ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ତୃଣମୂଳ ପ୍ରଶାସନର ଦୋଷ ଦୁର୍ବଳତାକୁ ପଦାରେ ପକାଇଛନ୍ତି। ବ୍ଲକ୍ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟରେ ସଂସ୍କାର ଆଣିବାକୁ ପରାମର୍ଶ ଦେଇଛନ୍ତି। ଯେଉଁ ବିଡିଓମାନେ ଜନପ୍ରତିନିଧିଙ୍କୁ ସମ୍ମାନ ଦେଉନାହାନ୍ତି ସେମାନେ ସୁଧୁରି ଯାଆନ୍ତୁ ବୋଲି ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ସରକାର କଥାରେ ନୁହେଁ କାମରେ ଗୁରୁତ୍ୱ ଦେଉଛନ୍ତି ଏଣୁ କରି ଦେଖାଇବା ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏଥିରେ ସାମିଲ ହେବାକୁ ବିଡିଓଙ୍କୁ ଆହ୍ୱାନ ଦେଇଛନ୍ତି।
ଆଜି ଭୁବନେଶ୍ୱରଠାରେ ବିଡିଓ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ମୁଁ ସିଧାସଳଖ ମୁଖ୍ୟମନ୍ତ୍ରୀ ହୋଇ ନାହିଁ। ସରପଞ୍ଚରୁ ନିର୍ବାଚିତ ହୋଇ ଆଜି ଏହି ପଦବୀରେ ପହଞ୍ଚିଛି। ମୁଁ ତୃଣମୂଳ ପ୍ରଶାସନର କଥା ଜାଣିଛି’। ଏଣୁ ବିଜେଡି ସରକାର ସମୟରେ ଯେମିତି କାର୍ଯ୍ୟ କରୁଥିଲେ ତାହାକୁ ଭୁଲି ଲୋକଙ୍କ ପାଇଁ କାମ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅନେକ ବିଧାୟକ ଆସି ବିଡିଓମାନେ ତାଙ୍କୁ ସହଯୋଗ କରୁନଥିବା ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି ‘ଜନ ପ୍ରତିନିଧି ଆସି ମୋତେ କହୁଛନ୍ତି, ତାଙ୍କୁ ବିଡିଓ ସମ୍ମାନ ଦେଉ ନାହାନ୍ତି। ବସିବାକୁ ଚେୟାରଟିଏ ଦେଉ ନାହାନ୍ତି’। ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଅଳ୍ପ କିଛି କ୍ଷେତ୍ରରେ ଏପରି ଘଟୁଥିବ।
ଆମ ସରକାରକୁ ୧୧ ମାସ ହେଲାଣି। ପ୍ରଥମ ୨-୩ ମାସ ପୂର୍ବ ସରକାର ତଥା ବିଜେଡି ସରକାର ସମୟ ଭଳି ପରିଚାଳିତ ହେବାଟା ସ୍ୱାଭାବିକ । ସେ ଢାଞ୍ଚା ଆଉ ନାହିଁ। ଏହା ବିଜଜେପି ସରକାର। ଏ ସରକାରରେ ଜନ ପ୍ରତିନିଧିଙ୍କୁ ସମ୍ମାନ ଦେବାକୁ ହେବ। ଆପଣମାନେ ଲୋକଙ୍କ କଥା ଶୁଣିବାକୁ ବସିଛନ୍ତି, ସେ ତ ଜନ ପ୍ରତିନିଧି ତାଙ୍କ କଥା କାହିଁକି ଶୁଣିବେ ନାହିଁ ବୋଲି ସେ କହିଛନ୍ତି। ସେମାନଙ୍କ କଥା ଶୁଣନ୍ତୁ ତାଙ୍କ କଥା ରଖନ୍ତୁ ବୋଲି କହିଛନ୍ତି।
‘ମୋର ସରଳତା- ଦୁର୍ବଳତା’ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସମସ୍ତଙ୍କ ରେକର୍ଡ ମୋ ପାଖରେ ରହିଛି। ଯେଉଁମାନେ ଭଲ ସେମାନେ ଭଲ ପାଇବେ ଏବଂ ଯେଉଁମାନେ ନୁହେଁ ତାଙ୍କୁ ଉଚିତ ଜବାବ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କୌଣସି ରାଜନୀତିକ ଚାପ ନୁହେଁ ଲୋକଙ୍କ ପାଇଁ କାମ କରିବାକୁ ସେ କହିଛନ୍ତି। ସରକାରଙ୍କ ଆଭିମୁଖ୍ୟକୁ ଆଗକୁ ନେବାକୁ ସେ କହିଛନ୍ତି।
ଏପରିକି ଏମ୍ଜିଏନ୍ଆର୍ଇଜିଏ ଅଧୀନରେ ମେସିନ ନୁହେଁ, ବରଂ ଠିକ୍ ଶ୍ରମିକଙ୍କ ଦ୍ୱାରା କରିବା ପାଇଁ ସେ କହିଛନ୍ତି।
ସାଧାରଣ ପ୍ରଶାସନ ବିଭାଗରେ କାର୍ଯ୍ୟ କରୁଥିବା ମନୋଜ କୁମାର ମହାନ୍ତିଙ୍କୁ ଜଣେ ଭଲ ଅଧିକାରୀ ଭାବେ କହିଛନ୍ତି ମୁଖ୍ୟମନ୍ତ୍ରୀ। ସେ ସରପଞ୍ଚ ଥିବାବେଳେ ମନୋଜ ବିଡିଓ ଥିଲେ ଏବଂ ସେ ତାଙ୍କ ସହ ଭଲ ଅନୁଭୂତି ରକ୍ଷା କରିଥିବା କହିଛନ୍ତି।
ଯେଉଁ ବ୍ଲକରେ କାମ ସମୀକ୍ଷା ହେଉ ନାହିଁ ବା ଆଗକୁ ବଢ଼ୁ ନାହିଁ ତେବେ ସେଥିପାଇଁ ବିଡିଓ ଦାୟୀ ରହିବେ। ପାଣି ପ୍ରକଳ୍ପ କେଉଁଠି ଅଟକିଲା ତାହାର ସମୀକ୍ଷା କରିଛନ୍ତି କି ନାହିଁ, ଜିଲ୍ଲାପାଳଙ୍କୁ ଜଣାଇଛନ୍ତି କି ନାହିଁ ତାହା ଉଲ୍ଲେଖ କରାଯିବ। ଯଦି ଆପଣ ଜିଲ୍ଲାପାଳଙ୍କୁ କହିନଥିବେ ତେବେ ଆପଣମାନେ ଦାୟୀ ରହିବେ।
ନୂଆ ସରକାର ଆସିବା ପରେ ଆପଣମାନେ ଏବେ କାମ ଆରମ୍ଭ କରିଛନ୍ତି ଏଣୁ ସମୟ ଆସିଛି କଥାରେ ନୁହେଁ ଆମେ କାମରେ ଦେଖାଇବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
Also readhttps://purvapaksa.com/arun-is-important-in-the-bjp-government/