ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ପୁଣିଥରେ ରାଜ୍ୟ ରାଜନୀତିକୁ ଆକ୍ରାନ୍ତ କରିଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କ ଝିଅ ଓ ପତ୍ନୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କରିବା ପରେ ଏବେ ପୁଲିସ ଉପରେ ସନ୍ଦେହ ବଢ଼ିଛି। ରାଜ୍ୟର ପୁଲିସ ରାଜନୀତିକ ହାତବାରିସୀ ହୋଇ ସେତେବେଳେ ଜଣେ ନିର୍ଦ୍ଦୋଷଙ୍କୁ ଫସାଇ ଦେଇଥିଲା କି ବୋଲି ପ୍ରଶ୍ନ ଉଠିଛି। ଏହା ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡ ପଛରେ ବି ପୁଲିସ ତଦନ୍ତ ବାଟବଣା ହୋଇଥିବା ନେଇ ତାଙ୍କ ପରିବାର ସନ୍ଦେହ କରିଥିଲେ। ଏବେ ପ୍ରଶ୍ନ ଏ ସନ୍ଦେହକୁ ଉନ୍ମୋଚନ କରିବା ପାଇଁ ବଦଳିଥିବା ସରକାର କ’ଣ ପଦକ୍ଷେପ ଗ୍ରହଣ କରିପାରିବେ? ୨୪ ବର୍ଷର ସରକାର ସିନା ହଟିଛି କିନ୍ତୁ ବିଜେପି ଲବିରେ ସେ ଦଳର ପ୍ରଭାବ କମି ନାହିଁ। ଏଣୁ ଏପରି ପ୍ରଶ୍ନ ଓ ସନ୍ଦେହ କି ରୂପ ନେବ ତାହା ବି ଆଶଙ୍କିତ ହେବା ସ୍ୱାଭାବିକ।
ମମିତା ହତ୍ୟାକାଣ୍ଡ: ପୁଲିସ୍ ଏତଲା ଗ୍ରହଣ କରୁନଥିଲା
ଆଜିକୁ ପ୍ରାୟ ୪ ବର୍ଷ ତଳର କଥା। ସେଦିନ ୨୦୨୧ ମସିହାର ଅକ୍ଟୋବର ୮ ତାରିଖ ଥାଏ। କଳାହାହାଣ୍ଡିର ମହାଲିଙ୍ଗ ଇଂରାଜୀ ମାଧ୍ୟମ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିବା ମମିତା ମେହେର ବଲାଙ୍ଗୀରର ଝରଣୀ ଗାଁରୁ କଲେଜ ଅଧ୍ୟକ୍ଷଙ୍କୁ ଭେଟିବାକୁ ଆସିଥିଲେ। କିନ୍ତୁ ଆଉ ଘରକୁ ଫେରିଲେ ନାହିଁ। ରାତିସାରା ଅପେକ୍ଷା କରିବା ପରେ ଘର ଲୋକମାନେ ଖୋଜାଖୋଜି କରିବା ଲାଗି ଭବାନୀପାଟଣା ଆସିଥିଲେ। ସେଠାରେ ନିକଟସ୍ଥ ପୁଲିସ ଥାନା କେ ଗାଁରେ ଏତଲା ଦେଲେ କିନ୍ତୁ ତାହାକୁ କେ ଗାଁ ପୁଲିସ ଗ୍ରହଣ କଲା ନାହିଁ। ନିଜ ଜାଗାରେ ଏତଲା ଦିଅ ବୋଲି କହିଲା।
ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ
ଆଉ ସେଠାରୁ ବିଷାଦରେ ଫେରି ଅନେକ ଭାବିବା ପରେ ୧୩ ତାରିଖ ଦିନ ତାଙ୍କ ଏତଲା ଦେଲେ। ଆଉ ତାହା ଦାୟର ବି ହେଲା। ଯେହେତୁ କଲେଜ ପରିଚାଳନା କମିଟିର ଅଧ୍ୟ ଗୋବିନ୍ଦ ସାହୁଙ୍କ ସହ ସେ ଭବାନୀପାଟଣାରୁ କେ ଗାଁ ଯାଇଥିଲେ, ଏଣୁ ପୁଲିସ ତାଙ୍କୁ ପ୍ରାଥମିକ ଅଭିଯୁକ୍ତ ଭାବେ ଗ୍ରହଣ କରି ତାଙ୍କୁ ଅଟକ ରଖିଲେ। ୧୯ ତାରିଖଦିନ ପଡ଼ିଆରୁ ମମିତାଙ୍କ ମୃତ ଦେହର ଅବଶେଷ ମିଳିଲା। ଆଉ ପରିବାର ବର୍ଗଙ୍କ ଅଭିଯୋଗ ଏବଂ ଡିଏନ୍ଏ ବିଶ୍ଳେଷଣ ଆଧାରରେ ସେହି ଶରୀର ମମିତାଙ୍କର ବୋଲି ଜଣାପଡ଼ିଲା। ଏହାପରେ ପୁଲିସ ଗୋବିନ୍ଦଙ୍କୁ ଗିରଫ କଲା। ଆଉ ଏହାପରେ ତାଙ୍କୁ କଣ୍ଟାବାଞ୍ଝି ପଠାଇ ଦିଆଗଲା। ଗଲା ଡିସେମ୍ବର ୨୦ ତାରିଖରେ ସେ ଜେଲ ଭିତରେ ଝୁଲନ୍ତା ଅବସ୍ଥାରେ ମୃତ୍ୟୁର ଶିକାର ହେଲେ। ଏହାପରେ ମାମଲା ନରମି ଥିଲା। ପୁଲିସ ଯାହା କରୁଛି ତାହାକୁ ପରିବାର ଲୋକେ ଗ୍ରହଣ କରିବା ସ୍ଥିତିରେ ନ ଥିଲେ। ମମିତାଙ୍କ ବାପା ଓ ମା’ ଦୁହେଁ ପୁଲିସ ତଦନ୍ତ ଉପରେ ଆସ୍ଥା ରକ୍ଷା କରିନପାରି ସିବିଆଇ ତଦନ୍ତ ଦାବି କରୁଥିଲେ। ଏହି ମାମଲାରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହେଲା। କିନ୍ତୁ ଶାସନରେ ଥିବା ବିଜେଡି ତାହାକୁ ଚପାଇ ଦେବାରେ ସଫଳ ପରିଚାଳନା କରିଥିଲା।
ସିବିଆଇ ତଦନ୍ତ କଲେ ଗୋବିନ୍ଦଙ୍କ ପରିବାର
ଏବେ ସରକାର ବଦଳିଲା ପରେ ଗୋବିନ୍ଦ ସାହୁଙ୍କ ପରିବାର ଅର୍ଥାତ୍ ତାଙ୍କ ଝିଅ ଏବଂ ପତ୍ନୀ ଏହାକୁ ପୁଣିଥରେ ଉଜାଗର କରିବାକୁ ଚାହିଁଲେ। ବାପାଙ୍କ ପ୍ରତି ଅନ୍ୟାୟ ହୋଇଛି ଏବଂ ମମିତାଙ୍କ ବାପା ଯାହା ଚାହୁଁଥିଲେ ଯଦି ସେମିତି ତଦନ୍ତ ହୁଏ ତେବେ ପ୍ରକୃତ ଆସାମୀ ଧରାପଡ଼ିବେ ବୋଲି ଚିନ୍ତା କରି ପ୍ରଥମେ ନୂଆ ବିଧାୟକ ଲକ୍ଷ୍ମଣ ବାଗ୍ ଓ ରବିବାରଦିନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇ କଣ୍ଟାବାଞ୍ଝିର ବିଧାୟକ ହେବାପରେ ତାଙ୍କୁ ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ ଠିକଣା ହୋଇ ନାହିଁ ବୋଲି ଦର୍ଶାଇ ଏକ ସ୍ମାରକପତ୍ର ଦେଇଥିଲେ। ଆଉ ଏବେ ସମାନ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେଇ ସିବିଆଇ ତଦନ୍ତ ଦାବି କରିଛନ୍ତି। ଏହି ଦୁଇ ଘଟଣାରେ ପୂର୍ବତନ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଜଡ଼ିତ ବୋଲି ଅଭିଯୋଗ ଆଣିଛନ୍ତି।
ବିଜେପି ସରକାର କ’ଣ ବିଜେଡି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ?
ଏହା ପୂର୍ବରୁ ୨୦ ମାର୍ଚ୍ଚରେ ମଧ୍ୟ ସମାନ ଏକ ଅଭିଯୋଗ ରାଜ୍ୟ ରାଜନୀତିକୁ ଚହଲାଇଥିଲା। ତାହା ଥିଲା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ, ବ୍ୟବସାୟୀ ନବ ଦାସଙ୍କ ହତ୍ୟାକାଣ୍ଡ। ଏହି ହତ୍ୟାକାଣ୍ଡ ତାଙ୍କ ଅଙ୍ଗରକ୍ଷୀଙ୍କ ଦ୍ୱାରା ହୋଇଛି ବୋଲି କ୍ରାଇମବ୍ରାଞ୍ଚ ପ୍ରାୟତଃ ସ୍ପଷ୍ଟ କରିସାରିଛି। କିନ୍ତୁ ନା ନବଙ୍କ ପରିବାର ଏଥିରେ ଖୁସି ରହିଛି ନା ଅଭିଯୁକ୍ତ ଗୋପାଳ ଦାସଙ୍କ ପରିବାର। ତଥାପି ଗୋପାଳ ଆଜି ବନ୍ଦୀ। ଯେମିତି ଦିନେ ବନ୍ଦୀ ଥିଲେ ଗୋବିନ୍ଦ ସାହୁ। ନବ ଦାସଙ୍କ ହତ୍ୟାକାଣ୍ଡରେ ରାଜନୀତିକ ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ ହୁଏ। ଆଉ ସରକାର ବଦଳିବା ପରେ ଏହି ରହସ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ କ୍ଷମତାରେ ଥିବା ବିଜେପି କ’ଣ ବିଜେଡି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ?
କେନ୍ଦ୍ରରେ ବିଜେପି-ବିଜେଡି କୋଳାକୋଳି
ଯେଉଁ ଦୁଇ ରାଜନୀତିକ ଦଳ ପରସ୍ପରରର ବିରୋଧୀ ସେମାନେ ପରସ୍ପରର ଗୋଡ଼ ଟାଣିବାକୁ ଏମିତି ସୁଯୋଗକୁ ହାତଛଡ଼ା କରିବେ ନାହିଁ ବୋଲି ଆପଣମାନେ ଭାବି ପାରନ୍ତି। କିନ୍ତୁ ବିଜେପି-ବିଜେଡି ଭିତରେ ଯେଉଁ ସମ୍ପର୍କ ତାହାକୁ ଆପଣମାନେ ତିକ୍ତ ବୋଲି କହିନପାରନ୍ତି। ସେମାନେ ରାଜ୍ୟରେ ପରସ୍ପରର ବିରୋଧୀ ହୋଇଥିଲେ ବି କେନ୍ଦ୍ରରେ କୋଳାକୋଳି ପରିସ୍ଥିତିରେ ରହିଛନ୍ତି ବୋଲି ଚର୍ଚ୍ଚା ହୁଏ। ବିଜେପିର ଶୀର୍ଷ ନେତାମାନେ ନବୀନ ଓ ତାଙ୍କ ମୁଖ୍ୟ ସହଯୋଗୀ ପାଣ୍ଡିଆନ୍ଙ୍କ ପ୍ରଶଂସାରେ ସର୍ବାଦା ଶତମୁଖ ରହି ଆସିଛନ୍ତି। ଏପରିକି ନିର୍ବାଚନ ସମୟରେ ମଧ୍ୟ ବିଜେପି ନେତାମାନେ ନବୀନଙ୍କ ବିରୋଧରେ ଗୋଟିଏ ଶବ୍ଦ ବି କହନ୍ତି ନାହିଁ। ପୁଣି ଯେତେବେଳେ ବିଜେପିର ଯେ କୌଣସି ରାଜନୀତିକ ଆବଶ୍ୟକତା ରହିଛି ତାହାକୁ ବିଜେଡି ସମର୍ଥନ କରି ଆସିଛି। ଏଭଳି ପରିସ୍ଥିତିରେ ଏବେ କ୍ଷମତାରେ ନାହିଁ ବୋଲି ବିଜେଡିର ହାତକୁ କେବେ ବି ବିଜେପି ଛାଡ଼ି ପାରିବ ନାହିଁ ବୋଲି ଚର୍ଚ୍ଚାହୁଏ।
୬ମାସ ବିତିଯାଇଥିଲେ ନବ ଦାସ ହତ୍ୟାକାଣ୍ଡ ନଥି ଖୋଲୁନାହିଁ
ପରିବାରବର୍ଗଙ୍କ ଅଭିଯୋଗର ୬ ମାସ ବିତି ଯାଇଥିଲେ ବି ନବଦାସ ହତ୍ୟାକାଣ୍ଡର ନଥିକୁ ସରକାର ଖୋଲିବାକୁ ଚାହୁଁ ନାହାନ୍ତି। ଗଣମାଧ୍ୟମରେ ଯେତେବେଳେ ଚର୍ଚ୍ଚା ହେଉଛି ସେତେବେଳେ ଟିକେ ଲୋକ ଦେଖାଣିଆ ତତ୍ପର ହେଉଛନ୍ତି। ଆଉ ତା’ପରେ ନା ସେ କଥା କିଏ ପଚାରୁଛି ନା ସିବିଆଇ କଥା ଭାବୁଛନ୍ତି ସରକାର। ଅର୍ଥାତ୍ ଜେଲ ଭିତରେ ଗୋବିନ୍ଦ ସାହୁଙ୍କ ଝୁଲନ୍ତା ଦେହ ଯେମିତି ଝୁଲିଲା ସେମିତି ଅମୀମାଂସିତ ରହିଯିବା ସନ୍ଦେହ ଉଠିବା ସ୍ୱାଭାବିକ।
ଗୋପାଳଙ୍କ ପରିବାର ବି ଚାହୁଛି ନିରପେକ୍ଷ ତଦନ୍ତ
ନବ ଦାସ ହତ୍ୟାକାଣ୍ଡରେ ଅଭିଯୁକ୍ତ ଗୋପାଳଙ୍କ ପରିବାର ମଧ୍ୟ ନିରପେକ୍ଷ ତଦନ୍ତ ଚାହୁଛନ୍ତି। ସେମାନେ ଅଭିଯୋଗ କରୁଛନ୍ତି ଯେ ଗୋପାଳଙ୍କୁ ତତ୍କାଳୀନ ରାଜ୍ୟସରକାର ରାଜନୈତିକ ମୋହରା କରିଦେଇଛନ୍ତି। ଏଥିରେ ଗୋପାଳଙ୍କର କୌଣସି ଭୂମିକା ନାହିଁ। ସିବିଆଇ ତଦନ୍ତ ହେଲେ ସବୁ ସତ ପଦାକୁ ଆସିବ ବୋଲି ଅଭିଯୁକ୍ତ ଗୋପାଳର ପରିବାର ବର୍ଗ ମଧ୍ୟ ଦାବି କରୁଛନ୍ତି।
ଏହି ଘଟଣାରେ ଯଦି ସିବିଆଇକୁ ତଦନ୍ତଭାର ଦିଆଯାଏ ତାବେ ତାହା ରାଜ୍ୟ ପୁଲିସ ଉପରେ ସିଧାସଳଖ କୁଠାରଘାତ ହେବ। ନିଜର ତଦନ୍ତକାରୀ ସଂସ୍ଥା ଉପରେ ସରକାରଙ୍କ ଭରସା ନାହିଁ ବୋଲି ସ୍ପଷ୍ଟ ହେବ। ଆଉ ଏଥିରେ ରାଜ୍ୟ ସରକାର ନିଜେ ଫଶିଯିବାର ଆଶଙ୍କା ରହିଛି।
ଠିକ୍ ସେହିପରି ଯଦି ପୁରୁଣା ପୋଥିକୁ ଖୋଲାଯାଏ ତେବେ ସେଇ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ। ଏହା ସ୍ପଷ୍ଟ କରିବ ଯେ କ୍ରାଇମବ୍ରାଞ୍ଚ ରାଜନୀତିକ ହାତବାରିସୀ। ଏହାର ତଦନ୍ତ ନିରପେକ୍ଷ ନୁହେଁ। ଏହାଦ୍ୱାରା ଲୋକେ ନ୍ୟାୟ ପାଇବେ ନାହିଁ।
ନବୀନଙ୍କ ଧଳା କୁର୍ତ୍ତାରେ ଦାଗ ଲଗାଇବାକୁ ବିଜେପି ଚାହୁଁନାହିଁ
ପୁଣି ଯଦି ସରକାର ସବୁ ସାହସ ନେଇ ରାଜନୀତିକ ଫାଇଦା ପାଇଁ ଏହି ତଦନ୍ତକୁ ଉନ୍ମୋଚନ କରିବାକୁ ଚିନ୍ତା କରନ୍ତି ତେବେ ଦିଲ୍ଲୀରେ ଥିବା ନୀବନଙ୍କ ଶକ୍ତ ଲବି ତାହା ଉପରେ ଚାପ ପକାଇବାର ଆଶଙ୍କା ଅଧିକ ରହିଛି। କାରଣ ବିଦାୟବେଳେ ନବୀନ ନିଜ କୁର୍ତ୍ତାରେ ଦାଗ ଦେଖିବାକୁ ଚାହିଁବେ ନାହିଁ।
ଏବେ ବିଜେଡି ଅମଳରେ ହୋଇଥିବା ସବୁ ହତ୍ୟାକାଣ୍ଡର ପୁନଃ ତଦନ୍ତ ଦାବି ଆସିବ
ଯଦି ମମିତା ମେହେର ଓ ନବ ଦାସ ମାମଲାର ସିବିଆଇ ତଦନ୍ତ ବିଜେପି ସରକାର ତେବେ ବିଜେଡି ସରକାର ଅମଳରେ ହୋଇଥିବା ମାଧବୀଲତା, ବେବିନା, ଇତିଶ୍ରୀ, ସ୍ମିତାରାଣୀଙ୍କ ହତ୍ୟାକାଣ୍ଡର ପୁନଃ ତଦନ୍ତ ଦାବି ଉଠିବ। ଏସବୁର ତଦନ୍ତ ବିଜେପି ସରକାର କରିପାରିବ କି ବୋଲି ନିଶ୍ଚୟ ପ୍ରଶ୍ନ ଉଠିବ।
ଏହି ପରିସ୍ଥିତିରେ କେବଳ ସମୟ ହିଁ ଭରସା। କେଉଁ ଘାଟରେ କିଏ ପାଣି ପିଉଛି ତାହାକୁ କେବଳ ଦେଖିବାର କଥା। ଏହାଠୁ ବଳି ବିକଳ୍ପ ଆଉ ଦୃଶ୍ୟମାନ ହୁଏ ନାହିଁ।
Also readhttps://purvapaksa.com/big-companies-hike-prices-by-10-before-tax-cut/
