ନେପାଳରେ ଘଟିଥିବା ସରକାର ବିରୋଧୀ ହିଂସା ବର୍ତ୍ତମାନ ଭାରତୀୟ ଉପମହାଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଜନତାଙ୍କ ଆକ୍ରୋଶରେ ଅତିଷ୍ଠ ହୋଇ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ଇସ୍ତଫା ଦେଇଥିବାବେଳେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିବା ସହ ପାର୍ଲାମେଣ୍ଟ, ସୁପ୍ରିମକୋର୍ଟରେ ନିଆଁ ଲଗାଇ ଦେଇଛନ୍ତି। ସେମାନଙ୍କ ଆକ୍ରମଣରେ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ପୋଡି ମାରି ଦିଆଯାଇଛି। ବିଗତ କିିଛି ବର୍ଷ ମଧ୍ୟରେ ଶ୍ରୀଲଙ୍କାଠାରୁ ଆରମ୍ଭ କରି ନେପାଳ ପର୍ଯ୍ୟନ୍ତ, ଭାରତର ଏକାଧିକ ପଡୋଶୀ ରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି। ୨୦୨୨ରେ ଦେଶର ବିପର୍ଯ୍ୟସ୍ତ ଅର୍ଥନୀତିକୁ ନେଇ ଶ୍ରୀଲଙ୍କାରେ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା।
ଖାଦ୍ୟଶସ୍ୟ, ଔଷଧପତ୍ର, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ବ୍ୟାପକ ଅଭାବ ସାଙ୍ଗକୁ ଅତ୍ୟଧିକ ମୂଲ୍ୟବୃଦ୍ଧି ଶ୍ରୀଲଙ୍କା ନାଗରିକଙ୍କ ଜୀବନଶୈଳୀକୁ ନର୍କରେ ପରିଣତ କରିଥିଲା। ଫଳରେ ସେମାନେ ରାଜରାସ୍ତାକୁ ଓହ୍ଲାଇ ଆସି ତତ୍କାଳୀନ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ଦମନ କରିବାକୁ ସରକାର ସେନାର ସହାୟତା ନେଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା। ପରିସ୍ଥିତି ଏତେ ଜଟିଳ ହୋଇପଡିଥିଲା ଯାହାଫଳରେ ରାଷ୍ଟ୍ରପତି ରାଜପକ୍ଷେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇ ଗୋପନରେ ସିଙ୍ଗାପୁର ପଳାୟନ କରିଥିଲେ। ତାଙ୍କ ଭାଇ ମହିନ୍ଦା ରାଜପକ୍ଷେଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଶ୍ରୀଲଙ୍କା ଜନସାଧାରଣ ରାଷ୍ଟ୍ରପତି ଭବନରେ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା ଓ ଲୁଟ୍ପାଟ କରିଥିଲେ। ରନିଲ ବିକ୍ରମସିଂଘେ ରାଷ୍ଟ୍ରପତି ନିଯୁକ୍ତ ହୋଇଥିଲେ ସୁଦ୍ଧା ଆକ୍ରୋଶରୁ ବର୍ତ୍ତିନଥିଲେ। ୨୦୨୪ ନିର୍ବାଚନରେ ଅନୁରା ଦିସାନାୟକେ ରାଷ୍ଟ୍ରପତି ନିର୍ବାଚିତ ହେବାପରେ ବର୍ତ୍ତମାନ ଶ୍ରୀଲଙ୍କାରେ ଶାନ୍ତି ଅବସ୍ଥା ଫେରିଆସିଛି।
୨୦୨୪ ଜୁଲାଇ-ଅଗଷ୍ଟରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବାଂଲାଦେଶରେ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା। ଏହା ଉତ୍କଟ ରୂପ ଧାରଣ କରିବାରୁ ଆୱାମୀ ଲିଗ୍ ନେତ୍ରୀ ଶେଖ ହସିନା ୨୦୨୪ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ପଳାଇ ଆସିଥିଲେ। ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ବର୍ତ୍ତମାନ ବାଂଲାଦେଶରେ ଅନ୍ତରୀଣ ସରକାର କାର୍ଯ୍ୟ କରୁଛି। ତେବେ ମୌଳବାଦୀ ସଂଗଠନଗୁଡିକ ସେଠାରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଛନ୍ତି। ହସିନାଙ୍କ ଶାସନକାଳରେ ନିଯୁକ୍ତି ପାଇଥିବା ମନ୍ତ୍ରୀ, ପ୍ରଶାସକଙ୍କୁ ପଦରୁ ହଟାଇ ଦିଆଯାଉଛି। ତେବେ ଖୁବଶୀଘ୍ର ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ୟୁନୁସ ଘୋଷଣା କରିସାରିଛନ୍ତି।
ଭାରତର ଅନ୍ୟତମ ପଡୋଶୀ ରାଷ୍ଟ୍ର ମ୍ୟାଁମାରରେ ୨୦୨୧ରୁ ରାଜନୈତିକ ଅସ୍ଥିରତା ଲାଗି ରହିଛି। ୨୦୨୧ ଫେବୃଆରୀ ୧ରେ ଅଙ୍ଗ ସାଙ୍ଗ୍ ସୁ-କୀଙ୍କ ଗଣତାନ୍ତ୍ରିକ ସରକାରକୁ ଗାଦିଚ୍ୟୁତ କରି ସେଠାରେ ପୁଣି ସାମରିକ ଶାସନ ଲାଗୁ କରାଯାଇଛି। ତେବେ ଏହାକୁ ବିରୋଧ କରି ସାଧାରଣ ଜନତା ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଏହା ହିଂସାର ରୂପ ଧାରଣ କରିଛି। ଏଥିରେ ଶତାଧିକ ଜନତା ଓ ସୈନ୍ୟଙ୍କ ପ୍ରାଣହାନି ଘଟିସାରିଲାଣି। ପୁନଶ୍ଚ ସେନା ଯବାନଙ୍କ ଆକ୍ରମଣରେ ଅତିଷ୍ଠ ହୋଇ ଲକ୍ଷାଧିକ ମ୍ୟାଁମାରବାସୀ ବାଂଲାଦେଶ ଓ ଭାରତ ପଳାଇ ଆସୁଥିବାରୁ ଏହା ଶରଣାର୍ଥୀ ସମସ୍ୟା ସୃଷ୍ଟି କରୁଛି।
ମାଳଦ୍ବୀପରେ ସରକାର ବଦଳିବା ପରେ ସେଠାେର ରାଜନୈତିକ ଅସ୍ଥିରତା ଦେଖାଦେଇଛି। ୨୦୨୩ରେ ଇବ୍ରାହିମ ମହମ୍ମଦ ସୋଲିଙ୍କୁ ପରାସ୍ତ କରି ମହମ୍ମଦ ମୁଇଜୁ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଛନ୍ତି। ତେବେ କ୍ଷମତାକୁ ଆସିବା ମାତ୍ରେ ମୁଇଜୁ ଭାରତ ବିରୋଧୀ ମନୋଭାବ ପୋଷଣ କରିଛନ୍ତି। ମାଳଦ୍ବୀପରୁ ଭାରତୀୟ ସେନା ପ୍ରତିଷ୍ଠାନ ହଟାଇବାକୁ ସେ ନିର୍ଦେଶ ଦେଇଛନ୍ତି। ମୁଇଜୁ ଚୀନ୍ର ଅଧିକ ନିକଟତର ହେଉଥିବାରୁ ଏହା ଭାରତକୁ ଚିନ୍ତାରେ ପକାଇଛି। ଅବଶ୍ୟ ଗତ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଳଦ୍ବୀପ ଗସ୍ତ କରିବାପରେ ଦ୍ବିପାକ୍ଷିକ ସମ୍ପର୍କରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇଛି।ଭାରତର ଚିର ଶତ୍ରୁ ପାକିସ୍ତାନ ମଧ୍ୟ ଏହି ଅବସ୍ଥାରୁ ମୁକୁଳି ପାରୁନାହିଁ। ୨୦୨୨ ଏପ୍ରିଲରେ ଅନାସ୍ଥା ଭୋଟ ଜରିଆରେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଆସନରୁ ବିଦା ହେବାପରେ ସେଠାରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି। ଇମ୍ରାନଙ୍କ ଦଳ ପିଟିଆଇ (ପାକିସ୍ତାନ ତେହେରିକ୍-ଇ-ଇନସାଫ) କର୍ମୀମାନେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବ୍ୟାପକ ପୋଡାଜଳା କରିଥିଲେ। ଇମ୍ରାନଙ୍କୁ ଏକାଧିକ ଅଭିଯୋଗରେ ଦୋଷୀସାବ୍ୟସ୍ତ କରାଯାଇ ଜେଲରେ ରଖାଯାଇଛି। ବର୍ତ୍ତମାନ ଶେହବାଜ ସରିଫଙ୍କ ସରକାର କ୍ଷମତାରେ ଥିଲେ ସୁଦ୍ଧା ପ୍ରକୃତ କ୍ଷମତା ସେନା ହାତରେ ରହିଛି। ସେନାଧ୍ୟକ୍ଷ ଫିଲ୍ଡ ମାର୍ଶାଲ ଅସୀମ ମୁନିର କଥାରେ ସରିଫ ପରିଚାଳିତ ହେଉଛନ୍ତି।
ପାକିସ୍ତାନରେ ତାଲିବାନ ଓ ବେଲୁଚିସ୍ତାନ ଆତଙ୍କବାଦୀମାନେ ବ୍ୟାପକ ନରସଂହାର ଚଳାଇଛନ୍ତି। ଦେଶର ଅର୍ଥନୀତି ଏକପ୍ରକାର ଭୁଶୁଡି ପଡିଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି। ପୁନଶ୍ଚ ପହଲଗାଓଁ ଆକ୍ରମଣ ଘଟଣାକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ସ୍ବଳ୍ପ ଦିନର ଯୁଦ୍ଧ ମଧ୍ୟ ଘଟିସାରିଛିି। ଭାରତ ପକ୍ଷରୁ ଏକାଧିକ କୂଟନୈତିକ କଟକଣା ଲାଗୁ କରାଯାଇଥିବାରୁ ପାକିସ୍ତାନ ଏକପ୍ରକାର ଅଣନିଃଶ୍ବାସୀ ହୋଇପଡିଛି।
Also Read https://purvapaksa.com/thousands-of-indians-stranded-amid-violent-protests-in-nepal/
