆମେରିକା ସହ ୟୁରୋପୀୟ ରାଷ୍ଟ୍ରସଂଘ ରୁଷ ସହ ବାଣିଜ୍ୟିକ ସଂପର୍କ ରକ୍ଷା ନ କରିବା ସକାଶେ ଯେଉଁ ଚେତାବନୀ ଦେଇଛି ତାହା ବିରୋଧରେ ଭାରତ ଓ ବ୍ରାଜିଲ ସ୍ପଷ୍ଟ ମତ ରଖିଛନ୍ତି ।ଯେତେଦୂର ମନେ ହୁଏ ସଂ।ଘାଇ ସହଯୋଗ ସମ୍ମିଳନୀରେ ସେନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇପାରେ ।
ଦକ୍ଷିଣ ଏସିଆରେ ଭାରତ ନିଜର ଶକ୍ତି ଓ ସାମର୍ଥ୍ୟ ‘ଅପରେସଲ ସିନ୍ଦୂର’ ମାଧ୍ୟମରେ ପ୍ରଦର୍ଶନ କରିସାରିଛି । ତେଣୁ ଏଭଳି ଏକ ମହାମେଣ୍ଟ ସଂରଚନା ପାଇଁ ଯେଉଁ ସୁଯୋଗ ସୃଷ୍ଟି ହୋଇଛି ସେଥୁରେ ଟ୍ରମ୍ପ ଭାରତ ବିରୋଧୀ ଆଭିମୁଖ୍ୟ ବଦାଳାଇବା ପାଇଁ ବାଧ୍ୟ ହେବେ । ପାକିସ୍ତାନକୁ ଯୁଦ୍ଧ ବେଳେ ତୁର୍କୀ ଓ ଚୀନ ଉଭୟ ସହାୟତା ଦେଇଥିଲେ । ଭାରତ ନିଜର ବୃହତ୍ତର ସ୍ୱାର୍ଥରକ୍ଷା ପାଇଁ ବେଜିଂ ସଂପୃକ୍ତି ନେଇ ନିରବ ରହିଛି ।
ଗଲୱାନ ଉତ୍ତେଜନା ପରେ ପରେ ଏଇଏସିକୁ ନେଇ ବୁଝାମଣା ଓ ସୈନ୍ୟ ପ୍ରତ୍ୟାହାର ପରେ ଭାରତ ଓ ଚୀନ ମଧ୍ୟରେ ସ୍ୱାଭାବିକ ସଂପର୍କ ପ୍ରତିଷ୍ଠା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିଲେ ହେଁ ଦୁଇ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଓ ବଙ୍ଗଳାଦେଶ ସହ ବେଜିଂର ଆଭିମୁଖ୍ୟ ସଭାବନା ପ୍ରତିଷ୍ଠାରେ ପ୍ରତିବନ୍ଧକ ସୃଷ୍ଟି କରିଛି । ଚିଦ୍ଦତ ସ୍ଵୟଂଶାସିତ ଅଞ୍ଚଳରେ ଚୀନ ଏଥିମଧରେ ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ଭାରତ ଓ ଭୁଟାନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ବ୍ରହ୍ମପୁତ୍ର ନଦୀରେ ନିର୍ମାଣାଧୀନ ଏହି ନଦୀ ଯୋଜନା ମାଧ୍ୟମରେ ଚୀନ ନିଜ ଦେଶର ୩୦ଟି ସହରକୁ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍ ଯୋଗାଇବାକୁ ସମର୍ଥ ହେବ । ବ୍ରହ୍ମପୁତ୍ରର ଉପରମୁଣ୍ଡରେ ନଦୀଜଳକୁ ନିୟନ୍ତ୍ରଣ କରାଗଲେ ତଳମୁଣ୍ଡରେ ଜଳ ସଂକଟ ସୃଷ୍ଟି ହେବା ଏକ ପ୍ରକାର ନିଶ୍ଚିତ ।
ଭାରତର ଉତ୍ତର ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟବାସୀଙ୍କୁ ବ୍ରହ୍ମପୁତ୍ର ନଦୀଜଳ ଉପରେ ନିର୍ଭରଶୀଳତାକୁ ବିଚାର କଲେ ଯେ ଆଗାମୀ ଦିନରେ ଏହାକୁ ଜଳବୋମା ରୂପେ ପ୍ରୟୋଗ ନ କରିବ ଏକଥା କିଏ କହିବ? ଭାରତର ଆପତ୍ତି ଓ ଚୀନର ପ୍ରତିଶ୍ରୁତି ଶେଷକଥା ନୁହେଁ । ୧୬୦ ବିଲିୟନ ଡଲାର ବ୍ୟୟ ନିର୍ମାଣାଧୀନ ଏହି ଜଳ ପ୍ରକଳ୍ପର ଭବିଷ୍ୟତ ନେଇ ଚିନ୍ତା କଲେ ଆମେ ଯେଉଁ ସଂପର୍କର ସେତୁ ବାନ୍ଧୁଛେ ତାହାର ସୀମିତତା ବାରି ହୋଇପଡୁଛି ।
ଚୀନ ଭାରତ ଭାଇ ସଂପର୍କ ୧୯୬୨ ଆକ୍ରମଣରେ ଉଜୁଡି ପଡ଼ିଥିଲା । ଦୁଇ ପଡୋଶୀ ରାଷ୍ଟ୍ରମଧରେ ଦୀର୍ଘ ବର୍ଷ ଧରି ସ୍ୱାଭାବିକ ସଂପର୍କ ପ୍ରତିଷ୍ଠା ହୋଇପାରିନଥିଲା । ନବେ ଦଶକରେ ଏହି ତିକ୍ତତା ଦୂର ହେବା ସହ ବାଣିଜ୍ୟିକ ସଂପର୍କ ମଧ୍ୟ ସୁଦୃଢ଼ ହୋଇଥିଲା। ଏହା ସତ୍ତ୍ୱେ ଭାରତର ପ୍ରଗତି ଓ ସମୃଦ୍ଧି ଚୀନ ପାଇଁ ଅସହଣୀୟ। ଶକ୍ତି ଓ ସାମର୍ଥ୍ୟ ଦୃଷ୍ଟିରୁ ଆମେ ଚୀନର ପ୍ରତିଦ୍ୱନ୍ଦୀ ହୋଇନଥିଲେ ମଧ୍ୟ ବିଶ୍ୱର ଚତୁର୍ଥ ଅର୍ଥନୀତି ଭାବେ ଦକ୍ଷିଣ ଏସିୟ ଭାରତର ଯେ ପତିଆରା ଓ ପଇଁତରା ରହିଛି ତାହାକୁ ଅସ୍ୱୀକାର କରିହେବନି। ଯୋଜନାବଦ୍ଧ ଭାବେ ଆମର ପଡ଼ୋଶୀ ରାଷ୍ଟ୍ରଙ୍କୁ କୁଟିଳ କୂଟନୀତି ପ୍ରୟୋଗ କରି କଳ କରିରଖୁଛି ଚୀନ । ଭାରତକୁ ସଂପର୍କ ଯୋଡ଼ିଲା ବେଳେ ହାତେ ମାପି ଚାଖଣ୍ଡେ ଚାଲିଲ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡ଼ିବ।
ALSO READ https://purvapaksa.com/supreme-court-orders-to-prevent-student-suicides/
