ଉଚ୍ଚ ଶିକ୍ଷା ନୁହେଁ ଆଇଟିଆଇ ପାଠପଢ଼ା । ଲକ୍ଷ୍ୟଠୁ ବହୁ ଦୂରରେ ମଡେଲ୍ ଡିଗ୍ରୀ କଲେଜ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ପାଞ୍ଚଟି ଆକାଂକ୍ଷା ଜିଲ୍ଲାରେ ମଡେଲ ଡିଗ୍ରୀ କଲେଜ କାମ ସରିଯାଇଥିବା ବେଳେ ସେଥିରେ ଉଚ୍ଚଶିକ୍ଷା ପାଠ ପଢ଼ା ନୁହେଁ ବରଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରଦାନ କରାଯାଉଛି । ଏପରିକି ଗଜପତି ଜିଲ୍ଲାର କାଶୀନଗରରେ ପ୍ରସ୍ତାବିତ ମଡେଲ କଲେଜ କାମ ଏପର୍ୟ୍ୟନ୍ତ ସରିପାରୁନି। ଆଜି ପ୍ରକାଶିତ ସିଏଜି ରିପୋର୍ଟରୁ ଏହି ସୂଚନା ମିଳିଛି। ଗ୍ରାମାଞ୍ଚଳ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ନେଇ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା) ଶିକ୍ଷାକ୍ଷେତ୍ରରେ ପଛୁଆ ଥିବା ଜିଲ୍ଲାଗୁଡିକରେ ମଡେଲ ଡିଗ୍ରୀ କଲେଜ ପ୍ରତିଷ୍ଠା କରିବାର ପରିକଳ୍ପନା କରିଥିଲା। ପ୍ରତି କଲେଜ ପ୍ରତିଷ୍ଠା ପାଇଁ ୧୨କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ଏହି ଜିଲ୍ଲାମଧ୍ୟରେ କଳାହାଣ୍ଡି, ବଲାଙ୍ଗିର, ଗଜପତି, କନ୍ଧମାଳ ଓ ଢେଙ୍କାନାଳ ରହିଥିଲା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଡେଲ ଡିଗ୍ରୀ କଲେଜର ନିର୍ମାଣ ଦାୟିତ୍ବ ପୂର୍ତ୍ତ ବିଭାଗକୁ ଦିଆଯାଇଥିଲା। ବର୍ଷେ ମଧ୍ୟରେ ନିର୍ମାଣ କାର୍ୟ୍ୟ ସରିଥାନ୍ତା।
୨୦୧୯ରୁ କଲେଜର ନିର୍ମାଣ କାମ ଆରମ୍ଭ ହୋଇଥିଲା। ଇତିମଧ୍ୟରେ କଳାହାଣ୍ଡିର ଜୁନାଗଡ, ବଲାଙ୍ଗିରର ପାଟଣାଗଡ, କନ୍ଧମାଳର କେଏନ ନୂଆଗାଁ, ଢେଙ୍କାନାଳର କାମାକ୍ଷାନଗରରେ କଲେଜ କାମ ସରିଯାଇଛି। ଉକ୍ତ ୫ଟି ମଡେଲ ଡିଗ୍ରୀ କଲେଜ ଯେଉଁ ସ୍ଥାନରେ ନିର୍ମାଣ ହୋଇଛି ତାହା ନିୟମ ବାହାରେ ରହିଛି। କାରଣ ପୂର୍ବରୁ ଉକ୍ତ ସ୍ଥାନମାନଙ୍କରେ ୧୪ଟି ଡିଗ୍ରୀ କଲେଜ ରହିଛି। ସେଥିପାଇଁ ଗତ ସରକାର ଉକ୍ତ କଲେଜଗୁଡିକୁ ଉଚ୍ଚଶିକ୍ଷା ପରିବର୍ତ୍ତେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ଦକ୍ଷତା ବିକାଶ ଯୋଜନା ପ୍ରଣୟନ କରିବା ପାଇଁ ଟେକି ଦେଇଥିଲେ। ଏବେ ସେଠାରେ ଆଇଟିଆଇ ପାଠ ପଢ଼ା ଚାଲିଛି। ଆଉ କେଉଁଠି କୋଠା କାମରେ ଆସୁନି। ଅପରପକ୍ଷେ, ୬ବର୍ଷ ବିତିଗଲାଣି, ମାତ୍ର ଗଜପତି କାଶୀନଗରରେ କଲେଜ କାମ ସରିନି। ଏପରିକି କୋରାପୁଟ ଜିଲ୍ଲା ସିମିଲିଗୁଡାରେ ନିର୍ମାଣଧୀନ ଏକ ଡିଗ୍ରୀ କଲେଜକୁ ଭାଙ୍ଗି ଦିଆଯାଇଥିଲା। କାରଣ ତାହା ଭାରତମାଳା ପ୍ରକଳ୍ପ ଅଧୀନରେ ହେବାକୁ ଥିବା ଜାତୀୟ ରାଜପଥ ସଂପ୍ରସାରଣ ଜମିରେ ହେଉଥିଲା।
ALSO READ https://purvapaksa.com/bjd-internal-voting-undemocratic-lacks-transparency/
