କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହା ଆସନ୍ତା ୨୨ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ୧୦ଟି ଅଗ୍ନିଶମ କେନ୍ଦ୍ରର ଶିଳାନ୍ୟାସ କରିବା ସହ ୨୫ଟି ରାପିଡ୍ ରେସପନ୍ସ ଗାଡ଼ିର ଶୁଭାରମ୍ଭ କରିବେ। ତେବେ ରାଜନୈତିକ ଦୃଷ୍ଟିକୋଣରୁ ତାଙ୍କର ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବରିଷ୍ଠ ବିଜେପି ନେତାଙ୍କ ଗସ୍ତ ସମୟରେ ନିଗମ ଓ ବୋର୍ଡରେ ନିଯୁକ୍ତି ସହ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବଡ଼ ନିଷ୍ପତ୍ତି ନିଆଯାଇପାରେ। ସେହିପରି ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ପ୍ରକ୍ରିୟା ଚାଲିଥିବାବେଳେ ଶାହା ଏହା ଉପରେ ଚୂଡ଼ାନ୍ତ ମୋହର ଲଗାଇପାରନ୍ତି। ମନ୍ତ୍ରୀ, ନିଗମ ଓ ବୋର୍ଡ ମୁଖ୍ୟ ନିଯୁକ୍ତି ପାଇଁ ଜୋରଦାର ଲବି ଚାଲିଥିବାବେଳେ ସେ ରାଜ୍ୟ ଗସ୍ତରେ ଆସୁଛନ୍ତି।
ପଦ ହରାଇବେ ମନ୍ତ୍ରୀ!
ରାଜ୍ୟରେ ଗତ ୯ ମାସ ଧରି ବିଜେପି କ୍ଷମତାରେ ଥିଲେ ମଧ୍ୟ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ରାଜ୍ୟରେ ସର୍ବାଧିକ ୨୨ ଜଣ ମନ୍ତ୍ରୀ ରହିପାରିବେ। ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ, ୨ ଜଣ ଉପମୁଖ୍ୟମନ୍ତ୍ରୀ, ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ମିଶାଇ ମୋଟ ୧୬ ଜଣ ମନ୍ତ୍ରୀ ଅଛନ୍ତି। ସେମାନଙ୍କ କାର୍ଯ୍ୟଦକ୍ଷତା ଆଧାରରେ କିଛି ମନ୍ତ୍ରୀ ସେମାନଙ୍କ ପଦ ହରାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଗତ ୯ ମାସ ମଧ୍ୟରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ମନ୍ତ୍ରୀ ଏବଂ ବିବାଦୀୟ ବୟାନ ଦେଉଥିବା ମନ୍ତ୍ରୀଙ୍କୁ ବାଦ୍ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି।
ମନ୍ତ୍ରିମଣ୍ଡଳରେ ଯୋଗ ଦେବେ ନୂଆ ଚେହେରା
ମନ୍ତ୍ରିମଣ୍ଡଳରେ କିଛି ନୂଆ ଚେହେରା ଯୋଗ ଦେବାର ସମ୍ଭାବନା ରହିଛି। କେନ୍ଦ୍ରାପଡ଼ା, କଟକ, ସୁନ୍ଦରଗଡ଼, ବରଗଡ଼, ବାଲେଶ୍ୱର, କଳାହାଣ୍ଡି ଓ କନ୍ଧମାଳ ସମେତ ୧୭ଟି ଜିଲ୍ଲାକୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ କରାଯାଇନାହିଁ। ସେହିପରି ବିଜେଡିରୁ ବିଜେପିକୁ ଆସିଥିବା ନେତାମାନେ ମଧ୍ୟ ନିରାଶ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଅନୁସୂଚିତ ଜନଜାତି, ୨ ଜଣ ଅନୁସୂଚିତ ଜାତି ଓ ୫ ଜଣ ଓବିସି ବର୍ଗର। ତେଣୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମୟରେ ବିଭିନ୍ନ ଜିଲ୍ଲାରେ ସନ୍ତୁଳିତ ପ୍ରତିନିଧିତ୍ୱ ଓ ଜାତିଗତ ସମୀକରଣକୁ ମଧ୍ୟ ଧ୍ୟାନରେ ରଖାଯିବ। ବିଧାନସଭାରେ ଭଲ ପ୍ରଦର୍ଶନ କରିଥିବା ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିପାରେ ଏବଂ ବରିଷ୍ଠ ନେତାଙ୍କ ସହ ଯୁବକମାନଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇପାରେ। ଶାହାଙ୍କ ଓଡ଼ିଶା ଗସ୍ତ ସମୟରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି। ସେହିପରି ଦଳରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି।
ରାଜ୍ୟ ସଭାପତି ଚୟନ
ବିଜେପି ପକ୍ଷରୁ ମଣ୍ଡଳ ଓ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଶେଷ ହୋଇଥିଲେ ହେଁ ରାଜ୍ୟ ସଭାପତି ଚୟନ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ବିଜେପି ରାଷ୍ଟ୍ରୀୟ ସମ୍ପାଦକ ତରୁଣ ଚୁଗ ସାଂଗଠନିକ ନିର୍ବାଚନକୁ ନେଇ ୩ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ଦଳର ରାଜ୍ୟ ନେତୃତ୍ୱ ମଧ୍ୟ ଦିଲ୍ଲୀ ଯାଇ ବୈଠକ କରିଥିଲେ। ହେଲେ ଏପର୍ଯ୍ୟନ୍ତ ସମାଧାନର ବାଟ ବାହାରି ପାରିନାହିଁ। ତେଣୁ ଅମିତ ଶାହାଙ୍କ ଗସ୍ତ ସମୟରେ ମଧ୍ୟ ଏ ନେଇ ନିଷ୍ପତ୍ତି ନିଆଯାଇପାରେ। ବିଜେପିର ବର୍ତ୍ତମାନର ରାଜ୍ୟ ସଭାପତି ମନମୋହନ ସାମଲ, ଯତୀନ ମହାନ୍ତି ଓ ବିଶ୍ୱେଶ୍ୱର ଟୁଡୁ ଏହି ପଦ ପାଇଁ ଦୌଡ଼ରେ ଥିବା କୁହାଯାଉଛି।
ଚୂଡ଼ାନ୍ତ ହେବ ନିଗମ, ବୋର୍ଡ
ବିଭିନ୍ନ ବୋର୍ଡ ଓ ନିଗମରେ କାହାକୁ ଦାୟିତ୍ୱ ଦିଆଯିବ ତାହା ଜାଣିବାକୁ ରାଜ୍ୟ ବିଜେପିରେ ସମସ୍ତେ ଆଗ୍ରହୀ ଅଛନ୍ତି। ଅମିତ ଶାହା ମଧ୍ୟ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି। ପରଦା ପଛରେ ସାଂଗଠନିକ ଦାୟିତ୍ୱ ନେଇଥିବା ନେତାଙ୍କୁ ବୋର୍ଡ ଓ କର୍ପୋରେସନ ପଦବୀରେ ନିଯୁକ୍ତି ଦେବାକୁ ବିଜେପି ସରକାର ବିଚାର କରୁଛନ୍ତି। ଆମଦାନୀ ନେତାଙ୍କ ସମେତ ଅନେକ ଆଶାୟୀ ବିଭିନ୍ନ ବୋର୍ଡ ଓ ନିଗମରେ ପଦବୀ ପାଇଁ ନଜର ରଖିଛନ୍ତି। ନିର୍ବାଚନ ପୂର୍ବରୁ ଅନ୍ୟ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିବା ନେତାମାନେ ଏହି ପଦପାଇଁ ଆଶାୟୀ ଅଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗଙ୍କ ସମେତ ବରିଷ୍ଠ ନେତାମାନେ ଏ ନେଇ ବିଚାର ବିମର୍ଶ କରିଛନ୍ତି। ଅମିତ ଶାହାଙ୍କ ଆଗାମୀ ଗସ୍ତ ସମୟରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି।
Also readhttps://purvapaksa.com/is-form-16-necessary-for-itr-filing-what-to-do-if-you-dont-have-it/
ଆଇଟିଆର ଫାଇଲିଂ ପାଇଁ ଫର୍ମ ୧୬ ଜରୁରୀ କି? ଯଦି ଆପଣଙ୍କ ପାଖରେ ଏହା ନାହିଁ ତେବେ କ’ଣ କରିବେ?
