Subhadra Shakti Mela: ଏହି ମେଳା ମାଧ୍ୟମରେ ୩୫୦ରୁ ଅଧିକ ଏସଏଚଜି ସଦସ୍ୟା ଲକ୍ଷପତି ଦିଦି ହେବା ଓଡିଶାରେ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକ ପାଇଁ ନୂତନ ମାନଦଣ୍ଡ ସ୍ଥାପନ କରିଥିଲା ।
ଭୁବନେଶ୍ୱର ଜନତା ମଇଦାନ ଠାରେ ନଅ ଦିନ ବ୍ୟାପି ଅୟୋଜିତ ମହିଳା ସଶକ୍ତିକରଣର ଏବଂ ଉଦ୍ୟୋଗିତାର ମହୋତ୍ସବ ସୁଭଦ୍ରା ଶକ୍ତି ମେଳା ୨୦୨୫ ରବିବାର ଉଦ୍ଯାପିତ ହୋଇଯାଇଛି । ଏହି ଅନନ୍ୟ ମହୋତ୍ସବ ଓଡିଶାର ୩୦ଟି ଜିଲ୍ଲାରୁ ଆସିଥିବା ୩୦୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ପାଇଁ ସେମାନଙ୍କର ବିଭିନ୍ନ ଉତ୍ପାଦଗୁଡ଼ିକୁ ପ୍ରଦର୍ଶନ କରିବା ନିମନ୍ତେ ଏକ ଭିନ୍ନ ମଞ୍ଚ ପ୍ରଦାନ କରିଥିବା ବେଳେ ମହିଳା-ନେତୃତ୍ୱାଧୀନ ବ୍ୟବସାୟଗୁଡ଼ିକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ପରିପ୍ରକାଶ ଥିଲା ।
ହସ୍ତତନ୍ତ, ହସ୍ତଶିଳ୍ପ ଠାରୁ ଆରମ୍ଭ କରି ଜୈବିକ ଖାଦ୍ୟ, ମସଲା ଏବଂ ପରିବେଶ ଅନୁକୂଳ ଉତ୍ପାଦ ପର୍ଯ୍ୟନ୍ତ, ମେଳା ଏକ ଜୀବନ୍ତ ବଜାର ଭାବରେ ଏସଏଚଜିଗୁଡ଼ିକର ପ୍ରତିଭା ଏବଂ ଉଦ୍ୟୋଗିତାର ପ୍ରଦର୍ଶନ କରିଥିଲା । ମା’ ମାନଙ୍କ ଦ୍ୱାରା ପରିଚାଳିତ ଫୁଡ୍ କୋର୍ଟ ଏକ ପ୍ରମୁଖ ଜନସମାଗମ ଆକର୍ଷଣ ହୋଇ ରହିଥିଲା, ଯେଉଁଠାରେ ଦର୍ଶକମାନେ ମାଣ୍ଡିଆ-ଆଧାରିତ ବ୍ୟଞ୍ଜନ ଏବଂ ଖାଣ୍ଟି ଓଡ଼ିଆ ବ୍ୟଞ୍ଜନର ଆନନ୍ଦ ନେଇଥିଲେ ।
ଏହି ଭବ୍ୟ କାର୍ଯ୍ୟକ୍ରମରେ ୯ ଲକ୍ଷରୁ ଅଧିକ ଦର୍ଶକଙ୍କ ଜନସମାଗମ ଦେଖିବାକୁ ମିଳିଥିବା ବେଳେ ଏହା ଏସଏଚଜି ସଦସ୍ୟାଙ୍କ ପାଇଁ ୫ କୋଟି ଟଙ୍କାର ରେକର୍ଡ ବ୍ୟବସାୟ ସୃଷ୍ଟି କରିଥିଲା । ସୁଭଦ୍ରା ଶକ୍ତି ମେଳା ୨୦୨୫ର ଉଦ୍ଯାପନ ସମାରୋହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଚାରା ଗଛ ଦାନ ପୂର୍ବକ ଅତିଥିମାନଙ୍କୁ ସ୍ୱାଗତ ସଙ୍ଗେ ସଙ୍ଗେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପୁଷ୍ପ ଅର୍ପଣ କରିବା ସହ ଆରମ୍ଭ ହୋଇଥିଲା। ତା’ପରେ ବିଭାଗୀୟ ଆୟୁକ୍ତ-ତଥା ଶାସନ ସଚିବ ଶାଲିନୀ ପଣ୍ଡିତ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ।
ପ୍ରଖ୍ୟାତ ଅଭିନେତ୍ରୀ ପିଙ୍କି ପ୍ରଧାନ ଏବଂ ଅନୁ ଚୌଧୁରୀ ସଭାକୁ ସମ୍ବୋଧିତ କରି ଏସଏଚଜି ମହିଳାଙ୍କ ଉଦ୍ୟୋଗିତା ଏବଂ ପ୍ରତିଭାକୁ ପ୍ରଶଂସା କରିଥିବା ବେଳେ ମନ୍ତ୍ରୀ ସୁରେଶ ପୂଜାରୀ ନିଜ ଅଭିଭାଷଣରେ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଏବଂ ଆତ୍ମନିର୍ଭରଶୀଳତା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରକାଶ କରିଥିଲେ।
ସନ୍ଧ୍ୟାର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ଥିଲା ମେଳାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଏସଏଚଜି/ପିଜି ଏବଂ ଅଂଶଗ୍ରହଣକାରୀ ସଂସ୍ଥାଗୁଡ଼ିକର ସମ୍ବର୍ଦ୍ଧନା, ଯାହା ମହିଳା ଉଦ୍ୟୋଗିତାକୁ ପରିଚୟ ପ୍ରଦାନ କରିଥିଲା । ମୋଟ ନଅଟି ବର୍ଗରେ ୨୫ଟି ଏସଏଚଜି ଏବଂ ପିଜିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ବିଜେତାମାନଙ୍କୁ ପ୍ରଥମ ସ୍ଥାନ ପାଇଁ ୩୦,୦୦୦ ଟଙ୍କା, ଦ୍ୱିତୀୟ ସ୍ଥାନ ପାଇଁ ୨୫,୦୦୦ ଟଙ୍କା ଏବଂ ତୃତୀୟ ସ୍ଥାନ ପାଇଁ ୨୦,୦୦୦ ଟଙ୍କାର ପୁରସ୍କାର ରାଶି ସହିତ ପ୍ରମାଣପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା।
ବିଶେଷ କରି ହସ୍ତତନ୍ତ ଉତ୍ପାଦ ପ୍ରଦର୍ଶନ କରି ୬ ଲକ୍ଷ ଟଙ୍କାରୁ ଅଧିକର ବିକ୍ରି ରେକର୍ଡ କରିଥିବା କଳାହାଣ୍ଡି ଏମ. ରାମପୁରର ମା’ ବୈଷ୍ଣୋଦେବୀ ପିଜିଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ୫୦,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ । ଏହା ପରେ ଉପମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କିଭଳି ରାଜ୍ୟସରକାରଙ୍କର ମହିଳା କୈନ୍ଦ୍ରିକ ଅର୍ଥନୀତି ଗାଁ ଗାଁରେ ପହଞ୍ଚିଛି, ମହିଳା ମାନେ ଓଡ଼ିଶାର ଅର୍ଥନୈତିକ ଭବିଷ୍ୟତରେ କିପରି ଭାଗିଦାର ହେବା ସହ ସମାଜରେ ଆଗକୁ ନେଇ ସେମାନଙ୍କୁ ଲକ୍ଷପତି ଦିଦି ହେବା ଦିଗରେ ସାହାଯ୍ୟ କରିଛି ତାହା ଉଲ୍ଲେଖ କରିଥିଲେ। ଓଡିଶାର ସମୃଦ୍ଧ ଲୋକ ପରମ୍ପରାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ଏକ ଅବିସ୍ମରଣୀୟ ସମ୍ବଲପୁରୀ କଳା ଓ ସଙ୍ଗୀତ ପରିବେଷଣ ସହ ମେଳାର ଭବ୍ୟ ସମାପନ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୮୮ଟି ଏସଏଚଜି ପ୍ରଥମ ଥର ପାଇଁ ଏକ ରାଜ୍ୟ-ସ୍ତରୀୟ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ, ଯାହା ସେମାନଙ୍କ ଉଦ୍ୟୋଗିତାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଥିଲା । ଏହି ମେଳା ମାଧ୍ୟମରେ ୩୫୦ରୁ ଅଧିକ ଏସଏଚଜି ସଦସ୍ୟା ଲକ୍ଷପତି ଦିଦି ହେବା ଓଡିଶାରେ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକ ପାଇଁ ନୂତନ ମାନଦଣ୍ଡ ସ୍ଥାପନ କରିଥିଲା । ମେଳା ମାଧ୍ୟମରେ କଳାହାଣ୍ଡିରୁ ମହିଳା ମାଣ୍ଡିଆ ଚାଷୀ ସବିତ୍ରୀ ଦେବୀ ତାଙ୍କର କୃଷି ଉତ୍ପାଦକୁ ଏକ ସଫଳ ମିଲେଟ୍ ସ୍ନାକ୍ସ ବ୍ରାଣ୍ଡରେ ପରିଣତ କରିଥିବା ବେଳେ ମଞ୍ଜୁଳା ନାୟକ ଆଦିବାସୀ ହସ୍ତତନ୍ତ ଉତ୍ପାଦର ପରିଦର୍ଶନ କରି ସହରୀ କ୍ରେତାଙ୍କୁ ବେଶ ଆଦୃତ କରିଥିଲେ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ, ଓଡିଶା ସରକାର ଏସଏଚଜି ସଦସ୍ୟମାନଙ୍କୁ ସଫଳ ଉଦ୍ୟୋଗୀ ଏବଂ ଲକ୍ଷପତି ଦିଦିରେ ପରିଣତ କରିବାର ଲକ୍ଷ୍ୟରେ ଅଟଳ ରହିଛନ୍ତି। ଏହି ମେଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଏବଂ ଏକ ବିକଶିତ ଓଡିଶା ନିର୍ମାଣର ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା।
previous article:https://purvapaksa.com/orissa-hc-expresses-deep-concern-on-mass-exodus-of-government-doctors/
ସରକାରୀ ଚାକିରି ପ୍ରତି ଡାକ୍ତରଙ୍କ ବିମୁଖତା ନେଇ ହାଇକୋର୍ଟଙ୍କ ଗଭୀର ଉଦବେଗ ପ୍ରକାଶ
