Sambalpur : ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ଓଡ଼ିଶା ହାଇକୋର୍ଟ ସବୁଜ ସଙ୍କେତ ଦେବାର ଗୋଟିଏ ଦିନ ପରେ ଗୁରୁବାର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସପି) ସୂଚନା ଦେଇଛନ୍ତି ଯେ ଏହି ପର୍ବ ସମୟରେ ସହରରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ।
ସମ୍ବଲପୁର ଏସପି ମୁକେଶ କୁମାର ଭାମୁ ଗଣମାଧ୍ୟମକୁ କହିଛନ୍ତି ଯେ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ସମୟରେ ଜିଲ୍ଲାରେ ସୀମା ସୁରକ୍ଷା ବଳ (ବିଏସଏଫ)ର ଦୁଇଟି କମ୍ପାନୀ ଏବଂ ରାପିଡ୍ ଆକ୍ସନ ଫୋର୍ସ (ଆରଏଏଫ)ର ଗୋଟିଏ କମ୍ପାନୀ ମୁତୟନ ହେବେ।
ଏଥିସହ ଶାନ୍ତିଶୃଙ୍ଖଳାର ସହ ଉତ୍ସବ ପାଳନ ପାଇଁ ୧୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ଏବଂ ପର୍ବପର୍ବାଣୀକୁ ସୁରକ୍ଷିତ ଭାବେ ପରିଚାଳନା କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।
ଚାଲିଛି ସିସିଟିଭି କ୍ୟାମେରା ଇନଷ୍ଟାଲମେଣ୍ଟ
ପରିସ୍ଥିତି ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ହାଇ ରିଜୋଲ୍ୟୁସନ ଏଆଇ କ୍ୟାମେରା ଲଗାଯାଉଛି। ଏହାବ୍ୟତୀତ ଅନ୍ଧାର ସ୍ଥାନରେ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି ବୋଲି ଭାମୁ କହିଛନ୍ତି।
ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ କୌଣସି ନକାରାତ୍ମକତା ନ ବ୍ୟାପି ଏହି ପର୍ବ ପାଳନ କରନ୍ତୁ। ଦୋଷୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ରହିବ ବୋଲି ଏସପି କହିଛନ୍ତି।
୨୦୨୩ରେ ସମ୍ବଲପୁର ହିଂସା:
୨୦୨୩ ମସିହାରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ସମୟରେ ବଡ଼ ଧରଣର ହିଂସାକାଣ୍ଡ ଘଟିଥିଲା, ଯେଉଁଥିରେ ସଂଘର୍ଷ ଘଟିଥିଲା ଏବଂ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହାପରେ ଆଇନଶୃଙ୍ଖଳା ଫେରାଇ ଆଣିବା ପାଇଁ କର୍ତ୍ତୃପକ୍ଷ କର୍ଫ୍ୟୁ ଲଗାଇବା ସହ ଇଣ୍ଟରନେଟ୍ ସେବା କୁ ବନ୍ଦ କରିଦେଇଥିଲେ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ସରକାରଙ୍କ ଜବାବ
ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ପ୍ରଶାସନ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ସୁରକ୍ଷା ବ୍ୟବସ୍ଥା ଓ ଗୁଇନ୍ଦା ସୂଚନାକୁ ମଧ୍ୟ ବିଚାରକୁ ନିଆଯାଇଛି।

